Unknown

 

 

 

 

 

 

 

 

 

 

 

ମଧ୍ୟାହ୍ନର ଦିବାରାତ୍ରି

ବିଭୂତି ପଟ୍ଟନାୟକ

 

॥ ଅଞ୍ଜଳି ॥

 

॥ ପ୍ୟାରିସ, ପ୍ୟାରି ! ତମେ ଏକ ମଧ୍ୟାହ୍ନର ନଦୀ ! ॥

 

ଆଜି ମାର୍ଚ୍ଚ ୧୮ ତାରିଖ, ଅଠଷଠି ମସିହାରେ ଏଇ ମାର୍ଚ୍ଚ-୧୮ ଲାଲ୍ ଅକ୍ଷରରେ ରେଖାଙ୍କିତ ହୋଇ ରହିବ ମୋ ମନର ମାନଚିତ୍ରରେ । ଆଜି ପ୍ୟାରିସ୍ ସହରରେ ଆମେରିକା ବ୍ୟାଙ୍କ୍ ଉପରେ ବୋମା ପଡ଼ିଲା । ଛାତ୍ର ବିକ୍ଷୋଭକାରୀମାନଙ୍କ ହାତ ତିଆରି ବୋମା !

 

ଶବ୍ଦଟା ଏ ପର୍ଯ୍ୟନ୍ତ କାନରେ ଶୁଣାଯାଉଛି ।

 

ୟାଙ୍କି ସୈନ୍ୟ—ଭିଏତନାମ୍ ଛାଡ଼ !

 

ଏ ସ୍ଲୋଗାନ୍‍ର ଆବାଜ୍ ମଧ୍ୟ ମୋ କାନରେ ଅଜାଡ଼ି ହୋଇପଡ଼ୁଛି । ମନ ଭିତରେ ଚାଞ୍ଚଲ୍ୟ; ଠିକ୍ ଚଞ୍ଚଳତା କହିଲେ ଠିକ୍ ହେବ ନାହିଁ—କିପରି ଏକ ମଧୁର ଉନ୍ମାଦନା ମୋ ଅନ୍ତରାତ୍ମାକୁ ଆନ୍ଦୋଳିତ କରି ଦେଲା ।

 

ଆଃ, ଆଖି ଦୁଇଟା ଏପର୍ଯ୍ୟନ୍ତ ସୁଦ୍ଧା ଜଳୁଛି । ମୋର ଠିକ୍ ସାମ୍ନାରେ ପୋଲିସ୍‍ର ଲୁହବୁହା ବାଷ୍ପ ସେଲ୍‍ଟା ଫାଟି ଚାରିଆଡ଼ ଧୂର୍ମାଭ କରି ଦେଲା । ମୁଁ ଠିକ୍ ମୁହଁରେ ରୁମାଲ ଚାପି ଶୋଇ ପଡ଼ିବାକୁ ଯାଉଥିଲି—ଜିନ୍‍ ମତେ ହାତ ଧରି ଉଠାଇ ଦେଲା । ତା ପକେଟରେ ଗୋଟାଏ ପ୍ଲାଷ୍ଟିକ୍ ବୋମା ସେ ପର୍ଯ୍ୟନ୍ତ ସୁଦ୍ଧା ମହଜୁଦ୍ ଥିଲା । ବିପୁଳ ଉତ୍ତେଜନା ଯୋଗୁ ସେ ବୋମାଟା ବ୍ୟବହାର କରି ପାଇ ନଥିଲା ।

 

ତା ହାତର ବୋମାଟା ଠିକ୍ ଜଣେ ପୋଲିସର ଟୋପିକୁ ଉଡ଼ାଇ ନେଲା । ମୁଁ ମଧ୍ୟ ସେ ପୋଲିସ ଲୋକର ଚିତ୍କାର ଶୁଣି ପାରିଥିଲି । ହୁଏତ ତା ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିଲା ।

 

ରୁମାଲରେ ଆଖି ମଳି ମଳି ଫେରିଲା ବେଳେ ଜିନ୍‍କୁ ମୁଁ ପ୍ରଶ୍ନ କରିଥିଲି, ବୋମାଟା ଆମେରିକା ବ୍ୟାଙ୍କ୍ ଉପରକୁ ନ ପକାଇ ଫରାସୀ ପୋଲିସ ମୁଣ୍ଡକୁ ପକାଇବାର ଅର୍ଥ କଣ ?

 

ଜିନ୍‍, ମୁହଁ ପାଚିଲା ଟମାଟୋ ଭଳି ଲାଲ୍ ଦେଖା ଯାଉଥିଲା ।

 

ସେ ଖୁବ୍ ଉତ୍‍ଫୁଲ୍ଲ ଥିବା ଭଳି ମୁଖଭଙ୍ଗୀ କରି କହିଲା, ସବୁ ପୋଲିସ ବିପ୍ଳବ-ବିରୋଧୀ । ୟାଙ୍କି ପୋଲିସ, ପ୍ୟାରିସ୍ ପୋଲିସ ଭିତରେ ସେ ଦୃଷ୍ଟିରୁ କିଛି ବିରୋଧ ନାହିଁ । ଅନେକ ଦିନ ପରେ ପୁଣି ଫ୍ରାନ୍ସରେ ବିପ୍ଳବ ହେଉଛି । ସେଥର ବିପ୍ଳବ ହୋଇଥିଲା ରାଜତନ୍ତ୍ର ଆଉ ଧର୍ମସଂଘ ବିରୁଦ୍ଧରେ—ଏଥର ବିଦ୍ରୋହ ସ୍ଥାଣୁ ସମାଜ ବ୍ୟବସ୍ଥା ଆଉ ଅମାନୁଷିକ ଯୁଦ୍ଧଖୋର ମନୋବୃତ୍ତି ବିରୁଦ୍ଧରେ ।

 

ମୋ ଆଖି ଦୁଇଟା ସେ ପର୍ଯ୍ୟନ୍ତ ସୁଦ୍ଧା ଲୁହବୁହା ବାଷ୍ପ ଯୋଗୁ ଜଳୁଥିଲା । ମୁଁ ଜିନ୍‍ର କଥା ଶୁଣିଲି । କିଛି ଉତ୍ତର ଦେଇ ପାରିଲି ନାହିଁ । ଜିନ୍‍ ଅନେକ ଦିନୁ ଆଉ ଏକ ଫରାସୀ ବିପ୍ଳବର ସ୍ଵପ୍ନ ଦେଖୁଥିଲା । ତାର ସେ ସ୍ଵପ୍ନ ଆଜି ହୁଏତ କିଛି ପରିମାଣରେ ସଫଳ ହୋଇଛି ! ମୁକ୍ତି ନ ହେଲେ ସୁଦ୍ଧା ପୋଲିସ ଲୋକଟିର ମୁଣ୍ଡ ଉପରର ଟୋପିକୁ ସେ ପ୍ଲାଷ୍ଟିକ୍ ବୋମା ପକାଇ ଉଡ଼ାଇ ଦେଇପାରିଛି !

 

ମତେ କାଫେକୁ ଯିବା ପାଇଁ ଡାକୁଥିଲା ଜିନ୍‍ ।

 

ମୁଁ ଗଲିନାହିଁ ।

 

ମତେ ଆଜି ମାଆଙ୍କ ପାଖକୁ ଗୋଟାଏ ଚିଠି ଲେଖିବାକୁ ହେବ । ଏକଥା ସତ୍ୟ, ମାଆଙ୍କୁ ମୁଁ କେବେ ଏ ଛାତ୍ର ବିକ୍ଷୋଭ କଥା ଲେଖିବି ନାହିଁ । ମୋ ଆଖି ଯେ ଲୁହବୁହା ବାଷ୍ପ ଲାଗି ଅସହ୍ୟ ଯନ୍ତ୍ରଣାରେ ଜଳୁଛି ଏବଂ ମୁଁ ଏକ ପ୍ରକାର ଜିନ୍‍ କାନ୍ଧ ଉପରେ ଭରା ଦେଇ ହୋଟେଲ୍ ରୁମରେ ପ୍ରବେଶ କଲି, ଏକଥା ମଧ୍ୟ ମାଆଙ୍କୁ ଲେଖାଯିବ ନାହିଁ । ମାଆଙ୍କୁ ଭୟଭୀତ କରିବା ମୋର ଇଚ୍ଛା ନୁହେଁ । ମୁଁ କେବଳ ଭଲ ଅଛି, ସେ ଏତିକି ଜାଣିଲେ ଖୁସି । ତେବେ ଜିନ୍‍ କଥା ତାଙ୍କୁ ଲେଖିବି କି ?

 

ନା, ଜିନ୍‍ କଥା ମଧ୍ୟ ତାଙ୍କୁ ଲେଖା ଯାଇ ପାରେନା ।

 

ଜିନ୍‍ ଇବର୍ଟ ସହ ମୋର ସଂପର୍କ କଥା ଅନେକ ଆଗରୁ ଲେଖିବି ବୋଲି ଭାବି ଭାବି ଜାଣି ଜାଣି ଶେଷରେ ତାଙ୍କୁ ଲେଖି ନାହିଁ । କିନ୍ତୁ ଦିନେନା ଦିନେ ତାଙ୍କୁ ଜିନ୍‍ କଥା ଲେଖିବାକୁ ହେବ-। ହୁଏତ... !

 

ଦରଜାରେ କିଏ ନକ୍ କରୁଛି ।

 

କିଏ ସେ ?

 

ପୁଣି ସେଇ କବାଟ ବାଡ଼େଇବା ଶବ୍ଦ ।

 

ଅଗତ୍ୟା ମତେ ଉଠିବାକୁ ହେବ । ଆଃ, କି ବିରକ୍ତିକର ବ୍ୟାପାର !

 

ତୁମେ କଅଣ କରୁଥିଲ ?

 

ସ୍ମୃତି ଚାରଣ । କହି ପାରନ୍ତି, ଯାହା ଏଇ କିଛି ସମୟ ଆଗରୁ ଘଟିଯାଇଥିଲା, ତାକୁ ଆଉ ଥରେ ମନେ ପକାଇ ନେଉଥିଲି । ହଠାତ୍ ଆପଣ ?

 

ଅଞ୍ଜଳି ! ତମେ ମତେ ଆପଣ ନ କହି ତମେ କହି ପାରନା ! ଆପଣ ଶବ୍ଦଟା ଏପରି ଗୁରୁଜନ-ସୁଲ୍ଲଭ ଯେ ତମ ମୁହଁରୁ ସେ ସମ୍ବୋଧନ ଶୁଣିଲେ ମୁଁ ନିଜକୁ ହଠାତ୍ ବୟସ୍କ ମନେକରେ-। ଆଃ, ତମ ଆଖିଟା ଲାଲ୍ ଦିଶୁଛି ଯେ !

 

ନା—ଏମିତି, କାଲି ରାତିରେ ସୁନିଦ୍ରା ହୋଇ ନ ଥିଲା—ଆଜି ମଧ୍ୟ ଅନେକ ଭିଜିଟର୍ । ଚେଷ୍ଟା କରି ମଧ୍ୟ ମୁଁ ଶୋଇ ପାରୁନି ।

 

ଦୁଃଖିତ—ତମକୁ ଆସି ଅବେଳରେ ବିରକ୍ତ କଲି । ମୋର କିନ୍ତୁ ଅନ୍ୟ ରକମର ଭୟ ହୋଇଥିଲା ।

 

ମୋ ପାଇଁ ଭୟ !

 

ହଁ—ଟି. ଭି. ରେ ଦେଖିଲି ତମରି ଭଳି ଗୋଟିଏ ଝିଅ ଆମେରିକା ବ୍ୟାଙ୍କ୍ ଆଗରେ ବିକ୍ଷୋଭ ପ୍ରଦର୍ଶନରେ ଭାଗ ନେଇଛି । ହୁଏତ କିଛି ଦୁର୍ଘଟଣା ଘଟିଥାଇ ପାରେ, ଏମିତି ଗୋଟାଏ ଭୟ ମୋ ମନକୁ ଗ୍ରାସ କରି ଯାଇଥିଲା ।

 

କମଲ୍ ! ସତରେ ଯଦି ଆପଣ ଦେଖିଥାଆନ୍ତେ ଯେ ମୁଁ ବିକ୍ଷୋଭ ପ୍ରଦର୍ଶନରେ ଭାଗ ନେଇ ଆହତ ହୋଇଛି, ତାହାହେଲେ ଆପଣ କଅଣ କରି ଥାଆନ୍ତେ ।

 

ଅନ୍ତତଃ ମାମିଙ୍କୁ ଗୋଟାଏ କେବେଲ୍ ପଠାଇବାକୁ ହୋଇଥାଆନ୍ତା । ସତରେ, ତମ ଭଳି ଏତେ ସୁନ୍ଦରୀ ଝିଅ ବିକ୍ଷୋଭର ପୁରୋଭାଗରେ ରହିବା କଥା ମୁଁ ଆଦୌ ଭାବି ପାରେ ନାହିଁ । ତମେ ନଦୀ ଭଳି ଶାନ୍ତ, ଜଳଭଳି ଶୀତଳ ଏକ ଝିଅ । ବିକ୍ଷୋଭ, ଆନ୍ଦୋଳନର ଅଗ୍ନିସ୍ଫୁରଣ ଭିତରେ ତମେ ଆଦୌ ନିଜକୁ ଖାପ୍ ଖୁଆଇ ପାରିବ ନାହିଁ ।

 

କମଲ୍‍ର କଥା ଶୁଣି କିଛି ସମୟ ଚୁପ୍ ହେଲା ଅଞ୍ଜଳି । ତାପରେ ପ୍ରଥମ ଥର ପାଇଁ କମଲ୍‍କୁ ‘ତମେ’ ବୋଲି ସମ୍ବୋଧନ କରି କହିଲା, କମଲ୍ ! ସତରେ ମୁଁ ଆଜି ବିକ୍ଷୋଭ ପ୍ରଦର୍ଶନରେ ଭାଗ ନେଇଥିଲି । ପୋଲିସ ଟିଅରଗାସ୍ ସେଲ୍ ଫାଟି ମୋ ଆଖିର ଏ ଦୁର୍ଦ୍ଦଶା ହୋଇଛି । ତମେ ମତେ ଯେପରି ଝିଅ ବୋଲି ଭାବୁଛ, ମୁଁ ଠିକ୍ ସେମିତି ଏକ ଶାନ୍ତ, ସରଳ ଝିଅ ନୁହେଁ । ମୋ ଚାହାଣୀରେ ନିଆଁ ଅଛି ।

 

କମଲ୍ ଚମକି ଉଠିଲା । ଜଣେ ବିପ୍ଳବିଣୀ ନାରୀର ବାସଗୃହରେ ସେ ପାଦ ଦେଇଛି ବୋଲି ଭାବିବା ମାତ୍ରେ ତାର ମାଂସଳ ଦେହଟା କିଛିକ୍ଷଣ ପାଇଁ ଶିହରି ଉଠିଲା । ସେ ତୀକ୍ଷ୍ଣ ଦୃଷ୍ଟିରେ କୋଠରୀର ଚାରିଆଡ଼କୁ ଚାହିଁ ନେଇ କମ୍ପିତ କଣ୍ଠରେ ପ୍ରଶ୍ନକଲା, ଅଞ୍ଜଳି ! ଏ କୋଠରୀର କୌଣସି ଅଂଶରେ କିଛି ବୋମା, ରାଇଫଲ୍ ଇତ୍ୟାଦି ଅଛି କି ?

 

କମଲ୍‍ର କଥା ଶୁଣି ନୀରବରେ ହସିଲା ଅଞ୍ଜଳି । କିଛି ଉତ୍ତର ଦେଲା ନାହିଁ । ତାଠାରୁ କୌଣସି ଉତ୍ତର ନ ପାଇ ଗୋଟାଏ ଚେୟାର ଉପରେ ବସି ପଡ଼ି କମଲ୍ କହିଲା, ଆମେ ଏଠାକୁ ଉଚ୍ଚଶିକ୍ଷା ପାଇଁ ଆସିଛୁ । ଆଉ ମାସ କେତୋଟି ପରେ ଏ ଦେଶରୁ ଆମର ଶିକ୍ଷା ଶେଷ ହୋଇଯିବ । ଏ ଦେଶର ଆଭ୍ୟନ୍ତରୀଣ ରାଜନୀତି ସହିତ ସଂପୃକ୍ତ ହୋଇପଡ଼ିବା କଅଣ ଆମ ପକ୍ଷରେ ଉଚିତ ? ଯାହା ହେଲେ ବି ଆମେରିକା ଆମ ଦେଶର ବନ୍ଧୁ ଦେଶ । ସେ ଦେଶ ବିରୁଦ୍ଧରେ ଅନ୍ୟ ଏକ ଦେଶରେ ବିଦ୍ରୋହ କରିବା ଆମ ପକ୍ଷରେ ଅନ୍ୟାୟ ନୁହେଁ ?

 

କଥା କହିଲା ବେଳେ କମଲ୍ ଉତ୍ତେଜିତ ହୋଇପଡ଼ିଥିଲା । ଏକାଥରେ ଏତେ ଗୁଡ଼ାଏ କଥା କହି ପକାଇବା ଫଳରେ ତାର ଶ୍ଵାସନଳୀରେ କିଛି ଅବ୍ୟବସ୍ଥା ସୃଷ୍ଟି ହେବା ଭଳି ମନେ ହେଲା-। କାରଣ ସେ ଚେୟାର ଉପରେ ବସି ଛାତି ଉପରେ ଗୋଟିଏ ହାତ ରଖିଲା ଏବଂ ଧୀରେ ଧୀରେ ନିଃଶ୍ୱାସ ନେବାକୁ ଲାଗିଲା ।

 

ଅଞ୍ଜଳି ସଂକ୍ଷେପରେ ଉତ୍ତର ଦେଲା, କମଲ୍ ! ମତେ କଅଣ ତମର ସବୁ ପ୍ରଶ୍ନର ଉତ୍ତର ଦେବାକୁ ହେବ ?

 

କମଲ୍ ଏଭଳି ଉତ୍ତରରେ ଅପମାନିତ ବୋଧ କରିବା କଥା । କିନ୍ତୁ ଜାଣି ଜାଣି ସେ ଅଞ୍ଜଳିର ସେ କଥାକୁ ଦେହକୁ ନେଲା ନାହିଁ । ବରଂ ବେଶ୍ ଜଣେ ଅଭିଭାବକ ଭଳି ସେ କହିଲା, ତମ ପ୍ରତି ମୋର ନିଶ୍ଚୟ କିଛି ଦାୟିତ୍ୱ ଅଛି ବୋଲି ତମେ ମାନିବ । ତମେ ନ ମାନିଲେ ମଧ୍ୟ କିଛି ଯାଏ ଆସେ ନାହିଁ । ମୁଁ ତମ ପ୍ରତି ମୋର କର୍ତ୍ତବ୍ୟ କଅଣ ଜାଣେ । ମାମିଙ୍କୁ ମୁଁ ଗୋଟାଏ ଚିଠି ଆଜି ନିଶ୍ଚୟ ଲେଖିବି ।

 

ଛୋଟ ଶିଶୁକୁ ଧମକ ଦେଲାଭଳି କଥା ।

 

କିନ୍ତୁ କମଲ୍‍ର ସେ କଥାରେ ଭୀତ ନ ହୋଇ ବିରକ୍ତ ହେଲା ଅଞ୍ଜଳି । ପ୍ରେମଚାନ୍ଦଜୀଙ୍କ ପୁଅ କମଲ୍ ତା ମାଆଙ୍କୁ ମାମି ଡାକିବି ଏକଥା ମଧ୍ୟ ତାର ଅସହ୍ୟ । ପ୍ୟାରିସ୍ ଆସିବା ପରେ କମଲ୍ ଠିକ୍ ଛାୟାଭଳି ତାର ଅନୁସରଣ କରୁଛି, ସେ କଅଣ କରିବା ଉଚିତ ଅନୁଚିତ ସେ ବିଷୟରେ ସବୁବେଳେ ତାର ମତାମତ ଶୁଣି ସେ ଏକପ୍ରକାର ଅତିଷ୍ଠ ହୋଇଗଲାଣି । ଭାରତ ଛାଡ଼ି ଆସିବାବେଳେ ମାଆ ତାର କେବେ କମଲ୍‍କୁ କହିଥିଲେ ଅଞ୍ଜଳିର ଚିନ୍ତା ତତେ ଲାଗିଲା, ସେକଥା ସେ ନିଜେ ଅନେକ ଦିନ ହେଲା ଭୁଲି ଗଲାଣି ।

 

କମଲ୍‍ର କଥା ଶୁଣି ସେ କିଛି କହିଲା ନାହିଁ । କିନ୍ତୁ ତା ମୁହଁର ରେଖାଗୁଡ଼ିକରେ ଏପରି ଏକ କର୍କଶ ଭଙ୍ଗୀ ଫୁଟି ଉଠିଲା, ତାହା ଲକ୍ଷ୍ୟକରି କମଲ୍ ଏକବାରେ ଚିନ୍ତିତ ହୋଇପଡ଼ିଲା । କିନ୍ତୁ ସେ ସହଜରେ ଛାଡ଼ିବା ଲୋକ ନୁହେଁ । ସେ ଯେତେଥର ଅଞ୍ଜଳି ପାଖକୁ ଆସିଛି, ତାର ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରିଛି, ତାଠାରୁ ସେତିକି ସେତିକି ଦୂରକୁ ସେ ଘୁଞ୍ଚି ଯାଇଛି । କମଲ୍ ଜାଣେ, ଏଥିପାଇଁ ଅଞ୍ଜଳିକୁ ଦୋଷ ଦିଆ ଯାଇପାରେନା । ଏ କେତେଦିନ ହେଲା ତା ନିଜ ଦେହରେ ଅନେକ ପରିମାଣରେ ଚର୍ବି ଜମିବାକୁ ଆରମ୍ଭ କରି ଦେଇଛି । ବହୁତ ପ୍ରକାର ଔଷଧ ଖାଇଲେ ସୁଦ୍ଧା ନିଜ ଦେହର ମାଂସକୁ ନିୟନ୍ତ୍ରଣ କରିପାରି ନାହିଁ କମଲ୍ । ଅଞ୍ଜଳି ଭଳି ଛୁରୀଧାର ଭଳି ଝିଅ ଯଦି ମନେ ମନେ ତା ଭଳି ପୃଥୁଳକାୟ ପୁରୁଷକୁ ଦୂରରେ ରଖିବାକୁ ଚାହୁଁଥାଏ, ତାହା ହେଲେ ସେଥିପାଇଁ ସେ ନିଜେ ହିଁ ଦାୟୀ ।

 

ଏଥିପାଇଁ ଜିନ୍‍ ରବର୍ଟକୁ ଦାୟୀ କରା ଯାଇପାରେ କି ?

 

ଜିନ୍‍ କଥାଟା ମନେ ପଡ଼ିଯିବା ମାତ୍ରେ ଓଠକୁ ଦାନ୍ତରେ ଚିପି ଧରିଲା କମଲ୍ । ଏଇ ଦୀର୍ଘକାୟ ଗୋରା ଲୋକଟାକୁ ସେ ଆଦୌ ସହ୍ୟ କରି ପାରେନାହିଁ । ସେ ଯେତେଥର ଅଞ୍ଜଳିର ଫ୍ଲାଟରେ ଜିନ୍‍କୁ ଦେଖିଛି; ସେତେଥର ଆତତାୟୀ ହେବାପାଇଁ ତାର ପ୍ରବଳ ଇଚ୍ଛା ହୋଇଛି । ଜିନ୍‍କୁ ଖୁନ୍ କରି ପାରିଲେ ସେ ଯେପରି ନିଜର ଜଣେ ନିକଟତମ ପ୍ରତିଦ୍ୱନ୍ଦୀକୁ ହଟାଇ ଦେଇପାରନ୍ତା, ଏମିତି ଏକ ଧାରଣା ତା ମସ୍ତିଷ୍କର ସକଳ ସ୍ନାୟୁଗ୍ରନ୍ଥି ଗୁଡ଼ିକୁ ଉତ୍ତେଜିତ କରିଦିଏ ।

 

ଧୈର୍ଯ୍ୟ !

 

ପେସେନ୍‍ସ !

 

ଇଣ୍ଡିଆ ଛାଡ଼ି ପ୍ୟାରିସ ଆସିଲାବେଳେ ବାବା ଏ କଥାଟା ବାରମ୍ଵାର ତାକୁ ସ୍ମରଣ କରାଇ ଦେଇଥିଲେ । ପୁରୁଷର ଧୈର୍ଯ୍ୟ ହିଁ ତାକୁ ଅସାଧ୍ୟ ସାଧନ କରିବାକୁ ଶକ୍ତି ଆଣିଦିଏ ।

 

ସେଇ ଧୈର୍ଯ୍ୟର ପରୀକ୍ଷାରେ ତାକୁ ଉର୍ତ୍ତୀର୍ଣ୍ଣ ହେବାକୁ ପଡ଼ିବ ।

 

କମଲ୍ ସେଥିପାଇଁ ନିଜ ମନର ସକଳ ଅସନ୍ତୋଷକୁ ଚାପି ରଖିଛି । ଜିନ୍‍ ହୁଏତ ଅଞ୍ଜଳିର ପ୍ରେମରେ ପଡ଼ିଯାଇଛି । ସେ ଲକ୍ଷ୍ୟକରିଛି, ଏଠାରେ ପୁଅ ଝିଅମାନେ ହଠାତ୍ ପ୍ରେମରେ ପଡ଼ନ୍ତି, ପୁଣି ଖୁବ୍ ଶୀଘ୍ର ସେ ସ୍ୱପ୍ନର କୁହୁଡ଼ି ଆଖିରୁ କଟିଯାଏ । ଦ୍ରୁତଗାମୀ ଯାନରେ ଯାଇଥିବା ବ୍ୟକ୍ତି ଶୀଘ୍ର ଶୀଘ୍ର ଅନେକ ଷ୍ଟେସନକୁ ପଛରେ ଛାଡ଼ିଗଲା ଭଳି ସେମାନେ ନିଜର ପ୍ରେମିକ-ପ୍ରେମିକା ପ୍ରଣୟର ସ୍ମୃତି—ସବୁ କିଛି ପଛରେ ପକାଇ ଚାଲିଯାଆନ୍ତି ।

 

ଆଉ ମାସ କେତୋଟି ପରେ ସେମାନେ ଇଣ୍ଡିଆ ଫେରିଯିବେ ।

 

ତେଣୁ ଇଚ୍ଛା କଲେ ମଧ୍ୟ ଜିନ୍‍ ତାଠାରୁ ଛଡ଼ାଇନେଇ ପାରିବ ନାହିଁ ଅଞ୍ଜଳିକୁ । ଅଞ୍ଜଳିର ମାଆ ତା ବାବାଙ୍କ ଅନୁଗ୍ରହ ଉପରେ ଦିନେ ନିର୍ଭର କରିଥିଲା । ତା ଉପରେ ମଧ୍ୟ ଅଞ୍ଜଳିକୁ ନିର୍ଭର କରିବାକୁ ହିଁ ହେବ ।

 

ପାଠ ପଢ଼ିବା ପାଇଁ ଗୋଟିଏ ପ୍ଲେନରେ ପ୍ୟାରିସ୍ ଆସିବାବେଳେ କମଲ୍ ଜାଣିଥିଲା ଅଞ୍ଜଳି ତାର । ଏଇ ସ୍ଵାମୀ ପରିତ୍ୟକ୍ତା ଅଭିନେତ୍ରୀର ଝିଅ ତାଠାରୁ ଭଲ ବରପାତ୍ର ଆଉ ଆଶା କରି ପାରେ ନା ।

 

କିନ୍ତୁ ଏଇ କେତେଦିନ ହେଲା ସବୁ ଘଟଣା କିପରି ଗୋଳମାଳିଆ ହୋଇଯାଉଛି । ଅଞ୍ଜଳି କେବଳ ଜିନ୍‍ର ପ୍ରେମରେ ନୁହେଁ; ଫ୍ରାନସ୍‍ର ପ୍ରେମରେ ମଧ୍ୟ ପଡ଼ିଗଲା ଭଳି ତାର ଭୟ ହେଉଛି । ପ୍ୟାରିସର ଜ୍ୱଳନ୍ତ ଛାତ୍ର ଆନ୍ଦୋଳନ ଭିତରେ ସେ ସାମିଲ୍ ହୋଇଛି । କିଏ ଜାଣେ ଡିଗଲ ସରକାରର ପୋଲିସ ଯଦି ତାକୁ ଏଇ ରାଜନୈତିକ ଅପରାଧରେ ପ୍ୟାରିସର ଜେଲଖାନାରେ ଅଟକାଇ ରଖେ !

 

କମଲ୍ ଏଥର ଆଉ ସ୍ଥିର ହୋଇ ବସିପାରିଲା ନାହିଁ ।

 

ଅଞ୍ଜଳି ପ୍ରତି ତାର କର୍ତ୍ତବ୍ୟ ଅଛି । ଇଣ୍ଡିଆ ଛାଡ଼ିଲାବେଳେ ତାର ମାମି ତାର ଦାୟିତ୍ଵ ତା ଉପରେ ନ୍ୟସ୍ତ କରିଛନ୍ତି । ସେ ଦାୟିତ୍ଵ ସେ ଏଡ଼ାଇ ପାରିବ ନାହିଁ ।

 

ଅଞ୍ଜଳି ! ତମକୁ ମୋ କଥା ରଖିବାକୁ ହେବ ।

 

ଅଞ୍ଜଳି କିଛି ଉତ୍ତର ଦେଲା ନାହିଁ ।

 

କମଲ୍ ତା ପାଖକୁ ଉଠିଆସିଲା ।

 

ତା ବାମହାତର ନଗ୍ନ ବାହୁ ଉପରେ ଆଙ୍ଗୁଳି ଛୁଆଁଇ କହିଲା; ଟେମ୍ପରେଚର୍...ଉତ୍ତାପ ଥିଲା ଭଳି ମନେ ହେଉଛି । ଡାକ୍ତରଙ୍କୁ ଫୋନ୍ କରିବି କି ?

 

ତଥାପି ଅଞ୍ଜଳି ନିରୁତ୍ତର ।

 

ଅଞ୍ଜଳି ! ଅଞ୍ଜଳି ! ତମର କଣ ହୋଇଛି ? ମତେ କଅଣ କରିବାକୁ ହେବ କୁହ—

 

ଖୋଲାଥିବା ଦରଜା ଆଡ଼କୁ ଆଙ୍ଗୁଠି ଦେଖାଇ ଅଞ୍ଜଳି କ୍ଳାନ୍ତ କଣ୍ଠରେ ଉତ୍ତର ଦେଲା, ପ୍ଲିଜ୍...କମଲ୍ ! ତମେ ବାହାରକୁ ଯାଅ । ରାତି ନଅଟା ପରେ ପ୍ରତି ଝିଅ ପ୍ରାଇଭେସି ଚାହାଁନ୍ତି...ତମେ ଦୟାକରି ମୋ ପ୍ରାଇଭେସି ଉପରେ ବଳତ୍କାର କରନାହିଁ ।

 

କମଲ୍ କିଛି ପ୍ରତିବାଦ କଲା ନାହିଁ । ଖୋଲାଥିବା ଦରଜା ଆଡ଼କୁ ସେ ନିଃଶବ୍ଦରେ ଆଗେଇ ଗଲା ।

 

ଏଇ ମେ’ ମାସ ।

 

ଆକାଶର ନୀଳିମାରେ ବସନ୍ତର ସ୍ପର୍ଶ । ଆଃ, ବସନ୍ତ ଆସିଛି ।

 

ମ୍ୟୃଗେ ଫୁଲର ମୃଦୁ ସୁରଭି ଘ୍ରାଣେନ୍ଦ୍ରିୟକୁ ଧୀରେ ଧୀରେ ଉତ୍ତେଜିତ କରି ଦେଇଛି । ପ୍ୟାରିସ୍‍ର ଆକାଶରେ ନୀଳିମା, ପବନରେ ମ୍ୟୃଗେ ଫୁଲର ସୁଗନ୍ଧ !

 

ଜିନ୍‍ ଆସୁନାହିଁ କାହିଁକି ?

 

ଜିନ୍‍ ମତେ ପ୍ରଥମେ ଏଇ ମ୍ୟୁଗେ ଫୁଲର ସୁରଭି ସହିତ ପରିଚିତ କରାଇଥିଲେ ।

 

ଏଞ୍ଜେଲ୍ ! ଆମର ବନ୍ଧୁତ୍ୱ ଏଇ ମ୍ୟୁଗେ ଫୁଲର ସୁରଭି ଭଳି ମଧୁର ହେଉ । ଏହି ଫୁଲତୋଡ଼ା ମୋର ତମ ପାଇଁ ଉପହାର ।

 

ଜିନ୍‍ ଅଞ୍ଜଳି ଶଦ୍ଦଟାର କିଛି ତାତ୍ପର୍ଯ୍ୟ ବୁଝିପାରେ ନାହିଁ । ସେ ତା ପାଖରେ କେଉଁ ସ୍ୱପ୍ନପୁରୀର ଏଞ୍ଜେଲ୍, ପରୀକନ୍ୟା ! ଛୋଟ ପିଲାଟିଏ ଭଳି ସେଦିନ ତା ପାଖରେ ଅଳି କରି କରିଥିଲା, କମ୍ରେଡ଼ ! ମୁଁ ଏଞ୍ଜେଲ ବୋଲି ଡାକିବି । କିଛି ଆପତ୍ତି ଅଛି !

 

କିନ୍ତୁ ଏଞ୍ଜେଲ୍ ଶବ୍ଦ ଉଚ୍ଚାରଣ କଲେ ଯେଉଁ ଭଳି ରୂପବତୀ ରମଣୀର ଛବି ମନରେ ଆଙ୍କି ହୋଇଯାଏ, ମୁଁ କଅଣ ସେଭଳି ସୁନ୍ଦରୀ ଝିଅ ?

 

ଅଞ୍ଜଳି କ୍ଷୀଣ କଣ୍ଠରେ ପ୍ରତିବାଦ କରିବାକୁ ଚେଷ୍ଟା କରିଥିଲା । ତାର କଥା ଶୁଣି ଅଳ୍ପ କେତୋଟି ମୁହୁର୍ତ୍ତ ଈଷତ୍ ପିତାଭ-ଆଖିଡ଼ୋଳା ଟେକି ତା ଆଡ଼କୁ ଚାହିଁଥିଲା ଜିନ୍‍ । ଜିନ୍‍ ତା ଆଡ଼କୁ ଜାଣି ଶୁଣି ଚାହିଁଲେ ଅଞ୍ଜଳି ମନ ଭୟରେ ଶଙ୍କିତ ହୋଇପଡ଼େ । କିନ୍ତୁ ସେଦିନ ତାର ସେ ଚାହାଣୀ ଆଦୌ ତା ମନରେ ଭୀତି ସଞ୍ଚାର କରି ପାରି ନ ଥିଲା । କିପରି ଏକ ଅଜ୍ଞାତ ଆନନ୍ଦରେ ଜିନ୍‍ର ଉତ୍ତର ଶୁଣିବାକୁ ସେ କାନଡ଼େରି ଅପେକ୍ଷା କରିଥିଲା ।

 

ମୁଁ କଅଣ ସୌନ୍ଦର୍ଯ୍ୟ କିଛି ବୁଝେ ? ଆଉ ଯଦି ବା ତମକୁ ମୁଁ ଜଣେ ସୁନ୍ଦରୀ ନାରୀ ବୋଲି କୁହେ ତା ହେଲେ ତମକୁ ତାହା ପ୍ରଶଂସା ଭଳି ଶୁଣାଯିବ ନାହିଁ କି ? ଆଉ ତମେ ଜାଣ ଆମ ଏଠାରେ କୌଣସି ଅନାତ୍ମୀୟା ମହିଳାଙ୍କ ରୂପର ପ୍ରଶଂସା କରିବା ଅର୍ଥ ତା ପାଖରେ ପ୍ରେମ ନିବେଦନ କରିବା । ଯେମିତି ଆମେରିକାରେ କୌଣସି ପୁଅକୁ କୌଣସି ଝିଅ ଜିଭ ଦେଖାଇ ଖତେଇ ହେବା ଅର୍ଥ ତାକୁ ଚୁମ୍ବନ କରିବାକୁ ଆମନ୍ତ୍ରଣ କରିବା !

 

ଜିନ୍‍ର କଥାରେ କଥାରେ ଅମୃତ । ସେ ଏମିତି, ସେ ଏମିତି ଏକ ଆଶ୍ଚର୍ଯ୍ୟ-ସୁନ୍ଦର ବ୍ୟକ୍ତିତ୍ୱ ଯାହାକୁ ପ୍ରଥମ ଦେଖାରେ ଅଞ୍ଜଳି ଏକ ପବିତ୍ର ଆତ୍ମା-ପୁରୁଷ...Noble Soul ବୋଲି ଭାବି ବସିଥିଲେ ।

 

ପ୍ୟାରିସ ଆକାଶରେ ଏଇ ମେଞ୍ଚା ମେଞ୍ଚା ନୀଳ ! ମେଘ ନାହିଁ । କୁହୁଡ଼ି ନାହିଁ । ନିରୀକ୍ଷଣ କରି ଚାହିଁଲେ ସାଇନ୍ ନଦୀର ଜଳ ଆଉ ତା ଉପରେ ଚକ୍‍ଚକ କାଟୁଥିବା କେତୋଟି ଅପରିଚିତ ଚଢ଼େଇ ମଧ୍ୟରେ ଦେଖା ଯାଉଛନ୍ତି ।

 

ପ୍ୟାରିସରେ ବସନ୍ତ !

 

ଏମିତି ଏକ ବ୍ୟାକୁଳ-ବସନ୍ତର ଦିନରେ ସେ ପ୍ରଥମେ ଭେଟିଥିଲା ଜିନ୍‍ ଇବର୍ଟକୁ ।

 

କେତେଜଣ ମାର୍କିନ୍ ତରୁଣ, ତରୁଣୀଙ୍କ ସହ ଜିନ୍‍ ପ୍ୟାରିର ଏକ ଜନାକୀର୍ଣ୍ଣ ରାସ୍ତାରେ ସଂକୀର୍ତ୍ତନ କରୁଥିବା ବେଳେ ସେ ଓ ତାର ଜଣେ ବାନ୍ଧବୀ ସେମାନଙ୍କୁ ଭେଟିଥିଲେ । ତା ମୁହଁର ଦାଢ଼ି, ମୁଣ୍ଡରେ କେଶ ଆଉ ହାତରେ ଗିଟାର୍ ଦେଖି ସେମାନେ ଖୁବ୍ ଆମୋଦିତ ହୋଇଥିଲେ । ମାର୍କିନ୍ ତରୁଣ ତରୁଣୀମାନେ ହୁଏତ ହିପ୍ପି । ସେମାନେ ‘Go down Moses’ ଗୀତରେ ବେସୁରା ତାଳରେ ନାଚି ନାଚି ଗାଉଥିବା ବେଳେ ଏଇ ତୀକ୍ଷ୍‍ଣଧୀ ତରୁଣ ଜିନ୍‍ ‘ହରେଖ୍ରୀଷ୍ଣ ହରେ ହରେ’ ଭାରତୀୟ କୀର୍ତ୍ତନ ଗାଉଥିଲା । ଛାତିରେ ତାର ଗୋଟିଏ ଛୋଟ କାଗଜ ଲଗା ହୋଇଥିଲା, ଯେଉଁଥିରେ ଲେଖା ହୋଇଥିଲା, “ମୁଁ ୟାଙ୍କି ହିପ୍‍ପି ନୁହେଁ; ପ୍ୟାରିର ନାଗରିକ । ମୁକ୍ତି ପାଇଁ ମୁଁ ଗୀତ ଗାଉଛି ।”

 

ଆଶ୍ଚର୍ଯ୍ୟ ! ଗୀତରେ ମୁକ୍ତି ମିଳିଯାଏ ନା କଅଣ ?

 

ଘଟଣାଟା କଅଣ ଜାଣିବା ପାଇଁ ସେ ଭିଡ଼ ଠେଲି ସେମାନଙ୍କର ସମୀପବର୍ତ୍ତୀ ହୋଇଥିଲା ଆଉ ଯେତେବେଳେ ସେମାନେ ଜାଣିଲେ ଯେ ସେ ଜଣେ ଇଣ୍ଡିୟାନ୍, ତାପରେ କି ପ୍ରବଳ ପାଟିତୁଣ୍ଡ !!

 

ପ୍ରତି ଭାରତୀୟ ଜଣେ ଜଣେ ଦୀକ୍ଷାଗୁରୁ; ଏ ଯେପରି ସେମାନଙ୍କର ଏକ ବଦ୍ଧମୂଳ ଧାରଣା !

 

ମୁଁ କିଛି ଜାଣେ ନା । ମତେ ମାତ୍ର ଜଣାନାହିଁ । ମୁଁ ସଂକୀର୍ତ୍ତନ ଶିଖି ନାହିଁ । ମତେ କ୍ଷମା କରନ୍ତୁ ।

 

ତାର ଏ ଉକ୍ତି କେହି ବିଶ୍ଵାସ କରି ନଥିଲେ । କେହି କ୍ଷମା କରି ନ ଥିଲେ । ଅଗତ୍ୟା ସେଇ ରାସ୍ତାରେ ସେହି ସଂକୀର୍ତ୍ତନ ଦଳ ସହ ତାକୁ କଣ୍ଠ ମିଳାଇ ଶ୍ରୀଚୈତନ୍ୟଙ୍କ ଭଳି ଦୁଇବାହୁ ଉର୍ଦ୍ଧ୍ୱକୁ ଟେକି ହରେଖ୍ରୀଷ୍ଣ ହରେ ହରେ କୀର୍ତ୍ତନ ଗାଇବାକୁ ପଡ଼ିଥିଲା ।

 

ପ୍ରଥମେ ତାର ସେଥିପାଇଁ କି ଗଭୀର ଲଜ୍ଜା, କି ସଂକୋଚ !

 

କିନ୍ତୁ ମୁହୂର୍ତ୍ତ କେତୋଟି ପରେ ସେ ସେହି ଲଜ୍ଜା, ସଂକୋଚ ଅତିକ୍ରମ କରି ଯାଇଥିଲା । ଭାରତବର୍ଷରୁ ପ୍ୟାରିସ୍ ଆସିବାର ନଅମାସ ପରେ ମଧ୍ୟ ସେ ନିଜକୁ ବିଦେଶିନୀ ଭଳି ମନେ କରୁଥିଲା । ସେମାନଙ୍କଠାରୁ ନିଜକୁ ଦୂରରେ ଦୂରରେ ରଖି ଆସୁଥିଲା । ସେଦିନର ସେଇ ଘଣ୍ଟା କେତୋଟିର ଘନିଷ୍ଠତା, ସମ୍ମିଳିତ କୀର୍ତ୍ତନ, ଭଜନ ଓ ନୃତ୍ୟପରେ ସେ ସେମାନଙ୍କ ମଧ୍ୟରେ ଜଣେ ହୋଇଗଲା ।

 

ସେଦିନ ‘କାଫେ’ ରେ ଅତି ଅନ୍ତରଙ୍ଗ ଭଳି ଜିନ୍‍ ପ୍ରଶ୍ନ କରିଥିଲା, ମତେ ତମେ ଦୀକ୍ଷା ଦେବ । ତମେ ମୋର ଗୁରୁ । ପ୍ରତିଶ୍ରୁତି ଦିଅ, ମୋର ପ୍ରାର୍ଥନା ତମେ ପ୍ରତ୍ୟାଖ୍ୟାନ କରିବା ନାହିଁ ।

 

ଜିନ୍‍ର ଆଖିପତାରେ, କଣ୍ଠସ୍ୱରରେ ଏପରି ସରଳତା, ଏପରି ପିଲାଳିଆ ଅନୁନ୍ୱୟ ଭରି ରହିଥିଲା, ସେଦିନ ତାକୁ ଅବିଶ୍ଵାସ କରିପାରି ନ ଥିଲା ଅଞ୍ଜଳି । ସେ ତାକୁ ପରିହାସ କରୁଛି ବୋଲି ଭାବିବା ତା ପକ୍ଷରେ ସମ୍ଭବ ହୋଇ ନଥିଲା ।

 

ସେ କେବଳ ମୃଦୁ ହସି ଉତ୍ତର ଦେଇଥିଲା, ଶିକ୍ଷା ପାଇବା ପାଇଁ ମୁଁ ପ୍ୟାରିସ୍ ଆସିଛି; ଦୀକ୍ଷା ଦେବା ପାଇଁ ନୁହେଁ । ଜିନ୍‍ ! ଗୁରୁ ହେବା ସହଜ ନୁହେଁ, ସେଥିପାଇଁ ମୋର ସାଧନା ନାହିଁ ।

 

କିନ୍ତୁ ତାର ସେ କଥା କାହିଁକି ଅବା ବିଶ୍ଵାସ କରନ୍ତା ଜିନ୍‍ ! ତା କଣ୍ଠ ସ୍ଵରରେ ସେ ଲଳିତ-ମଧୁର ହରିନାମ ତା ପ୍ରାଣର ଅଶାନ୍ତ ସମୁଦ୍ରରେ କୁଆଡ଼େ ଅନେକ ଢେଉ ଉଠାଇ ଥିଲା । ଶାନ୍ତିର ଆଲୋକ ସେ କୁଆଡ଼େ ଦେଖି ପାରିଥିଲା ତାର ସ୍ନିଗ୍ଧା-ଶୀତଳ ଚାହାଣୀରେ । ସେ ଅର୍ଦ୍ଧମୁଦ୍ରିତ ନୟନରେ ବିନୀତ କଣ୍ଠରେ ଆବେଦନ କରିଥିଲା, ମତେ ପରୀକ୍ଷା କର ନାହିଁ । ମୁଁ ଅଶାନ୍ତି, ଅତୃପ୍ତ ଆଉ ଅନିଶ୍ଚିତତାର ଅତ୍ୟାଚାରରେ ମୁମୂର୍ଷୁ ହୋଇ ରହିଛି । ମତେ ଦୟାକରି ମୁକ୍ତିର ପଥ କହି ଦିଅ—

 

ମୁକ୍ତିର ପଥ ସେ ନିଜେ ଜାଣେ ନାହିଁ, ଏକଥା ବୁଝାଇଲେ ସେଇ କାଫେରେ ହୁଏତ ଜିନ୍‍ ଏକ ସିନ୍ କରିବସିବ, ଏଇ ଭୟରେ ସେ ତାକୁ କିଛି ମନା କରି ପାରି ନ ଥିଲା । କମଲ୍ ଜରିଆରେ ଗୋଟାଏ ରୁଦ୍ରାକ୍ଷମାଳା ଅଣାଇ ପିନ୍ଧାଇ ଦେଇଥିଲା ଜିନ୍‍ କୁ । କହିଥିଲା ଏ ରୁଦ୍ରାକ୍ଷମାଳା ହେଉଛି ମନ୍ତ୍ର-ସିଦ୍ଧି । ଏଇ ମାଳା ପିନ୍ଧି ପ୍ରତିଦିନ ସାତ ଥର ହରିନାମ କୀର୍ତ୍ତନ କଲେ ମନରୁ ସକଳ ଅଶାନ୍ତି ଦୂର ହେବ ।

 

ବିଚାରୀ ଜିନ୍‍ ଇବର୍ଟ !

 

ଗୁରୁ କାବ୍ୟ ଭଳି ଗ୍ରହଣ କରିଥିଲା ତାର ଉପଦେଶ ଜିନ୍‍ । କିନ୍ତୁ ବେଶିଦିନ ସେ ଜିନ୍‍ର ଗୁରୁ ହୋଇ ରହି ନଥିଲା । ସେ ହେଲା ତାର ବନ୍ଧୁ; ଅନ୍ତରଙ୍ଗ, ଘନିଷ୍ଠ ଛାୟା ସହଚରୀ ।

 

ସେ ଦିନ ଗୁଡ଼ିକ ଜିନ୍‍ର ଚିନ୍ତାରେ ଅନେକ ସମୟ ସେ କଟାଇଛି । କଅଣ ତାର ଅଭାବ ? କାହିଁକି ସେ ଅଶାନ୍ତି, ଅନିଶ୍ଚିତତା ଆଉ ଆତଙ୍କ ଭିତରେ କାଳ କାଟୁଛି ? ତାର ଷ୍ଟେପ୍ ଫାଦର କଅଣ ତାକୁ ଭଲ ପାଆନ୍ତି ନାହିଁ ? ତାର ପ୍ରଣୟିନୀ କଣ ଚରିତ୍ରହୀନା ?

 

ଦ୍ଵିତୀୟ ପ୍ରଶ୍ନ ଶୁଣି ସେ ଦିନ ମନ ଭରି ହସିଥିଲା ଜିନ୍‍ ।

 

କୌତୁକରେ ଓଲଟା ପ୍ରଶ୍ନ କରିଥିଲା, ପ୍ରଣୟିନୀ ଚରିତ୍ରହୀନା ହେଲେ ମାନସିକ ଅଶାନ୍ତି ବଢ଼ିବ କାହିଁକି ? ଆଉ ଆଜିକାଲି ପିଲ୍-କଣ୍ଟାସେପ୍‍ଟିଭ୍ ଯୁଗରେ ପ୍ରଣୟିନୀମାନେ ସହଜରେ ଚରିତ୍ରହୀନା ହେବେ ବା କାହିଁକି ?

 

ଜିନ୍‍ ଆଉ ତାର ବନ୍ଧୁମାନଙ୍କର ଚରିତ୍ର ସଂପର୍କରେ ଅଦ୍ଭୁତ ଧାରଣା । ଅବୈଧ ଗର୍ଭ ସଞ୍ଚାର ନ ହେବା ପର୍ଯ୍ୟନ୍ତ କୌଣସି ନାରୀ କୁଆଡ଼େ ଚରିତ୍ର ହୀନା ହୁଅନ୍ତି ନାହିଁ ! ଆଉ ଗର୍ଭସଞ୍ଚାରର ନିରୋଧ କରିବା ପାଇଁ ଯେତେବେଳେ ଏତେ ପ୍ରକାର ସହଜ ଉପାୟ ବାହାରିଲାଣି !

 

ଜିନ୍‍ର କଥା ଶୁଣି ସେ ଦିନ ସେ ମଧ୍ୟ ବୁକୁ ଭରି ଖୁସି ହୋଇଥିଲା । ତାପରେ ଲଜ୍ଜାକୁଣ୍ଠିତ ଭାବରେ ସେ ପ୍ରଶ୍ନ କରିଥିଲା, ତମର ପ୍ରେମିକା କଣ କରନ୍ତି ଜିନ୍‍ !

 

ତାର ପ୍ରଶ୍ନ ଶୁଣି ଜିନ୍‍ର ରଙ୍ଗା ମୁହଁ ତମ୍ବାଟିଆ ପଡ଼ି ଯାଇଥିଲା ।

 

ଈଷତ୍ ଅପ୍ରତିଭ ଭାବରେ ସେ ଉତ୍ତର ଦେଇଥିଲା, ମୋର ପ୍ରେମିକା; ଆଃ, ଆଜି ସୁଦ୍ଧା ସେ ମୋର ସ୍ୱପ୍ନ ମଧ୍ୟରେ ଅଛି । ହୁଏତ ଦିନେ ସତକୁ ସତ ସେ ରକ୍ତମାଂସର ଦେହ ଧରି ମୋ ପାଖରେ ଠିଆ ହେବ । ଫ୍ରାନ୍‍ସର ମୁକ୍ତି ପାଇଁ ସେ ମୋ ହାତକୁ ରାଇଫଲ୍ ବଢ଼ାଇ ଦେବ । ଏଞ୍ଜେଲ୍ ! ଦେଶ ପ୍ରେମଠାରୁ ବଳି ବଡ଼ ଗଭୀର ପ୍ରେମ ଆଉ କିଛି ନାହିଁ ।

 

ସେଦିନ ଜିନ୍‍ର କଥା ଶୁଣି ଆଉ ଏକ ନୂଆ ଜଗତର ସନ୍ଧାନ ପାଇଥିଲା ଅଞ୍ଜଳି । ମନ ଭିତରେ ଗୋପନ ରହିଥିବା ଆଉ ଏକ ଉପମନର ରହସ୍ୟ ସେ ଆବିଷ୍କାର କରିଥିଲା । ଜିନ୍‍ ମନର ଅଶାନ୍ତି ଯେ ଖୁବ୍ ଗଭୀରରେ ସେ କଥା ବୁଝିବା ପାଇଁ ତାକୁ ଆଉ କଷ୍ଟ ଲାଗି ନ ଥିଲା ।

 

ଜିନ୍‍ ଏବଂ ତାର ଅନ୍ତରଙ୍ଗ ସହପାଠୀମାନଙ୍କ ମନର ଦୁର୍ବୋଧ୍ୟ ରହସ୍ୟ ସେ ଯେତିକି ଯେତିକି ବେଶୀ ବୁଝି ପାରୁଥିଲା, ସେମାନଙ୍କ ପ୍ରତି ତାର ମନର ଆକର୍ଷଣ ସେତିକି ବଢ଼ି ଚାଲିଥିଲା-। ସେମାନଙ୍କୁ ପାଗଳ କୁହାଯାଇପାରେ; କାରଣ ଫ୍ରାନସକୁ ସଂକୀର୍ଣ୍ଣ ଜାତୀୟ ସ୍ଵାର୍ଥର ଉର୍ଦ୍ଧ୍ୱକୁ ଉଠାଇ ନେବା ପାଇଁ ସେମାନଙ୍କ ମଧ୍ୟରେ ଭୀଷଣ ପାଗଳାମୀ ଦେଖା ଦେଇଥିଲା ।

 

ସେମାନେ ନିଜର ନିରାପତ୍ତା ପାଇଁ ଆତଙ୍କିତ ନ ଥିଲେ । ଭିଏତନାମର ମାର୍କିନ ସୈନ୍ୟମାନଙ୍କ ଦ୍ଵାରା ଆକ୍ରାନ୍ତ ନିରୀହ ଲୋକଙ୍କ ନିରାପତ୍ତା ପାଇଁ ଥିଲେ ସେମାନେ ବିଶେଷ ଭାବରେ ଶଙ୍କିତ । ପ୍ରେସିଡ଼େଣ୍ଟ ଡିଗଲଙ୍କ ଫ୍ରାନ୍‍ସର ବୈଷୟିକ ଐଶ୍ୱର୍ଯ୍ୟ ସେମାନଙ୍କୁ ତୃପ୍ତି ଦେଇ ପାରି ନଥିଲା, ନିପୀଡ଼ିତ ମାନବତାର ମୁକ୍ତି ପାଇଁ ସେମାନେ ଥିଲେ କ୍ଷୁଧାର୍ତ୍ତ, ତୁଷାର୍ତ୍ତ !

 

ଜିନ୍‍ର ଅନେକ ସୁନ୍ଦରୀ ସହପାଠିନୀ ଥିଲେ । କେହି ଫରାସୀ, କେହି ଜର୍ମାନୀ । ସେମାନଙ୍କ ସହିତ ତାର ଥିଲା ଗଭୀର ଆତ୍ମୀୟତା । ଆମେରିକାର ଭିଏତ୍‍ନାମ ନୀତିକୁ ଡିଗଲଙ୍କ ସମର୍ଥନ ସେମାନଙ୍କୁ ଶ୍ଵାସରୋଧୀ ଯନ୍ତ୍ରଣାରେ ଅସ୍ଥିର କରିଥିଲା । ଅନେକ ରାତି ଭୋର ହୋଇ ଯାଉଥିଲା ଡିଗଲଙ୍କ ମାର୍କିନ ପ୍ରୀତିର ଆଲୋଚନା, ସମାଲୋଚନା କରିବାରେ; ତାର ବାନ୍ଧବୀମାନଙ୍କ ମଧ୍ୟରୁ କେହି କେହି ଜିନ୍‍ ସହିତ ଗୋଟିଏ ଫ୍ଲାଟରେ ରାତ୍ରିଯାପନ କରୁଥିବା ମଧ୍ୟ ସେ ଲକ୍ଷ୍ୟ କରୁଥିଲା । ଭାରତୀୟ ସନ୍ଦେହୀ ମନ ନେଇ ସେମାନଙ୍କର ସମ୍ପର୍କକୁ ବିଚାର କରି ଥରେ ଅଧେ ମଧ୍ୟ ସେ ଅପ୍ରତିଭ ହୋଇଛି ।

 

ଝିଅମାନଙ୍କ ପ୍ରତି ଜିନ୍‍ର ଆଚାରଣ କେତେକ ପରିମାଣରେ ଭାରତୀୟ ଜିତେନ୍ଦ୍ରିୟ ସାଧୁ, ସନ୍ଥମାନଙ୍କ ଭଳି । ନିଜର ନିକଟତମ ବାନ୍ଧବୀମାନଙ୍କ ସହିତ ଜିନ୍‍ ମଦ୍ୟପାନ କରେ, ସେମାନଙ୍କ କାନ୍ଧରେ ଭରାଦେଇ ମାତାଲ ଅବସ୍ଥାରେ ରାସ୍ତା ପରିକ୍ରମା କରେ । କିନ୍ତୁ କେବେହେଲେ କାହାରି ବ୍ରା’ର ହୁକ୍ ଖୋଲେ ନାହିଁ, କାହାରି ସ୍କର୍ଟର ଭଙ୍ଗନଷ୍ଟ କରେ ନାହିଁ !

 

ଦିନେ ପ୍ରଶ୍ନ କରିଥିଲା ଅଞ୍ଜଳି, ଜିନ୍‍ ! ତମେ ଝିଅମାନଙ୍କୁ ଏପରି ପାହାଡ଼ ପାହାଡ଼ ପଥର ଭଳି ବ୍ୟବହାର କର କାହିଁକି ? ତମେ ସେମାନଙ୍କୁ କି ଦୃଷ୍ଟିରେ ଦେଖ ?

 

ଜିନ୍‍ ଗୋଟାଏ ଗଞ୍ଜାଇ ଚିଲମରେ ଦୁଇ ଟାଣ ଦେଇ ନିର୍ଲିପ୍ତ ଭାବରେ ଉତ୍ତର ଦେଇଥିଲା, ମୋର ବାବା, ଜେଜେ ବାବା, ଜେଜେ ବାବା, ଭାଇ—ଏ ସମସ୍ତେ ଝିଅମାନଙ୍କୁ ସେଇ ପ୍ରାଚୀନ ଆଦିମ ଦୃଷ୍ଟିରେ ଦେଖି ଆସିଛନ୍ତି । ଫଳରେ ଫ୍ରାନସର ଲୋକସଂଖ୍ୟା ବଢ଼ିଛି, ତାର ଆତ୍ମାର କୌଣସି ଉର୍ଦ୍ଧ୍ୱଗତି ହୋଇନାହିଁ । ସେଇ ଦୃଷ୍ଟିରେ ଝିଅମାନଙ୍କୁ ଦେଖିବାକୁ ମତେ ଲଜ୍ଜ୍ୟା ଲାଗେ । ତା ଦ୍ଵାରା ଝିଅମାନଙ୍କୁ ଅକାରଣରେ ଅପମାନିତ କରାଯାଏ ବୋଲି ମୋର ଧାରଣା । ଝିଅମାନେ ଯେ ଲୋକସଂଖ୍ୟା ବୃଦ୍ଧି କରିବା ଭିନ୍ନ ଆହୁରି ଅନେକ ମହତ୍ କାର୍ଯ୍ୟ ସାଧନ କରିପାରନ୍ତି ସେ କଥା ଆମକୁ ଆମର ଆଚରଣ ଓ କାର୍ଯ୍ୟରେ ଦେଖାଇବାକୁ ହେବ । ଏହା ଫଳରେ ହିଁ କେବଳ ଫ୍ରାନସର ନୂତନ ବିପ୍ଳବ ସମ୍ଭବ ।

 

ଜିନ୍‍ ଅଦ୍ଭୁତ ।

 

ଅଞ୍ଜଳି ମେ’ର ନାତିଶୀତୋଷ୍ଣ ସୂର୍ଯ୍ୟାଲୋକରେ ସ୍ନାନ କରି ଜିନ୍‍ କଥା ଭାବିବା ମାତ୍ରେ ଅନ୍ୟମନସ୍କ ହୋଇଗଲା । ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଏହି ବିଦ୍ରୋହୀ ତରୁଣ ପ୍ରତି ସେ କେବଳ ଆଲୋକ-ପିପାସା ନେଇ ଅନେକ ସମୟ ଚାହଁ ରହେ; ସୂର୍ଯ୍ୟଆଡ଼କୁ ଚାହିଁ ରହିଥିବା ସୂର୍ଯ୍ୟମୁଖୀ ଫୁଲ ଭଳି !

 

କିନ୍ତୁ ଆଜି ତାର ଆସିବାର ଥିଲା । କାଲି କ୍ୟାଂପସରେ ଚାହା ପାନ କଲାବେଳେ ସେ କଥା ଦେଇଥିଲା ଆଜି ସେ ତାର ଫ୍ଲାଟକୁ ଆସିବ ।

 

ବସନ୍ତ ଆସିଛି ଆକାଶର ନୀଳିମାରେ । ମ୍ୟୁଗେ ଫୁଲର ସୁରଭିତ ସମୀରଣରେ । କିନ୍ତୁ ଜିନ୍‍ କାହିଁ ?

 

ଜିନ୍‍ ଆସିଲା ।

ଏକ ବିପର୍ଯ୍ୟସ୍ତ ଧୂଳି ଝଡ଼ ଭଳି ।

ମୁଁ ପ୍ରାୟ ଶୋଇ ଯାଇଥିଲି, ଦୀର୍ଘ ପ୍ରତୀକ୍ଷାର କ୍ଳାନ୍ତିରେ । ପାଖ ଚର୍ଚ୍ଚର ଘଣ୍ଟା ଧ୍ଵନି ଜିନ୍‍ ଆସିଥିବାର ଭ୍ରମ ଆଣୁଥିଲା ମନରେ । ମୁଁ ଦରଜା ପାଖକୁ ଯାଇ ବାରମ୍ବାର ଫେରିଥିଲି । ଜିନ୍‍ ଆସି ନ ଥିଲା । କିନ୍ତୁ ସତରେ ଯେତେବେଳେ ଜିନ୍‍ ଆସିଲା ସେତେବେଳକୁ ମୋ ଆଖିରେ ଚକ୍ରବୃଦ୍ଧି ହାରରେ ନିଦ ଅଙ୍କ କଷୁଥିଲା ।

ସେ ପ୍ରାୟ ଫିସ୍ ଫିସ୍ କରି ମୋ କାନ ପାଖରୁ ମାତ୍ର ଆଠ ଇଞ୍ଚ ଦୂରରେ କହିଥିଲା, ଏଞ୍ଜେଲ ! ଆଜି ଚାରିଆଡ଼େ ଷ୍ଟ୍ରାଇକ୍ । ପ୍ରାୟ ନଅ ଲକ୍ଷ ଶ୍ରମିକ ଛାତ୍ର ଆନ୍ଦୋଳନକୁ ସମର୍ଥନ ଜଣାଇ କାମ ବନ୍ଦକରି ଦେଇଛନ୍ତି । ଦି-ଗଲ୍‍ର ସ୍ୱର୍ଣ୍ଣ ସିଂହାସନ ତଳେ ପ୍ରବଳ ଭୂମିକମ୍ପ !

ମୁଁ ଆଖି ଖୋଲି କାନ୍ଥରେ ଝୁଲୁଥିବା କ୍ୟାଲେଣ୍ଡରକୁ ଚାହିଁଥିଲି ।

ମଇ ମାସ ୨୨ ତାରିଖ !

ମୋ ଆଖିରୁ ତନ୍ଦ୍ରା ତୁଟି ନ ଥିଲା । କିପରି ଏକ ଆବେଶ-ପ୍ରପୀଡ଼ିତ ପରିବେଶ । ମୁଁ ସ୍ୱପ୍ନ ଦେଖିଲା ଭଳି ଜିନ୍‍ର ସେଇ ଉତ୍ତେଜିତ ମୁହଁକୁ ଚାହିଁ ଅନ୍ୟମନସ୍କ ଭାବରେ ପଚାରିଲି, ରାତି କେତେ ?

ଆମ ଦୁଇଜଣଙ୍କ ହାତରେ ଘଣ୍ଟା ଥିଲା ।

କିନ୍ତୁ ଜାଣି ଜାଣି ଆମେ କେହି କାହାରି ହାତଘଣ୍ଟାକୁ ଚାହିଁ ନ ଥିଲୁ ।

ସେ କେବଳ ଉତ୍ତେଜିତ କଣ୍ଠରେ କହିଲା, ସମୟଟା ପରେ ଜାଣିଲେ ହେବ । ବର୍ତ୍ତମାନ ଆମକୁ ୟୁନିଭରସିଟିକୁ ଯିବାକୁ ପଡ଼ିବ । ଜରୁରୀ ମିଟିଂ ବସିଛି । ଡାନିଏଲ୍ ନିଜେ ଏ ମିଟିଂରେ ଭାଷଣ ଦେବ ।

ଡାନିଏଲ୍ ଜନ୍ ବ୍ରାଣ୍ଡ !

ଫରାସୀ ଛାତ୍ର ଆନ୍ଦୋଳନର କର୍ଣ୍ଣଧାର, ବିପ୍ଳବର ପ୍ରଧାନ ଉଦ୍‍ଗାତା !

ମିଟିଂ ନିଶ୍ଚୟ ଯିବାକୁ ହେବ ? ମୁଁ ବଡ଼ ଅସହାୟ ଭାବରେ ପ୍ରଶ୍ନ କଲି ।

ମୁଁ ଜିନ୍‍ ପାଇଁ ଅପେକ୍ଷା କରୁଥିଲି । ତାକୁ ପିଆନୋ ବଜାଇ ଶୁଣାଇବାର ଇଚ୍ଛା ଥିଲା । ବସନ୍ତର ଏଇ ମଦିର ପରିବେଶରେ କିଛି ସମୟ ତାରୁଣ୍ୟର ଭାବ ବିହ୍ଵଳତା ମଧ୍ୟରେ କଟାଇବାର ପ୍ରବଳ ଲାଳସା ଥିଲା । କିନ୍ତୁ ମିଟିଂକୁ ଯିବା ପାଇଁ ଏତେବେଳେ !

ଆଃ, ଏ ବିଷୟରେ ପ୍ରଶ୍ନ କରି ସମୟ ନଷ୍ଟ କରିବାର କିଛି ମାନେହିଁ ହୁଏନା । ଆସ—ସେମାନେ ହୁଏତ ଆମକୁ ଅପେକ୍ଷା କରିଥିବେ । ଫ୍ରାନ୍‍ସର ନଅ ଲକ୍ଷ ଶ୍ରମିକ ଛାତ୍ରମାନଙ୍କ ସହିତ କଣ୍ଠ ମିଳାଇ ଡିଗଲ୍ ସରକାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି—ଜିନ୍‍ ଖୁବ୍ ବିବ୍ରତ ହୋଇ ପଡ଼ୁଥିଲା ।

ମୁଁ ବଡ଼ କରୁଣ ଭାବରେ ପିଆନୋ ଯନ୍ତ୍ର ଆଡ଼କୁ ଚାହିଁ ସେ କଅଣ କହୁଛି ଜାଣିବା ପାଇଁ ଅପେକ୍ଷା କଲି ।

 

ମୋର ଯେ ଆଜି ପିଆନୋ ବଜାଇ ଶୁଣାଇବାର ଥିଲା, ସେ କଥା ଜିନ୍‍ ବୁଝିପାରିଲା । ବଡ଼ ଅପରାଧୀ ଭଳି କହିଲା, ଆଜି ନଅଲକ୍ଷ ଶ୍ରମିକ—ସଂଖ୍ୟାହୀନ ଛାତ୍ରଙ୍କ ହୃଦୟ ତନ୍ତ୍ରୀରେ ନୂତନ ବିପ୍ଲବର ଭୈରବରାଗିଣୀ ବାଜିଉଠୁଛି, ଏତେବେଳେ ପିଆନୋ ସ୍ଵର କାନକୁ ଭଲ ଶୁଣାଯିବ ନାହିଁ । ସଙ୍ଗୀତ ଶୁଣିବା ପାଇଁ ଯେଉଁ ମାନସିକ ଅବସ୍ଥା ଦରକାର, ତା ହୁଏତ ମୋର ଦରକାର ନାହିଁ-

 

ମୁଁ ଶଯ୍ୟା ତ୍ୟାଗ କରି ଉଠି ଠିଆ ହେଲି ।

 

ବାହାରକୁ ଯିବାକୁ ହିଁ ହେବ ।

 

ବଦଳାଇବାକୁ ହେବ ଏ ରାତ୍ରି-ପୋଷାକ, ନାଇଟ୍ ଗାଉନ୍ !

 

କିନ୍ତୁ ଜିନ୍‍ ଯେ ବସି ରହିଛି ! ପୋଷାକ ବଦଳାଇବାକୁ ମୋର ଏଇ ଗୋଟିଏ ମାତ୍ର କୋଠରୀ ।

 

ଏଇ ନାଇଟ୍ ଗାଉନ୍ ପିନ୍ଧି ମିଟିଂକୁ ଗଲେ ଚାଲିବ ? —ମୁଁ ମୃଦୁ ହସି ପ୍ରଶ୍ନ କରିଥିଲି । ଆଶା କରୁଥିଲି ଜିନ୍‍ ମୋ କଥା ଇଙ୍ଗିତ ବୁଝିବ ।

 

ଯୁଦ୍ଧକୁ ଗଲାବେଳେ ଯୁଦ୍ଧ ପୋଷାକ ପିନ୍ଧିବାକୁ ହୁଏ । ଏଞ୍ଜେଲ୍ ! ଫ୍ରାନସରେ ବୋଧହୁଏ ଗୃହଯୁଦ୍ଧ ଲାଗିଯିବ । ତମେ ଏ ରାତ୍ରି-ବାସ ବଦଳାଇ ନିଅ । କୁଇକ୍ ! ଟାଇମ୍ ଆଣ୍ଡ୍ ଟାଇଡ଼ି୍ ୱେଟ ଫର୍ ନନ୍ । —ସେ ଜଣେ ଛାତ୍ରନେତା ଭଳି ମତେ କଥାଗୁଡ଼ିକ ଏକା ନିଃଶ୍ଵାସକେ ଶୁଣାଇଲା । ନିର୍ବୋଧ ମୋ କଥା ରହସ୍ୟ ବୁଝିପାରିଲା ନାହିଁ ।

 

ଜିନ୍‍ ! ତମେ ଟିକିଏ ସେ ପଟକୁ ମୁହଁକରି ଠିଆ ହୁଅ । ମୁଁ ଏ ନାଇଟ୍ ଗାଉନ୍‍ଟା ବଦଳାଇ ନିଏ । —ମୁଁ, ଛୋଟପିଲା ଅଭିଭାବକ ପାଖରେ ଅଳି କଲା ଭଳି ବିନୀତ କଣ୍ଠରେ କହିଲି-

 

ମୁଁ ଶଯ୍ୟା ଛାଡ଼ି ଠିଆ ହୋଇଥିଲା ।

 

ସେ ମୋ ଶଯ୍ୟା ଉପରେ ମୁହଁ ମାଡ଼ି ଶୋଇପଡ଼ିଲା । କହିଲା, ଗତ ତିନି ଦିନ ଦିନି ରାତି ମୁଁ ବିଶ୍ରାମ ନେଇ ନାହିଁ । ଔଷଧ ଖାଇ ନିଦ୍ରାର ଦୁର୍ଗକୁ ଅବରୋଧ କରି ରଖିଛି । ମୁଁ ତିନି ମିନିଟ୍ ପାଇଁ ଆଖି ବୁଜି ଶୋଇଛି—ତମେ ନିଃଶଙ୍କୋଚରେ ରାତ୍ରିବାସ ବଦଳାଇ ନିଅ । କିନ୍ତୁ ମାତ୍ର ତିନି ମିନିଟ୍ ।

 

ମୁଁ ପୋଷାକ ବଦଳାଇ । ଜିନ୍‍ ଉପରେ କିପରି ଏକ ଅହେତୁକ ମାୟା ହେଲା । ତାର ନିଦ୍ରା ଭାରାକ୍ରାନ୍ତ ଆଖିରୁ ନିଦ୍ରା ଅପହରଣ କରି ନେବା ପାଇଁ ମୁଁ ପୋଷକର କିଛି ଅଂଶକୁ ଜାଣି ଜାଣି ଢିଲା କରି ଦେଇଥିଲି ।

 

ସେଥିପାଇଁ ଜିନ୍‍ ମୋତେ ଧମକ ଦେଲା ।

 

ଆଃ; ଏପରି ପୋଷାକ ପିନ୍ଧି ଗଲେ ପୋଲିସ ହୁଏ ତ ତମକୁ ଅଟକାଇ ରଖିବ । ତମେ ଏମିତି ପୋଷାକ ପିନ୍ଧିଛ ଯେ ତମ ଫ୍ରକ୍ ତଳେ ଦୁଇଟା ବୋମା ଲୁଚାଇ କୌଣସି ଅର୍ନ୍ତଘାତୀ କାର୍ଯ୍ୟ କରିବା ପାଇଁ ନେଇ ଯାଉଛ ବୋଲି ସେମାନେ ସନ୍ଦେହ କରିବେ ।

 

ଆଇନର ସେହି ମୁହୂର୍ତ୍ତରେ ନିଜ ମୁହଁର ରଙ୍ଗ ଦେଖି ନ ଥିଲେ ସୁଦ୍ଧା ମୋର ବୁଝିବାରେ କିଛି ଅସୁବିଧା ହୋଇ ନ ଥିଲା ସେ ଅପମାନ ମୋ ମୁହଁ ନିଶ୍ଚୟ କଳା ପଡ଼ିଯାଇଥିଲା ।

 

ପିଲାଦିନେ କୌଣସି ବିଶିଷ୍ଟ ଓଡ଼ିଆ କବି ନାରୀର ଦୁଇ ସମ୍ମୁନ୍ନତ ବକ୍ଷୋଜକୁ ବୋମା ସହିତ ତୁଳନା କରିଥିଲା ବୋଲି ଶୁଣି ଦିନେ ମୁଁ ଲଜ୍ଜାରେ ଅପ୍ରତିଭ ହୋଇଥିଲି । ଜିନ୍‍ର ବିଦ୍ରୂପ ସେ ସେ ଲଜ୍ଜାକୁ ମଧ୍ୟ ବଳି ଗଲା ।

 

ବିଶ୍ୱବିଦ୍ୟାଳୟ ଲେକ୍‍ଚର ଥିଏଟରରେ ସେଦିନ ପ୍ରାୟ ମଧ୍ୟ ରାତ୍ରିରେ ମିଟିଂ ଶେଷ ହେଲା । ଜିନ୍‍ ଓ ମୋ ଉପରେ ଦାୟିତ୍ଵ ଦିଆଗଲା ପ୍ୟାରିସ୍‍ର ପୂର୍ବାଞ୍ଚଳରେ ଏକ ଛାତ୍ର-ଶ୍ରମିକ ଶୋଭାଯାତ୍ରାର ଦିଆଗଲା ପ୍ୟାରିସ୍ ର ପୂର୍ବାଞ୍ଚଳରେ ଏକ ଛାତ୍ର-ଶ୍ରମିକ ଶୋଭାଯାତ୍ରାରେ ନେତୃତ୍ଵ ନେବା ପାଇଁ । ସେଥିରେ ମୋର ‘ହଁ’ ‘ନାହିଁ’ କରିବାର କିଛି ନଥିଲା । ସେଦିନ ମିଟିଂରେ ପ୍ୟାରିସରେ ପଢ଼ୁଥିବା ଅନେକ ବିଦେଶୀ ଛାତ୍ର-ଛାତ୍ରୀ ଏକତ୍ରିତ ହୋଇଥିଲେ । ସମସ୍ତଙ୍କ ଉପରେ କିଛି ନା କିଛି ଦାୟିତ୍ଵ ନଦି ଦିଆ ଯାଇଥିଲା । ମୁଁ ଲକ୍ଷ୍ୟ କରିଥିଲି, ଫରାସୀ ଛାତ୍ରମାନଙ୍କ ଅପେକ୍ଷା ବିଦେଶାଗତ ଅଣ-ଫରାସୀ ଛାତ୍ରମାନେ ହିଁ ଫ୍ରାନସ୍‍କୁ ଡିଗଲ୍‍ଙ୍କ ଶାସନ ବନ୍ଧନରୁ ମୁକ୍ତ କରିବା ପାଇଁ ବେଶୀ ଉତ୍ସାହ ଦେଖାଇଥିଲେ ।

 

ଫରାସୀ ବିପ୍ଳବ ଦିନେ ସାରା ପୃଥିବୀକୁ ଆଲୋକ ଦେଖାଇଥିଲା । ସ୍ୱାଧୀନତା, ସମତା ଆଉ ମୈତ୍ରୀର ସେଇ ଉଦାତ୍ତ ବାଣୀ ଅରଣିତ ଜନତାର ହୃଦୟରେ ମୁକ୍ତିର ମନ୍ତ୍ର ଭଳି ପ୍ରତିଧ୍ଵନିତ ହୋଇଥିଲା ।

 

ଛାତ୍ରମାନଙ୍କ ନେତୃତ୍ୱରେ ଦ୍ଵିତୀୟ ଫରାସୀ ବିପ୍ଳବ ହେବାକୁ ଯାଉଛି । ହୁଏତ ଏହା ସାରା ପୃଥିବୀର ଛାତ୍ରମାନଙ୍କ ଚିନ୍ତାଧାରାର ବଦ୍ଧ-ପଲ୍ୱଳରେ ନୂତନ ଚେତନାର ଆଲୋଡ଼ନ ସୃଷ୍ଟି କରିବ । ସେ ବିପ୍ଳବରେ ଝାସ ଦେବା ପାଇଁ ସେଥିଲାଗି ସମସ୍ତଙ୍କ ପ୍ରାଣରେ ଚାଞ୍ଚଲ୍ୟ !

 

ମୋ ମନର ସଂଶୟ କିନ୍ତୁ ତଥାପି ତୁଟି ନଥିଲା । ମୁଁ ପ୍ରଶ୍ନ କଲି, ଜିନ୍‍ ! ତମେ କଅଣ ଭାବୁଛ ଛାତ୍ର ଓ ଶ୍ରମିକମାନଙ୍କ ସମ୍ମିଳିତ ଧର୍ମଘଟ ଆଉ ବିକ୍ଷୋଭ ପ୍ରଦର୍ଶନ ଫଳରେ ଡିଗଲ୍ ସରକାର ଭାଙ୍ଗି ଯିବ ? ଆଉ ଡିଗଲ୍ କ୍ଷମତାରୁ ଚାଲିଗଲେ ଲାଭ ବା ହେବ କଅଣ ? ବରଂ ଅନେକ ଦିନର ରାଜନୈତିକ ଅନିଶ୍ଚିତତା ପରେ ସେ ଫ୍ରାନସରେ ଏକ ରାଜନୈତିକ ସ୍ଥିରତା, ଅର୍ଥନୈତିକ ସ୍ଵଚ୍ଛଳତା ଆଣି ଦେଇଛନ୍ତି ।

 

ମୋ କଣ୍ଠସ୍ୱର ଜିନ୍‍କୁ ବୋଧହୁଏ ଜଣେ ପ୍ରତି-ବିପ୍ଳବୀର କଥା ଭଳି ଶୁଣାଗଲା । ସେ ତୀକ୍ଷ୍ଣ ଦୃଷ୍ଟିରେ ମୋ ଆଡ଼କୁ ଚାହିଁ କହିଲା, ରାଜନୈତିକ ସ୍ଥିରତା ମାନେ ହିଁ ଚିନ୍ତାଧାରାର ସ୍ଥାଣୁତ୍ଵ । ଏହା ବିପ୍ଳବ ବିରୋଧୀ । ଫ୍ରାନ୍‍ସ ଆଜି ଅସ୍ଥିରତା ଚାହେଁ, ସ୍ଥିରତା ଆଉ ଲୋଡ଼ା ନାହିଁ ।

 

କିନ୍ତୁ ଡିଗଲ୍ କ୍ଷମତାରୁ ଚାଲିଗଲା ପରେ ଫ୍ରାନ୍‍ସର ଅବସ୍ଥା କଅଣ ହେବ ?

 

ସେ କଥା ପରେ ଚିନ୍ତାକରି ଦେଖାଯିବ । ବିପ୍ଳବ କାହାରିକୁ ଅପେକ୍ଷା କରି ବସି ରହେ ନାହିଁ । ଏଞ୍ଜେଲ୍ ! ତମକୁ ଶୀଘ୍ର ବନ୍ଧୁକ ଚାଳନା ଶିକ୍ଷା କରିବାକୁ ହେବ ।

 

ମୁଁ କିଛି ଉତ୍ତର ଦେଇ ନଥିଲି । ଆମେ ଦୁହେଁ କିଛି ସମୟ ନୀରବରେ ପଥ ପରିକ୍ରମା କଲୁ । ଜିନ୍‍ ହୁଏତ ସଂଦେହ କଲା, ବିପ୍ଳବ ପରେ କଅଣ ହେବ ତାର ଏକ ସ୍ପଷ୍ଟ ଚିତ୍ର ନ ଥାଇ ବିପ୍ଳବ ପାଇଁ ଅସ୍ତ୍ରଧାରଣ କରିବା କଥା ମୁଁ ଉଚିତ ମନେକରୁ ନାହିଁ । ହୁଏତ ମୋର ଭୟ ହେଉଛି ଏଭଳି ଏକ ଭୟାବହ ବିପ୍ଳବ ଫ୍ରାନ୍‍ସ ପକ୍ଷରେ ଅମଙ୍ଗଳ-ଜନକ ହେବ ।

 

ସେ ମତେ ବୁଝାଇବାକୁ ଚେଷ୍ଟା କଲା ।

 

ଏଞ୍ଜେଲ ! ପ୍ୟାରିସ ଏ ଯେଉଁ ପ୍ରାଚୀନ କୋଠା, ଗିର୍ଜା, ଟାୱାର୍ ସବୁ ଦେଖୁଛ, ସେମାନେ ଅନେକ ବିପ୍ଳବ ଦେଖିଛନ୍ତି । ଅନେକ ଯୋଦ୍ଧା ହାତରେ ଖଣ୍ଡାଧରି ଏଇ ରାଜପଥରେ ମାର୍ଚ୍ଚିଂ କରି ଯାଇଛନ୍ତି । ଶତ୍ରୁର ଟ୍ୟାଙ୍କ୍ ମଧ୍ୟ ଏଇ ପ୍ୟାରିସର ଓସାରିଆ ରାସ୍ତାରେ ଏ ନଗରକୁ ଧ୍ଵଂସ କରିଦେବାର ଧମକ ଦେଇ ଚାଲି ଯାଇଛି । କିନ୍ତୁ ପ୍ୟାରିସ କଅଣ ସେଥିରେ ଶଙ୍କିତ ହୋଇଛି-?

 

ମୋର କିଛି କହିବାର ନଥିଲା । ମୁଁ କେବଳ କାନଡେରି ମୋ ନିଜର ପାଦଶବ୍ଦ ଏବଂ ଜିନ୍‍ର ସ୍ଵଗତୋକ୍ତି ମନଯୋଗ ଦେଇ ଶୁଣୁଥିଲି ।

 

ପ୍ରଥମ ମହାଯୁଦ୍ଧ ବେଳେ ଶତ୍ରୁ ପ୍ୟାରିସ୍ ଉପରେ ଭୀଷଣ ବୋମା ବର୍ଷଣ କରିଥିଲା । କିନ୍ତୁ ସେଥିରେ ପ୍ୟାରିର ନାଗରିକମାନେ ସିନେମା ହଲରେ ଭିଡ଼ ଜମାଇବା କିମ୍ବା ‘କଫେ’ରେ ଆଡ଼ା ଦେବାରେ ହେଳା କରି ନଥିଲେ । ପ୍ୟାରିସ୍‍ର ଜୀବନଯାପନ ପ୍ରଣାଳୀ ଥିଲା ଏକାନ୍ତ ସ୍ଵାଭାବିକ୍ । ପୁଣି ଦ୍ଵିତୀୟ ମହାଯୁଦ୍ଧବେଳେ ନାଜି ସୈନ୍ୟ ୧୯୪୦ ମସିହା ଜୁନ୍ ମାସରେ ଏଇ ପ୍ୟାରିସ୍ ସହରର ହୃତ୍‍ପିଣ୍ଡ ଉପରେ ମାର୍ଚ୍ଚିଂ କରି ଯାଇଥିଲେ । ଏଇ ସବୁ ଉଞ୍ଚା ଉଞ୍ଚା କୋଠା ଛାତ ଉପରେ ସ୍ଵସ୍ତିକ ଚିହ୍ନିତ ପତାକା ଫର ଫର ହୋଇ ଉଡ଼ିଥିଲା । ହିଟଲର ସୈନ୍ୟବାହିନୀର ସେଦିନ କେହି ଜାଣି ଶୁଣି ପ୍ରତିରୋଧ କରି ନ ଥିଲେ । ପ୍ୟାରିସ୍ ସେଦିନ ଘୋଷିତ ହୋଇଥିଲା ଏକ ମୁକ୍ତ-ସହର ରୂପେ ! ଦୀର୍ଘ ଚାରି ବର୍ଷ, ଦୀର୍ଘ ଚାରିବର୍ଷ କାଳ ନାଜି ସୈନ୍ୟବାହିନୀ ଅଧୀନରେ ଥିଲା ଏଇ ସହର । କିନ୍ତୁ ପ୍ୟାରିର ନାଗରିକମାନେ ସେଥିରେ ପ୍ରତିରୋଧ କରିବାର ଶକ୍ତି ହରାଇ ନ ଥିଲେ । ଚାରିବର୍ଷ ପରେ ସେମାନେ ପୁଣି ଥରେ ବିଦ୍ରୋହ କରି ଉଠିଲେ । ନାଜି ସୈନ୍ୟବାହିନୀକୁ ପ୍ୟାରିସ ଛାଡ଼ିବାକୁ ହେଲା । ଭୀଷଣ ସଂଗ୍ରାମ ପରେ ୧୯୪୪ ମସିହା ଅଗଷ୍ଟ ୨୫ ତାରିଖ ଦିନ ମୁକ୍ତ ହେଲା ବନ୍ଦିନୀ ପ୍ୟାରିସ ! ସେଦିନ ହୁଏତ ମୁଁ ମାତ୍ର ୭|୮ ବର୍ଷର ବାଳକ । କିନ୍ତୁ ଶତୃକୁ ପରାସ୍ତ କରି ପ୍ୟାରିକୁ ମୁକ୍ତ କରିଥିବାର ଆନନ୍ଦରେ ସେଦିନ ସମଗ୍ର ନଗରୀ ଯେପରି ଉଲଗ୍ନ-ଉଲ୍ଲାସରେ ଉତ୍ସବ-ମୁଖରିତ ହୋଇ ଉଠିଥିଲା, ସେ କଥା କାଲି ଭଳି ମୋର ମନେ ପଡ଼ୁଛି ।

 

ଜିନ୍‍ର କଥାରେ କିଛି ପରିମାଣରେ ନାଟକୀୟତା ମିଶି ରହିଥିଲା । ସତେ ଯେପରି ବାଇଶି ବର୍ଷ ତଳର ଅତୀତକୁ ସେ ଏହିମାତ୍ର ଆଲିଙ୍ଗନ କରି ଫେରୁଛି, ସେମିତି ଆନନ୍ଦ ଛଳ ଛଳ ହେଉଥିଲା ତାର ମୁହଁରେ ।

 

ମୁଁ ତାକୁ ବାଧା ଦେଲି ନାହିଁ । ପ୍ୟାରିସ ସହରର ସେ ଇତିହାସ ମୋର ଅଜ୍ଞାତ ନୁହେଁ ବୋଲି କହିବାର ଇଚ୍ଛା ମଧ୍ୟ ମୋର ଲୋପ୍ ପାଇ ଯାଇଥିଲା ।

 

ଏଞ୍ଜେଲ୍ ! ପ୍ୟାରିର ପ୍ରତ୍ୟେକ ରାସ୍ତା, ଛକ, ବାଙ୍କ ଆଉ ଗଳିରେ ବିପ୍ଲବର ବାରୁଦ ସବୁବେଳେ ସ୍ତୁପିକୃତ ହୋଇ ରହିଥାଏ । କେବଳ ନିଆଁ ଲଗାଇ ଦେଲେ ସେ ଆପେ ଆପେ ଜଳି ଉଠେ । ତା ନ ହେଲେ ଫ୍ରାନ୍‍ସର ନଅ ଲକ୍ଷ ଶ୍ରମିକ ପ୍ରତିବାଦର ବଜ୍ରମୁଷ୍ଠି ଉତ୍ତୋଳନ କରି ପ୍ୟାରିସ୍ ଆଡ଼କୁ ସତୃଷ୍ଣ ନୟନରେ ଚାହିଁ ରହି ଥାଆନ୍ତେ କାହିଁକି ?

 

ମୋ ହୋଟେଲ୍ ପାଖ ହୋଇ ଆସିଥିଲା ।

 

ରାତ୍ରି ମଧ୍ୟ କ୍ରମେ କ୍ରମେ ଅଳ୍ପାୟୁ ହୋଇ ଆସୁଥିଲା ।

 

ମୁଁ ଜିନ୍‍କୁ ବିଦାୟ ଦେଇ ଲିଫିଟ୍‍ର ସୁଇଚ ଟିପିଲି ଏବଂ ଲିଫିଟ୍‍ ଯେତେବେଳେ ମତେ ମୋର ଫ୍ଲାଟ୍ ସାମ୍ନାରେ ଠିଆ କରାଇ ଦେଲା, ମୁଁ ଚମକି ଉଠିଲି ।

 

ମୋ ବନ୍ଦ ଦରଜା ଆଗରେ ଏକ ପ୍ରକାର ଶୋଇଯାଇଥିଲା କମଲ୍ । ହୁଏତ ମତେ ଅପେକ୍ଷା କରି କରି ତା ଆଖି ପତାକୁ ନିଦ୍ରା ଗ୍ରାସ କରି ଯାଇଥିଲା । ତାର ନିଦ୍ରା ଏତେ ଗଭୀର ଯେ ମୋର ଦ୍ଵାର ଖୋଲିବା ଶଦ୍ଦରେ ମଧ୍ୟ ସେ ଉଠି ବସିଲା ନାହିଁ ।

 

କମଲ୍ କଅଣ ପାଇଁ ମୋ ବନ୍ଦ-କୋଠରୀର ସାମ୍ନାରେ ଅପେକ୍ଷା କରି ନିଦ୍ରା ଯାଇଥିଲା-?

 

କମଲ୍ ! ଉଠ—ତମେ କେତେବେଳେ ?

 

ତମେ କେତେବେଳେ ଫେରିଲ ? ମୋର ଧାରଣା ହୋଇଥିଲା ତୁମେ ହୁଏତ ଆଉ ଆଜି ରାତିରେ ଫେରିବ ନାହିଁ । ସକାଳୁ ମୁଁ ଏ ରୁଦ୍ଧ କୋଠରୀକୁ ଚାହିଁ ସେମିତି ଫେରିଯିବି ।

 

କମଲ ! ମୁଁ ଭାରି କ୍ଳାନ୍ତ । ହୁଏତ ବିଶ୍ରାମ ନେବା ପାଇଁ ମୋ ହାତରେ ଦେଢ଼ ଘଣ୍ଟା ସମୟ ଅଛି । ତାପରେ ମତେ ପୁଣି ବାହାରକୁ ଚାଲିଯିବାକୁ ପଡ଼ିବ । ନିଦରେ ଆଖି ମୋର ମାଡ଼ି ହୋଇଆସୁଛି । ତମେ ଆଉ କେତେବେଳେ ଆସ—ଗଳ୍ପ କରିବା ।

 

ମୁଁ ଗଳ୍ପ କରିବାକୁ ଆସି ନାହିଁ । ବାବା ଚିଠି ଲେଖିଛନ୍ତି । ତମର ମାମି ବର୍ତ୍ତମାନ କାଠମାଣ୍ଡୁରେ ବିଶ୍ରାମ ନେଉଛନ୍ତି । ସେମାନେ ଚାହାନ୍ତି ଯେତେଶୀଘ୍ର ସମ୍ଭବ ଆମେ ଇଣ୍ଡିଆ ଫେରିଯିବା— ।

 

ମାମିଙ୍କ ଚିଠି ମୁଁ ମଧ୍ୟ ପାଇଛି ! କମଲ୍ ! ମୋ ବିଷୟରେ ମତେ ତମେ ଏକାକିନୀ ଭାବିବାକୁ ଦିଅ । ତମ ବାବା ମୋ ମାଆଙ୍କୁ ତାଙ୍କ ଜୀବନର ଦୁର୍ଦ୍ଦିନରେ ଦିନେ ସାହାଯ୍ୟ କରି ଥିଲେ, ଏକଥା ମୁଁ ଭୁଲି ନାହିଁ । କିନ୍ତୁ ସେହି ସୁଯୋଗରେ ତମେ ସବୁବେଳେ ମତେ ମଧ୍ୟ ସାହାଯ୍ୟ କରିବାକୁ ଚେଷ୍ଟା କରିବ, ଏକଥା ମୁଁ ସହ୍ୟକରି ପାରିବି ନାହିଁ ।

 

ଆଶ୍ଚର୍ଯ୍ୟ ! ତମର ମାମି କଅଣ ମୋର ମାମି ନୁହନ୍ତି ! ମୋର ମାଆ ପିଲାଦିନୁ ମତେ ଏକୁଟିଆ କରି ଏପରି ଏକ ରାଜ୍ୟକୁ ଚାଲି ଯାଇଛନ୍ତି, ଯେଉଁଠୁ କେହି କେବେ ଫେରେ ନାହିଁ । ତମ ମାମିଙ୍କୁ ମୁଁ ସବୁଦିନେ ନିଜର ମାଆ ଭଳି ଦେଖି ଆସିଛି । ଆମ ଇଣ୍ଡିୟା ଛାଡ଼ି ଏକାଠି ପ୍ଲେନ୍ ଚଢ଼ିଲାବେଳେ ସେ ମତେ ତମର ଦାୟିତ୍ଵ ଦେଇଛନ୍ତି । ଯାହା ହେଲେ ବି ତମେ ଜଣେ ଝିଅ । ତମର ଭଲ ମନ୍ଦ ବିଷୟରେ ତମେ କଅଣ ଜାଣ ? ତମେ କିପରି ନିରାପଦରେ ଇଣ୍ଡିଆରେ ପହଞ୍ଚିବ ସେ କଥା ଭାବି ଭାବି ମତେ ନିଦ ନାହିଁ । ଏ ସାରା ରାତି ତମ ଶୟନକକ୍ଷର ବନ୍ଦ ଦରଜା ଆଗରେ ଯାହା ନିଦ ହେଲା—

କମଲ୍ ? ଏ ସବୁ କଥା ତମେ ମତେ ଅନେକ ଥର କହିଛ—ତାର ପୁନରାବୃତ୍ତି କରି ଆଜି ଆଉ ଲାଭ କଅଣ ? ତମେ ବିଶ୍ଵାସ କର, ମୋ ନିଜକଥା ଭାବିବା ପାଇଁ ମୁଁ ଯଥେଷ୍ଟ ଯୋଗ୍ୟ-। ମୋର ନାରୀତ୍ଵ ଏଥିପାଇଁ ଅନ୍ତରାୟ ହୋଇନାହିଁ ।

ଖବର କାଗଜରେ ପଢ଼ିଲି ୟୁନିଭରସିଟି ଛାତ୍ରଧର୍ମଘଟ ଯୋଗୁଁ ଅନିଶ୍ଚିତ କାଳପାଇଁ ବନ୍ଦ ହୋଇ ଯିବ । ଭାବୁଛି ଆମେ ଇଣ୍ଡିୟା ଫେରିଯିବା—

ମତେ ଭୀଷଣ ନିଦ ମାଡ଼ୁଛି—

କିନ୍ତୁ ତମ ଠାରୁ ସେ ସଂପର୍କରେ ନିର୍ଦ୍ଦିଷ୍ଟ କିଛି ନ ଶୁଣିଲେ ମତେ ଆଉ ନିଦ ହେବ ନାହିଁ-। ଅଞ୍ଜଳି... !

ତମେ କଅଣ ସତରେ ଭାବୁଛ ତମର ଉପଦେଶ ମାନିବା ଭିନ୍ନ ମୋର ଅନ୍ୟ କିଛି ଉପାୟ ନାହିଁ ?

ମୁଁ ଠିକ୍ ତମ କଥା କିଛି ବୁଝି ପାରୁନାହିଁ । ମତେ ଭାରି ଭୟ ଲାଗୁଛି । ହୁଏତ ସେମାନେ ତୁମକୁ ଭୁଲ୍ ବାଟରେ ନେଇ ଯାଉଛନ୍ତି ।

ତମେ କେଉଁମାନଙ୍କ କଥା କହୁଛ ?

ଏଇ ଜିନ୍‍ ଆଉ ତାର ନିଆଁଗିଳା ବନ୍ଧୁମାନେ । ଭିଏତନାମରେ ଆମେରିକା ସୈନ୍ୟମାନେ କଅଣ କରୁଛନ୍ତି ନ କରୁଛନ୍ତି; ସେଥିପ୍ରତି ଫ୍ରାନ୍ସ ସରକାର କି ମତିଗତି ପୋଷଣ କରୁଛନ୍ତି, ସେଥିରେ ଆମର କଅଣ ଅଛି ? ତମେ ଅକାରଣରେ ସେ ଆନ୍ଦୋଳନ ଭିତରେ ଛନ୍ଦି ହୋଇ ପଡ଼ୁଛ କାହିଁକି ?

ଜିନ୍‍ ଉପରେ ତମର ଭାରି ଈର୍ଷା ହୁଏ । ନା ?

ଈର୍ଷା ! ନା—ତା ଠିକ୍ ନୁହେଁ । ତା ଉପରେ ଈର୍ଷା କରିବାର କଅଣ ଅଛି ? ତେବେ ସେ ଲୋକଟା ଯେ ଭଲ ନୁହେଁ ସେ କଥା ମୁଁ ଜାଣେ । ସେ ତାର ତିନିଜଣ ବାନ୍ଧବୀଙ୍କୁ ନେଇ ଗୋଟିଏ ହଷ୍ଟେଲ କୋଠରୀରେ ରହେ...ଲୋକଟା ଅବଶ୍ୟ ବୁଦ୍ଧିମାନ, ୟୁନିଭରସିଟିରେ ରେକର୍ଡ଼ ଅଛି କିନ୍ତୁ ଚରିତ୍ରହୀନ । ଅଞ୍ଜଳି ! ଚରିତ୍ରହୀନ ଲୋକମାନଙ୍କୁ ଆଦୌ ବିଶ୍ୱାସ କରିବା ଉଚିତ୍ ନୁହେଁ, ସେମାନେ ଯେତେ ପ୍ରତିଭାବାନ୍ ହୁଅନ୍ତୁ ନା କାହିଁକି !

କମଲ୍ ! ତମ କଥା ଶୁଣି ଏତେ କ୍ଳାନ୍ତି ଭିତରେ ମଧ୍ୟ ମତେ ହସ ମାଡ଼ୁଛି । ଗୋଟିଏ କୋଠରୀରେ ତିନିଜଣ ବାନ୍ଧବୀଙ୍କୁ ନେଇ ଯେ ବାସ କରେ ସେ ଚରିତ୍ରହୀନ ହେବ କିପରି ? ଜଣେ ବାନ୍ଧବୀ ରହୁଥିଲେ ଅବା ସେ ତାର ଚରିତ୍ର ନଷ୍ଟ କରି ଦିଅନ୍ତା—ତିନିଜଣ ହେଲେତ ସମସ୍ତେ ପାଳି କରି ଅତନ୍ଦ୍ର ଆଖିରେ ତାର ଚରିତ୍ରକୁ ଜଗି ବସିଥିବେ !

ତମେ କଅଣ ବୁଝାଇବାକୁ ଚାହୁଁଛ ସେ କଥା ମୁଁ ଏତେ ରାତିରେ ଠିକ୍ ବୁଝିପାରୁ ନାହିଁ । ତେବେ ମୁଁ ଏ କଥା ଜାଣେ—ପ୍ୟାରିସର ଅଗଣିତ ଛାତ୍ର ଯେ ଆଜି ସରକାରୀ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଯୁଦ୍ଧଂ ଦେହି ଡାକ ଦେଇ ରାସ୍ତାକୁ ଓହ୍ଲାଇ ଆସିଛନ୍ତି, ତାର କାରଣ କେବଳ ସେମାନଙ୍କର ଯୁଦ୍ଧ ବିରୋଧୀ ମନୋଭାବ ନୁହେଁ, ଭିଏତନାମ ପାଇଁ ସେମାନଙ୍କ ହୃଦୟରୁ ଧାର ଧାର ଲହୁ ବହୁଥିବା କଥା ମଧ୍ୟ ଠିକ୍ ନୁହେଁ; ତାର ପ୍ରଧାନ କାରଣ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରମାନଙ୍କ ସହ ଛାତ୍ରୀମାନଙ୍କୁ ଏକାଠି ରହିବାକୁ ନ ଦେବା ପାଇଁ ନିଷ୍ପତ୍ତି କରିଛନ୍ତି—

ତାହା ହୁଏତ ଛାତ୍ର ବିକ୍ଷୋଭର ଅନେକ କାରଣରୁ ଗୋଟିଏ କାରଣ ହୋଇପାରେ; କିନ୍ତୁ ତାହା ନିଶ୍ଚୟ ଏକମାତ୍ର କାରଣ ନୁହେଁ । ଆଉ ମୁଁ ଜିନ୍‍କୁ ଜାଣେ—

ଏ ତମ ମନର ଭ୍ରମ । ତମେ ଅତି ସରଳ । ଜିନ୍‍ ତୁମ ମନର ସରଳତାର ସୁଯୋଗ ନେଇଛି । ଅଞ୍ଜୁ ! ଜିନ୍‍ ଦେହର ରଙ୍ଗ ସହିତ ଯେପରି ଆମ ଦେହ ରଙ୍ଗର କୌଣସି ସାମ୍ୟ ନାହିଁ; ସେମାନଙ୍କ ଜୀବନ-ଧାରଣ ପ୍ରଣାଳୀ, ନୈତିକତାବୋଧ ସହିତ ଆମର ମଧ୍ୟ କୌଣସି ସାମଞ୍ଜସ୍ୟ ନାହିଁ । ତମେ ତା ସହିତ ଅନେକ ବାଟ ଆଗେଇ ଯାଇଛ, ଏଥର ପଛକୁ ଫେରିବାକୁ ହେବ । ଜିନ୍‍ ତମକୁ ଲୁଟ୍ କରିବାକୁ ଚାହେଁ । ମୁଁ ତାହା ଘଟିବାକୁ ଦେବି ନାହିଁ । ତମର ମାଆ ଦିନେ ଏମିତି ଭୁଲ୍ କରି ସାରା-ଜୀବନ ଅନୁତାପର ଅନଳରେ ନିଜକୁ ତିଳ ତିଳ କରି ଦଗ୍ଧ କରିଛନ୍ତି । ମୁଁ ତମକୁ ପୁଣି ସେମିତି ଏକ ଭୁଲ୍ କରିବାକୁ କେବେ ହେଲେ ଦେବି ନାହିଁ—ଅଞ୍ଜୁ ! ତମେ କବାଟ ବନ୍ଦକର ନାହିଁ–ମୋ କଥା ଶୁଣ–ଶୁଣ–

 

କମଲ୍ ମୁହଁ ଉପରେ ସେ ଦିନ ସଶବ୍ଦରେ ଦରଜା ବନ୍ଦକରି ଦେବା ଭିନ୍ନ ମୋର ଆଉ କିଛି ଉପାୟ ନ ଥିଲା । ତାର ଅତ୍ୟାଚାର ମୁଁ ଅନେକସହିଛି; କିନ୍ତୁ ଆଉ ସହିବା ବୋଧହୁଏ ମୋ ପକ୍ଷରେ ସମ୍ଭବ ନୁହେଁ । ମୁଁ ଅନେକ ସହିଚି । ଆଉ ସହିବା ମଧ‌୍ୟ ଅପମାନଜନକ କଥା । ସେଦିନ ମଧ‌୍ୟ ସେ ମୋ ମାଆଙ୍କ କଥା କହି ମତେ ଆଘାତ କରିବାକୁ ଚାହିଁଥିଲା । ମୁଁ ଯେ ଏକ ନଷ୍ଟଆତ୍ମା ଅଭିନେତ୍ରୀର କନ୍ୟା; କମଲ୍ ର ବାପା ପ୍ରେମଚାନ୍ଦଜୀ ମୋ ମାଆଙ୍କୁ ଦିନେ ବଞ୍ଚିବାର ନୂଆ ବାଟ ଦେଖାଇଥିଲେ; ତେଣୁ କମଲ୍ ଉପରେ ଭରା ଦେଇ ଠିଆ ହେବା ଭିନ୍ନ ମୋର ଅନ୍ୟ କିଛି ଉପାୟ ନାହିଁ; ସେ କଥା ପ୍ୟାରିସରେ ପାଦ ଦେଲା ପରଦିନଠାରୁ ସେ ମୋତେ ବୁଝାଇବାକୁ ଚେଷ୍ଟା କରିଛି-। ତାର ଧାରଣା ଯେ ଠିକ୍ ନୁହେଁ, ଏକଥା ମୁଁ ବୁଝାଇବାକୁ କେବେ ଚେଷ୍ଟା କଲେ ସେ ମୋ ଉପରେ ନିଜର ଦାବୀ ସାବ୍ୟସ୍ତ କରିବା ପାଇଁ ଭାରତବର୍ଷ ଛାଡ଼ିଲା ବେଳେ ମୋ ମାଆ ତାକୁ କିପରି ମୋ ଦାୟିତ୍ଵ ଦେଇଥିଲେ ସେକଥା ବାରମ୍ବାର ବର୍ଣ୍ଣନା କରିଛି ।

ବେଳେ ବେଳେ ତାର ଏ କୋମଳ-ନିର୍ବୋଧତା ମତେ ଖୁବ୍ ଭଲ ଲାଗେ । ତାର ଏ ନିର୍ବୋଧତାକୁ ମୁଁ ଅନେକ ସମୟରେ ରୀତିମତ ଉପଭୋଗ ମଧ୍ୟ କରିଛି । ପ୍ୟାରିସ ଆସି ଏତେ ଦିନ କଟାଇଲା ପରେ ମଧ୍ୟ ତାର ଯେ ବିଚାର ବୁଦ୍ଧି କିଛି ବଢ଼ିଲା ନାହିଁ, ଏକଥା ଭାବି ବେଳେବେଳେ ମନେ ମନେ ମୁଁ ଶୋକ କରିଛି ।

କିନ୍ତୁ ତାର...ଏ ନିର୍ବୋଧତା ଆଜି ମୋର ଅସହ୍ୟ ।

କମଲ୍ କଅଣ ସତରେ ଧରି ନେଇଛି, ମୁଁ ତାର ପତ୍ନୀ ହେବି ? ତାର କଅଣ ପ୍ରକୃତରେ ସଂଦେହ ହେଉଛି ମୁଁ ଜିନ୍‍ର ପ୍ରଣୟିନୀ ? ତା ନ ହେଲେ ଜିନ୍‍ର ଚରିତ୍ର ସମ୍ପର୍କରେ ସେ ମତେ ଏତେ ବାଜେ କଥା ସବୁ କହୁଥିଲା କାହିଁକି ?

 

ମୋର ମାଆ, ମୋର ବାବା !

 

ନା—ଏସବୁ କଥା ମୁଁ ଭାବିବାକୁ ଚାହେଁନା । ବାବାଙ୍କ କଥା ମୁଁ ଭାବିବାକୁ ଚାହେନାହିଁ । ମୋ ପାଖରେ ସେ ଜଣେ ଉପକଥାର ନାୟକ । ସେ ଅନେକ ନାଟକର ହିରୋ, ପୁଣି ଅନେକ ନାଟକର ଭିଲେନ୍ ! ମାଆଙ୍କଠାରୁ ଶୁଣିଛି ସେ କୁଆଡ଼େ ଥିଲେ ପରାଧୀନ ଭାରତବର୍ଷରେ ଜଣେ ରାଜନୈତିକ ବିପ୍ଳବୀ । ପ୍ରେମଚାନ୍ଦଜୀଙ୍କ ମୁହଁରୁ ଶୁଣିଛି, ସେ କୁଆଡ଼େ ସ୍ଵାଧୀନ ଭାରତବର୍ଷରେ ଜଣେ ପ୍ରାଦେଶିକ ମନ୍ତ୍ରୀ । କିନ୍ତୁ ଆଜି ଫଟୋ ନଦେଖିଲେ ତାଙ୍କ ମୁହଁର ଆକୃତି କିପରି ତାହା ମୋର ମନେ ପଡ଼ୁନାହିଁ !

 

ଆଉ ମାଆ !

 

ମାଆ କଥା ଭାବିଲେ ମୁଁ ଛାତି ଭିତରେ ଯନ୍ତ୍ରଣା ଅନୁଭବ କରେ । ମାଆ ଯାହା ହୋଇଥିଲେ ମୁଁ ସୁଖୀ ହୋଇ ଥାଆନ୍ତି, ସେ ତାହା ହୋଇ ପାରି ନାହିଁ । ତା ହେବା ମଧ୍ୟ ତା ପକ୍ଷରେ ସମ୍ଭବ ନ ଥିଲା । ସେ ଯେପରି ଘୂଣ୍ଣି ମୁହଁରେ ଶୁଖିଲା ପତ୍ରଟିଏ ?

 

ସେ ଥର ମାଆକୁ ଦେଖିବା ପାଇଁ କେବଳ ମୁଁ ପ୍ୟାରିସ୍ କୋଳରୁ ବମ୍ବେ ପଳାଇ ଯାଇଥିଲି । କିନ୍ତୁ ମାଆ ପାଖରେ ପହଞ୍ଚି ମୁଁ କିପରି ଅଣନିଃଶ୍ୱାସୀ ହୋଇଗଲି । ମାଆର ଅନେକ ସୁଖ୍ୟାତି । ସହରର କାନ୍ଥବାଡ଼ ସର୍ବତ୍ର—ପ୍ରାଚୀର ପତ୍ରରେ ମାଆର ଛବି । ରୂପେଲି ପରଦାରେ ମାଆ ଖୁବ୍ ସୁନାମ କରିଛି । ଶୁଣିଲି, ତାର କୁଆଡ଼େ ଅନେକ ଟଙ୍କା । କିନ୍ତୁ ତାର ସୁଖ୍ୟାତି, ଅର୍ଥପ୍ରାପ୍ତି ସହିତ ଆଉ ଏକ ଅସହ୍ୟ ଅପପ୍ରଚାର ମୋ ମନର ସକଳ ଆନନ୍ଦକୁ ମଳିନ କରି ଦେଇଥିଲା । ବମ୍ବେ ନଗରୀର ଚାରିଆଡ଼େ ଏକ ଚାପା ଗୁଞ୍ଜନ ଖେଳି ବୁଲୁଥିଲା, ପ୍ରେମଚାନ୍ଦଜୀଙ୍କ ସହ ମାଆର ଗୋପନ ରହସ୍ୟମୟ ସଂପର୍କ । ମାଆର ରୂପେଲି ପରଦାରେ ସୁଖ୍ୟାତି, ଆର୍ଥିକ ସ୍ଵଚ୍ଛଳତା ମୂଳରେ ଥିଲା କୁଆଡ଼େ ପ୍ରେମଚାନ୍ଦଜୀଙ୍କ ଅକୁଣ୍ଠିତ ସହଯୋଗ !

 

ମାଆକୁ ମୁଁ ଜାଣେ ।

 

ସେ ଅପପ୍ରଚାରରେ ଯେ ବିନ୍ଦୁ ଏ ମାତ୍ର ସତ୍ୟତା ନଥିଲା, ସେକଥା ମୋଠାରୁ ଆଉ ବେଶି କେହି ଜାଣନ୍ତି ନାହିଁ । କିନ୍ତୁ ମାଆର ସରକତାର ସୁଯୋଗରେ ପ୍ରେମଚାନ୍ଦଜୀ ସେ ଅପପ୍ରଚାରକୁ ଜାଣି ଶୁଣି ଏପରି ଭାବରେ ଆରମ୍ଭ କରି ଦେଇଥିଲେ ଯେ ବମ୍ବେର ଅନେକ ତାହା ସତ୍ୟ ବୋଲି ଧରି ନେଇଥିଲେ ।

 

ମାଆକୁ ମୁଁ ସେଦିନ ସ୍ପଷ୍ଟ ଭାବରେ କହିଥିଲି, ପ୍ରେମଚାନ୍ଦଜୀଙ୍କ ସହିତ ତୁ ଆଉ କୌଣସି ପ୍ରକାର ସଂପର୍କ ରଖିବା ଉଚିତ ନୁହେଁ ।

 

ମାଆ ମୋ ମୁହଁରୁ ସେ ପ୍ରସଙ୍ଗ ଶୁଣି ଭୂତ ଦେଖିଲା ଭଳି ଚମକି ଉଠିଥିଲା ।

 

ତୁ ମତେ ଏକଥା କାହିଁକି କହୁଛୁ ?

 

ପ୍ରେମଚାନ୍ଦଜୀ ତୋ ନାମରେ ଅନେକ ବାଜେ ପ୍ରଚାର ଚଳାଇଛନ୍ତି ।

 

ତୁ ଜାଣିଲୁ କିପରି ?

 

ମୋର ଜଣେ ଚିତ୍ର ସାମ୍ବାଦିକ ବନ୍ଧୁ ମି: ଭୌମିକ ମତେ କହିଛନ୍ତି । ସେ ଏକଥା ନିଜେ ଶୁଣିଛନ୍ତି ତାଙ୍କ ମୁହଁରୁ । ସେ ବାରମ୍ବାର ଆମ ଘରକୁ ନ ଆସିବା ପାଇଁ ତୁ ତାଙ୍କୁ କହିଦେବା ଉଚିତ-

 

ଆମ ଘର ? ଆଜି ଯଦି ମୁଣ୍ଡ ଗୁଞ୍ଜିବା ପାଇଁ ଗୋଟାଏ ଘରର ଛାତ ଆମ ମୁଣ୍ଡ ଉପରେ ଅଛି, ସେ କେବଳ ତାଙ୍କରି ସାହାଯ୍ୟ ଯୋଗୁ । ଆଜି ବଡ଼ ହୋଇଗଲି ବୋଲି ତାଙ୍କୁ ଘରକୁ ଆସିବାକୁ ମନା କରିଦେବି ? କୃତଘ୍ନତା ବିନା କଅଣ ଅଯାଚିତ ସାହାଯ୍ୟର ଋଣ ଅନ୍ୟ କୌଣସି ଉପାୟରେ ଶୁଝାଯାଇ ପାରେ ନାହିଁ ?

 

ମୋର ମନେ ପଡ଼ୁଛି ଏକଥା କହିଲାବେଳେ ମାଆର ନାକପୁଡ଼ା ରାଗ, ଘୃଣା ଆଉ ଉତ୍ତେଜନାରେ ସ୍ଫୁରିତ ହେଉଥିଲା । ମାଆ ରାଗିଲେ ତାକୁ ବୁଝାଇ ଶାନ୍ତ କରିବା ସହଜ ନୁହେଁ । ପ୍ୟାରିସରୁ ମାଆକୁ ଆହତ କରିବା ପାଇଁ ମୁଁ ବମ୍ବେ ଯାଇ ନ ଥିଲି । ମାଆର ସେ ଉତ୍ତେଜିତ ମୂର୍ତ୍ତି ଦେଖି ମୁଁ ଭୟରେ, ଅକାରଣ-ଯନ୍ତ୍ରଣାରେ ଜଡ଼ ପାଲ୍‍ଟି ଯାଇଥିଲି ।

 

ମାଆ ତା ମୁହଁରୁ ଶାଢ଼ି କାନିରେ ଝାଳ ପୋଛିଲା । ମାଆ ରୁମାଲରେ ମୁହଁ ପୋଛିଲେ ମତେ ସେ ଜଣାଯାଏ ଜଣେ ଚିତ୍ରତାରକା; ଶାଢ଼ି କାନିରେ ମୁହଁ ପୋଛିଲେ ମନେହୁଏ ସେ ମୋର ମାଆ !

 

ସେ ମତେ ବୁଝାଇଲା, ମୋ ନାମରେ ଅପପ୍ରଚାର କରିବାରେ ପ୍ରେମଚାନ୍ଦଜୀଙ୍କର ଲାଭ କଅଣ ? ଏ ସବୁ ଅସହିଷ୍ଣୁ ଲୋକଙ୍କ ଅପପ୍ରଚାର । ତୁ ଏଥିରେ କାନ ଦେ ନାହିଁ ।

 

ମାଆ କୋଳରେ ମୁହଁ ଜାକି ମୁଁ ତା କଥାକୁ ସମର୍ଥନ କରିଥିଲି । କିନ୍ତୁ ତା କଥାରେ ମୋ ମନ ମାନି ନ ଥିଲା । ବମ୍ବେରେ ଆଉ ରହିବା ପାଇଁ ମତେ କଷ୍ଟ ଲାଗିଥିଲା । ମନେ ହୋଇଥିଲା, ସମସ୍ତେ ଯେପରି ତା ଆଡ଼କୁ ଆଙ୍ଗୁଠି ଦେଖାଇ କହୁଛନ୍ତି, ତୋ ମାଆଙ୍କର ପ୍ରେମଚାନ୍ଦଜୀଙ୍କ ସହ ସଂପର୍କ ଅତି ରହସ୍ୟମୟ, ଆଉ ତୋର କମଲ୍ ସହିତ... !

 

ମୁଁ ଛୁଟି ପୂରିବା ଆଗରୁ ପ୍ୟାରିସ ଫେରି ଆସିଥିଲି । ହୋଟେଲର ଏଇ ଫ୍ଲାଟରେ ଦରଜା ବନ୍ଦ କରି ମାଆ ପାଇଁ ମନଭରି କାନ୍ଦିଥିଲି ।

 

ମାଆଙ୍କ କଥା ଭାବିଲେ ମୋର ରାମାୟଣର ସୀତାଙ୍କ କଥା ମନେ ପଡ଼େ । ସେ ଯେମିତି ଅଶୋକ-କାନନର ବନ୍ଦିନୀ ! ତା ଆଖିର ଲୁହରୁ, ତା ମନକଥା ବୁଝିହୁଏ ନାହିଁ । ଆଘାତ ସହି ସହି ସେ ଯେପରି ଏକ ପାଷାଣ-ପ୍ରତିମା !

 

ଆଉ ବାବା !

 

ବାବାଙ୍କୁ ମୁଁ କେବେହେଲେ କ୍ଷମା କରି ନାହିଁ । ସେ କ୍ଷମାର ଅଯୋଗ୍ୟ । ରାମାୟଣ ପଢ଼ିଲା ବେଳେ ରାବଣ ନୁହେଁ, ରାମ ହିଁ ପ୍ରକୃତରେ ଯେ ମହାକାବ୍ୟର ଖଳନାୟକ ବୋଲି ମୋର ଧାରଣା ହୁଏ । ରାବଣର ଔଦ୍ଧତ୍ୟକୁ କ୍ଷମା କରାଯାଇପାରେ, କିନ୍ତୁ ରାମଚନ୍ଦ୍ରର ହୃଦୟ-ହୀନତାକୁ କ୍ଷମା କରାଯାଇ ପାରେନା ।

 

ମୁଁ ଜାଣି ଜାଣି ବାବାଙ୍କ କଥା କିଛି ଭାବେ ନାହିଁ । ଯେଉଁଲୋକ ନିଜ କନ୍ୟାର ପିତୃତ୍ୱକୁ ଅସ୍ୱୀକାର କରିପାରେ, ତା ବିଷୟରେ ଭାବିବା ପାଇଁ ମୋର ଆକଣ୍ଠ ଘୃଣା ।

 

ମୁଁ ଯେପରି ସ୍ରୋତ ମୁଖରେ ଭାସି ଯାଉଥିବା ଏକ ବୃନ୍ତଚ୍ୟୁତ ଫୁଲ । ମୋର ଜନ୍ମ ଇତିହାସ ମୋ ପାଇଁ ଏକ ରହସ୍ୟମୟ ପ୍ରହେଳିକା । କମଲ୍ ହୁଏତ ଭାବୁଛି, ଯଦି ମୁଁ ତା ବେକରେ ମାଳା ହୋଇ ଝୁଲେ ତା ହେଲେ ଜୀବନ ମୋର ସାର୍ଥକ ହେବ !

 

ସାଇନ୍ ନଦୀର ପୋଲ ତଳେ ଆମେ ଦୁହେଁ ବସି ପ୍ୟାରିସ୍ ନଗରୀର ସନ୍ଧ୍ୟା ଦେଖୁଥିଲୁ-

 

ହାତ ବଢ଼ାଇଲେ ନଦୀର ଜଳକୁ ଛୁଆଁ ଯାଇପାରେ, ଜିନ୍‍ର କାନ୍ଧ କିମ୍ବା ଦେହର ଯେ କୌଣସି ଅଂଶକୁ ମଧ୍ୟ । କିନ୍ତୁ ମୁଁ ମୋର ହାତ ଦୁଇଟିକୁ ଶାଢ଼ିର ପଣତ ଭିତରେ ଗୋପନ କରି ମୋ କୋଳ ଉପରେ ରଖିଥିଲି

 

ପ୍ରଥମେ ବୋଧହୁଏ ଜିନ୍‍ କଥା କହିଲା, ତମ ଭାରତୀୟ ମହିଳାମାନଙ୍କ ଶାଢ଼ି ଭାରି ଚମତ୍କାର । ମୁଁ ଯଦି ଝିଅ ହୋଇଥାନ୍ତି ତାହା ହେଲେ ଫ୍ରକ୍ ଛାଡ଼ି ଏଇ ଶାଢ଼ି ପିନ୍ଧି ପ୍ୟାରିସ୍‍ର ସବୁ ଆଭିନିଉ ପରିକ୍ରମା କରି ବୁଲନ୍ତି ।

 

ଜିନ୍‍ ବୋଧହୁଏ ମୁଡ଼ରେ ଥିଲା । ପ୍ୟାରିସ୍‍ ରେ ଛାତ୍ର ଧର୍ମଘଟ ଆରମ୍ଭ ହେବା ପରେ ଜିନ୍‍କୁ ଆଉ କେବେ ମୁଡ଼ରେ ଥିବା ମୁଁ ଲକ୍ଷ୍ୟ କରି ନ ଥିଲି । ମୁଡ଼ରେ ଥିଲେ ସେ ସାଧାରଣତଃ ଛୋଟ ପାଟିରେ ଗୀତ ବୋଲେ । ନଦୀର ଖୋଲ ତଳେ ଜଳଧାର ପାଖରେ ବସି ଜିନ୍‍ ମୁହଁରୁ ଗୀତ ଶୁଣିବା ପାଇଁ ମୋର ଖୁବ୍ ଲୋଭ ହେଉଥିଲା ।

 

ମୁଁ ତାକୁ ସଂକ୍ଷେପରେ ଉତ୍ତର ଦେଲି, ତମେ ଈଶ୍ଵରଙ୍କ ପାଖରେ ପ୍ରାର୍ଥନା କର ଆଉ ଜନ୍ମରେ ସେ ଯେପରି ତମକୁ ଭାରତବର୍ଷରେ ଝିଅ ଜନ୍ମ ଦିଅନ୍ତି । ଅବଶ୍ୟ ଏଥିପାଇଁ ତମକୁ ପୂର୍ନଜନ୍ମରେ ବିଶ୍ୱାସ ସ୍ଥାପନ କରିବାକୁ ହେବ ।

 

ଜିନ୍‍ ଏକ ଆହତ-ଦୀର୍ଘଶ୍ୱାସରେ ସେ ସନ୍ଧ୍ୟାର ସମୀରଣକୁ ଭାରାକ୍ରାନ୍ତ, କରି କହିଲା, ଏ ଜନ୍ମରେ ଅନେକ କଥା ମୋର ବାକି ରହିଲା । ପୁର୍ନଜନ୍ମରେ ମୁଁ ବିଶ୍ୱାସ କରେ କି ନ କରେ, ଏ ଅପୂର୍ଣ୍ଣ କାମନା ସବୁ ପୂର୍ଣ୍ଣ କରିବା ପାଇଁ ମତେ ଏ ପୃଥିବୀରେ ନିଶ୍ଚୟ ଆଉ ଥରେ ଜନ୍ମ ହେବାକୁ ପଡ଼ିବ ।

ଜିନ୍‍ ଫରାସୀ ଭାଷାରେ ଦୀର୍ଘ ସମୟ ଧରି ଚମତ୍କାର ଭାଷଣ ଦେଇପାରେ । କିନ୍ତୁ ତାର ଇଂରେଜି ଉଚ୍ଚାରଣ ଫରାସୀ ଭଳି ଖୁବ୍ ଏତେ ପ୍ରାଞ୍ଜଳ ନୁହେଁ । ତେଣୁ ତାର କଥାର ପ୍ରତି ଶବ୍ଦକୁ ବୁଝିବା ପାଇଁ ମୋ କାନକୁ ତା ଓଠର ଯଥେଷ୍ଟ ନିକଟକୁ ନେବାକୁ ହେଲା ।

ପୋଲ ତଳର ଛାଇ-ଆଲୁଅରେ ଭାରି ଶାନ୍ତ, କୋମଳ ଦେଖାଯାଉଥିଲା ଜିନ୍‍ର ମୁହଁ । ଏଇ ଲୋକ ଯେ ଆଠ ଘଣ୍ଟା ତଳେ ଅନର୍ଗଳ ରକ୍ତ-ତତା ଭାଷଣ ଦେଇ ସହସ୍ର ସହସ୍ର ଶ୍ରମିକଙ୍କ ମନରେ ବିଦ୍ରୋହର ଅଗ୍ନି-କଣିକା ବିଞ୍ଚି ଦେଉଥିଲା, ସେ କଥା ତାର ସେ ଶାନ୍ତ-କୋମଳ ମୁହଁକୁ ଚାହିଁ ସେ ମୁହୂର୍ତ୍ତରେ ମୁଁ କଳ୍ପନା କରିପାରୁ ନ ଥିଲି ।

ମୁଁ ତାକୁ ଚୁପ୍ ଚୁପ୍ କହିଲି, ଜିନ୍‍ ! ଡାକ୍ତରଖାନାରେ କିଟିର ଯନ୍ତ୍ରଣା-କାତର ମୁହଁରେ ତମକୁ ଦେଖି ଯେଉଁ ହସର ଝଲକ ଉଛୁଳି ଉଠିଲା, ସେ ହସରେ କଅଣ ତମ ଅପୂର୍ଣ୍ଣ କାମନାର କଥା ଲିପିବଦ୍ଧ ହୋଇ ନ ଥିଲା ?

ମୁଁ କଣ କହୁଛି ସେ କଥା ଜିନ୍‍ ବୋଧହୁଏ ପ୍ରଥମେ କିଛି ବୁଝିପାରିଲା ନାହିଁ । ଏଇ ଘଣ୍ଟାଏ ଆଗରୁ ମାତ୍ର ଆମେ ହସପିଟାଲ୍‍କୁ ଯାଇଥିଲୁ, ପୋଲିସ ମାଡ଼ରେ ଆହତ ହୋଇ ଚିକିତ୍ସିତ ହେଉଥିବା ଛାତ୍ର-ଛାତ୍ରୀ ବନ୍ଧୁମାନଙ୍କୁ ଦେଖିବା ପାଇଁ । ସେଇ ଆହତ ଛାତ୍ରୀମାନଙ୍କ ମଧ୍ୟରୁ କିଟି ହେଉଛି ଜିନ୍‍ର ବାନ୍ଧବୀ—ଯେ ଗୋଟିଏ ହଷ୍ଟେଲରେ ଜିନ୍‍ ସହିତ ରହୁଥିଲା । ଜିନ୍‍ର ଗୋଡ଼ରେ ପୋଲିସର ଟିଅରଗ୍ୟାସ୍ ସେଲ୍ ପଡ଼ି ଫାଟି ଯାଇଥିଲା । ତା ଗୋଡ଼ରେ ଆଣ୍ଠୁ ଉପରକୁ କିଛି ଅଂଶ ପୋଡ଼ି ଯାଇ ଖୁବ୍ ଯନ୍ତ୍ରଣା ହେଉଛି ।

କିନ୍ତୁ ଜିନ୍‍କୁ ଦେଖି ସେ ଯନ୍ତ୍ରଣା ମୁହୂର୍ତ୍ତ କେତୋଟି ପାଇଁ ଭୁଲି ଗଲା କିଟି । ମୁଁ ଲକ୍ଷ୍ୟ କରିଛି, ଜିନ୍‍କୁ ଦେଖିବା ମାତ୍ରେ ତା ଆଖିକୋଣରେ ହସ ଝିଲ୍ ମିଲ୍ ହୋଇଉଠିଲା । ନିଜ ଗୋଡ଼ର ଯନ୍ତ୍ରଣା ଭୁଲିଯାଇ ଉଠି ବସିବାକୁ ବ୍ୟର୍ଥ ଚେଷ୍ଟା କଲା ।

ମୁଁ ତାକୁ ସ୍ମରଣ କରାଇ ଦେଇଥିଲି, କିଟି ! ତମର ଗୋଟାଏ ଗୋଡ଼ ପ୍ୟାରିସ୍ ପୋଲିସ ଅକାମୀ କରି ଦେଇଛି । ଭିଏତନାମ ଯୁଦ୍ଧ ବିରୋଧୀ ଛାତ୍ର ଆନ୍ଦୋଳନର ତମେ ହେଉଛ ଅଧା-ଶହୀଦ୍ । ଉଠିବାକୁ ଚେଷ୍ଟା କର ନାଇଁ ।

ଜିନ୍‍ର ଏତେ ପାଖରେ ମତେ ଦେଖି କିଟି ବୋଧହୁଏ ଅପ୍ରସ୍ତୁତ ହେଲା । ଇର୍ଷାର ନୀଳ ବିଷ ତା ହସ ଝିଲମିଲ୍ ମୁହଁକୁ ମୁହୂର୍ତ୍ତ କେତୋଟି ପାଇଁ ମଳିନ କରିଦେଲା । ମୋ ଆଡ଼ୁ ଦୃଷ୍ଟି ଫେରାଇ ନେଇ ସେ ଜିନ୍‍ କୋଳରେ ମୁଣ୍ଡ ରଖିଲା ଏବଂ କାତର କଣ୍ଠରେ ପ୍ରଶ୍ନକଲା ଜିନ୍‍ । ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଆମକୁ କଅଣ ଗୋଟିଏ ହସଷ୍ଟେଲରେ ରହିବାକୁ ଆଉ ଦେବେ ନାହିଁ !

ସେ ସମୟରେ ମୋର ମନେ ପଡ଼ିଥିଲା କମଲ୍‍ର କଥା ।

ସେ ବୋଧହୁଏ ଠିକ୍ କହୁଥିଲା, ଯୁଦ୍ଧ-ବିରୋଧୀ ମନୋଭାବ ନୁହେଁ, ଅବିବାହିତ ଝିଅପୁଅଙ୍କ ମଧ୍ୟରେ ଅବାଧ ବସବାସ କରିବା ସୁଯୋଗକୁ ବାତିଲ୍ କରି ଦେଇଥିବା ଆଦେଶ ବିରୁଦ୍ଧରେ ପ୍ୟାରିସ୍‍ର ଛାତ୍ର-ଛାତ୍ରୀମାନେ ବିଦ୍ରୋହୀ ହୋଇଉଠିଛନ୍ତି !

 

ଜିନ୍‍ ତାକୁ କି ଉତ୍ତର ଦେଲା ମୁଁ ଶୁଣି ନାହିଁ । ସେମାନଙ୍କ କଥାବାର୍ତ୍ତା କାନ ଡେରି ଶୁଣିବା ଭଦ୍ରତା-ବିରୋଧୀ ହେବ ବୋଲି ହିସାବକରି ମୁଁ ଅନ୍ୟ ବେଡ୍‍ ରେ ପଡ଼ିଥିବା ଆଉ କେତେ ଜଣ ଆହତ ଛାତ୍ରଙ୍କ ପାଖକୁ ଚାଲି ଯାଇଥିଲି ।

 

କିନ୍ତୁ ହସପିଟାଲ୍‍ରୁ ଫେରିଲାବେଳେ ମୋ ଆଡ଼କୁ କିଟିର ସେଇ ଶାଣିତ ଦୃଷ୍ଟି ମୁଁ ଭୁଲିପାରି ନ ଥିଲି । ସେହି ଅସହିଷ୍ଣ ଦୃଷ୍ଟି ନିକ୍ଷେପ କରି ସେ ମତେ ଯେମିତି କହିବାକୁ ଚାହୁଁଥିଲା, ତମେ ଆଉ କେବେ ଜିନ୍‍ ସହିତ ମୋ ଆଗକୁ ଆସ ନାହିଁ । ମୁଁ ମୋର ଏ ଶରଶଯ୍ୟାରେ ଜିନ୍‍କୁ ଏକୁଟିଆ ପାଇବାକୁ ଚାହେଁ ।

 

ଜିନ୍‍ କିଟି ପ୍ରସଙ୍ଗକୁ ଏଡ଼ାଇ ଯାଇ ଶାଢ଼ି ପ୍ରସଙ୍ଗକୁ ପୁନରାବୃତ୍ତି କଲା ।

 

ଆମ ପ୍ୟାରିସ ଝିଅମାନେ ନିଜ ସ୍କର୍ଟ, ଫ୍ରକ୍ ନେଇ ଅନେକ ସମୟରେ ବଡ଼ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଶରୀରର ମାପ ବଦଳି ଗଲେ ସେମାନଙ୍କର ସ୍କର୍ଟ, ଫ୍ରକ୍ ସବୁ ଅକାମୀ ହୋଇଯାଏ । ଆଉ ଗୋଟାଏ ବୟସରେ ଝିଅମାନଙ୍କ ଶରୀରରେ ମାପ ଏତେ ଥର ଏତେ ଚଞ୍ଚଳ ବଦଳିବାକୁ ଆରମ୍ଭ କରେ ଯେ, ପ୍ରତି ମାସରେ ସେମାନଙ୍କୁ ହଳହଳ ଫ୍ରକ୍, ସ୍କର୍ଟ ବଦଳାଇବାକୁ ହୁଏ । ଭାରତୀୟ ଝିଅମାନଙ୍କର ଶାଢ଼ି ସେ ଦୃଷ୍ଟିରୁ ଏକ ଚମତ୍କାର ପରିଧେୟ । ଦେହର ମାପ ବଦଳିଲେ ସୁଦ୍ଧା ଶାଢ଼ି ବଦଳାଇବା ଆବଶ୍ୟକତା ହୁଏ ନାହିଁ । ନା !

 

ଜିନ୍‍ ଉତ୍ତର ପ୍ରତୀକ୍ଷାରେ ମୋ ମୁହଁକୁ ଚାହିଁଲା ।

 

ମୁଁ କହିଲି, କେବଳ ଫ୍ରାନ୍‍ସ ନୁହେଁ, ସାରା ୟୁରୋପର ଝିଅମାନେ ନିଜ ଦେହର ଭାଇଟାଲ ଷ୍ଟାଟିଷ୍ଟିକ୍ ଅନ୍ୟମାନଙ୍କ ଆଗରେ ବିଜ୍ଞାପିତ କରିବାକୁ ବ୍ୟଗ୍ର । ଶାଢ଼ି ସେମାନଙ୍କୁ ସେଥିରେ ସାହାର୍ଯ୍ୟ କରି ପାରିବ ନାହିଁ ।

 

ଜିନ୍‍ ହସିଲା ।

 

କହିଲା; ଠିକ୍, ଭାରତୀୟ ଝିଅମାନେ ଗୋପନୀୟତା ପ୍ରିୟ । କେବଳ ଦେହ ନୁହେଁ ସେମାନେ ନିଜ ମନର ରହସ୍ୟକୁ ମଧ୍ୟ ଅନ୍ୟମାନଙ୍କ ଆଗରୁ ଗୋପନ କରି ରଖନ୍ତି । ଶୁଣିଛି ଆଧୁନିକ ଭାରତ ସାହିତ୍ୟରେ—ଗଳ୍ପ, କବିତା, ଉପନ୍ୟାସ ଓ ନାଟକ—ସବୁଥିରେ କୁଆଡ଼େ ନାରୀ ମନର ସେଇ ରହସ୍ୟକୁ ଆବିଷ୍କାର କରିବା ପାଇଁ ଚେଷ୍ଟା ହୁଏ । ଅଥଚ ଫରାସୀ ସାହିତ୍ୟରୁ ନାରୀର ସେ ଭୂମିକା ଅନେକ ଦିନରୁ ବାତିଲ ହୋଇଗଲାଣି ।

 

ଆମ ସାମ୍ନାରେ ଦୁଇଜଣ ତରୁଣ ତରୁଣୀ କୌଣସି ହାଲୁକା ପରଫିଉମ୍ ବିଞ୍ଚି ଚାଲି ଗଲେ । ବୋଧହୁଏ ଆମେରିକାନ୍ ଟୁରିଷ୍ଟ । କାରଣ ତରୁଣଜଣଙ୍କ କଣ୍ଠରେ “ଅଣ୍ଡର ଦି ବ୍ରିଜ୍ ଅଫ୍ ପ୍ୟାରିସ” ଗୀତର ସୁରଟା ମୁଁ ବେଶ୍ ଧରି ପାରୁଥିଲି । ଆଜିକାଲି କୌଣସି ଫରାସୀ ତରୁଣ ଏ ଗୀତଟା ପ୍ରାୟ ଆଉ ବୋଲନ୍ତି ନାହିଁ । ତରୁଣୀଟିର ବିଚିତ୍ର କଟା ପୋଷାକ ଯୋଗୁ ତାର ଦୁଇଟି ଶଙ୍ଖସ୍ତନ ବେଶ୍ ପରିଷ୍କାର ଦେଖାଯାଉଥିଲା । ଭାରତୀୟ ମନ ନେଇ ମୁଁ ଜିନ୍‍କୁ ଚାହିଁଲି, ଜାଣିବା ପାଇଁ ଯେ ସେ ସେହି ତରୁଣୀର ନଗ୍ନ ବକ୍ଷକୁ ଚାହୁଁଛି ନା ନାହିଁ !

 

ନା—ତାର ଦୃଷ୍ଟି ଲମ୍ବି ଯାଇଥିଲା ସାଇନ୍ ନଦୀର ଜଳଧାରା ଆଡ଼କୁ, ରାସ୍ତା ବତୀଖୁଣ୍ଟର କେତୋଟି ବିଚ୍ଛିନ୍ନ ଆଲୋକ ପାଖୁଡ଼ା ଯେଉଁଠି ମୂର୍ଚ୍ଛିତ ହୋଇ ପଡ଼ିଥିଲା ।

 

ପ୍ୟାରିସର ସଂଧ୍ୟା ମନେ ହେଉଥିଲା ଗୋଟିସୁଦ୍ଧା ଶୀତରେ ଥରୁଥିବା ସଲ୍ଲଜ ନବବଧୂ ଭଳି !

 

କିଟି ତମକୁ ଖୁବ୍ ଭଲପାଏ । ନା ! —ମୁଁ ତାକୁ ପୁଣି ଥରେ ମୋ ପ୍ରଶ୍ନଟା ସହଜ ଭାବରେ ବୁଝାଇ ଦେଲି ।

 

ମୋ କଥା ଶୁଣି ଜିନ୍‍ର ମୁହଁରେ ଗୋଟିଏ ହେଲେ ରେଖା ଏପାଖ ସେ ପାଖ ହେଲା ନାହିଁ । ସେ କହିଲା, ବଡ଼ ନିର୍ଲିପ୍ତ ଭାବରେ; ଯେ କୌଣସି ଝିଅର ଭଲ ପାଇବା ମୋ ପକ୍ଷରେ ସ୍ୱର୍ଗୀୟ ବସ୍ତୁ । କାରଣ ପିଲାଦିନୁ ମୁଁ ମାଆର ସ୍ନେହ ପାଇନାହିଁ ।

 

ଜିନ୍‍ ସହିତ ମୋର ଏଇ ଗୋଟିଏ କଥାରେ କିଛି ପରିମାଣରେ ମେଳାଥିଲା । ସେ ପିଲାଦିନୁ ମାଆର ସ୍ନେହ ପାଇନାହିଁ; ଆଉ ମୁଁ ବାପାଙ୍କର ସ୍ନେହ ବି ପାଇନାହିଁ ।

 

କିଟିର ସ୍ନେହ କିନ୍ତୁ ମାଆର ସ୍ନେହ ନୁହେଁ, ସେ ତମକୁ ପ୍ରେମିକା ଭଳି ଭଲପାଏ ।

 

ମୋ କଥା ଶୁଣି ଜିନ୍‍ ଯେପରି ଆଶ୍ଚର୍ଯ୍ୟ ହୋଇଗଲା । ପଚାରିଲା ସତ କି ? କିଟିର ପ୍ରେମିକ କିନ୍ତୁ ଭିଏନାରୁ ସପ୍ତାହକେ ଦୁଇଖଣ୍ଡ ଚିଠି ନ ଲେଖିଲେ କୁଆଡ଼େ ପାଗଳ ହୋଇଯାଏ । ଅବଶ୍ୟ ଏ ସବୁ କଥା ମୁଁ କିଟି ମୁହଁରୁ ଶୁଣିଛି । ସେ ଅନେକ ସମୟରେ ନିଜ ପ୍ରେମିକକୁ ବଡ଼ କରିବା ପାଇଁ ଖୁବ୍ ମିଛ କୁହେ । ବୋଧହୁଏ ଊଣା ଅଧିକେ ପୃଥିବୀର ସବୁ ପ୍ରେମିକାମାନେ ଏମିତି–ପ୍ରେମ କରୁଥିବା ବେଳେ ପ୍ରେମିକକୁ ବଡ଼ କରିବା ପାଇଁ ସେମାନେ ଯେପରି ତାର ଖୁବ୍ ମିଛ ପ୍ରଶଂସା କରନ୍ତି—ପ୍ରତାରଣା କଲାପରେ ତା ନାମରେ ମଧ୍ୟ ସେହିପରି ଅନେକ ମିଥ୍ୟା କୁତ୍ସା ରଟନା କରନ୍ତି !

 

ଝିଅ ଚରିତ୍ର ସମ୍ପର୍କରେ ଜିନ୍‍ ମୁହଁରୁ ମୁଁ ସେଭଳି ମନ୍ତବ୍ୟ ସେହି ପ୍ରଥମ ଶୁଣିଲି । ତାପରେ ନିଜ ମନର କୌତୁହଳ ଦମନ କରିବା ମୋ ପକ୍ଷରେ କଷ୍ଟକର ହୋଇଉଠିଲା । ମୁଁ ପଚାରିଲି, ଜିନ୍‍ ! ତମେ କେବେ କୌଣସି ଝିଅକୁ ପ୍ରେମ କରିନାହଁ ! ଅବଶ୍ୟ ତମକୁ ଏଭଳି ଏକ ପ୍ରଶ୍ନ କରିବା ହୁଏତ ଅନ୍ୟାୟ ।

 

ହୋ ହୋ ହୋଇ ଅନର୍ଗଳ ହସିଲା ଜିନ୍‍ ।

 

କହିଲା, ଏଥିରେ ଅନ୍ୟାୟ କଅଣ ଅଛି ? ମୋର ମଧ୍ୟ ଲୁଚାଇବାର କିଛି ନାହିଁ । ଆମ ଦେଶରେ ପ୍ରେମ କରିବା କିଛି ନିଷିଦ୍ଧ; ଲଜ୍ଜ୍ୟାଜନକ ବ୍ୟାପାର ମଧ୍ୟ ନୁହେଁ ।

 

ତାପରେ ସେ କିଛି ସମୟ ଜାଣିଶୁଣି ଚୁପ୍ ରହିଲା । ତା ଜୀବନର ସେ ଗୋପନ ପ୍ରେମର କାହାଣୀ ମତେ କହିବ କି ନାହିଁ ସେ ବିଷୟରେ ଭାବିବା ପାଇଁ ସେ ବୋଧହୁଏ କିଛି ସମୟ ଚାହୁଁଥିଲା । ପୃଥିବୀର ସବୁ ପ୍ରେମିକ ଏମିତି; ନିଜ ନିଷିଦ୍ଧ ପ୍ରଣୟର କାହାଣୀ ଅନ୍ୟକୁ ଶୁଣାଇବାବେଳେ ଆକଣ୍ଠ-ଲଜ୍ଜାରେ ଇତଃସ୍ତତ !

 

ନା—ଘଟଣାଟା ଆରମ୍ଭ ହୋଇଥିଲା ହଂକଂର ଏୟାରପୋର୍ଟରେ । ଲାଉଞ୍ଜରେ ମୁଁ ମୋର ପ୍ଲେନ୍‍କୁ ଅପେକ୍ଷା କରୁଥିଲି । ସେ ବୋଧହୁଏ ମୋର ଖୁବ୍ ନିକଟରେ ସୋଫା ଉପରେ ବସି ଅପେକ୍ଷା କରୁଥିଲା ମତେ । ଯେମିତି ଅନେକ ଦିନର ପ୍ରତୀକ୍ଷା ! ଅଥଚ ଆମେ ଦୁହେଁ ଦୁହିଁଙ୍କୁ ଆଗରୁ କେବେ ଚିହ୍ନି ନଥିଲୁ । ମୁଁ ମୋର ପ୍ଲେନ୍‍କୁ ଅପେକ୍ଷା କରୁଥିଲା ମତେ । ଯେମିତି ଅନେକ ଦିନର ପ୍ରତୀକ୍ଷା ! ଅଥଚ ଆମେ ଦୁହେଁ ଦୁହିଁଙ୍କ ଆଗରୁ କେବେ ଚିହ୍ନି ନଥିଲୁ । ମୁଁ ମୋର ପ୍ଲେନକୁ ଅପେକ୍ଷା କରୁଥିଲି । ମୋର ପ୍ୟାରିସ୍ ଫେରି ଆସିବାର କଥା । ସେ ଅପେକ୍ଷା କରୁଥିଲା ମତେ ! ଆଶ୍ଚର୍ଯ୍ୟ !

 

କଥା କହିଲାବେଳେ ଜିନ୍‍ର ଆଖି ଦୁଇଟା ଏକ ଆଲୌକିକ ଆଲୋକରେ ଜଳୁଥିଲା । କଣ୍ଠ ସ୍ଵରରେ ମଧ୍ୟ କିପରି ଏକ ବିଚିତ୍ର ଆନ୍ତରିକତା ଫୁଟି ଉଠୁଥିଲା । ସେ ଯେମିତି ସାଇନ୍ ନଦୀର ପୋଲ ତଳେ ନୁହେଁ, ହଂକଂ ଏୟାରପୋର୍ଟର ଲାଉଞ୍ଜରେ ବସି ତାର ପ୍ଲେନ୍‍କୁ ଅପେକ୍ଷା କରୁଛି !

 

ତାପରେ କଅଣ ହେଲା ଜାଣ ? ମୁଁ ବାମପଟକୁ ଚାହିଁ ଦେଖେତ ସେଇ ଦୀଘାଙ୍ଗୀ ଆମେରିକାନ୍ ଝିଅଟା ଗୋଟାଏ ବହି ପଢ଼ୁଛି । ଛାତ୍ର ଜୀବନରେ ବହି ପଢ଼ୁଥିବା ଝିଅଟିଏ ଦେଖି ମୋର ଆଶ୍ଚର୍ଯ୍ୟ ହେବାର କଅଣ ଥିଲା ? କିନ୍ତୁ ପୁସ୍ତକ ଉପରେ ତାର ସେ ଦୃଷ୍ଟି-ନିବିଦ୍ଧ ଆଖି ଦୁଇଟିକୁ ଦେଖି କେଜାଣି କାହିଁକି ମନ ମୋର କେମିତି କେମିତି ହୋଇଗଲା । ମୁଁ ମ୍ୟାଜିକ୍‍ରେ ବିଶ୍ୱାସ କରେନା । ହେଲେ ମୋର ଘୋର ସନ୍ଦେହ ଝିଅଟାଠାରେ କିଛି ମ୍ୟାଜିକ୍ ଭଳି ଆକର୍ଷଣୀ ଶକ୍ତି ଥିଲା । ତା ନ ହେଲେ ମୁଁ କାହିଁକି ତାକୁ ସେ ବହି ପଢ଼ୁଛି ବୋଲି ପଚାରିଥିଲି ?

 

ସେ ସଂକ୍ଷେପରେ ଉତ୍ତର ଦେଇଥିଲା, ହର୍ବର୍ଟ ମାର୍‍କିଉସ୍‍ଙ୍କ “ଓୟାନ୍ ଡାଇମନ୍‍ ସେନାଲ୍‍ନାଲ୍ ମ୍ୟାନ୍ ।”

 

ହର୍ବର୍ଟ ମାରକିଉସ୍ !

 

ମୁଁ ପ୍ରାୟ ଏକ ପ୍ରକାର ଲଂମ୍ପ ଦେଇ ସୋଫା ଛାଡ଼ି ଠିଆ ହୋଇ ପଡ଼ିଥିଲି । ଝିଅଟି ହାତରୁ ମୁଁ ସମ୍ଭବତଃ ଏକ ପ୍ରକାର ଯୋର୍ କରି ଛଡ଼ାଇ ଆଣିଥିଲି ବହିଟା । ଝିଅଟି ହତ-ଚକିତ !

 

ଏଞ୍ଜେଲ୍ ! ତମେ ବୋଧହୁଏ ଜାଣନା ମାର୍କିଉସ୍ ସେତେବେଳେ ଆମ ବିଶ୍ଵବିଦ୍ୟାଳୟ ଛାତ୍ରମାନଙ୍କର ଆରାଧ୍ୟ ଦେବତା । ତାଙ୍କର ସେ’ଓୟାନ୍ ଡାଇମନ୍ ସେନାଲ୍ ମ୍ୟାନ୍’ ବହିର ଫରାସୀ ଅନୁବାଦ ସେତେବେଳ ପର୍ଯ୍ୟନ୍ତ ଛପା ହୋଇ ନଥିଲା । ଇଂରାଜି ବହିଟା ମୁଁ ମନେ ମନେ ଅନେକ ଦିନୁ ଖୋଜୁଥିଲି ।

 

ଝିଅଟି ସହିତ ଅଳ୍ପ କେତୋଟି ମୁହୂର୍ତ୍ତ ପାଇଁ ଆଳାପ । ନିଉୟର୍କର ଗୋଟିଏ ସମ୍ବାଦ ସାପ୍ତାହିକୀର ରିପୋର୍ଟର ଭାବରେ ଝିଅଟି ହଂକଂ ଆସିଥିଲା । ଏଁ, ନାମ ? ନାମଟା ତାର ଆନେ । ମାରକିଉସ୍‍ଙ୍କ ସମ୍ପର୍କରେ ମୋର ଏତେ ଅନୁସନ୍ଧିତ୍ସା ଦେଖି ଆନେ ମତେ ପ୍ରଶ୍ନ କରିଥିଲା, ଆପଣ କଅଣ ବାମପନ୍ଥୀ ଛାତ୍ର ଅନୁଷ୍ଠାନର କେହି ?

 

ମୁଁ ମୁଣ୍ଡ ହଲାଇ ମନା କରିଥିଲି । ମୁଁ କୌଣସି ପନ୍ଥୀ ନୁହେଁ । ନା ବାମ, ନା ଡାହାଣ । କିନ୍ତୁ ମାର୍କିଉସ୍ଙ୍କ ନାମ ଖୁବ୍ ଶୁଣିଛି କାମ୍ପସ୍ରେ । ସେ ନିଜେ କୁଆଡ଼େ ହେଗେସ୍ ପନ୍ଥୀ !

 

ନୈରାଜ୍ୟବାଦର ନୂତନ ଜନକ । ଆନାର୍କିଷ୍ଟ ! ଆନେ ମତେ ଭୟଭୀତ କରାଇବା ପାଇଁ ବୋଧହୁଏ କହିଥିଲା ।

 

ସେତେବେଳକୁ ଆନେରପ୍ଳେନ୍ ଆସି ଯାଇଥିଲା । ମୋ ପ୍ଳେନ୍ ଆସିବା ପାଇଁ ତଥାପି ବିଳମ୍ବ । ଅନେକୁ ମୁଁ ବହିଟା ବଢ଼ାଇ ଦେଉଥିଲି । ସେ ମନା କଲା ।

 

ଥାଉ । ଏ ବହିଟା ମୋ କଥା ହୁଏତ ଆପଣଙ୍କୁ ମନେ ପକାଇ ଦେବ । ଏଇ ଏୟାରପୋର୍ଟ ଲାଉଞ୍ଜରେ କେହି ଜଣେ ପ୍ରତୀକ୍ଷମାଣା ଝିଅ ଏ ବହିଟା ଉପହାର ଦେଇଥିଲା ।

 

ପ୍ଳେନ୍ ଛାଡ଼ିବାର ଘୋଷଣା ସ୍ପଷ୍ଟ ହେଉଥିଲା ।

 

ଦ୍ରୁତ ପଦକ୍ଷେପରେ ପ୍ଳେନ୍ ଆଡ଼କୁ ଆଗେଇ ଯାଉଥିଲା ଆନେ । ମୁଁ ଛୋଟ ପିଲାଙ୍କ ଭଳି ପଛରୁ ପାଟିକରି ପ୍ରଶ୍ନ କରିଥିଲି, ଆନେ ! ତମ ଠିକଣା ?

 

ଆନେ କିଛି ଉତ୍ତର ଦେଇ ନ ଥିଲା । ତାର ପ୍ଳେନ୍ ଆକାଶକୁ ଉଠିବା ପରେ ମୁଁ ସେ ବହିର ଶେଷ ପୃଷ୍ଠାରେ ଆବିଷ୍କାର କରିଥିଲି ଆନେର ଠିକଣା । ଚିଠିପତ୍ରର ଆଦାନ ପ୍ରଦାନ ଭିତରେ ଗଢ଼ି ଉଠିଥିଲା ଆମର ବନ୍ଧୁତ୍ୱ । ଏଞ୍ଜେଲ୍ ! ଏଇ ବନ୍ଧୁତ୍ୱକୁ ତମେ ପ୍ରେମ ବୋଲି କହିପାର-। ସତ କହିବାକୁ ଗଲେ ଆନେର ପ୍ରେମ ହିଁ ମତେ ବାମପନ୍ଥୀ ରାଜନୀତି ଭିତରକୁ ଟାଣିଥିଲା-। ପ୍ରେମ ମଣିଷକୁ ମହିମାନ୍ୱିତ କରେ । ଏ କଥା ସତ ନା ?

 

ଜିନ୍‍ କଥାର ମୁଁ କିଛି ଉତ୍ତର ଦେଇ ନ ଥିଲି । କିଛି କହିବା ଅପେକ୍ଷା କିଛି ଶୁଣିବା ପାଇ ମୋ ମନରେ କୌତୁହଳ ଭିଡ଼ କରୁଥିଲା । ମୁଁ ବାମ ହାତର ତର୍ଜ୍ଜନୀ ଉପରେ ଚିବୁକ ରଖି ଏକ ଲୟରେ ତା ମୁହଁକୁ ଚାହିଁ ରହିଥିଲି । କେବଳ ସଂକ୍ଷେପରେ ପଚାରିଥିଲି, ତାପରେ ?

 

ତାପରେ ? ଆନେ ଗଲା ଭିଏତନାମ; ସେ ନିଉୟର୍କ ସାପ୍ତାହିକୀର ଯୁଦ୍ଧ ସମ୍ବାଦଦାତା ଭାବରେ । କିନ୍ତୁ ସେଠାରେ ସେ ଯେଉଁ ସମ୍ବାଦ ପଠାଇଲା, ନିଉୟର୍କର ସେ ସାପ୍ତାହିକ ସମ୍ବାଦପତ୍ର ତାହା ଛାପିଲା ନାହିଁ । ସେ ସବୁ ସମ୍ବାଦ ମାର୍କିନ ସରକାରଙ୍କ ଯୁଦ୍ଧଖୋର ନୀତି ବିରୁଦ୍ଧରେ । ମାର୍କିନ୍ ସୈନ୍ୟବାହିନୀର ଅକ୍ଷମତା ଓ ଅମାନୁଷିକତା ସମ୍ପର୍କରେ । ଦୁଇମାସ ପରେ ତାର ଚାକିରୀ ଚାଲିଗଲା । ଆନେ କିନ୍ତୁ ଭିଏତନାମ ଛାଡ଼ିଲା ନାହିଁ । ନିଉୟର୍କ ସାପ୍ତାହିକିକୁ ଯୁଦ୍ଧ ବିବରଣୀ ପଠାଇବା ବନ୍ଦ ହୋଇଯିବା ପରେ ସେ ବିବରଣୀ ଚିଠି ଆକାରରେ ମୋ ପାଖକୁ ପଠାଉଥିଲା । କିଛି ଦିନ ପରେ ତାର ଚିଠି ମଧ୍ୟ ବନ୍ଦ ହୋଇଗଲା ।

 

ଚୁପ୍ ହୋଇଗଲା ଜିନ୍‍ ।

 

ମୁଁ ପଚାରିଲି, ତମେ କଥା ବନ୍ଦକଲ ଯେ !

 

ସେ ଉଦାସ ଦୃଷ୍ଟିରେ ମୋ ଆଡ଼କୁ ଚାହିଁ ଉତ୍ତର ଦେଲା, ତାପରେ ଆଉ କିଛି କହିବାର ନାହିଁ । ଭିଏତକଙ୍ଗଙ୍କ୍ ଆକ୍ରମଣରେ ତାକୁ ପ୍ରାଣ ହରାଇବାକୁ ହେଲା; ଭିଏତନାମରେ ଭିଏତନଙ୍ଗ୍‍ଙ୍କ ହାତରେ ଅନେକ ସାମ୍ବାଦିକ ମରିଛନ୍ତି । ଆନେ ସେମାନଙ୍କ ମଧ୍ୟରୁ ଜଣେ । ସେ ଯେ ସେମାନଙ୍କର ଶତ୍ରୁ ନ ଥିଲା, ସେକଥା ବୁଝି ନ ପାରିବା ଭିଏତକଙ୍ଗମାନଙ୍କ ଦୋଷ ନୁହେଁ । ଯାହା ହେଲେ ବି ଆନେ ଥିଲେ ଆମେରିକାନ୍ !

 

କଥା ନ କହି ଜୀନ୍ ସାଇନ୍ ନଦୀର ପ୍ରବହାମାନ ଜଳ ଭିତରକୁ ଛୋଟ ଛୋଟ କାଚ ଟୁକୁରା ପକାଇବାକୁ ଲାଗିଲା । ସେ ଯେମିତି ସେଇ ନଦୀର ଜଳ ସହିତ ଆନେ ବିଷୟରେ କଥାବାର୍ତ୍ତା ହେବାକୁ ଚାହୁଁଥିଲା !

 

ପ୍ରଣୟର ଏ ଅକାଳ-ମୃତ୍ୟୁ ସହଜରେ ସହି ହେବାର କଥା ନୁହେଁ । ଜିନ୍‍ର ମୁହଁରେ ସେହି ଶୋକାର୍ତ୍ତପ୍ରଣୟ କିପରି ଦାଗ କାଟି ଯାଇଥିଲା । ତାହା ଗୋପନ କରିବାକୁ ଚେଷ୍ଟା କରି ମଧ୍ୟ ସେ ପାରୁ ନଥିଲା ।

 

ମୁଁ ତା ହାତ ଉପରେ ହାତ ରଖିଲି ।

 

କହିଲି, ଜିନ୍‍ ! ମୁଁ ତମକୁ ଆଜି କଫି ପିଆଇବି । ହାତ ତିଆରି କଫି । ବର୍ତ୍ତମାନ ଉଠ । ସଂଧ୍ୟା ଅତୀତ ହୋଇଗଲାଣି ।

 

ଜିନ୍‍ ନିର୍ବିବାଦରେ ଉଠି କାର୍‍ର ଷ୍ଟିଅରିଂ ଧରିଲା । ଜିନ୍‍ ସାଙ୍ଗରେ କାର୍ରୁ ଓହ୍ଲାଇ ମୁଁ ଫ୍ଳାଟ୍‍କୁ ଯାଇ ଦେଖିଲି, ମୋ ବନ୍ଦ ଫ୍ଳାଟ୍‍ ଦ୍ଵାର ମୁହଁ ପାଖରେ ୠଣ ଆଦାୟ କରିବାକୁ ଆସିଥିବା କାବୁଲିବାଲା ଭଳି କମଲ୍ ଗମ୍ଭୀର ମୁହଁରେ ବସି ରହିଛି !

 

ମୁଁ କଅଣ ଏକ ଅଭିଶପ୍ତା, ଦୁଃଖିନୀ ନାରୀ; କମଲ୍ ବିନା ମତେ କେହି ଏ ଅଭିଶାପ ଆଉ ଦୁଃଖରୁ ମୁକ୍ତି ଦେଇ ପାରିବେନାହିଁ ? ମୁଁ କଅଣ ଏକ ଅଭିଶପ୍ତା କିନ୍ନରୀ କନ୍ୟା, ଆଉ କମଲ୍ ଏକ ମୁକ୍ତିଦାତା ଦେବ ପୁରୁଷ ?

 

ତା ନ ହେଲେ ନିୟତି ଭଳି ମୋ ପଛେ ପଛେ ଲାଗିଛି କାହିଁକି ?

 

କାଲି ତାଙ୍କୁ ମୋ ଫ୍ଲାଟ୍‍ର ବନ୍ଦ ଦରଜା ପାଖରେ ଟହଲ ମାରୁଥିବା ଦେଖି ମୋ ମୁଣ୍ଡ ଖରାପ ହୋଇ ଯାଇଥିଲା । ମୁଁ ତାଙ୍କୁ ଅପ୍ରମାନିତ କରି ତଡ଼ି ଦେବ ବୋଲି ଏକ ପ୍ରକାର ସ୍ଥିର କରି ସାରିଥିଲି । କିନ୍ତୁ ମୁଁ ସେ କଥା କରିବା ଆଗରୁ ସେ ମତେ ନିଜ କଥାରେ ନିରସ୍ତ୍ର କରିଦେଲା ।

 

ମୁଁ ଗୋଟିଏ ଜରୁରୀ ସମ୍ବାଦ ନେଇ ଆସିଥିଲି ଅଞ୍ଜୁ ! ମୋର ଜଣେ ବନ୍ଧୁ ଓଡ଼ିଶାରୁ ଚିଠି ଲେଖିଛନ୍ତି, ତମର ବାପା ଏଥର ଇଲେକ୍‍ସନରେ ହାରି ଯାଇଛନ୍ତି ଏବଂ ମାଆ ଚିତ୍ରଜଗତରୁ ବିଦାୟ ନେଇ କାଠମାଣ୍ଡୁରେ ଅବସ୍ଥାନ କରୁଛନ୍ତି ।

 

ବାପାଙ୍କ ନିର୍ବାଚନ ପରାଜୟ ମୋ ପାଇଁ ଏକ ସମ୍ବାଦ ହୋଇପାରେ କିନ୍ତୁ ମାଆଙ୍କ ଚିତ୍ର ଜଗତରୁ ବିଦାୟ ଏବଂ କାଠମାଣ୍ଡୁ ନୁହେଁ । ପଶୁପତିନାଥରେ ଅବସ୍ଥାନ ମୋ ପାଇଁ ଅତି ପୁରୁଣା ଖବର । ମାଆ ମତେ ତିନି ଖଣ୍ଡ ଚିଠି ପଶୁ ପତିନାଥରୁ ଲେଖିଛି । ସେ କଥା କମଲ୍ ଯେ ଜାଣିନାହିଁ, ଏକଥା ବିଶ୍ଵାସ କରିବାର କିଛି ମାନେ ହୁଏନା । ତେଣୁ ସେ କଥା ସେ ଜିନ୍‍ ଆଗରେ କାହିଁକି କହିଲା ତାହା ବୁଝିବା ମୋ ପକ୍ଷରେ ସାମାନ୍ୟ କଷ୍ଟକର ହେଲା ।

 

ମୁଁ ତାକୁ ଉତ୍ତର ଦେଇଥିଲି, ବାପା ଯଦି ନିର୍ବାଚନରେ ହାରିଯାଇ ଥାଆନ୍ତି, ସେଥିରେ ମୋର କିଛି କରିବାର ନାହିଁ । ତାଙ୍କ ସହିତ ଆମେ ଦୀର୍ଘଦିନ ଧରି ସଂପର୍କ ଛିନ୍ନ କରିଛୁ । ତାଙ୍କର ଜୟ ପରାଜୟରେ ମୋର କଅଣ ଅଛି ?

ମୋ ଉତ୍ତର ଶୁଣି ସେ ମୋ ମୁହଁକୁ ନ ଚାହିଁ ଜିନ୍‍ ମୁହଁକୁ ଚାହିଁଲା । କଥା କହିଲା, ସତେ ଯେମିତି ସେ ମୋର ଜଣେ ଅଭିଭାବକ !

ଆପଣ ଶୁଣୁଛନ୍ତି ମିଷ୍ଟର ଇବର୍ଟ ସମାଜ-ବିଜ୍ଞାନରେ ଡକ୍ଟରେଟ କରୁଥିଲେ ବି ଅଞ୍ଜୁର ଜ୍ଞାନୋଦୟ ହେଲା ନାହିଁ । ବାପା ଯଦି ମାଆଙ୍କ ସତୀତ୍ଵକୁ ସଂଦେହ କରି ମନ୍ତ୍ରୀଥିବା ବେଳେ ନିଜ ପାଖରୁ ଦୂରେଇ ଦେଇଥିଲେ, ନିର୍ବାଚନରେ ହାରି ମନ୍ତ୍ରୀତ୍ଵ ହରାଇବା ପରେ ନିଶ୍ଚୟ ସେ କଥାକୁ ସେ ଧରି ବସି ନ ଥିବେ । ଯାହା ହେଲେ ବି ପ୍ରୌଢ଼ାବସ୍ଥାରେ କେହି ପତ୍ନୀର ସତୀତ୍ଵ ନେଇ ଖୁବ୍ ବେଶି ମୁଣ୍ଡ ଖେଳାଏ ନାହିଁ । ଲୋକ ମତକୁ ଭୟ କରି ରାମଚନ୍ଦ୍ର ସୀତାଙ୍କୁ ନିର୍ବାସନ ଦଣ୍ଡ ଦେଇଥିବା ଭଳି ସେ ନିଜ ପତ୍ନୀକୁ ଦୂରେଇ ଦେଇଥିଲେ । ନିର୍ବାଚନରେ ହାରି ମନ୍ତ୍ରୀତ୍ଵ ହରାଇଲା ପରେ ଲୋକମତ ପ୍ରତି ତାଙ୍କର ମଧ୍ୟ ଆଜି କିଛି ଦାୟିତ୍ଵ ନାହିଁ । ତେଣୁ ଏଇ ସୁଯୋଗରେ ଅଞ୍ଜୁ କଅଣ ନିଜ ବାପା ମାଆଙ୍କ ଭିତରେ ଏକ ସେତୁବନ୍ଧ ଭଳି କାର୍ଯ୍ୟ କରିବା ଉଚିତ ନୁହେଁ ?

କମଲ୍‍ର କଥା କହିବାର ଲକ୍ଷ୍ୟ ମୋ ଆଖିରେ ସ୍ପଷ୍ଟ ହୋଇ ଆସୁଥିଲା, ପାହାନ୍ତାର ପାଣିଚିଆ ଅନ୍ଧାର ପାଣି ଫାଟି ଫର୍ଚ୍ଚା ହୋଇ ଆସିଲା ଭଳି ! ମୋ ମାଆ ଯେ ଅସତୀ, ସ୍ଵାମୀ ପରିତ୍ୟକ୍ତା । ସେକଥା ଜିନ୍‍କୁ କହି ସେ ମୋ ପ୍ରତି ତା ମନରେ ଘୃଣା ସଞ୍ଚାର କରିବା ପାଇଁ ବୋଧହୁଏ ଇଚ୍ଛା କରୁଥିଲା ।

ଜିନ୍‍ ସମ୍ଭବତଃ ତାର ଉଦ୍ଦେଶ୍ୟ ବୁଝିପାରିଲା ନାହିଁ ।

କହିଲା, କାହିଁ ମୋ ମାଆ ତ ବାବାଙ୍କ ଠାରୁ ପ୍ରାୟ ତେର ବର୍ଷ ଧରି ବିଚ୍ଛିନ୍ନ ହୋଇଗଲେଣି । ମୋ ବାବା ମଧ୍ୟ ଆଉ ଜଣେ ସ୍ତ୍ରୀ ଲୋକକୁ ବିବାହ କରି ପୁତ୍ରକନ୍ୟାର ଜନକ ହୋଇଛନ୍ତି । ମୋ ମାଆତ ତାଙ୍କ ପାଇଁ କେବେ ଅନୁଶୋଚନା କରି ନାହାନ୍ତି ?

କମଲ୍ ଖୁବ୍ ଜଣେ ବୁଦ୍ଧିମାନ ବ୍ୟକ୍ତି ଭଳି ମୁଖଭଙ୍ଗୀ କରି ଉତ୍ତର ଦେଲା, ଆପଣଙ୍କ ଫାଦର୍ ଆଉ ଜଣେ ଓମ୍ୟାନ୍‍କୁ ବିବାହ କରିଛନ୍ତି । ଆପଣଙ୍କ ସମାଜରେ ବିବାହଟା ଅନେକ ପରିମାଣରେ (Passion) ପାଶନ୍‍ର ବ୍ୟାପାର; ଆମ ସମାଜରେ ତାହା ବହୁ ପରିମାଣରେ ଅଧ୍ୟାତ୍ମିକ ଘଟଣା । ମିଷ୍ଟର ଇବର୍ଟ ! ଅଞ୍ଜୁର ବାବା ଲୋକମତକୁ ଭୟ କରି ତାର ମାଆଙ୍କୁ ଦୂରେଇ ଦେଇଥିଲେ ସୁଦ୍ଧା ମନ ଭିତରେ ନିଜ ସ୍ତ୍ରୀଙ୍କ ଏକ ସ୍ଵର୍ଣ୍ଣ ପ୍ରତିମୂର୍ତ୍ତି ଗଢ଼ି ପୂଜା କରୁଛନ୍ତି । ସେ ଅନ୍ୟ କୌଣସି ସ୍ତ୍ରୀ ଲୋକକୁ ବିବାହ କରିନାହାନ୍ତି । ନିର୍ବାଚନରେ ପରାସ୍ତ ହୋଇ ମନ୍ତ୍ରୀତ୍ଵ ହରାଇଲା ଜନମତର ଅର୍ଗଳିରୁ ସେ ନିଜ ବେକକୁ କାଢ଼ି ଆଣି ପାରିଛନ୍ତି । ମନ୍ତ୍ରୀତ୍ୱ ହରାଇଲାପରେ ଅଂଞ୍ଜୁ ମାଆଙ୍କ ପତ୍ନିତ୍ଵ ଫେରି ପାଇବା ଭିନ୍ନ ତାଙ୍କର ଆଉ କିଛି ପାଇବାର ନାହିଁ । ଅଞ୍ଜୁ ନିଜ ବାପା ମାଆଙ୍କ ଭିତରେ ଏକମାତ୍ର ଯୋଗସୂତ୍ର ହୋଇପାରେ । ଦୀର୍ଘଦିନର ବିଚ୍ଛିନ୍ନତା ଫଳରେ ତାର ବାପା ଓ ମାଆଙ୍କ ଭିତରେ ଯେଉଁ ବ୍ୟବଧାନର ମହାସମୁଦ୍ର ସୃଷ୍ଟି ହୋଇଛି ଯେ ସମୁଦ୍ରରେ ଏକମାତ୍ର ସେତୁବନ୍ଧ ହୋଇପାରେ ଅଞ୍ଜୁ !

କମଲ୍‍ର କଥା ହୁଏତ ଜିନ୍‍ ଠିକ୍ ଧରି ପାରୁ ନଥିଲା । କମଲ୍‍ର ଇଣ୍ଡିଆନ୍ ଇଂଲିସ୍ ଆଉ ଦୃଢ଼ କଥନଭଙ୍ଗୀ ଯୋଗୁ ତାର ବକ୍ତବ୍ୟ ଜିନପାଖରେ କିଛି ପରିମାଣରେ ଅସ୍ପଷ୍ଟ ହୋଇ ରହିବା ସ୍ଵାଭାବିକ୍ । ସେଥିପାଇଁ ସେ କମଲ୍ ଆଡ଼କୁ ନ ଚାଁହି ମୋ ଆଡ଼କୁ ଚାହିଁଲା ।

 

କମଲ୍ କିନ୍ତୁ ଛାଡ଼ିବାର ପାତ୍ର ନୁହେଁ ।

ଜିନ୍‍ ପାଖରେ ଅନୁନ୍ୱୟ କଲାଭଳି ବିନୀତ କଣ୍ଠରେ ସେ କହିଲା, ମିଷ୍ଟର ରବର୍ଟ ! ମୁଁ ଜାଣେ ଅଞ୍ଜୁକୁ ଆପଣ ପ୍ୟାରିସ୍ ଛାତ୍ରବିପ୍ଳବର ଆୟୁଧ ଭାବରେ ବ୍ୟବହାର କରିବାକୁ ଚାହାନ୍ତି । କିନ୍ତୁ ତାର ନିଜ ପାରିବାରିକ ଜୀବନ ଆଜି ଏକ ନୂତନ ବିପ୍ଳବର ପାଦ ଦେଶରେ । ବିପ୍ଳବ କାହାକୁ ଅପେକ୍ଷା କରେ ନାହିଁ । ଅଞ୍ଜୁ ଯଦି ଠିକ୍ ସମୟରେ କାଠମାଣ୍ଡୁରେ ପହଞ୍ଚି ନ ପାରେ ତାହା ହେଲେ ସବୁଦିନ ପାଇଁ ତାର ବାପା-ମାଆଙ୍କ ଜୀବନ ବୋମାକ୍ରାନ୍ତ ପୋଡ଼ାଭୂଇଁରେ ପରିଣତ ହୋଇଯିବ । ଆପଣ ତାକୁ ମୁକ୍ତି ଦିଅନ୍ତୁ—ଆମେ ଖୁବ୍ ଶୀଘ୍ର ଇଣ୍ଡିୟା ଫେରିଯିବୁ ।

ମୁଁ କମଲ୍ କଥାର ପ୍ରତିବାଦ କରିବା ଉଚିତ ଥିଲା । ମୋର ମାତୃଭୂମି ପ୍ରତ୍ୟାବର୍ତ୍ତନ ସହ ମୋ ବାପା-ମାଆଙ୍କ ଜୀବନର ପରିବର୍ତ୍ତନର ଯେ କୌଣସି ଯୋଗସୂତ୍ର ନାହିଁ ସେ କଥା ସେ ମୁହୂର୍ତ୍ତରେ ମୋର ଜିନ୍‍କୁ କହି ରଖିବା ଉଚିତ ଥିଲା । କିନ୍ତୁ କମଲ୍‍ର ଯୁକ୍ତି ପରିବେଷଣ କରିବାର ଶୈଳୀ ଏତେ ଚମତ୍କାର ଥିଲା ଯେ ମୁଁ ଚେଷ୍ଟା କରି ମଧ୍ୟ ସେ ସବୁକଥା କିଛି କହି ପାରି ନଥିଲି । କଫି ନଖାଇ ଜିକ୍ ଯିବା ପାଇଁ ବ୍ୟଗ୍ର ହେଲା । ଗଲାବେଳେ କହିଗଲା, ମୋର ମନେହେଉଛି ତମେ ଦୁହେଁ ନିଜ ଭବିଷ୍ୟତ ସମ୍ପର୍କରେ କିଛି ସିରଅସ୍‍ଲି ଭାବିବା ଦରକାର । ଆବଶ୍ୟକ ହେଲେ ଏଞ୍ଜେଲ୍ ମତେ ଫୋନ୍ କରିପାରେ । ମୁଁ ପ୍ରାୟ ରାତ୍ରି ଗୋଟାଏ ପର୍ଯ୍ୟନ୍ତ ଉଜାଗର ରହୁଛି । ରୋଜି ଦ୍ୟବରେର ‘ରେଭଲିଉସନ ଇନ୍ ଦି ରେଭଲିଉସନ୍’ ବହିଟା ମତେ ଆଜି ପଢ଼ି ଶେଷ କରିବାକୁ ହେବ !

ଜିନ ଚାଲିଗଲା ପରେ କମଲ୍ ମୁହଁରେ କି ପରିତୃପ୍ତିର ହସ !

ହସୁଛି ଯେ ! ତମର କଅଣ ହୋଇଛି ? —ମୁଁ ପ୍ରଶ୍ନ କରିଥିଲି ।

କମଲ ଉତ୍ତର ଦେଇଥିଲା, ଏମାନେ ବହି ପଢ଼ା ବିପ୍ଳବୀ । ଦେଖିଲ ନାଇଁ ରୋଜି ଦୀବ୍ରେର ବହି ମୁଖସ୍ଥ କରିବାକୁ ଜିନ୍‍ କପରି ଯିଦ୍ କରି ଚାଲିଗଲା ! ପ୍ରକୃତରେ ଦେଖିବାକୁ ଗଲେ ଏମାନେ ନିଜ ନିଜ ଜୀବନର ଉଦ୍ଦେଶ୍ୟ ଅନୁସନ୍ଧାନରେ ବାହାରିଛନ୍ତି । ସେମାନେ କଅଣ ପାଇଁ ଜୀବନ ଧାରଣ କରିଛନ୍ତି ସେମାନେ ନିଜେ ସେକଥା ଜାଣନ୍ତି ନାହିଁ ।

ମୁଁ ବିରକ୍ତ ହୋଇ କହିଥିଲି, ଜିନ୍‍ ଜୀବନର ଲକ୍ଷ୍ୟହୀନତା କଥା ମତେ ବୁଝାଇ ଲାଭ କଅଣ ? ସେକଥା ତମେ ତାକୁ ତ କହି ପାରିଥାଆନ୍ତ !

କମଲ୍ ହସିଲା । ରହସ୍ୟମୟ ହସ ।

କହିଲା, ଯେ ନିଜ ଜୀବନର ଲକ୍ଷ୍ୟ କଅଣ ଜାଣେ ନାହିଁ, ତା ସହିତ ନିଜ ଜୀବନକୁ ଯୋଗ କରିବାର ଲୋଭ ତମକୁ ସମ୍ଭରଣ କରିବାକୁ ହେବ । ତମକୁ ଏଇ ସପ୍ତାହରେ ମୋ ସହିତ ଇଣ୍ଡିୟା ଫେରି ଯିବାକୁ ହେବ । ତମେ ତ ଡକରେଟ ଥିସିସ୍ ଦାଖଲ କରିସାରିଛ—ଡକରେଟ ଡିଗ୍ରୀଟା ଡାକ ଯୋଗେ ନେଲେ ମଧ୍ୟ ଚଳିବ । ପ୍ୟାରିସର ମୃତ୍ତିକା ଆମ ପାଇଁ ଖୁବ୍ ଉତ୍ତପ୍ତ ମନେ ହେଲାଣି ।

ମୁଁ କାହା ସହିତ ମୋ ଜୀବନକୁ ଯୋଗକରିବି ସେ ମୋ ଭାବିବାର କଥା । ମୋ ପାଇଁ, ମୋବାପା, ମାଆଙ୍କ ପାଇଁ ଏତେ ବେଶି ଭାବିବା ତମର ଉଚିତ ନୁହେଁ—ମୁଁ ତିକ୍ତ ଅଥଚ ଦୃଢ଼ କଣ୍ଠରେ କମଲ୍‍କୁ ମୋର ଶେଷ କଥା ଶୁଣାଇଥିଲି ।

 

କମଲ୍ ଅତିରିକ୍ତ ଭାବରେ ଆଶାବାଦୀ । ମୋ କଥାରେ ସେ ବିଚଳିତ ହେଲା ନାହିଁ, ମୁହଁରେ ଯୋର୍ କରି ହସଟାଣି କହିଲା, ଇଣ୍ଡିୟାରେ ତମେ ପାଦଦେଲା ପରେ ତମେ ସ୍ଵାଧୀନ । ଏଠାରେ ଥିବା ପର୍ଯ୍ୟନ୍ତ ମୋର ତମ ପ୍ରତି କେତେକ କର୍ତ୍ତବ୍ୟ ଅଛି । ଚେଷ୍ଟା କଲେ ମଧ୍ୟ ସେ କର୍ତ୍ତବ୍ୟ ପାଳନରୁ ତମେ ମତେ ନିବୃତ୍ତ କରି ପାରିବ ନାହିଁ । ତମେ ଯଦି ମୋ କଥା ମାନି ଆସନ୍ତା ସପ୍ତାହରେ ପ୍ୟାରିସ ନ ଛାଡ଼, ତାହାହେଲେ ମତେ ସବୁକଥା ମାଆଙ୍କୁ ଜଣାଇ ଦେବାକୁ ହେବ । ଆବଶ୍ୟକ ହେଲେ ସେ ଏଠାକୁ ଆସିବା ପାଇଁ ଯେଉଁ ବିଦେଶୀ ମୁଦ୍ରା ପ୍ରୟୋଜନ ମୁଁ ତାର ବ୍ୟବସ୍ଥା କରିବି ।

 

ମତେ ଏକ ପ୍ରକାର ଧମକ ଦେଲା ଭଳି କଥାଗୁଡ଼ାକ ଉଚ୍ଚାରଣ କଲା କମଲ୍ ।

 

ମୁଁ ସହଜରେ ରାଗକରେ ନାହିଁ; କିନ୍ତୁ ଥରେ ରାଗିଲେ ମୁଁ ନିଜକୁ ନିଜ ନିୟନ୍ତ୍ରଣ ଭିତରେ ରଖି ପାରେନାହିଁ ।

 

ତମର ଯାହା ଇଚ୍ଛା ତାହା ତମେ କରିପାର । କିନ୍ତୁ ମତେ ତମେ ଆଉ କେବେ ଏ ସବୁ ଅପ୍ରାସଙ୍ଗିକ ପ୍ରସଙ୍ଗ ଉତ୍‍ଥାପନ କରି ବିରକ୍ତ କରିବ ନାହିଁ । ମୁଁ ତମର କୌଣସି ଉପଦେଶ ଶୁଣିବାକୁ ଚାହେଁ ନାହିଁ । —ମୁଁ ଏକ ପ୍ରକାର ଚିତ୍କାର କଲା ଭଳି କଥାଗୁଡ଼ାକ କମଲ୍ କୁ ଶୁଣାଇ ଥିଲି-

 

କମଲ୍ ବୋଧହୁଏ ମୋ ମାନସିକ ଅବସ୍ଥା ଲକ୍ଷ୍ୟ କରି ପାରିଥିଲା । ତାପରେ ସେ ଏକ ହତାଶ ପ୍ରେମିକ ଭଳି ନିଜ ହାତ ମୁଠାରେ ମୁଣ୍ଡର କେଶକୁ ଟାଣି ଓଟାରି ମୋ ଫ୍ଲାଟ୍ ଛାଡ଼ି ଚାଲି ଯାଇଥିଲା ।

 

ସେ ଚାଲିଗଲା ପରେ ମୋ ମନର ଅସ୍ଥିରତା ବଢ଼ିଲା ସିନା କମିଲା ନାହିଁ । ଯାହା ହେଲେବି ପ୍ୟାରିସରେ ସେ ଥିଲା ମୋର ଅନ୍ତରଙ୍ଗ ଭାରତୀୟ ବନ୍ଧୁ । ସ୍ୱେଚ୍ଛାରେ ତାର ସେ ବନ୍ଧୁତ୍ୱ ହରାଇଲା ପରେ ମତେ କିପରି ଏକୁଟିଆ ଲାଗିଲା ।

 

ମୁଁ କିପରି ଉଇକ୍ ଫିଲ୍ କରୁଛି । ନିଜକୁ ନିଜେ ଦୋଷ ଦେଉଛି । କମଲ୍‍ ପ୍ରତି ମୋର ଏତେ ନୃଶଂସ ହେବା ଉଚିତ ନ ଥିଲା । ସେ ମୋଠାରୁ କଅଣ ଚାହୁଁଥିଲା ? ପ୍ରେମ ? ପତ୍ନୀର ? ବନ୍ଧୁତ୍ୱ ? ନା—ସେ ମତେ କିଛି ବୁଝିବାକୁ ସୁଯୋଗ ଦେଇ ନାହିଁ । ସେ ଏତେ ନିର୍ବୋଧ ଯେ ତା କଥାରୁ ତା ମନୋଭାବ ଜାଣିବା ଭାରି କଷ୍ଟ ।

 

ହଠାତ୍ ମୋର ଜିନ୍‍ କଥା ସ୍ମରଣ ହେଲା ।

 

ମୁଁ ତାର ଫୋନ୍ ନମ୍ବର ଡାଏଲ୍‍ କଲି ।

 

ଆରପଟ୍ ଜିନ୍‍ର କଣ୍ଠସ୍ଵର ଭାସି ଆସିଲା, ଏଞ୍ଜେଲ୍; ଆଜି ମିଷ୍ଟର ଡଗଲ୍ ଜର୍ମାନ୍ ପଳାଇ ଯାଇଛନ୍ତି । ଛାତ୍ର-ଶ୍ରମିକ ଧର୍ମଘଟ ତାଙ୍କ ସିଂହାସନ ତଳୁ ମୃତ୍ତିକା ଖସାଇ ଦେଇଛି !

 

ଜିନ୍‍ର ଉତ୍ତେଜିତ କଣ୍ଠସ୍ଵର ।

 

ମୁଁ ଯେପରି ଦୁଇଗୋଲାର୍ଦ୍ଧର ମଧ୍ୟବର୍ତ୍ତୀ ଶୂନ୍ୟସ୍ଥାନରେ ଝୁଲୁଛି !

 

ଗୋଟିଏ ପୃଥିବୀ ସହିତ ସଂପର୍କ ଛିନ୍ନ କରି ଆଉ ଏକ ପୃଥିବୀକୁ ଆଶ୍ରୟ ପାଇଁ ଧରିବାକୁ ଚେଷ୍ଟା କରି ସୁଦ୍ଧା ପାରୁନାହିଁ !

 

ଜିନ୍‍କୁ ମୁଁ କୌଣସି ଉତ୍ତର ଦେଇ ନାହିଁ !

 

ମୁଁ ତାକୁ କି ଉତ୍ତର ଦେଇପାରେ ? ଯେ ନିଜ ମୃତ ପ୍ରଣୟିନୀର ପ୍ରେରଣାରେ ଭିଏତନାମ ବିରୋଧୀ ଯୁଦ୍ଧ ସାମ୍ମୁଖ୍ୟକୁ ଦୃତ ପଦରେ ଆଗେଇ ଚାଲିଛି, ଅଥଚ ସେ ଜଣେ ନକଲି ବିପ୍ଳବୀ ନୁହେଁ; ଏକଥା ଅନ୍ୟମାନଙ୍କ ଆଗରେ ପ୍ରମାଣିତ କରିବା ପାଇଁ ମାରକୁଇସ୍ ଆଉ ରୋଜି ଦ୍ୟବରେଙ୍କ ବହିର ପୃଷ୍ଠା ମୁଖସ୍ଥ କରୁଛି !

 

ଘଟଣା ସବୁ କିପରି ଦୃତ ଭାବରେ ଘଟି ଯାଉଥିଲା ।

 

ଭୂମଧ୍ୟସାଗରର ଶୀତଳ ବାୟୁ ସ୍ରୋତ ଯେପରି ପ୍ୟାରିସ୍‍ର ସ୍ପର୍ଶ-କାତର ସ୍ନାୟୁଗ୍ରନ୍ଥିରେ ଏକ ନୂତନ ଚମକର ବୀଜାଣୁ ବିଞ୍ଚି ଦେଇ ଯାଉଥିଲା । କିଛି ଦିନ ତଳେ ଭିଏତନାମ ଯୁଦ୍ଧ ବିରୁଦ୍ଧରେ ଯେଉଁ ଛାତ୍ର ବିକ୍ଷୋଭ ଏକ ସାମୟିକ ପ୍ରଗ୍‍ଳଭ ତାରୁଣ୍ୟର ଉଚ୍ଛ୍ଵାସ ରୂପେ ଆତ୍ମପ୍ରକାଶ କରିଥିଲା, ଦିନ କେତୋଟି ଭିତରେ ଅରଣ୍ୟର ଅଗ୍ନି ଭଳି ଚାରିଆଡ଼େ ବ୍ୟାପୀ ଯିବାକୁ ଲାଗିଲା ।

 

ଏକଥା ନିଜେ ହୁଏତ ସେମାନେ ଜାଣି ନ ଥିଲେ, ଯେଉଁମାନେ ସେ ଦିନ ହାତରେ ଫ୍ଲାକାର୍ଡ଼ ଧରି, ପକେଟରେ ପ୍ଲାଷ୍ଟିକ୍ ବୋମା ଧରି ଆମେରିକାନ୍ ବ୍ୟାଙ୍କ୍ ଆଗରେ ବିକ୍ଷୋଭ ପ୍ରଦର୍ୟନ କରିବାକୁ ଧାଡ଼ି ବାନ୍ଧି; ସ୍ଲୋଗାନ୍ ଦେଇ ଯାଇଥିଲେ ।

 

ସବୁ ବିପ୍ଳବର ଜନ୍ମ ଏମିତି ।

 

ଫ୍ରାନ୍ସର ଚାରିଆଡ଼େ ବୋଧହୁଏ ବିପ୍ଳବର ବାରୁଦ ବିଞ୍ଚି ହୋଇଥିଲା । କେବଳ ଟିକିଏ ନିଆଁ ଧରେଇ ଦେବା ମାତ୍ରେ ଯୁଗାନ୍ତକାରୀ ଅଗ୍ନିକାଣ୍ଡ !

 

ମୁଁ ବୋଧହୁଏ ଏଥର ପଛକୁ ଫେରିବା ଉଚିତ ।

 

କମଲ୍ ସମ୍ଭବତଃ ଠିକ୍ କହିଥିଲା, ଏ ବାଟ ମୋର ନୁହେଁ । ପ୍ୟାରିସ୍ ମୋର ଘର ନୁହେଁ, କିନ୍ତୁ ଚେଷ୍ଟା କରି ମଧ୍ୟ ମୁଁ କିପରି ପଛକୁ ପାଦ ଫେରାଇ ପାରୁନାହିଁ । ତାର କାରଣ ପ୍ୟାରିସ୍ ବିପ୍ଳବକୁ ହରାଇବା ଅର୍ଥ ଜିନ୍‍କୁ ହରାଇବା ।

କମଲ୍‍କୁ ହରାଇବାରେ କିଛି ପରିମାଣରେ ମାନସିକ ସ୍ୱସ୍ତି ଥାଇପାରେ; କିନ୍ତୁ ଜିନ୍‍କୁ ହରେଇଲେ ଜୀବନର ବଡ଼ କିଛି ଗୋଟାଏ ପଦାର୍ଥ ହରାଇବା ଭଳି ଲାଗିବ । ଡକ୍ଟରେଟ୍ ଡିଗ୍ରୀ ଛଡ଼ା ପ୍ୟାରିସରେ ଯଦି ମୁଁ ଆଉ କିଛି ପାଇଥାଏ ବା ପାଇବାର ଲୋଭ ଥାଏ, ତାହା ହେଉଛି ଜିନ୍‍ର ବନ୍ଧୁତ୍ୱ ।

ଜିନ୍‍ର ଆପାର୍ଟମେଣ୍ଟକୁ କାଲି ମୁଁ ଯାଇଥିଲି ।

ଅବାକ୍ କଥା ! ହସ୍‍ପିଟାଲ୍ ଛାଡ଼ି କିଟି ଆସି ତାର ଆପାର୍ଟମେଣ୍ଟରେ !

ମତେ ଦେଖି ଜିନ୍‍ ଆନ୍ଦନରେ କ୍ଷୀଣ କଣ୍ଠରେ ଏକ ପ୍ରକାର ଆର୍ତ୍ତନାଦ କରି ଉଠିଲା, ଏଇ ସେ ଆଞ୍ଜେଲ୍ ! ତମ କଥା ଆମେ ଏଇ ମାତ୍ର ଭାବୁଥିଲୁ ।

: ମୋ କଥା ! ମୁଁ ହଠାତ୍ ଏ ସମବେତ ଆଲୋଚନା ଭିତରକୁ ଆସିଲି କାହିଁକି ?

: ଏମିତି । ଆମ ଅନିଚ୍ଛା ସତ୍ତ୍ୱେ ତମେ ଆମ ଚିନ୍ତା ଭିତରକୁ ବାରମ୍ବାର ଆସୁଛ । ଫ୍ରାନ୍‍ସ ତମ ପାଖରେ ଅନେକ ଦିନ ଋଣୀ ରହିବ, ଯଦି ତମେ ଗୋଟିଏ ଅନୁରୋଧ ରକ୍ଷାକର ।

ଅନୁରୋଧଟା ଶୁଣିବା ପାଇଁ ମୁଁ ଉତ୍‍କଣ୍ଠ ହୋଇ ରହିଲି ।

ଜିନ୍‍ ପ୍ରଥମେ କିଟି ଓ ପରେ ତା ପାଖରେ ବସିଥିବା ଆଉ ଦୁଇଜଣ ଛାତ୍ରବନ୍ଧୁଙ୍କ ଆଡ଼କୁ କରୁଣ ଦୃଷ୍ଟିରେ ଚାହିଁଲା । ତା ପରେ ମୋ ଆଖି ଡୋଳା ଉପରେ ଦୃଷ୍ଟି ସ୍ଥିର କରି କହିଲା, ମୁଁ ଦୁଃଖିତ । ସବୁ ସାମ୍ପେନ୍ ଶେଷ ହୋଇଯାଇଛି । ବୋତଲରେ ଅଳ୍ପ କିଛି ବିଅର୍ ମାତ୍ର ଅବଶିଷ୍ଟ ।

ମୁଁ ମୃଦୁ କଣ୍ଠରେ ହସିଲି ।

କହିଲି, ଏଥିରେ ବିଚଳିତ ହେବାର କଅଣ ଅଛି ? ମୁଁ ତ ପ୍ରାୟ ଡ୍ରିଙ୍କ୍ କରେ ନାହିଁ । ମୋର ପ୍ରିୟ ଡ୍ରିଙ୍କ୍ ହେଉଛି କୋକାକୋଲା ଆଉ ଯଦି କେବେ କୌଣସି ପାର୍ଟିରେ ପିଏ, ତା ହେଉଛି ବିଅର୍—

କିଟି ବିଅର୍ ଗ୍ଲାସଟି ମୋ ହାତକୁ ବଢ଼ାଇ ଦେଲା ।

ମୁଁ ଲକ୍ଷ୍ୟ କରି ଦେଖିଥିଲି ସମସ୍ତଙ୍କ ଆଖିପତାରେ ଉଦବେଗର ଚିହ୍ନ । ହୁଏତ ଏଇ ରାତି ମଧ୍ୟରେ ଏପରି କିଛି ଘଟିପାରେ, ଯେଉଁଥିପାଇଁ ସେମାନଙ୍କର ଉଦବେଗର ଅନ୍ତ ନାହିଁ । କିଏ ଜାଣେ ଏ ହେଉଛି ସେମାନଙ୍କର ସମବେତ ଶେଷ ଡ୍ରିଙ୍କ୍—ତାପରେ ସେମାନଙ୍କର କଣ୍ଠନଳୀ ହୁଏତ ଅନିଶ୍ଚିତ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୁଖିଲା ରହିବ !

ଜିନ୍‍ ପାନପାତ୍ରର ଶେଷବିନ୍ଦୁ ସାମ୍ପେନ୍‍ତକ ଗିଳି ନେଇ ମୋ ଉଦ୍ଦେଶ୍ୟରେ କହିଲା, ଲଣ୍ଡନରୁ ଜଣେ ମହିଳା ଆସିବେ ଆମ ପାଇଁ କାମ କରିବା ପାଇଁ । ବୁଝିପାରୁଥିବ, ଭଦ୍ରମହିଳା ଲଣ୍ଡନର ଯୁଦ୍ଧ-ବିରୋଧୀ ସାମ୍ମୁଖ୍ୟର ଜଣେ ବିଶିଷ୍ଟ କର୍ମୀ । ଆବଶ୍ୟକ ହେଲେ ସେ ହୁଏତ ତମ ହୋଟେଲ୍ ଫ୍ଲାଟରେ ରହିବେ । କିଏ ଜାଣେ ତାଙ୍କୁ ଭେଟିବା ଆଗରୁ ଆମେ ହୁଏତ ଜେଲ୍ ଫାଟକ ଭିତରକୁ ଚାଲି ଯାଇଥିବୁ ।

: ସେ ଭଳି କିଛି ସମ୍ଭାବନା ଅଛି ? —ମୋ କଣ୍ଠ ସ୍ଵରରେ କିଛି ପରିମାଣରେ କାତର-କାରୁଣ୍ୟ ନିଶ୍ଚୟ ମିଶି ରହିଥିଲା ।

 

: ହୁଏତ ଆମେ ଗିରଫ୍ ହୋଇପାରୁ, ତା ନ ହେଲେ ଆମକୁ ଅଣ୍ଡରଗ୍ରାଉଣ୍ଡକୁ ଚାଲିଯିବାକୁ ପଡ଼ିପାରେ । ଡିଗଲ ସରକାର ବର୍ତ୍ତମାନ ବୁଝି ସାରିଲେଣି ଯେ ଏ ବିପ୍ଳବ ବ୍ୟର୍ଥ ହେବାକୁ ଯାଉନାହିଁ । ଇତିହାସର ନୂତନ ଭାବରେ ଲେଖା ହେବାର ଯାଉଛି ।

 

ଫୋନ୍ ରିଂ କଲା । ଜିନ୍‍ ଫୋନରେ କାହା ସହିତ ପ୍ରାୟ ପାଖ ଲୋକକୁ ନ ଶୁଣାଯିବା ଭଳି ନିମ୍ନ କଣ୍ଠରେ କଅଣ କଥାବାର୍ତ୍ତା କଲା । ତାପରେ ସେ ଆଖିକୋଣର ଚାହାଣୀରେ ନିଜର ଛାତ୍ରବନ୍ଧୁ ଦୁଇଜଣଙ୍କ ସହ କଅଣ ବାର୍ତ୍ତା ବିନିମୟ କଲା ବୋଧହୁଏ । କାରଣ ତାପରେ ସେମାନେ ପ୍ରାୟ ନିଃଶବ୍ଦରେ ଉଠି ଚାଲିଗଲେ ।

 

ଆପାର୍ଟମେଣ୍ଟରେ ମୁଁ ଆଉ କିଟି ।

 

ଜିନ୍‍ ଶୀଘ୍ର ଫେରି ଆସିବ କି ନାହିଁ ସେକଥା ମୁଁ ତାଠାରୁ ଜାଣିବାକୁ ଚାହିଁଲି । କିଟିର ମୁହଁର ଲାବଣ୍ୟ କିଛି ପରିମାଣରେ ହସପିଟାଲ୍ ରହଣି ଭିତରେ ନିଶ୍ଚୟ ମଳିନ ପଡ଼ିଯାଇଥିଲା । କିନ୍ତୁ ମୋର ପ୍ରଶ୍ନ ଶୁଣି ତାର ସେଇ ମଳିନ ମୁଖର ଜ୍ୱୋତି ପୁଣି କିପରି କୋମଳ ହୋଇଗଲା । ସେ ବଡ଼ ଅନ୍ୟମନସ୍କ ଭାବରେ ଉତ୍ତର ଦେଲା, ଠିକ୍ ଜାଣେନା । କିନ୍ତୁ ମୁଁ ଏତିକି ଜାଣେ ସେ ଶୀଘ୍ର ହେଉ କି ବିଳମ୍ବରେ ହେଉ, ଜିନ୍‍ ଉପରକୁ ବିପଦ ମାଡ଼ି ଆସୁଛି । ପ୍ୟାରିସ୍ ପୋଲିସର ଶକୁନି ଦୃଷ୍ଟି ପଡ଼ିଛି ତା ଉପରେ—

 

: କି ପ୍ରକାର ବିପଦ ? ମୁଁ ଠିକ୍ ବୁଝି ପାରୁନାହିଁ । ଜେଲ୍ ଯିବାତ ଆଉ ଗୋଟାଏ ବିପଦ ବୋଲି କେହି ଭାବେ ନାହିଁ ।

 

ଏଥର କିଟି ମୋ ଆଡ଼କୁ କଟମଟ କରି ଚାହିଁଲା । ତାପରେ ଯଥା ସମ୍ଭବ ନିଜକୁ ସେ ବୋଧହୁଏ ସମ୍ଭାଳି ନେଲା । କାରଣ ମୁଁ ଲକ୍ଷ୍ୟ କଲି, ତାର ଦୃଷ୍ଟି ପୁଣି ଆଗଭଳି କୋମଳ ହୋଇଯାଇଛି ।

 

: ହସ୍‍ପିଟାଲରେ ଜଣେ ଡାକ୍ତରଙ୍କଠାରୁ ଶୁଣିଲି ଜିନ୍‍କୁ ପୋଲିସ୍ ଖୋଜୁଛି । ତେଣୁ ସେ ହସପିଟାଲ୍ ଆସିବା ଭଲ ନୁହେଁ । ମୁଁ ଜାଣିଥିଲି ମୁଁ ହସ୍‍ପିଟାଲରେ ରହିଲେ ଜିନ୍‍ କେବେହେଲେ ହସପିଟାଲ୍ ଯିବା ବନ୍ଦ କରିବ ନାହିଁ । ଅଗତ୍ୟା ମତେ ହସପିଟାଲ୍ ଛାଡ଼ିବାକୁ ପଡ଼ିଲା । ଏଥିପାଇଁ ଜିନ୍‍ ମୋ ଉପରେ ଭୀଷଣ ଅସନ୍ତୁଷ୍ଟ ।

 

କଥା ଶେଷ କରି କିଟି ପରମ ତୃପ୍ତିରେ ହସି ମୋ ଆଡ଼କୁ ତୀକ୍ଷ୍ଣ ଦୃଷ୍ଟିରେ ଚାହିଁଲା । ମୋ ମୁହଁରେ କଅଣ କିଛି ଭାବନାର ସୃଷ୍ଟି ହେଲା ? ଠିକ୍ ମୁଁ ଜାଣେ ନାହିଁ । ମୁଁ ଜିନ୍‍ର ଭାବନାରେ ଏପରି ବ୍ୟସ୍ତ ଥିଲି ଯେ କିଟି ଓଠର ସେ ହସର ଅର୍ଥ ବୁଝି ସୁଦ୍ଧା ନ ବୁଝିଲା ଭଳି ନିର୍ଲିପ୍ତ ରହିଗଲି ।

 

କିଛି ସମୟର ନୀରବତା ପରେ ମୁଁ ପ୍ରଶ୍ନକଲି, ଭିଏନାରେ ତମର ଭାବୀ-ସ୍ଵାମୀ କଅଣ କରନ୍ତି କିଟି ?

 

କିଟି ଓଠରୁ ହସ ଉତୁରି ପଡ଼ିଲା ।

 

: ଓଃ, ଜିନ୍‍ ତାହେଲେ ଚାର୍ଲସ କଥା ତମକୁ ମଧ୍ୟ କହିଛି ! ସବୁ ଦିନେ ସେ ଏମିତି । ସୁବିଧା ପାଇବା ମାତ୍ରେ ଯାହା ଆଗରେ ମନ ତା ଆଗରେ ଅଯଥା ଚାର୍ଲସର ପ୍ରଶଂସା କରିବ । ତାର ଧାରଣା ଚାର୍ଲସ ଦିନେ ସାରା ୟୁରୋପରେ ଜଣେ ବଡ଼ ଫଟୋଗ୍ରାଫର ଭାବରେ ଖ୍ୟାତି ଅର୍ଜ୍ଜନ କରିବ । ଏଇ ତ ଘଣ୍ଟାକ ଆଗରୁ ମତେ କହୁଥିଲା; କିଟି ! ତମର ସେ ପ୍ରେମିକ ପୁରୁଷକୁ କୁହେ, ସେ ତାର କ୍ୟାମେରାର ଲେନ୍‍ସ ଭିତରେ ଏ ସମଗ୍ର ଫରାସୀ ବିପ୍ଳବର ଛବିକୁ ତୋଳିଧରୁ । ଭବିଷ୍ୟତରେ ସେଗୁଡ଼ାକ ତାକୁ ଆର୍ନ୍ତଜାତିକ ଖ୍ୟାତି ଆଣିଦେବ ।

 

ଏକ କଳନାଦିନୀ ଝରଣାର ଉତ୍ସରିତ ଜଳୋଚ୍ଛ୍ୱାସ ଭଳି କିଟିର ସେ କଥା ଗୁଡ଼ାକ ଆପାର୍ଟମେଣ୍ଟ ସାରା ବିଚ୍ଛୁରିତ ହେଉଥିଲା । ସେଇ ଛୋଟ ଛୋଟ କଥା ଭିତରେ କିଟିର ସ୍ଵପ୍ନ, କିଟିର ଗର୍ବ, କିଟିର ଅହଂକାର ସବୁ ଯେପରି ମୋ ଆଖି ଆଗରେ ଦିଶି ଯାଉଥିଲା !

 

ଫୋନ୍ ପୁଣି ରିଂ କଲା ।

 

ଫୋନ୍ ପାଖକୁ କିଟି ଉଠିଗଲାବେଳେ ମୁଁ ଲକ୍ଷ୍ୟ କଲି ତାର ଗୋଟାଏ ଗୋଡ଼ ସଂପୂର୍ଣ୍ଣ ଅକାମୀ ହୋଇ ଯାଇଛି । ଗୋଟାଏ ଷ୍ଟିକ୍‍କୁ ଆଶ୍ରା କରି ସେ ଗଲା ଫୋନ୍ ପାଖକୁ । ଚାଲିଲା ବେଳେ ମଧ୍ୟ ତା ମୁହଁରେ ଯନ୍ତ୍ରଣାର ଚିହ୍ନ ଫୁଟି ଉଠୁଥିଲା । ତାହା ହେଲେ ସମ୍ପୁର୍ଣ୍ଣ ସୁସ୍ଥ ହେବାଆଗରୁ ସତରେ ହସ୍‍ପିଟାଲରୁ ପଳାଇ ଆସିଛି କିଟି ! କାହିଁକି ?

 

: ହସ୍‍ପିଟାଲରୁ ଫୋନ୍ ଆସିଥିଲା । ସେମାନେ ଠିକ୍ ଜାଣନ୍ତୁ ଯେ ମୁଁ ଏଠାରେ ଥିବି । କିଟି ହସି ହସି ମତେ ବୁଝାଇଥିଲା ।

 

: କିନ୍ତୁ ନିଜ ଗୋଡ଼ ଭଲ ହେବା ଆଗରୁ ତମେ ହସ୍‍ପିଟାଲ ଛାଡ଼ି ପଳାଇ ଆସିଲ କାହିଁକି ?

 

: ଗୋଡ଼ରେ ଏ ଜଖମ ସବୁଦିନ ପାଇଁ ରହିଯିବ । ପ୍ୟାରିସ୍ ପୋଲିସର ଟିଅରଗ୍ୟାସ୍ ସେଲ୍ ଦାଗ ନ ରଖିଥିଲେ ଟିଅରଗ୍ୟାସ୍ ତିଆରି କରୁଥିବା କାରଖାନା ବଦନାମ୍ ହୋଇଥାଆନ୍ତା । ପରେ ହୁଏତ ଅପରେସନ ହୋଇପାରେ । କିନ୍ତୁ ଜିନ୍‍ ପାଇଁ ମୁଁ ସେଥିଲାଗି ଅପେକ୍ଷା କରି ପାରିଲି ନାହିଁ । ମିସ୍ ଆଶ୍ଚର୍ଯ୍ୟ ! ଜିନ୍‍ ବଡ଼ ହତଭଗା । ବାପାମାଆଙ୍କ ବିବାହ ବିଚ୍ଛେଦ ପରେ ସେ ବାପା-ମାଆ ଉଭୟଙ୍କୁ ହରାଇଛି । ଯୌଵନରେ ସେ ହରାଇଛି ତାର ପ୍ରେମିକାକୁ ଭିଏତନାମ ଯୁଦ୍ଧ କ୍ଷେତ୍ରରେ । ତେଣୁ ତା ଭଳି ଏକ ଜିନିଅସ୍ କୁ ବଞ୍ଚାଇ ରଖିବାର ଦାୟିତ୍ଵ ମୁଁ ଆପେ ଆପେ ନିଜ ହାତକୁ ନେଇଛି । ତା ପାଇଁ ସେ କୌଣସି ସ୍ଵାର୍ଥତ୍ୟାଗ କରିବାକୁ ମୁଁ ପ୍ରସ୍ତୁତ ।

 

ମୋର ଇଚ୍ଛା ହେଉଥିଲା, କିଟିକୁ ପଚାରିବି, ଆବଶ୍ୟକ ହେଲେ ତମେ ଚାର୍ଲସକୁ ଜିନ୍‍ ପାଇଁ ତ୍ୟାଗ କରି ପାରିବ କି ?

 

କିନ୍ତୁ ସେକଥା ମୁଁ ତାକୁ ସେ ମୁହୂର୍ତ୍ତରେ ପଚାରି ପାରିଲି ନାହିଁ । କାରଣ ମୁଁ ଜାଣିଥିଲି ସେ ପ୍ରଶ୍ନ ପଚାରିବା ମାତ୍ରେ ସେ ଦୃଢ଼ ସ୍ଵରରେ ‘ନିଶ୍ଚୟ-ନିଶ୍ଚୟ’ ବୋଲି ଉତ୍ତର ଦେବ ଏବଂ ତାର ସେ ଉତ୍ତର ଶୁଣି ମୁଁ ଆଦୌ ନିଜର ଅସ୍ୱସ୍ତି ଗୋପନ କରି ପାରିବିନାହିଁ ।

 

ଜିନ୍‍ ଦୀର୍ଘ ସମୟ ଧରି ଫେରିଲା ନାହିଁ ।

 

କୌଣସି ସମ୍ବାଦ ମଧ୍ୟ ତାର ମିଳିଲା ନାହିଁ । ତେଣୁ ଅଗତ୍ୟା ମତେ ଫେରି ଆସିବାକୁ ହେଲା । ମୁଁ ଆସିଲାବେଳେ କିଟି ମତେ ଶୁଭରାତ୍ରି ଜଣାଇ ବିଦାୟ ସମ୍ଭାଷଣ ଜଣାଇଲା, ସତେ ଯେପରି ଜିନ୍‍ର ଆପାର୍ଟମେଣ୍ଟରେ ସେ ହେଉଛି ସର୍ବମୟ କୀର୍ତ୍ତୀ ଆଉ ମୁଁ ମାତ୍ର ମୁହୂର୍ତ୍ତ କେତୋଟିର ଅତିଥି !

 

କମଲ୍‍ର ଫୋନ୍ ।

 

: ହଁ—ମୁଁ ଅଞ୍ଜଳି ।

 

: ମୁଁ ଜାଣେ ମୋର ଏ ଫୋନ୍ କଲ୍ ତମକୁ ବିରକ୍ତ କରୁଥିବ । କିନ୍ତୁ ବହୁ ଭାବିଚିନ୍ତି ତମକୁ ଫୋନ୍ କରିବାକୁ ସ୍ଥିର କଲି ।

 

: କମଲ୍‍ ! ତମେ ମତେ କଅଣ କହିବାକୁ ଚାହୁଁଛ ଶୀଘ୍ର କୁହ । ବାହାରେ କଅଣ ଗଣ୍ଡଗୋଳର ଶବ୍ଦ ଶୁଣାଯାଉଛି । ଏଭଳି ପାଟିତୁଣ୍ଡ ଶୁଣିଲେ ଅନ୍ୟଦିନ ହୋଇଥିଲେ ହୁଏତ ଚୋରୀ କରୁଥିବା ଅବସ୍ଥାରେ କୌଣସି ଆଲିଜିରିୟାନ୍ ଚୋର ଧରାପଡ଼ିଛି ବୋଲି ମନେ କରି ଥାଆନ୍ତି । କିନ୍ତୁ ଆଜି କାଲି ଏଭଳି ଗଣ୍ଡଗୋଳର ଶବ୍ଦ ଶୁଣିଲେ ପୋଲିସ-ଛାତ୍ର ସଂଘର୍ଷ କଥା ମୋର ପ୍ରଥମେ ସନ୍ଦେହ ହେଉଛି ।

 

: ଅଞ୍ଜଳି ! କାଠମାଣ୍ଡୁରୁ ଭାନୁପ୍ରତାପ ଚିଠି ଲେଖିଛି । ତମ ମାଆଙ୍କର ଏକ ପ୍ରକାର ପ୍ରାଇଭେଟ ସେକ୍ରେଟେରୀ ହୋଉଛି ଏଇ ଭାନୁପ୍ରତାପ । ଚଳଚ୍ଚିତ୍ର ଜଗତରୁ ବିଦାୟ ନେଇ ତମ ମାଆ ପଶୁପତିନାଥରେ ଅବସ୍ଥାନ କଲାପରେ ମାଆଙ୍କ ତରଫରୁ ମତେ ପ୍ରାୟ ଏହି ଭାନୁପ୍ରତାପ ହିଁ ଚିଠି ଲେଖେ ।

 

: ଗଣ୍ଡଗୋଳର ଶବ୍ଦଟା ଏପର୍ଯ୍ୟନ୍ତ ସୁଦ୍ଧା ଉଣା ପଡ଼ିନାହିଁ । ତମେ ଯାହା କହିବାର କଥା ଶୀଘ୍ର କୁହ । ହୁଏତ ବର୍ତ୍ତମାନ ତଳକୁ ଯିବାକୁ ପଡ଼ିପାରେ । କଅଣ କହିଲ? ଗଣ୍ଡଗୋଳ ହେଲେ ହୋଟେଲ ତଳକୁ ନ ଯାଇ ଭିତରପଟୁ ଦରଜାବନ୍ଦ କରିଦେବା ଉଚିତ୍ ? କମଲ୍ ! ଝରକା କବାଟ ବନ୍ଦ କରି ମନର ଶାନ୍ତି ରକ୍ଷା କରାଯାଏ ନାହିଁ । ଅଶାନ୍ତିକୁ ଅଟକାଇବା ପାଇଁ ପୃଥିବୀରେ ଏ ପର୍ଯ୍ୟନ୍ତ ସେପରି କୌଣସି ଖକ୍ତିଶାଳୀ ଝରକା, କବାଟ ତିଆରି ହୋଇ ନାହିଁ ।

 

: ଅଞ୍ଜଳି ! ମୁଁ ଏସବୁ କଥା ମନରୁ ଫାନ୍ଧି କହୁ ନାହିଁ । ତମର ମାଆ ମଧ୍ୟ ତାହାହିଁ ଚାହାନ୍ତି । ତମେ ଯଦି ଚାହଁ ଭାନୁପ୍ରତାପର ଚିଠିର କିଛି ଅଂଶ ମୁଁ ଏକ ଫୋନରେ ମଧ୍ୟ ପଢ଼ି ଦେଇପାରେ । ସେଥିରେ ଚିଠିର ଗୋପନୀୟତା ମଧ୍ୟ କିଛି ନଷ୍ଟ ହେବ ନାହିଁ । ଟ୍ୟାପ୍ କଲେବି ଓଡ଼ିଆ ଭାଷା କେହି ଏଠାରେ ବୁଝି ପାରିବେ ନାହିଁ ।

 

: ତମେ କଅଣ ସତରେ ଭାନୁପ୍ରତାପ ଚିଠି ସେପଟୁ ପଢ଼ିବା ଆରମ୍ଭ କରିଦେଲ ? ନା–ନା–ମୋର ଆଦୌ ସମୟ ନାହିଁ । ଭାନୁପ୍ରତାପ କଅଣ ଲେଖିଛି ମୋଟାମୋଟି ତମେ ମତେ ସଂକ୍ଷେପରେ କହି ଦେଇପାରେ ।

 

: ଭାନୁପ୍ରତାପ ଯେପରି ଭାବରେ ହୃଦୟର ବ୍ୟାକୁଳତା ନେଇ ଚିଠି ଲେଖିଛି, ସେକଥା ସଂକ୍ଷେପରେ ତମକୁ ଟ୍ରାନ୍‍ସମିଟ୍ କରିବାର କ୍ଷମତା ମୋର ନାହିଁ । ଜଣକର ହୃଦୟର ଅଭିବ୍ୟକ୍ତିକୁ ଅନ୍ୟ ଜଣେ ସହଜରେ ଅବିକୃତ ଭାବରେ ବ୍ୟକ୍ତ କରିପାରେନା ।

 

: କମଲ୍ ! ବାହାର ରାସ୍ତାରେ ଗଣ୍ଡଗୋଳର ଶବ୍ଦ ବେଶି ସ୍ପଷ୍ଟ ଭାବରେ ଶୁଣାଯାଉଛି । ଏଇ ଗଣ୍ଡଗୋଳଜନିତ ଉଦବେଗ ଯୋଗୁ ମୋର ସ୍ନାୟୁଗ୍ରନ୍ଥି ସବୁ ଅନେକ ଦିନ ହେଲା ପୀଡ଼ିତ ହୋଇ ପଡ଼ିଛନ୍ତି । ମୋର ହୃଦୟ-ଯନ୍ତ୍ର ହୁଏତ ଅକାମୀ ହୋଇଯାଇଛି । ହୃଦୟ କହିଲେ ମୁଁ ବୁଝୁଛି ହୃଦଯନ୍ତ୍ର । ହୃଦୟ କଥା ବାଦ୍ ଦେଇ ମସ୍ତିଷ୍କକୁ ସ୍ପର୍ଶ କଲାଭଳି ଯଦି କିଛି କଥା ଭାନୁପ୍ରତାପର ଚିଠିରେ ଥାଏ, ସେତିକି କେବଳ ତମେ ମତେ କହି ଦେଇ ପାର । ତା ନ ହେଲେ ସେ କଥା ମୁଁ ଆଉ କେତେବେଳେ ଶୁଣିବି । ବାହାର ରାସ୍ତାରେ ଗଣ୍ଡଗୋଳ—

 

: ଅଞ୍ଜଳି ! ଭାନୁପ୍ରତାପ ଲେଖିଛି ତମ ଯିବା ପଥକୁ ଚାହିଁ ଚାହିଁ ମାଆଙ୍କ ସ୍ଵାସ୍ଥ୍ୟ ପ୍ରାୟ ଭାଙ୍ଗି ପଡ଼ିଲାଣି । ମେଡ଼ିକାଲ ଟର୍ମ ଅନୁସାରେ ତାଙ୍କର କୌଣସି ଶାରୀରିକ ଅସୁସ୍ଥତା ହୋଇ ନଥିଲେ ସୁଦ୍ଧା, ତମକୁ ପାଖରେ ନ ପାଇବାର ଯନ୍ତ୍ରଣା ତାଙ୍କୁ ଶୀର୍ଣ୍ଣକାୟ କରି ଦେଇଛି । ଭାନୁପ୍ରତାପର ସନ୍ଦେହ ସେ କିଛି ପରିମାଣରେ ଅପ୍ରକୃତିସ୍ଥ ମଧ୍ୟ ହୋଇପଡ଼ିଛନ୍ତି । ଏବେ ଅଧିକାଂଶ ସମୟ ତାଙ୍କର କୁଆଡ଼େ ଲବ କୁଶ ମନ୍ଦିରରେ କଟୁଛି !

 

: କମଲ୍ ! କାଠମାଣ୍ଡୁ, ପଶୁପତିନାଥ ସମ୍ପର୍କରେ ମୋର କୌଣସି ପ୍ରତ୍ୟକ୍ଷ ଧାରଣା ନାହିଁ । ସେ ସବୁ ସ୍ଥାନର ଭୌଗୋଳିକ ଅବସ୍ଥିତି ସମ୍ପର୍କରେ ମଧ୍ୟ ମୋର ଧାରଣା ଖୁବ୍ ଅସ୍ପଷ୍ଟ । ମୁଁ ମଧ୍ୟ ମାଆଙ୍କ ଚିଠିରୁ ସେ ସ୍ଥାନର ମାହାତ୍ମ୍ୟ ଯାହା ଜାଣିଛି । ତେଣୁ ମୋ ପାଇଁ ସେସବୁ ସ୍ଥାନର କୌଣସି ଯାଦୁକରୀ ଆକର୍ଷଣ ନାହିଁ !

 

: କିନ୍ତୁ ତମକୁ ନ ଦେଖି ତମ ମାଆ ଯେ ଏକ ପ୍ରକାର ଅପ୍ରକୃତିସ୍ଥ ହୋଇଗଲେଣି ! ତାଙ୍କର ସ୍ଵାଭାବିକ ଶାରୀରିକ ଓ ମାନସିକ ସ୍ଵାସ୍ଥ୍ୟ ଫେରାଇ ଆଣିବା ପାଇଁ କଅଣ ତମେ କାଠମାଣ୍ଡୁ ଫେରିଯିବା ଉଚିତ ନୁହେଁ !

 

: ତମେ ଜାଣ ମୁଁ ହେଉଛି ବାପା ମାଆଙ୍କର ଅବାଞ୍ଛିତ ସନ୍ତାନ ବାପା ମୋର କନ୍ୟାତ୍ୱକୁ ଅସ୍ୱୀକାର କରିଛନ୍ତି; ମାଆ ତାହା ପାରିନାହିଁ, ସେତିକି ଯାହା ତା ସହିତ ମୋର ସମ୍ପର୍କ । ନିଜକୁ ନିଜେ ଜାଣିବା ଦିନଠାରୁ ମୁଁ ମଧ୍ୟ ମାଆର ସ୍ନେହ ପାଇନି; ପାଇଛି କେବଳ ତାର ଅର୍ଥ । ତେଣୁ ମାଆ ପାଇଁ ମୋ ମନ ଭିତରେ ଯେତିକି ଆକର୍ଷଣ ଥିବା ସ୍ଵାଭାବିକ୍ ବୋଲି ତମେ ଅନୁମାନ କରୁଛ, ତାହା ମୋ ଭିତରେ ନାହିଁ । ସେଥିପାଇଁ ହଠାତ୍ ପ୍ୟାରିସ୍ ଛାଡ଼ିବା ପାଇଁ ମୋର ଇଚ୍ଛା ନାହିଁ-। ତମେ ସେ କଥା ଭାନୁପ୍ରତାପକୁ ଲେଖି ଦେଇପାର ।

 

: ତମର ଏ କଥା ଖୁବ୍ ନିଷ୍ଠୁର ଶୁଣାଯାଉଛି । ମୋର ବନ୍ଧୁତ୍ୱକୁ ତମେ ଅସ୍ୱୀକାର କରି ପାର, କିନ୍ତୁ ମାଆର ମମତାକୁ ତମେ ଏପରି କାଟି ଛିଣ୍ଡେଇ ଦେଇ ପାରନା । ମାଆ ନେପାଳର ସେ ପାର୍ବତ୍ୟଭୂମିରେ ତମରି ପାଇଁ ଅପେକ୍ଷା କରି ବସିଛନ୍ତି । ତାଙ୍କ ମନରୁ ଆଶାର ସବୁ ଦୀପ ଲିଭି ଯାଉଥିଲେ ସୁଦ୍ଧା ତମେ ଏକମାତ୍ର ଆଶ୍ୱାସନାର ମହମବତୀ ଭଳି ଜଳୁଛ ।

 

: କମଲ୍ ! ମାଆଙ୍କ କଥା କହି ତମେ ମତେ ଦୁର୍ବଳ କରି ଦିଅନାହିଁ । ପ୍ରକୃତରେ ମାଆ ପ୍ରତି ମୁଁ କେବଳ ନିଷ୍ଠୁର ହେବାକୁ ଚାହେଁ ନାହିଁ । କିନ୍ତୁ ତା କଥା ମୁଁ ଯେତିକି ଭାବିଛି ମୋ ମନର ଉଷ୍ମ ଉତ୍ତେଜନା, ବ୍ୟର୍ଥତା, ହାହାକାର ସେତିକି ବଢ଼ିବାକୁ ଲାଗିଛି । ମୋର ଜନ୍ମ ହିଁ ସେମାନଙ୍କ ଦାମ୍ପତ୍ୟ ଜୀବନରେ ବିଚ୍ଛିନ୍ନତାର ପ୍ରଧାନ କାରଣ । ମୋ ପାଇଁ ମୋ ମାଆଙ୍କ ଜୀବନ ଛାରଖାର ହୋଇଯାଇଛି । ଟଙ୍କା ଦେଇ ପ୍ୟାରିସ ପଠାଇ ଦେଇ ସେ ଭାରତବର୍ଷରେ ସୁଖୀ ହେବାକୁ ଚାହିଁଥିଲା, ହୁଏତ ସେ ତାହା ହୋଇ ପାରିନାହିଁ । ଭାବୁଛ ଜୀବନରେ ଉଦାସ ଅପରାହ୍ଣରେ ମତେ ପାଖରେ ପାଇଲେ ସେ ସୁଖୀ ହେବ । ହୁଏତ ସେ କଥା ମଧ୍ୟ ସତ୍ୟ ହେବ ନାହିଁ । ମୁଁ ତାର ଜୀବନଜ୍ଵଳାର ଏକମାତ୍ର କାରଣ—

 

: ଅଞ୍ଜଳି ! ତୁମେ ଯାହା ଭାବୁଛ ସେ ସବୁ କଥା ଠିକ୍ ନୁହେଁ । କଅଣ ଠିକ୍ ସେ କଥା ମଧ୍ୟ ବୁଝାଇ ପାରିବି ନାହିଁ । ତମେ ଯଦି କାଠମାଣ୍ଡୁ ଯିବାକୁ ଚାହୁଁ ନ ଥାଅ, ଭାନୁପ୍ରତାପ ଲେଖିଛି, ମାଆ ପ୍ୟାରିସ୍ ଆସିବେ । କେବଳ ତମକୁ ଥରେ ଦେଖିବା ପାଇଁ—ମୁଁ ବୈଦେଶିକ ମୁଦ୍ରା ବ୍ୟବସ୍ଥା କରିଛି ।

 

: କମଲ୍ ! ବାହାରେ ବୋମା ଫୁଟିବାର ଶବ୍ଦ ଶୁଣାଯାଉଛି । ମୁଁ ଦେଖି ପାରୁଛି, ଭାଲ ଦ୍ୟ ଗ୍ରାସ ଗିର୍ଜା ଆଗରେ ଧୂଆଁ ଉଠୁଛି । ହୁଏତ ଲୁହାବୁହା ବାଷ୍ପ କେତେଟା ଫାଟିଛି । ଚାରିଆଡ଼ ଧୂଆଁଳିଆ ଦେଖାଯାଉଛି—ଛାତ୍ର-ବିକ୍ଷୋଭ ନୁହେଁ—ଏ ହୁଏତ ଶ୍ରମିକ ବିକ୍ଷୋଭ କାରଣ ସେମାନେ ଛାତ୍ରମାନଙ୍କ ଭଳି ଦେଖା ଯାଉନାହାନ୍ତି—ଲାଲ୍ ପତାକା ପବନରେ ଉଡ଼ୁଛି—କମଲ୍ ! ଡିଗଲ ସରକାରର ଏ ନାଭିଶ୍ଵାସ ଉଠିବାର ସଙ୍କେତ !

 

କମଲ୍ କିଛି ଉତ୍ତର ଦେବା ଆଗରୁ ଫୋନ୍ ଛାଡ଼ିଦେଲା ଅଞ୍ଜଳି । ତାର ସାରା ଦେହ ଥରୁଛି । ଦୃତ ବେଗରେ ସେ ଦରଜା ବନ୍ଦ କରି ଲିଫିଟ୍‍ରେ ତଳକୁ ଓହ୍ଲାଇଗଲା ।

 

ଲାଲ୍ ପତାକା ଉଡ଼ୁଛି । ବିପ୍ଳବର ସଙ୍କେତ ଦେଖାଯାଇଛି ଭାଲ୍ ଦ୍ୟ ଗ୍ରାସ ଗିର୍ଜା ପାଖରେ । ହୁଏତ ଆଉ ଅଳ୍ପ କିଛି ସମୟ ମଧ୍ୟରେ ବିପ୍ଳବର ସେହି ଶୋଭାଯାତ୍ରା ତାର ହୋଟେଲ ସାମ୍ନାକୁ ଆସିପାରେ । ତା ଆଗରୁ ସେ ଶୋଭାଯାତ୍ରା ସହିତ ସାମିଲ୍ ହେବାକୁ ଚାହେଁ ।

 

ଏକ ପ୍ରକାର ଲମ୍ଫ ଦେଇ ରାସ୍ତାକୁ ଓହ୍ଲାଇଗଲା ଅଞ୍ଜଳି ।

 

ସଂଧ୍ୟା ଗଭୀର ହୋଇ ଆସୁଛି ।

 

ଇଫେଲ୍ ଟାୱାରର ସବୁଗୁଡ଼ାକ ବତୀ ଜଳି ଉଠିଲାଣି । ସାରା ଦିନର ମାନସିକ ଉତ୍ତେଜନା, ଅସ୍ଥିରତା ଓ ଶୋଭାଯାତ୍ରାରେ ସାମିଲ ହୋଇଥିବାର ଶାରିରୀକ କ୍ଳାନ୍ତି ଭୁଲିବା ପାଇଁ ଜିନ୍‍ର ହାତ ଧରି ଅଞ୍ଜଳି ଗୋଟିଏ ରେସ୍ତୋରାଁରେ ପ୍ରବେଶ କଲା ।

 

ରେସ୍ତୋରାଁ ପ୍ରାଙ୍ଗଣରେ ଅନେକ ରଙ୍ଗିନ୍ ଛତା । ସେଇ ଛତା ତଳେ ପଡ଼ିଛି ଟେବୁଲ୍, ଚେୟାର । ମୃଦୁ ନୀଳ ଆଲୋକରେ ପରିବେଶ ବେଶ୍ ସ୍ୱପ୍ନାଚ୍ଛନ୍ନ ମନେ ହେଉଛି । ଦୁଇଟି ଚେୟାର ଦଖଲ କରି ବଡ଼ କ୍ଳାନ୍ତ ଭାବରେ ସେମାନେ ବସିଲେ ।

 

କୌଣସି ଗୋପନୀୟ କଥା କହୁଥିବା ଭଳି ଜିନ୍‍ କହିଲା, ମୋ କୋଟ୍ ପକେଟରେ ଆଉ ଗୋଟିଏ ହେଲେ ଫ୍ରାଙ୍କ୍ ନାହିଁ । ଆଜି ତମକୁ ଖୁଆଇବାକୁ ହେବ । ସାଣ୍ଡ୍ଉଇଚ ଆଉ କଫି । ପାର ଯଦି ଗୋଟାଏ ପେଗ୍ ୱାଇନ୍... ।

 

ଅଞ୍ଜଳି ହସିଲା ।

 

କହିଲା, ଏଥିପାଇଁ ଅନୁନ୍ୱୟ କରିବାର କଅଣ ଅଛି ? ତମକୁ ଖୁଆଇ ପାରିଲେ ହିଁ ମୋର ଆନନ୍ଦ । କିନ୍ତୁ ତମର ତ କ୍ଷୁଧା ନାହିଁ କେବଳ ତୃଷା । ନା ମିଛ କହୁଛି !

 

ତମର ସବୁ ମିଛକଥା ଗୁଡ଼ାକ ମତେ ମିଠା ମିଠା ଶୁଣାଯାଏ । ଶୁଣିଛି କ୍ଷୁଧିତକୁ ଖାଦ୍ୟ ତୃଷିତକୁ ଜଳ ଦେଲେ ପୁଣ୍ୟ ହୁଏ ବୋଲି ଇଣ୍ଡିଆନ୍‍ମାନେ ଘୋର ବିଶ୍ଵାସ କରନ୍ତି । ମତେ ପିଇବାକୁ ଦିଅ—ତମର ପୁଣ୍ୟ ହେବ । ଏଞ୍ଜେଲ୍ ! ମୋର ମଧ୍ୟ ବେଳେ ବେଳେ ପୁଣ୍ୟ କରିବାକୁ ଇଚ୍ଛା ହୁଏ । କିନ୍ତୁ ମୁଁ ଜାଣେ ମୋ ଦ୍ଵାରା ପୁଣ୍ୟ ଅର୍ଜ୍ଜନ କରିବା ସମ୍ଭବ ହେବ ନାହିଁ। ପୁଣ୍ୟ କରିବା ସହଜ ନୁହେଁ । କିଛିଦିନ ମହେଶ ମହର୍ଷୀଙ୍କ ଆଶ୍ରମରେ ଆତ୍ମାର ଉନ୍ନତି ପାଇଁ ମୁଁ ଯୋଗ-ସାଧନା କରିଥିଲି । ହେଲା ନାହିଁ । ଗଞ୍ଜେଇ ଚିଲମ ଓ ଏଲ୍, ଏସ୍, ଡ଼ି ପିଲ୍ ପ୍ୟାକେଟ ଧରି ମୁଁ ଆଶ୍ରମରୁ ପଳାଇ ଆସିଲି ।

 

ରେସ୍ତୋରାଁର ପରିଚାରିକା ମଝିରେ ଆସି ସାଣ୍ଡଉଇଚ ଆଉ କଫିର ବରାଦ ନେଇଗଲା-। ଆଉ ମଧ୍ୟ ଗୋଟିଏ ପେଗ୍ ସାମ୍ପେନ୍‍ର ଅର୍ଡ଼ର । ଏହି ସମୟ ମଧ୍ୟରେ ଅନ୍ୟ ମନସ୍କ ଭାବରେ ସିଗାରେଟ୍ ଜାଳୁଥିଲା ଜିନ୍‍ ।

 

: ତାପରେ ? ଚିଲମ ଓ ଏଲ୍, ଏସ୍, ଡ଼ି ପିଲ୍ ପରେ ମାରକୁଇସ୍‍ଙ୍କ “ଓ୍ୟାନ୍ ଡାଇମନସେନାଲ୍ ମ୍ୟାନ୍” ଏବଂ ରୋଜି ଦ୍ୟବରେଙ୍କ “ସେଭଲିଉସନ୍ ଇନ୍ ଦି ରେଭଲିଉସନ୍” ବହି-। ଜୀବନର ଗତି ସେଇନ୍ ନଦୀର ଧାରା ଭୂମଧ୍ୟ ସାଗରରେ ମିଶିଲା ଭଳି ବିପ୍ଳବର ମହାସମୁଦ୍ରରେ ମିଶିଗଲା । ଏଇ ତ ? —ଅଞ୍ଜଳି ଲଘୁ ପରିହାସ ମିଶା କଣ୍ଠରେ କହିଲା ।

 

ଧ୍ୟାନମଗ୍ନ ହେଲା ଭଳି ଜିନ୍‍ କିଛି ସମୟ ନୟନ ମୁଦ୍ରିତ କରି ରହିଲା ପରେ ପୁଣି ଚମକି ଉଠିଲା ଭଳି ଚେଇଁ ଉଠିଲା ।

 

: ନା—ମହେଶ ମହର୍ଷିଙ୍କ ଆଶ୍ରମରେ ଯୋଗ-ସାଧନା ଅପେକ୍ଷା ରବିଶଙ୍କରଙ୍କ ସୀତାରର ସ୍ଵରରେ ମୁକ୍ତିର ସ୍ଵାଦ ବେଶି ମିଳେ ବୋଲି ମୋର ଧାରଣା ହେଲା । ସେଥର ରବିଶଙ୍କର ଯଦି ପ୍ୟାରିସ୍ ଆସି ନଥାନ୍ତେ ଏବଂ ସୌଭାଗ୍ୟକୁ ଯଦି ମୁଁ ସେଦିନ ସାଂଧ୍ୟ ଆସରରେ ଉପସ୍ଥିତ ହୋଇ ନ ଥାନ୍ତି ତାହାହେଲେ ମୋ ଜୀବନର ଗତି ଭିନ୍ନ ପ୍ରକାର ହୋଇ ଯାଇଥାଆନ୍ତା । ଜୀବନ ତ ଏକ ସଙ୍ଗୀତର ମୂର୍ଚ୍ଛନା ! ଏହାଠାରୁ ଜୀବନର ସଂକ୍ଷିପ୍ତତମ ସଜ୍ଞା ଆଉ କଅଣ ଅଛି ?

 

ସାଣ୍ଡ୍‍ଉଇଚ୍ ଆସି ଯାଇଥିଲା ।

 

ଚାମଚରେ ଖଣ୍ଡେ ସାଣ୍ଡ୍‍ଉଇଚ ଉଠାଇ ନେବା ଆଗରୁ ଜିନ୍‍ କହିଲା, ଏଞ୍ଜେଲ୍ ! ତମର ଉଦାରତା ପାଇଁ ଈଶ୍ୱର ତମକୁ ଅନେକ ଆଶୀର୍ବାଦ କରିବେ । ତମେ ଦେଖିବ, ତମେ ଜୀବନରେ ସବୁଠାରୁ ବଳି ସୁଖୀ ହେବ ।

 

କୌଣସି ଚର୍ଚ୍ଚର ପାଦ୍ରୀଙ୍କ ଭଳି ଜିନ୍‍ର କଥା । ଅଞ୍ଜଳି ମନେ ମନେ ଖୁବ୍ ହସିଲା ।

 

: ତମେ ଈଶ୍ୱର ବିଶ୍ଵାସ କର ?

 

ଠିକ୍ ଈଶ୍ଵରଙ୍କ ପ୍ରତି ମୋର କୌଣସି ଆସକ୍ତି ନାହିଁ । ସତ କହିବାକୁ ଗଲେ ଈଶ୍ଵରଙ୍କ ନେଇ ମୋର କୌଣସି ମଥାବ୍ୟଥା ନାହିଁ । କିନ୍ତୁ ତମଭଳି କୌଣସି ସୁନ୍ଦରୀ ଝିଅ ଦେଖିଲେ ମୋର ଈଶ୍ଵରଙ୍କ କଥା ହଠାତ୍ ମନେ ପଡ଼େ; ଠିକ୍ ଯେମିତି କୌଣସି ମଦ ବାର୍ ଦେଖିଲେ ମନେ ପଡ଼େ ପିଇବା କଥା !

 

ପ୍ରଥମ ଥର ପାଇଁ ଅଞ୍ଜଳି ସୁନ୍ଦରୀ ବୋଲି ଏତେ ଖୋଲା ମନରେ ସ୍ଵୀକାର କଲା ଜିନ୍‍ । ତାର ସେ ପ୍ରଶଂସା ପୁଣି ଯଦି ଅଞ୍ଜଳି ହାତରେ କଫି କପ୍‍ଟା ଚହଲି ଉଠିଥାଏ, ସେଥିରେ ତାର ଆଶ୍ଚର୍ଯ୍ୟ ହେବାର କିଛି ନ ଥିଲା ।

 

: ମୁଁ ସୁନ୍ଦରୀ କି ନୁହେଁ ସେ କଥା ଅବାନ୍ତର । କିନ୍ତୁ କୌଣସି ସୁନ୍ଦରୀ ଝିଅ ଦେଖିଲେ ତମର ବାଇବେଲ୍‍ର ସେ ସଇତାନ୍ କଥା ମନେ ନ ପଡ଼ି ଈଶ୍ଵରଙ୍କ କଥା ମନେ ପଡ଼େ କାହିଁକି ?

 

ନାରୀର ସୌନ୍ଦର୍ଯ୍ୟ ଈଶ୍ଵରଙ୍କ ଭିନ୍ନ ଆଉ କିଏ ସୃଷ୍ଟି କରିପାରେ ? ନାରୀର ସୌନ୍ଦର୍ଯ୍ୟରେ କିଛି ପରିମାଣରେ ସ୍ୱର୍ଗୀୟତା ନଥାଏ କି ?

 

ସେତେବେଳକୁ ଅଞ୍ଜଳି କଫି କପ୍‍ରେ ଶେଷଥର ପାଇ ଓଠ ଲଗାଉଥିଲା ଏବଂ ସ୍କର୍ଟ, ଫ୍ରକ୍ ପିନ୍ଧା ସେଇ କିଶୋରୀ ପରିଚାରିକା ତାର ପୀନ-ନିତମ୍ବରେ ଏକ ଦୋଳୟମାନ ଛନ୍ଦ ସୃଷ୍ଟି କରି ଜିନ୍‍ ପାଇଁ ସାମ୍ପେନ୍ ଆଣି ଦେଲା ।

 

ସେ ଦୁହେଁ କିଶୋରୀ ପରିଚାରିକାର ରୁଜ୍ ପ୍ରଲୋପିତ ଆରକ୍ତ ଗଣ୍ଡ ଓ ହସରଜରୀ ଲାଗିଥିବା କମ୍ପିତ ଓଠକୁ ଲକ୍ଷ୍ୟ କରି ପରସ୍ପର ମୁହଁକୁ ଚାହିଁ ହସିଲେ ।

 

ଜିନ୍‍ ପାନପାତ୍ର ଓଠ ପାଖକୁ ଉଠାଇ ନେଉଥିଲା ।

 

ହଠାତ୍ କଅଣ ଭାବି ସେ ପାନପତ୍ର ଟେବୁଲ୍ ଉପରେ ଥୋଇ ଦେଇ ଭୟ-କମ୍ପିତ ଦୃଷ୍ଟିରେ ଅଞ୍ଜଳିକୁ ଚାହିଁ କହିଲା, ଏଇ ଦେଖନା ବାମକୋଣ ଅମ୍ୱ୍ରେଲା ତଳେ ବସି ଥିଲା ସେଇ ଲୋକଟା ମତେ କେମିତି ଚାହୁଁଛି !

 

ଅଞ୍ଜଳି ଦେଖିଲା ପ୍ରାଙ୍ଗଣର ବାମକୋଣର ରଙ୍ଗିନ ଛତା ତଳେ ଟେବୁଲ ପାରେ ବସି ଜଣେ ଦାଢ଼ି ବାଲା ଲୋକ ଢୋକ ଢୋକ ୱାଇନ୍ ପିଇ ଯାଉଛି ଏବଂ ଖାଇଗଲା ଖାଇଗଲା ଆଖିରେ ସେମାନଙ୍କ ଆଡ଼କୁ ଚାହୁଁଛୁ ।

 

ଜିନ୍‍ ଫିସ୍ ଫିସ୍ କଣ୍ଠରେ ତା କାନ ପାଖରେ କହିଲା,ସେ ବିଅର୍ଡ଼ ଲୋକଟା ନିଶ୍ଚୟ ଡିଗଲ ସରକାରର ସ୍ପାଇ...ଗୁପ୍ତଚର । ନିଶ୍ଚୟ ମତେ ଲକ୍ଷ୍ୟ କରୁଛି । ହୁଏତ ଏ ରେସ୍ଥୋରାଁ ଛାଡ଼ି ରାସ୍ତାକୁ ଓହ୍ଲାଇବା ମାତ୍ରେ ସେ ମତେ ଗିରଫ କରିବ ।

 

ଅଞ୍ଜଳି ଜିନ୍‍ର କଥାକୁ ବିଶ୍ୱାସ କରି ପାରୁ ନ ଥିଲା ।

 

ଲୋକଟା ୱାଇନ୍‍ ଗ୍ଲାସ୍ ଶେଷ କରି ଟେବୁଲ୍ ଉପରେ ମୁହଁ ମାଡ଼ି ଶୋଇ ସେମାନଙ୍କ ଆଡ଼କୁ ଚାହୁଁଚି । କିନ୍ତୁ ତାର ଚାହାଣୀରେ କୌଣସି ତୀକ୍ଷଣ-ଅନୁସନ୍ଧିତ୍ସା ଅଥବା ହିଂସ୍ରତା ଥିବା ଭଳି ତାର ମନେ ହେଲା ନାହିଁ । ବରଂ ତାର ସେ ଦୃଷ୍ଟି କିଛି ପରିମାଣରେ ଉଦାସ ଏବଂ ଲକ୍ଷ୍ୟହୀନ ମନେ ହେଲା ।

 

ସେତେବେଳକୁ କିନ୍ତୁ ପାନପାତ୍ରକୁ ଟେବୁଲର ଗୋଟାଏ କୋଣକୁ ଠେଲି ଦେଇ ଜିନ୍‍ ତାକୁ ଉଠିବାକୁ ଇଙ୍ଗିତ ଦେଉଛି, ଗୋଡ଼ ନଖରେ ତା ପାଦକୁ ଠେଲିବାକୁ ଲାଗିଛି ।

 

ଖାଇବା ବିଲ୍ ଦେଇ ସେମାନେ ରାସ୍ତାକୁ ଓହ୍ଲାଇ ଆସିଲେ ।

 

ଲାଟିନ୍ କ୍ଵାଟର୍ସ ପାଖାକୁ ଆସିବା ପର୍ଯ୍ୟନ୍ତ ଜିନ୍‍ ଅଞ୍ଜଳିକୁ ପଦେ ହେଲେ କଥା କହି ନାହିଁ । ଅଞ୍ଜଳି କିନ୍ତୁ ଲକ୍ଷ୍ୟ କରିଛି, ଜିନ୍‍ର ବିପର୍ଯ୍ୟସ୍ତ ପାଦର ଛନ୍ଦପାତରେ ଭୟ ସଂନ୍ତ୍ରସ୍ତ ଭାବ ।

 

ଲାଟିନ କ୍ୱାଟସ୍ ପାଖାପାଖି ଏକ ରାସ୍ତାରେ ଠିଆ ହୋଇ ଯାଇ ଅଞ୍ଜଳି ପଚାରିଲା, ତମେ ଏତେ ଭୟଭୀତ ହୋଇପଡ଼ୁଛ କାହିଁକି ? ସେ ଲୋକଟା ତ ଆଦୌ ଗୁପ୍ତଚର ଭଳି ମୋର ମନେ ହେଉ ନାହିଁ । ବରଂ କୌଣସି ହତାଶ-ପ୍ରେମିକ ଅଥବା କଳ୍ପନା ବିଳାସୀ କବି !

 

:ସେ କିପରି ତୀକ୍ଷ୍‍ଣ ଦୃଷ୍ଟିରେ ମତେ ଚାହୁଁଥିଲା ତମେ ଲକ୍ଷ୍ୟ କରିଛ ?

 

ଆଉ ହାସ୍ୟ ସମ୍ବରଣ କରି ପାରିଲାନାହିଁ ଅଞ୍ଜଳି ।

 

: ଯାଃ, ସେ ଆଦୌ ତମକୁ ଚାହିଁ ନାହିଁ । ମୋର ତ କେମିତି ଧାରଣ ହେଲା, ସେ ମତେ ହିଁ ଚାହୁଁଥିଲା । ମୋ ଭଳି ଏକ ଶାଢ଼ିପିନ୍ଧା ଝିଅକୁ ଚାହିଁବା ତା ପକ୍ଷରେ; ବରଂ ତା ପକ୍ଷରେ ଅତି ସ୍ଵଭାବିକ୍ । ଏତେ ୟୁରୋପିୟାନ୍ ଙ୍କ ମଧ୍ୟରେ ଜଣେ ଇଣ୍ଡିୟାନ ଝିଅ—ଯେ କୌଣସି ଏକାକୀ ତରୁଣର ଆଖି ଟାଣି ହୋଇ ଆସିବା ସାଧାରଣ କଥା ।

 

ଜିନ୍‍ ମନରୁ ସେ ପର୍ଯ୍ୟନ୍ତ ସୁଦ୍ଧା ସେ ଆତଙ୍କ ଯାଇ ନାହିଁ ।

 

: ମତେ ସାହସ ଦେବା ପାଇଁ ତମେ ସେ କଥା କହୁଛ । ଯାହା ହେଲେ ବି ସେ ତମକୁ ବାରମ୍ବାର ଚାହିଁବ କାହିଁକି ?

 

: ବାଃ, ଲୋକଟା ଆର୍ଟିଷ୍ଟ ହୋଇପାରେ । ଶୁଣିଛି ମନରେ ମଡେଲକୁ ଧରି ରଖିବାକୁ ଆର୍ଟିଷ୍ଟମାନେତ ଏମିତି ସର୍ବଗ୍ରାସୀ ଚାହାଣୀରେ ଝିଅମାନଙ୍କୁ ଦେଖନ୍ତି । ଆଉ ତମେତ କିଛି ସମୟ ଆଗରୁ କହୁଥିଲ ମୁଁ କୁଆଡ଼େ ଖୁବ୍ ସୁନ୍ଦରୀ ଏବଂ ମୋର ସୌନ୍ଦର୍ଯ୍ୟରେ କିଛି ପରିମାଣରେ ସ୍ଵର୍ଗୀୟତା ଅଛି । ମତେ ଦେଖିଲେ ତମର କୁଆଡ଼େ ଈଶ୍ଵରଙ୍କ କଥା ମନେ ପଡ଼େ । ଆଉ ଜାଣ ତ ଆର୍ଟିଷ୍ଟମାନେ ହେଉଛନ୍ତି ଦ୍ଵିତୀୟ ଈଶ୍ୱର !

 

ଜିନ୍‍ ତଥାପି ନିଶ୍ଚିତ ହୋଇ ପାରୁ ନଥିଲା ।

 

ତା ମୁହଁର ରେଖା ଗୁଡ଼ିକରେ ସେଇ ଅନାଗତ, ଅକାରଣ ଭୟରେ ଚିହ୍ନ ପ୍ରକଟିତ ହେଉଥିଲା ବେଶ୍ ସ୍ପଷ୍ଟ ଭାବରେ ।

 

ଲାଟିନ୍ କ୍ୱାଟର୍ସର ରାସ୍ତାଛାଡ଼ି ସେମାନେ ନତରଦାମ୍ ଗିର୍ଜା ଆଡ଼େ ଚାଲିବାକୁ ଆରମ୍ଭ କଲେ । କିନ୍ତୁ ଅଳ୍ପ କିଛି ବାଟ ଚାଲିଲା ପରେ ଜିନ୍‍ ପଛକୁ ଫେରି ଚାହୁଁଥିଲା । ତାକୁ କେହି ଅନୁସରଣ କରୁଛି କି ନାହିଁ ସେକଥା ଜାଣିବା ପାଇଁ ସତେ ଯେପରି ତାର ଉଦବେଗର ଅନ୍ତ ନ ଥିଲା !

 

ନତରଦାମ୍ ଗିର୍ଜା ଆଗରେ ଥିବା ପାର୍କରେ ପ୍ରବେଶ କରିବା ପାଇଁ ଗେଟ୍ ପାଖରେ ପହଞ୍ଚିଲା ବେଳେ ଜିନ୍‍ କହିଲା, ଆଜି ନୁହେଁ, ଏଇ କେଇଦିନ ହେଲା ମୋର ସବୁବେଳେ କିପରି ମନେ ହେଇଛି ଯେ ମୋ ପଛେ ପଛେ କେହି ଅନୁସରଣ କରୁଛି । ହୁଏତ ମତେ ଗିରଫ କରି ନେଇଯିବ ।

 

ପାର୍କର ଏକ ତୃଣଖଣ୍ଡ ଉପରେ ବସି ପଡ଼ି ଅଞ୍ଜଳି କହିଲା, ଆଜି କାଲି ଅନେକ ଛାତ୍ର ପ୍ରତିଦିନ ଜେଲ୍ ଯାଉଛନ୍ତି । ଜେଲ ତ କିଛି ଭୟଙ୍କର ଜିନିଷ ନୁହେଁ ? ଗିରଫ ହେଲେ ଜେଲ୍ ଯିବ–ଏଥିରେ ଭୟ ପାଇବାର କଅଣ ଅଛି ?

 

: ଭୟ ! ମୁଁ ଜେଲ୍‍କୁ ଭୟ କରିବି କାହିଁକି ? ମୁଁ ତ ତିନିଥର ଜେଲ୍ ଯାଇଛି ! କିନ୍ତୁ ଗିରଫ ହେବା ପାଇଁ ମଧ୍ୟ ମୋର କିଛି ଭୟ ନାହିଁ । କିନ୍ତୁ କେହି ପଛେ ପଛେ ମୋର ଅନୁସରଣ କରି ଆସି ଏକ ନିର୍ଜ୍ଜିନ ସ୍ଥାନରେ ମୋ ବେକରେ ହାତ ପକାଇ ଦେବ, ଏକଥା ଭାବିବା ମାତ୍ରେ ମୁଁ ଅସ୍ୱସ୍ତି ଅନୁଭବ କରୁଛି ।

 

: ଅକାରଣ ଭୟ । କେହି ତମର ଅନୁସରଣ କରୁ ନାହାନ୍ତି । ମୋ ନାମରେ ୱାରେଣ୍ଟ ବୁଲିବା କଥା ମଧ୍ୟ ସମ୍ଭବତଃ ସତ୍ୟ ନୁହେଁ—ତା ହୋଇଥିଲେ ଏତେଦିନ ତମେ ସ୍ୱଚ୍ଛନ୍ଦରେ ବାହାରେ ବୁଲି ପାରନ୍ତ ନାହିଁ—

 

: ପୋଲିସ ମତେ ଖୋଜୁଛି ମୁଁ ଜାଣେ—ପୋଲିସକୁ ମୋର ଭୟ ନାହିଁ । କିନ୍ତୁ ଗୁପ୍ତଚରମାନଙ୍କୁ ମୁଁ ସହ୍ୟକରି ପାରେନାହିଁ—ସେମାନେ ସବୁ ଭୟଙ୍କର ଜୀବ—ଏଞ୍ଜେଲ! ତମେ ହୁଏତ ହଠାତ୍ ଦିନେ ଶୁଣିବ ମତେ ସେମାନେ ଧରି ନେଇଛନ୍ତି—

 

: ସେକଥା ଶୁଣିବି ବୋଲି ମୁଁ ପ୍ରତି ମୁହୂର୍ତ୍ତରେ ଅପେକ୍ଷା କରି ଅଛି । ବିପ୍ଳବୀ ନିରାପତ୍ତା ପାଇଁ ବ୍ୟାକୁଳ ହୁଏ ନାହିଁ—

 

ଏଥର ସଶବ୍ଦରେ ହସିଲା ଜିନ୍‍ ଅଞ୍ଜଳିର କଥା ଶୁଣି । ତାର ସେ ହସର ଆବାଜ୍ ଶୁଣି ପାର୍କର କେତେ ଜଣ ଆଳାପରତ ତରୁଣ-ତରୁଣୀ ତା ଆଡ଼କୁ ବିସ୍ମିତ ଆଖିର ଚାହିଁଲେ ।

 

: ମୁଁ ନିରାପତ୍ତା ପାଇଁ ବ୍ୟାକୁଳ ! ଏଞ୍ଜେଲ୍ ! କନଫ୍ରଣ୍ଟେସନ୍ ପାଇଁ ମୋର ଭୟ ନାହିଁ—କିନ୍ତୁ ସାବୋଟେଜ୍‍ ମୋର ଚରମ ଅସ୍ଵସ୍ତି—

 

ତାପରେ ସେମାନେ କିଛି ସମୟ ଚୁପ୍‍ଚାପ୍ ବସି ରହି ପରସ୍ପର ମୁହଁ ଚାହାଁଚାହିଁ ହେଲେ-

 

କିଛି ସମୟ ପରେ ଜିନ୍‍ କହିଲା, କାଲି ଗୋଟାଏ ଅଦ୍ଭୁତ ଘଟଣା ଘଟିଲା । ମୋ ଆପାର୍ଟମେଣ୍ଟକୁ ଫେରିବା ବାଟରେ ହଠାତ୍ ମୋର କେମିତି ଧାରଣା ହେଲା, ମୋ ପଛେ ପଛେ କେହି ଜଣେ ଆସୁଛି । ସେ ହୁଏତ ମତେ ଗିରଫ କରି ନେଇ ଏପରି କୌଣସି ଏକ ଯାଗାକୁ ଚାଲାଣ କରିଦେବ, ଯେଉଁ ସ୍ଥାନର ଠିକଣା ତମେ ସବୁ କେହି ଜାଣ ନାହିଁ । ଏପରି କଅଣ ଅନେକ ସ୍ଥାନ ନାହିଁ ଯାହାର ଠିକଣା ଆମେ କେହି ଜାଣୁନା ! ଏଇ ମନେକର ଆନେ ! ଭିଏତକଙ୍ଗନେ ତାକୁ ହତ୍ୟା କରି ଏପରି କୌଣସି ଏକ ସ୍ଥାନକୁ ପଠାଇ ଦେଇଛନ୍ତି ଯେଉଁ ସ୍ଥାନର ସ୍ଵୟଂ ଈଶ୍ୱର ମଧ୍ୟ ଜାଣନ୍ତି ନାହିଁ ।

 

ଜିନ୍‍ର କଥାବାର୍ତ୍ତା ମଧ୍ୟରେ ତାର ନିହତ ପ୍ରେମିକା ଆନେର ପ୍ରସଙ୍ଗ ଆସିଯିବା ମାତ୍ରେ ପରିବେଶ ହଠାତ୍ ଭିନ୍ନ ପ୍ରକାର ହୋଇଗଲା । କିଛି ସମୟ ଯେପରି ପବନ ଚଳାଚଳ ହୋଇନାହିଁ; ଅଥବା ସେମିତି କିଛି ଭୟଙ୍କର ପରିସ୍ଥିତି !

 

ସେଇ ଜଟିଳ ପରିସ୍ଥିତିକୁ ଏଡ଼ାଇ ଯିବାପାଇଁ ଅଞ୍ଜଳି କହିଲା, ଆଜି ମୋର ଜଣେ ବାନ୍ଧବୀଙ୍କ ଘରେ ଆମନ୍ତ୍ରଣ, ରାତ୍ରି ଭୋଜନ ପାଇଁ । ଉଠିବା କି ?

 

ଜିନ୍‍ ହୁଏତ ମନେ ମନେ ସେଇ ସ୍ଥାନର ଠିକଣା ଖୋଜୁଥିଲା, ଯେଉଁଠି ତାର ପ୍ରେମିକା ଆନେ ମୁଠା ମୁଠା ସ୍ଵପ୍ନ ହୋଇ ଝରୁଛି ! ସେ ଅଞ୍ଜଳିର କଥା ଶୁଣି ମଧ୍ୟ ନ ଶୁଣିଲା ଭଳି ଗୋଟାଏ ପପ୍ ମିଉଜିକ୍‍ର ସ୍ୱର ଧରିଲା ।

 

ପ୍ରତ୍ୟୁଷରୁ ଜିନ୍‍ର ଫୋନ୍ ।

 

ଅଞ୍ଜଳି ଆଖିରୁ ଭଲ କରି ନିଦର ଆବେଗ କଟି ନ ଥିଲା । ଅର୍ଦ୍ଧନିଦ୍ରିତ ଅବସ୍ଥାରେ ଫୋନ୍‍ଟା ଧରି ଜିନ୍‍ର କଣ୍ଠସ୍ୱର ଶୁଣିଲା ମାତ୍ରେ ସେ ଆନନ୍ଦରେ ଚିତ୍କାର କରି ଉଠିଲା, ଆଜି ଦିନଟା ତା ହେଲେ ଭଲରେ କଟିବ । ଶେଯରୁ ଉଠୁଣୁ ନ ଉଠୁଣୁ ତମର କଣ୍ଠସ୍ୱର !

 

ଆରପଟୁ ଜିନ୍‍ର ଉତ୍ତର ଆସିଲା, ଭଲରେ ନିଶ୍ଚୟ କଟିବ । ତମକୁ ଗୋଟିଏ ଭଲ ଖବର ଦେବି ବୋଲିତ ଫୋନ୍ ଧରିଛି ! ଖୁବ୍ ଭଲ ସୁସମ୍ବାଦ !

 

ବ୍ୟାପାରଟା କଅଣ ହଠାତ୍ ବୁଝି ପାରିଲା ନାହିଁ ଅଞ୍ଜଳି । ଆଖିରୁ ସେ ପର୍ଯ୍ୟନ୍ତ ତନ୍ଦ୍ରାର ପ୍ରଲେପ ଲିଭି ନାହିଁ । ଗୋଟିଏ ଅଧା ଦେଖା ସ୍ଵପ୍ନ ଭଳି ମନେ ହେଉଛି ସମଗ୍ର ଘଟଣା । ଏତେ ସକାଳୁ କି ଶୁଭ ସମ୍ବାଦ ତାକୁ ଦେଇ ପାରେ ଜିନ୍‍ !

 

କୌଣସି ଅବିବାହିତ ପୁରୁଷଠାରୁ କୌଣସି ଅବିବାହିତ ଝିଅ ଯେଉଁ ଶୁଭ ସମ୍ବାଦ କଳ୍ପନା କରେ ସେ ଭଳି କିଛି ସମ୍ବାଦ ଦେଲାଭଳି ଲୋକ ନୁହେଁ ଜିନ୍‍ । ତା ପାଖରେ ଅବା ଏପରି ଶୁଣି ଉଲସିତ ହେବାଭଳି ସୁସମ୍ବାଦ ଗଚ୍ଛିତ ଆସିବ କୁଆଡ଼ୁ !

 

ସମ୍ବାଦଟା ବିଳମ୍ବ ନ କରି ଫୋନରେ ପଠାଇ ଦେଲା ଜିନ୍‍ ।

 

: ଏଇ ଅଣୁ ଅସ୍ତ୍ର ବିରୋଧୀ ଆନ୍ଦୋଳନରେ ନେତ୍ରୀ ରୋଜାଲିନ ଲଣ୍ଡନରୁ ଆସି ପହଞ୍ଚିଛନ୍ତି । ତାଙ୍କୁ ତମ ପାଖକୁ ପଠାଇ ଦେଇଛି । ମୋର ଆଉ କିଛି ସମୟ ଶୋଇବା ଦରକାର । କାଲି ଖୁବ୍ ବିଳମ୍ବରେ ଶୋଇଛି । ଆଉ ଏଇ ଉଠିବା ପୂର୍ବରୁ ଗୋଟାଏ ସ୍ୱପ୍ନ ଦେଖୁଥିଲି, ସେ ସ୍ଵପ୍ନଟ ମଧ୍ୟ ପୂରା ଦେଖା ଯାଇନାହିଁ । ଆଉ କିଛି ସମୟ ଶୋଇଲେ ହୁଏତ ସ୍ୱପ୍ନଟା ଦେଖି ହେବ—

 

କଥା ଶେଷ କରିବା ଆଗରୁ ନିଜର ରସିକତାରେ ନିଜେ ହସି ଉଠିଲା ଜିନ୍‍ । ଅଞ୍ଜଳି ଜାଣିବାକୁ ଚାହିଁଲା, ତମେ କି ସ୍ଵପ୍ନ ଅଧା ଦେଖିଛ କୁହନା—

 

: ପରେ—ଆଉ କେବେ କହିବି । ପାଖରେ ରୋଜାଲିନା ବସି ରହିଛନ୍ତି । ତାଙ୍କ ଆଗରେ ସେ ସ୍ୱପ୍ନ କଥା କୁହା ଯାଇପାରେନା—ଏଞ୍ଜେଲ୍ ! ସେ ବର୍ତ୍ତମାନ ତମ ପାଖକୁ ଯାଇଛନ୍ତି–

 

ଫୋନ୍ ଛାଡ଼ି ଦେଲା ଜିନ୍‍ ।

 

ତର ତରରେ ଅଞ୍ଜଳି ନିଜର ରାତ୍ରି ପୋଷାକ ବଦଳାଇ ନେଲା । ଗରମ ପାଣିରେ ମୁହଁ ହାତ ଧୋଇ ନେଲା । ସ୍ଵଳ୍ପ ସମୟ ମଧ୍ୟରେ ଯଥା ସମ୍ଭବ ପ୍ରସାଧାନ ଶେଷ କରି ନେଲା ।

 

ଅଳ୍ପ ସମୟ ପରେ ସେହି ବିଦେଶିନୀ ମହିଳା ପହଞ୍ଚିଲେ । ଆତ୍ମ-ପରିଚୟ ଦେଲେ, ମୁଁ ହେଉଛି ମିସ୍ ରୋଜାଲିନା ସ୍ପେଣ୍ଡର । ଜିନ୍‍ ମୋ ସଂପର୍କରେ ଆପଣାଙ୍କୁ ଫୋନ୍ କରୁଥିଲେ ।

 

ଅଞ୍ଜଳି ଅର୍ନ୍ତଜାତିକ ଖ୍ୟାତି ସଂପନ୍ନା ସେହି ଇଂରେଜି ମହିଳାଙ୍କର ସରଳତା ଦେଖି ମୁଗ୍ଧ ହୋଇ ଯାଇଥିଲା । ଏପରି ସ୍ଵର୍ଗୀୟ, ସ୍ୱଚ୍ଛନ୍ଦ ସରଳତା ସେ ହୁଏତ ତାଙ୍କଠାରୁ ଆଶା କରୁ ନ ଥିଲା । ସେ ନିଜର ଅପ୍ରତିଭ ଭାବକୁ ଗୋପନ କରିବା ପାଇଁ ଲଜ୍ଜା-କୁଣ୍ଠିତ କଣ୍ଠରେ କହିଲା, ଜିନ୍‍ ହୁଏତ ଆପଣଙ୍କୁ ଏକ ଭୁଲ ଯାଗାକୁ ପଠାଇ ଦେଲା । ମୁଁ ଆପଣଙ୍କର ଚର୍ଚ୍ଚା ଠିକ୍ ଭାବରେ କରି ପାରିବି କି ନାହିଁ ସନ୍ଦେହ ।

 

ମିସ୍ ସ୍ପେଣ୍ଡରଙ୍କ ମୁହଁରେ ହସର ପାଖୁଡ଼ା କେତୋଟି ଝଲ୍ ମଲ୍ କରି ଉଠିଲା । ସେ ଉତ୍ତର ଦେଲେ, ଏଥିପାଇଁ ଜିନ୍‍କୁ ଦୋଷ ଦେଇ ଲାଭ ନାହିଁ । ମୁଁ ଇଚ୍ଛା କରିଥିଲେ ଯେ କୈଣସି ଭଲ ବଡ଼ ହୋଟେଲରେ ଏକାକିନୀ ରହି ପାରନ୍ତି । କିନ୍ତୁ ତମେ ଜଣେ ଇଣ୍ଡିୟାନ୍, ଏ କଥା ଜାଣିଲା ପରେ ତମ ସହ ରହିବା ପାଇଁ ମୁଁ ନିଜ ତରଫରୁ ଜିଦ୍ କଲି । ମୋ ଜୀବନର ଅନେକ ଗୁଡ଼ାଏ ବର୍ଷ ଇଣ୍ଡିୟାରେ କଟିଛି ।

 

ପରିଚୟ ପ୍ରଗାଢ଼ ହେଲା ।

 

କିପରି ଏକ ନିବିଡ଼ ଆତ୍ମୀୟତା ତାର ଗଢ଼ି ଉଠିଲା ମିସ୍ ସ୍ପେଣ୍ଡରଙ୍କ ସହିତ । ଖୁବ୍ କଷ୍ଟ ସହିଷ୍ଣ ଭଦ୍ର ମହିଳା । ଫରାସୀ ଛାତ୍ର ବିପ୍ଳବକୁ ସମର୍ଥନ କରିବା ସଙ୍ଗେ ସଙ୍ଗେ ଆଣବିକ ଅସ୍ତ୍ର ପ୍ରୟୋଗ ବିରୁଦ୍ଧରେ ଫରାସୀ ଜନମତ ସଂଗଠିତ କରିବା ଥିଲା ତାଙ୍କର ପ୍ରଧାନ ଉଦ୍ଦେଶ୍ୟ । ସେଥିପାଇଁ ବିଶ୍ୱବିଦ୍ୟାଳୟ, ସମ୍ବାଦ ସରବରାହ ସଂସ୍ଥା, ବିଭନ୍ନ ଟ୍ରେଡ଼ ଯୁନିୟନ ଏବଂ ପ୍ୟାରିସର ବୁଦ୍ଧିଜୀବୀମାନଙ୍କ ସହିତ ସେ ବିଭିନ୍ନ ସମୟରେ ମିଳିତ ହେଉଥିଲେ । ବିଭିନ୍ନ ସଭା ସମିତି,ଆଲୋଚନା ଚିତ୍ରର ଆୟୋଜନ କରୁଥିଲେ । ସକାଳଠାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ତାଙ୍କର ବିଶ୍ରାମ ନ ଥିଲା ।

 

ଅଞ୍ଜଳି ଲକ୍ଷ୍ୟ କରିଛି, ଏ ଅବିଶ୍ରାନ୍ତ ଶ୍ରମ ମଧ୍ୟରେ କେବେ କ୍ଲାନ୍ତି-ଅପନୋଦନ ପାଇଁ ବ୍ୟକୁଳ ହୋଇ ନାହାନ୍ତି ମିସ୍ ସ୍ପେଣ୍ଡର । ଆଣବିକ ଅସ୍ତ୍ର ନିରୋଧ ସଂପର୍କରେ ଯଦି ସେ ଜଣେ ଫରାସୀ ଲୋକକୁ ନିଜ ମତ ସହିତ ଏକମତ କରି ପାରିଛନ୍ତି ତାହା ହେଲେ ମନର ସମସ୍ତ କ୍ଲାନ୍ତିଜନିତ ଅବସାଦ ଆନନ୍ଦରେ ପରିଣତ ହୋଇଯାଇଛି ।

 

କଅଣ ପାଇଁ ଆଣବିକ ଯୁଦ୍ଧ ବିରୁଦ୍ଧରେ ମିସ୍ ସ୍ପେଣ୍ଡରଙ୍କ ମନରେ ଏତେ ଅସନ୍ତୋଷ ! ଆଣବିକ ଯୁଦ୍ଧ ଲାଗି ଯଦି ପୃଥିବୀର ନିରାପତ୍ତା ବିପନ୍ନ ହୁଏ, ସେଥିରେ ବ୍ୟକ୍ତିଗତ ଭାବରେ କଅଣ ସେ ହରାଇ ବସିବେ !

 

ଅଞ୍ଜଳି ତାଙ୍କ ନିଜ ମୁହଁରୁ ଶୁଣିଛି, ତାଙ୍କର ପିତା, ମାତା ନିକଟସଂପର୍କୀୟ କେହି ଜଣେ ହେଲେ ଜୀବିତ ନାହାନ୍ତି । ବ୍ୟକ୍ତିଗତ ଜୀବନରେ ସେ ଏକାକିନୀ, ଅବିବାହିତା । ଏ ବୟସରେ ତାଙ୍କର କେହି ପ୍ରେମିକ ଥିବେ, ଏକଥା ଅନୁମାନ କଲେ ହସ ଲାଗେ । ତାହା ହେଲେ ପୃଥିବୀର ନିରାପତ୍ତା ପାଇଁ ତାଙ୍କର ବ୍ୟାକୁଳତା କଅଣ ଜିନ୍‍ର ଫରାସୀ ବିପ୍ଳବ ଭଳି ସାମୟିକ ମାନସିକ ଉତ୍ତେଜନା ଆହରଣ ପାଇଁ; କୌଣସି ମତେ ଜୀବନକୁ ଏକ ଉତ୍ତେଜିତ ପରିବେଶ ମଧ୍ୟରେ ମଗ୍ନ କରି ରଖିବା ପାଇଁ !

 

ଜିନ୍‍ ଏବଂ ତାର ବନ୍ଧୁ-ବାନ୍ଧବୀମାନଙ୍କ ଭଳି ମିସ୍ ସ୍ପେଣ୍ଡର କଅଣ କେବଳ ଜୀବନର ଉଦ୍ଦେଶ୍ୟ ଅନୁସନ୍ଧାନରେ ସାରା ଜୀବନଟା କଟାଇ ଦେବାକୁ ଚାହାନ୍ତି ?

 

ସେଦିନ ମଳିନ ଅପରାହ୍ନରେ କିଟି ଆସି କହିଲା, ମିସ୍ ଆଚାର୍ଯ୍ୟ ! ଏଥର ଜିନ୍‍କୁ ସତରେ କୌଣସି ଅଜ୍ଞାତବାସରେ ଯିବାକୁ ହେବ । ଜିନ୍‍କୁ ପୋଲିସ୍ ଗିରଫ୍ କରିବା ପାଇଁ କାଲି ତାର ଆପାର୍ଟମେଣ୍ଟ ସର୍ଚ୍ଚ କରିଥିଲା । କେତେକ ସଂଦେହଜନକ କାଗଜପତ୍ର ମଧ୍ୟ ପୋଲିସ ନେଇ ଯାଇଛି । ଶ୍ରମିକମାନଙ୍କ ସହଯୋଗର ଡିଗଲ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଭିନ୍ନ ଛାତ୍ର ଅନୁଷ୍ଠାନକୁ ଜିନ୍‍ ଯେଉଁ ସର୍କୁଲାରମାନ ପଠାଇଥିଲା, ତାର କପି ମଧ୍ୟ ପୋଲିସ ହାତରେ ପଡ଼ିଛି । ରାଷ୍ଟ୍ରଦ୍ରୋହ ଅପରାଧରେ ଜିନ୍‍ ବିରୁଦ୍ଧରେ ପୋଲିସ ଅଭିଯୋଗ କରିଛି । ସେମାନେ ସମ୍ଭବତଃ ଏଥର ତାକୁ ଛାଡ଼ିବେ ନାହିଁ ।

 

ଅଞ୍ଜଳି କିଟିର କଥା ଶୁଣି ଦୁଶ୍ଚିନ୍ତାର ଜଳସ୍ରୋତରେ ଭାସିଗଲା । ଉଦ୍‍ବିଗ୍ନ କଣ୍ଠରେ ପଚାରିଲା, ଏ ସଂପର୍କରେ ଜିନ୍‍ର ମତାମତ କଅଣ ?

 

: ସେ ଆତ୍ମ-ସମର୍ପଣ କରି ଜେଲ୍‍କୁ ଯିବାକୁ ଚାହେଁ । ତାର ଇଚ୍ଛା ଆନେ ଭିଏତନାମ ଯୁଦ୍ଧ କ୍ଷେତ୍ରରୁ ଯେଉଁ ସବୁ ବିବରଣୀ ତା ପାଖକୁ ପଠାଇଥିଲା, ଜେଲ ଭିତରେ ସେ ତାକୁ ସଂପାଦନା କରି ବହୁ ଆକାରରେ ପ୍ରକାଶ କରିବ । ବିଂଶ ଶତାବ୍ଦୀରେ ବହୁ ରାଷ୍ଟ୍ରବିପ୍ଳବ ଜେଲ୍ ଗର୍ଭରୁ ସମ୍ଭୂତ ହୋଇଛି । ଜେଲ୍‍କୁ ଭୟ କରି ଅଜ୍ଞାତବାସରେ ଯିବାର କୁଆଡ଼େ କିଛି ମାନେ ହୁଏନା । କିନ୍ତୁ ଜିନ୍‍ର ବନ୍ଧୁମାନେ ଏକଥା ଚାହାନ୍ତି ନାହିଁ । ସେମାନଙ୍କର ଭୟ ଜିନ୍‍ ଜେଲ୍‍କୁ ଚାଲିଗଲେ ଆନ୍ଦୋଳନର ଗତି ସ୍ରୋତ ମନ୍ଥର ହୋଇଯିବ ।

 

ଅଞ୍ଜଳି କଅଣ କରିବ ନ କରିବ ସେ ବିଷୟରେ ହଠାତ୍ କିଛି ସ୍ଥିର କରି ପାରିଲାନାହିଁ । ବାମ ହାତର କାଣି ଆଙ୍ଗୁଠିକୁ ସେ କେବଳ ଅକାରଣରେ ନିଜ ଦାନ୍ତରେ ଧରି ଚାପିବାକୁ ଲାଗିଲା । ଜିନ୍‍ ଜେଲ୍‍କୁ ଯାଉ, ଜେଲ୍ ଭିତରେ ଆନେର ସ୍ମୃତି ସମୁଦ୍ରରେ ମଗ୍ନ ହେଉ, ଏକଥା ସେ ନିଜେ ଯେପରି ଚାହେଁ ନାହିଁ ।

 

କିଛି ସମୟ ନିର୍ବୋଧ ଦୃଷ୍ଟିରେ କିଟିଆଡ଼କୁ ଚାହିଁ ଅଞ୍ଜଳି ଉତ୍ତର ଦେଲା, ଅନ୍ତତଃ କିଛିଦିନ ପାଇଁ ଜିନ୍‍ ଅଣ୍ଡରଗ୍ରାଉଣ୍ଡକୁ ଚାଲିଯିବା ଦରକାର । ଏଇ କିଛିଦିନ ମଧ୍ୟରେ ହୁଏତ କିଛି ଗୋଟାଏ ସମାଧାନ ହୋଇ ଯାଇପାରେ । ଡିଗଲ ସରକାର ଏହି ସମୟ ମଧ୍ୟରେ ଭାଙ୍ଗି ଯାଇପାରେ । ଛାତ୍ରନେତାମାନଙ୍କ ସଂପର୍କରେ ନୂଆ ସରକାରର ପୋଲିସ ନିଜର ଦୃଷ୍ଟି କୋଣ ବଦଳାଇ ପାରେ ।

 

: କିନ୍ତୁ ଜିନ୍‍ ଏକାକିନୀ ଅଣ୍ଡରଗ୍ରାଉଣ୍ଡକୁ ଯିବ ଏକଥା ମୁଁ ଚାହେଁନା । ଏଇ କେତେଦିନ ହେଲା ସେ ନିଜ ମନ ଭିତରେ ଏକ ଅପରାଧ ବୋଧକୁ ଲାଳନ ପାଳନ କଲା ଭଳି ମୋର ମନେ ହେଉଛି । ତା ଜୀବନରେ ହଠାତ୍ କିଛି ବିପର୍ଯ୍ୟୟ ଘଟି ଯାଇପାରେ ଏଇ ଭୟରେ ସେ ଅକାରଣରେ ସଂତ୍ରସ୍ତ ହୋଇ ରହୁଛି । ତାର ଯତ୍ନ ନେବା ପାଇଁ କେହି ଜଣେ ତାର ସଙ୍ଗରେ ରହିବା ଉଚିତ । ମୁଁ ନିଜେ ଯିବାକୁ ଚାହିଁଥିଲି । କିନ୍ତୁ ମୋର ଏ ଛୋଟ ଗୋଡ଼କୁ ଆଙ୍ଗୁଳି ଦେଖାଇ ସେ ମନାକଲା । ମତେ ସାଙ୍ଗରେ ନେବାମାନେ ହିଁ ପୋଲିସ ହାତରେ କୁଆଡ଼େ ଧରା ପଡ଼ିବା ! ତେଣୁ–

 

କିଟି ଆଉ କିଛି ନ କହି ଚୁପ୍ ହୋଇଗଲା ।

 

ଅଞ୍ଜଳି ବୁଝିପାରିଲା ଏଥର ଆମନ୍ତ୍ରଣ ।

 

ଅଜ୍ଞାତ ବାସରେ ଜିନ୍‍ ସହିତ ତାକୁ ହିଁ ଯିବାକୁ ହେବ ।

 

କେଉଁ ଦୂର ସୁଦୂରର ନିମତ୍ରଣ ଆଜି ଆସିଛି ତା ପାଖକୁ । ସେ ଏ ଆମନ୍ତ୍ରଣ ଉପେକ୍ଷା କରିବା କିପରି ?

 

ସାଇପ୍ରସ‌୍ ଘେରା ଗହମକ୍ଷେତ, ଅଙ୍ଗୁର ଅରଣ୍ୟ ଅତିକ୍ରମ କରି ଲୋୟାର ନଦୀର ତୀରେ ତୀରେ ଦୁଇଜଣ ଯାଯାବର ଭଳି ସେମାନେ ଅନେକ ବାଟ ପାର ହୋଇ ଆସିଥିଲେ । ଜିନ୍‍ ହାତରେ ଗିଟାର୍, କଣ୍ଠରେ ରୁଦ୍ରାକ୍ଷର ମାଳା । ଅଞ୍ଜଳିର ମୁହଁରେ ସଜଫୁଟା ଏକ ଗୁନ୍ଥ ରଜନୀଗନ୍ଧା ଭଳି ଶୁଭ୍ର ସତେଜ ହସ, ଦୁଇ ପ୍ରଗଳଭ ନୀଳ-ଉଜ୍ଜ୍ୱଳ ଆଖିରେ କେତେ ଅଜଣା କଥା ଜାଣିବାର ନିଶା, କେତେ ଅଶୁଣା କଥା ଶୁଣିବାର ପିପାସା !

 

ଏଇ ଅଳ୍ପ କିଛି ସମୟ ଆଗରୁ ଝିର୍‍ଝିର୍ ବର୍ଷା ହୋଇ ଜିନ୍‍ର ମୁସ୍ତାଶ୍ ଆଉ ବାର୍‍ବକୁ ଓଦାକରି ଦେଇଥିଲା । ଦେହର ଅନ୍ୟ ଅଂଶକୁ ଯେ ବର୍ଷା ଆଉଁସି ଦେଇ ଯାଇ ନଥିଲା ସେ କଥା ନୁହେଁ, କିନ୍ତୁ ସେ ଅନୁଭବ କରୁଥିଲା ତାର ମୁସ୍ତାଶ୍ (ନିଶା) ଆଉ ବାର୍‍ବ (ଦାଢ଼ି)—ଏ ଦୁଇଟା ଅଂଶ ଯେମିତି ସେ ବର୍ଷାଜଳରେ ବେଶି ପରିମାଣରେ ଅସହାୟ ଭାବରେ ଓଦା ହୋଇ ଯାଇଛି !

 

ବର୍ଷାରୁ ରକ୍ଷା କରିବା ପାଇଁ ସେମାନେ ଗୋଟାଏ ଖ୍ରୀଷ୍ଟିୟାନ ବାସିଲିକ୍ ପାଖରେ ଆଶ୍ରୟ ନେଇଥିଲେ । କିନ୍ତୁ ଶାଢ଼ିପିନ୍ଧା ଅଞ୍ଜଳିକୁ ହରେକୃଷ୍ଣ ଧର୍ମ ପ୍ରଚାର କରୁଥିବା କୌଣସି ମାତାଜୀ ମନେ କରି କ୍ୟାଥିଡ୍ରାଲ୍‍ର ବହୁ ଧର୍ମଯାଜକ ସେମାନଙ୍କ ପାଖରେ ଆସି ଭିଡ଼ ଜମାଇବାକୁ ଆରମ୍ଭ କଲେ ।

 

ନା—ଆମେ ହିନ୍ଦୁଜିମ୍ ପ୍ରଚାର କରିବାକୁ ଆସିନାହୁଁ । ଏଇ ସପ୍ତାହ କେତୋଟି ପାଇଁ ସବୁ ଇଜିମ୍, ସବୁ ଧର୍ମମତକୁ ଭୁଲି ଜୀବନକୁ ନିଃସଂଶୟରେ ଉପଭୋଗ କରିବା ପାଇଁ ଆମେ ଏଠାରେ ଘୁରି ବୁଲୁଛୁ—ଜିନ୍‍ ବୁଝାଇବାକୁ ଚେଷ୍ଟା କରିଥିଲା ।

 

କିନ୍ତୁ ସେମାନେ ସେକଥା ବୁଝିଲେ ନାହିଁ ।

 

ରାସ୍ତାକଡ଼ରେ ଲମ୍ବା ଲମ୍ବା ଗୁଆଗଛ ଭଳି ସେ ଯେଉଁ ଦୀର୍ଘକାୟ ପ୍ରଶାନ୍ତବଦନ ଧର୍ମଯାଜକ; ଯେ ଛାତିରେ ଲାଗିଥିବା କୃଶକୁ ଛୁଇଁ ପୁଣି ବାରମ୍ବାର ଆଙ୍ଗୁଠି ନେଇ ମୁଣ୍ଡରେ ଲଗାଉଥିଲେ ସେ ଅଯାଚିତ ଭାବରେ ସେମାନଙ୍କୁ ଉପଦେଶ ଦେଲେ—

 

: ଇଶ୍ୱରଙ୍କୁ ଛାଡ଼ି ଜୀବନର କୌଣସି ସ୍ଥିତି ନାହିଁ । ଇଶ୍ଵର ଚିନ୍ତାକୁ ବାଦ୍ ଦେଇ ଦିନ କେତୋଟି ତ ଦୂରର କଥା, ମୁହୂର୍ତ୍ତ କେତୋଟି ମଧ୍ୟ ମଣିଷ ଶାନ୍ତି ପାଇ ପାରିବ କିପରି ? ଏ ସଂସାର ଅଛି, ତାର କାରଣ ଇଶ୍ୱର ଅଛନ୍ତି ।

 

ଜିନ୍‍ ଯୁକ୍ତି କଲା, ଇଶ୍ଵର ଅଛନ୍ତି, ଏହାଠାରୁ ବଳି ମିଥ୍ୟାକଥା ମୁଁ ଆଉ କିଛି ମୋ ଜୀବନକାଳ ମଧ୍ୟରେ ଶୁଣି ନାହିଁ ।

 

ସମବେତ ଧର୍ମଯାଜକମାନଙ୍କ ମଧ୍ୟରେ ଜିନ୍‍ର ନସ୍ତିକତା ପାଇଁ ଈଷତ୍ ଉତ୍ତେଜନା ସୃଷ୍ଟି ହୋଇଥିବା ଭଳି ଅଞ୍ଜଳି ଅନୁଭବ କଲା । ସେ ଏଭଳି ବିତର୍କ ମଧ୍ୟରେ ପ୍ରବେଶ କରିବାକୁ ଚାହେଁ ନାହିଁ । ଅଜ୍ଞାତବାସରେ ଥିବା ଜଣେ ଆତ୍ମଗୋପନକାରୀ ମୁହଁରେ ଏସବୁ କଥା ତାକୁ ଭଲଶୁଣା ଯାଉ ନଥିଲା ।

 

ଜଣେ ତରୁଣ ଯାଜକ ପ୍ରଶ୍ନ କଲେ, ଇଶ୍ଵର ନାହାନ୍ତି ବୋଲି ସୃଷ୍ଟିର ଆରମ୍ଭରୁ ମଧ୍ୟ ଶୁଣା ଯାଉଛି, କିନ୍ତୁ ଇଶ୍ଵର ପ୍ରକୃତରେ ନାହାନ୍ତି ବୋଲି କେହି ଏ ପର୍ଯ୍ୟନ୍ତ ସୁଦ୍ଧା ପ୍ରମାଣିତ କରି ପାରିନାହିଁ-

 

ଜିନ୍‍ ବ୍ୟଙ୍ଗ କଲାଭଲି ଉତ୍ତର ଦେଲା, ଇଶ୍ଵର ଯେ ନାହାନ୍ତି ତାର ସର୍ବଶ୍ରେଷ୍ଠ ପ୍ରମାଣ ଭିଏତନାମରେ ଶହ ଶହ ଭିଏତନାମୀ ଲୋକଙ୍କୁ ମାର୍ଜିନ୍ ସୈନ୍ୟମାନେ ପ୍ରତିଦିନ ହତ୍ୟା କରୁଥିବାବେଳେ ଆମେରିକାର ରାଷ୍ଟ୍ରପତି ନିର୍ଭୟରେ ରାସ୍ତାଘାଟରେ ଯିବା ଆସିବା କରୁଛନ୍ତି ।

 

ଗିର୍ଜାର ଘଣ୍ଟା ବାଜିଲା ।

 

ସେମାନେ ସନ୍ଦିଗ୍‍ଧ ଦୃଷ୍ଟିରେ ଜିନ୍‍ ଏବଂ ଅଞ୍ଜଳିକୁ ତରତରରେ ଚାହିଁ ଦେଇ ପ୍ରାର୍ଥନା କରିବା ପାଇଁ ଗିର୍ଜା-ପ୍ରବେଶ କଲେ ।

 

ଜିନ୍‍ କହିଲା, ଏଞ୍ଜେଲ ! ଆଜି ମୁଁ ଆଉ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚାହେଁନା । ନା କୌଣସି ଛାତ୍ର-ବୈଠକ; କିମ୍ବା କୌଣସି ଶ୍ରମିକ-ସଭା । ମୋର ଯେମିତି ମନେ ହେଉଛି ମୁଁ ଏ ରାଷ୍ଟ୍ର-ବିପ୍ଲବରେ ଯୋଗଦେଇ ନିଜ ସହିତ ନିଜେ ଲୁଚୁକାଳି ଖେଳୁଛି । ରାଷ୍ଟ୍ରପତି ବଦଳି ଗଲେ ଯେ ରାଷ୍ଟ୍ରର ଚରିତ୍ର ବଦଳିଯିବ ନାହିଁ, ଏକଥା ବୁଝିଲା ପରେ ମୁଁ କେମିତି ବଡ଼ ଅସହାୟ ଅନୁଭବ କରୁଛି । ଆମକୁ ଏକ ବୃହତ୍ତର ସଂଗ୍ରାମ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ । କେବଳ ରାଷ୍ଟ୍ରବିପୁଳ ନୁହେଁ, ସମାଜ-ବିପ୍ଲବ ବିନା ଆମ କାହାରି ମୁକ୍ତି ନାହିଁ ।

 

ଅଞ୍ଜଳି ଜିନ୍‍ର ଜ୍ୱଳନ୍ତ ଦୃଷ୍ଟି, ଉତ୍ତେଜିତ ମୁଖମଣ୍ଡଳରେ ମାଂସପେଶିକୁ ଲକ୍ଷ୍ୟକଲା । ଜିନ୍‍ ଭିତରେ ଯେ ଏକ ଚିର-ଅତୃପ୍ତ ଅସନ୍ତୋଷ ଜ୍ଵଳନ୍ତ ଅଗ୍ନିଶିଖା ଭଳି ପ୍ରଜ୍ଜ୍ଵଳିତ ହେଉଛି, ସେ କଥା ତାର ମୁଖଭଙ୍ଗୀ, ଭାବଭଙ୍ଗୀରୁ ସେ ବେଶ ବୁଝି ପାରୁଥିଲା ।

 

: ରାଷ୍ଟ୍ର ଆମ ସମାଜ ଜୀବନକୁ ବହୁ ଭାବରେ ନିମନ୍ତ୍ରଣ କରେ । ସେ ଭାରତୀୟ ସମାଜ ହେଉ କି ଫରାସୀ ସମାଜ ଜୀବନ ହେଉ ! ରାଷ୍ଟ୍ର ଯନ୍ତ୍ରକୁ ନ ବଦଳାଇଲେ ସମାଜ ଜୀବନରେ ପରିବର୍ତ୍ତନ ଅଣାଯାଇ ପାରିବ କିପରି ?

 

ସମାଜ ବିଜ୍ଞାନର ଛାତ୍ରୀ ଅଞ୍ଜଳି ଆଚାର୍ଯ୍ୟ, ସେହି ବିଷୟରେ ସେ ଡକ୍ଟରେଟ୍ କରୁଛି । ତାର କଥା ମନଯୋଗ ଦେଇ ଶୁଣିଲା ଜିନ୍‍ । ତା କଥାର ତାତ୍ପର୍ଯ୍ୟ ହୃଦୟଙ୍ଗମ କରିବାକୁ ଚେଷ୍ଟା କଲା ।

 

ରାଷ୍ଟ୍ରପତି ବଦଳିଗଲେ ରାଷ୍ଟ୍ର ବଦଳିଯାଏ ନାହିଁ ।

 

ରାଷ୍ଟ୍ରଯନ୍ତ୍ରକୁ ନିୟନ୍ତ୍ରଣାଧୀନ କରି ନ ପାରିଲେ ସମାଜକୁ ବଦଳାଇବା ସମ୍ଭବ ନୁହେଁ । ରାଷ୍ଟ୍ରଯନ୍ତ୍ର ସମାଜର ସବୁ ବ୍ୟବସ୍ଥାକୁ ନିୟନ୍ତ୍ରଣ କରେ । ଜଣେ ସାଧାରଣ ନାଗରିକ ସେଇ ରାଷ୍ଟ୍ରଯନ୍ତ୍ର ହାତରେ ଏକ କ୍ରୀଡ଼ାପୁତ୍ତଳିକା !

 

ଜିନ୍‍ ଅଞ୍ଜଳି ଆଚାର୍ଯ୍ୟର କାନ୍ଧ ଉପରେ ନିଜର ବାମ ହାତ ପାପୁଲି ରଖି କହିଲା, ଆମକୁ ଏ ସମାଜକୁ ବଦଳାଇବାକୁ ପଡ଼ିବ, ଏ ରାଷ୍ଟ୍ର ଯନ୍ତ୍ରକୁ ଭାଙ୍ଗି ଟିକି ଟିକି କରି ଦେବାକୁ ପଡ଼ିବ, ଏ ବାସିଲିକ୍, କ୍ୟାଥିଟ୍ରାଲରେ ପରମ ଆନନ୍ଦରେ ଯେଉଁ ଇଶ୍ଵର ଧର୍ମଯାଜକମାନଙ୍କ ପୂଜା ଗ୍ରହଣ କରୁଛନ୍ତି, ସେଇ ମିଥ୍ୟା-ବିଶ୍ଵାସର ପ୍ରତିମୂର୍ତ୍ତିକୁ ଭାଙ୍ଗିବାକୁ ହେବ । କିନ୍ତୁ ଏଞ୍ଜେଲ୍ ଏତେ ଜିନିଷ ଭାଙ୍ଗିବାକୁ ଆମ ହାତରେ ହତିଆର କାହିଁ ?

 

ଅଞ୍ଜଳି ଜିନ୍‍ର ହାତ ପାପୁଲିକୁ ନିଜ ହାତ ମୁଠାରେ ଧରି ମନ୍ତ୍ର ଉଚ୍ଚାରଣ କଲା ଭଳି କହିଲା, ଜିନ୍‍ ! ଏଇ ହାତ—ଏଇ ହାତକୁ ହତିଆର୍ କରିବାକୁ ପଡ଼ିବ । ମଣିଷ ହାତର ବଜ୍ର ମୁଠାରେ ଭାଙ୍ଗି ନଯିବ, ଏଭଳି କୌଣସି ବସ୍ତୁ ସଂସାରରେ ନାହିଁ !

Unknown

 

ଜିନ୍‍ ଅଞ୍ଜଳି ହାତରୁ ନିଜ ହାତ ପାପୁଲିକୁ ମୁକୁଳାଇ ନେଇ ତା ମୁହଁକୁ ଚାହିଁଲା । ଅଞ୍ଜଳି ଆଖିର କାଚ-ଦର୍ପଣରେ ସେ ନିଜର ଦ୍ୱିଧାଦୀର୍ଣ୍ଣ ମନ, ବିକ୍ରିତ-ବିବେକକୁ ସତେ ଯେପରି ଚିହ୍ନିବାକୁ ଚେଷ୍ଟା କରୁଥିଲା !

 

ଲୋୟାର ନଦୀ ପାର୍ ହୋଇ ସେମାନେ ଶାଁବର ଦୁର୍ଗ ପାଖରେ ପହଞ୍ଚି ସାରିଥିଲେ ।

 

କାଲି ସକାଳୁ ସେମାନଙ୍କୁ ପ୍ୟାରିସ୍ ଫେରି ଯିବାକୁ ହେବ । କେନ୍ଦ୍ରୀୟ ଛାତ୍ର କମିଟିର ବୈଠକ ଅଛି । ଖବର ପହଞ୍ଚିଛି, ପ୍ୟାରିସ୍ ପୋଲିସ୍ ଜିନ୍‍କୁ ଗିରଫ କରିବା ପାଇଁ ସେପରି ଆଉ ବ୍ୟଗ୍ର ନୁହେଁ । ହୁଏତ ଏଥି ମଧ୍ୟରେ ସେମାନେ ବୁଝି ସାରିଲେଣି ଜଣେ ଜିନ୍‍କୁ ଧରି ନେଲେ ଫରାସୀ-ବିପ୍ଳବର ରଥ ଚକ ଅଚଳ ହୋଇଯିବ ନାହିଁ ।

 

ଜିନ୍‍ର କିନ୍ତୁ ହଠାତ୍ ଫେରିବାକୁ ଇଚ୍ଛା ନାହିଁ ।

 

ଏ ଅଜ୍ଞାତବାସ ଭଲ । ନିଜର ଠିକଣା ନିଜେ ଭୁଲି ଯିବାରେ ଏକ ପ୍ରକାର ଅଜ୍ଞାତ ଆନନ୍ଦ ରହିଛି, ଯାହା ଆତ୍ମ-ସଚେତନ ବ୍ୟକ୍ତି ସହଜରେ ପାଇ ପାରେନାହିଁ ।

 

ରେନେଁସା ଯୁଗର ଶିଳ୍ପ-ଭାସ୍କର୍ଯ୍ୟ ଏଇ ଦୁର୍ଗର ଗାତ୍ରରେ ଉତ୍କୀର୍ଣ୍ଣ ହୋଇ ରହିଛି । ସେଇ ଭାସ୍କର୍ଯ୍ୟର କଳା ନୈପୁଣ୍ୟ ମୃଗ୍ଧ ଦୃଷ୍ଟିରେ ନିରୀକ୍ଷଣ କରି ଦେଖୁଥିଲା ଅଞ୍ଜଳି ।

 

ଜିନ୍‍ ଡାକିଲା, ଆସ-ହାତଧର-ଉପରକୁ ଯିବା ଯେ । ଏଇ ଯେ ଦେଖୁଛ ସିଡ଼ିର ସୁଡ଼ଙ୍ଗ–ସେଇ ସିଡ଼ି ବାଟ ଦେଇ ଆମେ ଯିବା ଦୁର୍ଗର ଛାତ ଉପରକୁ । ବହୁ ଲୋକ ପ୍ରସିଦ୍ଧ ଏଇ ସିଡ଼ି ଦେଇ ମୁଁ ତମକୁ କେବଳ ଦୁର୍ଗ ଉପର ଛାତକୁ ନେଇ ଯିବି ନାହିଁ; ଏଇ ସିଡ଼ିବାଟେ ତମକୁ ନେଇ ଯିବି ଫରାସୀ ରାଜତନ୍ତ୍ର ଶାସନର ଏକ ଅତୀତର ଯୁଗକୁ । ଆସ—ହାତ ଧର ।

 

ଅଞ୍ଜଳି ଲକ୍ଷ୍ୟ କରିଛି ଜିନ୍‍ ମୁହଁରେ ସୌମ୍ୟ ପ୍ରଶାନ୍ତ ଭାବ । ସେ ଆଜି କିପରି ବେଶି ପରିମାଣରେ ଭାବ-ପ୍ରବଣ ଦେଖା ଯାଉଛି । ଏଇ ଅଳ୍ପ ଦିନ କେତୋଟି ଜିନ୍‍ର ସାନ୍ନିଧ୍ୟରେ ଆସି ସେ ବୁଝି ପାରିଛି, ଲୋକଟା ବାହାରକୁ ଖୁବ୍ ବେଶି କର୍କଶ, ରୁକ୍ଷ ଦେଖାଗଲେ ମଧ୍ୟ ଭିତରେ ଭିତରେ ଖୁବ୍ କୋମଳ । ତା ଭିତରେ ଏକ ସ୍ନେହକାଙ୍ଗାଳ ମନ ଆତ୍ମଗୋପନ କରି ରହିଛି, ଯେ ଟିକିଏ ଅନ୍ୟର ଆଦର ସୋହାଗ ପାଇବାର ଆଶା ଦେଖିଲେ ଆପେ ଆପେ ଆତୁର ହୋଇ ଉଠେ-

 

ଏଭଳି ଲୋକ ବିପ୍ଳବୀ ହେବା ସାଜେନା ।

 

ଧୂସର ଉଷରର ରୁକ୍ଷତା, ପ୍ରଳୟଙ୍କରୀ ଝଡ଼ର ଶ୍ୟାମଳ ଅତ୍ୟାଚାର ତା ପାଇଁ ନୁହେଁ । ସେ କୌଣସି ମମତାମୟୀ ନାରୀର ବସ୍ତ୍ରାଞ୍ଚଳ ତଳେ ବେଶି ନିରାପଦ ମନେ ହୁଏ ।

 

ସେ ଜିନ୍‍ର ହାତ ଧରିଲା ।

 

କହିଲା, ଜିନ୍‍ ! ମୋର ଆଜି କିଟିର କଥା ମନେ ପଡ଼ୁଛି । ସେ ଆଜି ଆମ ସାଙ୍ଗରେ ଥିଲେ ଖୁବ୍ ଭଲ ହୋଇଥାଆନ୍ତା । ତମେ ଜାଣନା, ତମ ଦେହ-ମନର ଦାୟିତ୍ୱ ନେବା ପାଇଁ ଜୋର୍ କରି ସେ ମତେ ତମ ସାଙ୍ଗରେ ପଠାଇଛି ! ବିଚାରିର ଗୋଡ଼ଟା ସବୁଦିନ ପାଇଁ ବୋଧହୁଏ ଜଖମ ହୋଇ ରହିଯିବ !

 

ଜିନ୍‍ କିଛି ଉତ୍ତର ଦେଲା ନାହିଁ ।

 

ସେମାନେ ସିଡ଼ି ଦେଇ ଉପରକୁ ଉଠୁଥିଲେ ।

 

କିଛିକ୍ଷଣର ନୀରବତା ପରେ ଜିନ୍‍ କହିଲା, କିଟିର ଗୋଟାଏ ଗୋଡ଼ ଜଖମ ହୋଇଗଲା । ଏ ଦ୍ଵିତୀୟ ଫରାସୀ-ବିପ୍ଳବରେ ମାତ୍ର ଗୋଟିଏ ଗୋଡ଼ର କାର୍ଯ୍ୟକାରୀ ଶକ୍ତି ହରାଇ କିଟି ଜେନେରାଲ୍ ଡିଗଲଙ୍କୁ କ୍ଷମତା ଯୁଦ୍ଧରେ ଆଣ୍ଠେଇ ପକାଇଲା । କିନ୍ତୁ ଫରାସୀ ରାଜତନ୍ତ୍ରକୁ ନିଶ୍ଚିହ୍ନ କରିବା ପାଇଁ କେତେ କିଟି, କେତେ ଜିନ୍‍ କେତେ ଏଂଜେଲ ପ୍ରାଣବଳି ଦେଇଛନ୍ତି ଜାଣ ? ହୁଏତ ଏଇ ଶାବର ଦୁର୍ଗ ତମକୁ ସେ କଥା କିଛି କହିପାରେ ।

 

ଅଞ୍ଜଳି ନିରୁତ୍ତର ।

 

ଜିନ୍‍ ତାକୁ ଜଣେ ପ୍ରବୀଣ ଗାଇଡ୍ ଭଳି କହିଲା, ଜାଣନା-ଆଗେ ଫ୍ରାନସର ରାଜାମାନେ ଅରଣ୍ୟକୁ ମୃଗୟା ପାଇଁ ଆସିଲେ ରହୁଥିଲେ ଏଇ ଦୁର୍ଗରେ—ଏଇ ଯେ ଦେଖୁଛ ମିନାର, ହାୱା ମହଲ, ତୋରଣ—ଏ ସବୁ ସେଇମାନଙ୍କ ମନୋରଞ୍ଜନ ପାଇଁ ତିଆରି । ଏଇ ପ୍ରାଚୀନ ଦୁର୍ଗକୁ ଯେବେ ମଧ୍ୟ ଆସିଲେ ସେଇମାନଙ୍କ ସ୍ମୃତିହିଁ ମନକୁ ଅଧିକାର କରି ବସେ—

 

ଅଞ୍ଜଳି ଲକ୍ଷ୍ୟ କଲା ତୋରଣଗୁଡ଼ିକ କେହି ଝାଡ଼ି ଲଣ୍ଠନ ଆକୃତି ଧାରଣ କରିଛି ତ ଆଉ କେଉଁଠି ଭାରତୀୟ ଶିବ ମନ୍ଦିରର ଧ୍ଵଜା ଭଳି । କାଳର କ୍ଷୟକାରୀ ପ୍ରଭାବ ସେ ଶିଳ୍ପ ଭାସ୍କର୍ଯ୍ୟର ଗୌରବକୁ ତିଳେ ହେଲେ ମଳିନ କରି ପାରିନାହିଁ ।

 

ଛାତ ଉପରେ ଠିଆ ହୋଇ ସେମାନେ ଅରଣ୍ୟ ଆଡ଼େ ଚାହିଁଲେ ।

 

ଅରଣ୍ୟ ପରିବେଷ୍ଟିତ ଏଇ ଦୁର୍ଗ, ତାର ପ୍ରାକୃତିକ ପରିବେଶ ମନେ ହେଉଥିଲା ଛବି ଭଳି । ବୁଦା ବୁଦା ବଣୁଆ ଘାସ ଅନ୍ତରାଳରେ ପଳାୟମାନ ବଣ୍ୟ-କୁକୁଡ଼ାର ଚିତ୍ରିତ ଡେଣା ସବୁ ଆଖି ଝଲସାଇ ହେଉଥିଲା ।

 

ଜିନ୍‍ କହିଲା, ମୋର ଆଦୌ ଏଠାରୁ ଫେରିବାକୁ ଇଚ୍ଛା ହେଉନାହିଁ ।

 

: କିନ୍ତୁ ଆମକୁ ଫେରିବାକୁ ହେବ । କିଟି ତମକୁ ପ୍ୟାରିସ୍‍ର ଆପାର୍ଟମେଣ୍ଟରେ ଉଦ୍‍ବିଗ୍ନ ମନରେ ଅପେକ୍ଷା କରିଥିବ ।

 

: ତମେ ବାରମ୍ବାର ଆଜି କିଟିର କଥା କାହିଁକି କହୁଛ ?

 

ଜିନ୍‍ର କଥା ଶୁଣି ହସିଲା ଅଞ୍ଜଳି ।

 

କହିଲା, ତମେ ପୁରୁଷ । ନାରୀର ହୃଦୟରହସ୍ୟ ତମେ ବୁଝ ନାହିଁ ।

 

ଅଞ୍ଜଳିର କଥା ତାକୁ କିପରି ରହସ୍ୟମୟ ମନେ ହେଲା ।

 

: ନାରୀର ହୃଦୟ ଭିତରେ କିଛି ରହସ୍ୟ ଥିବା କଥା ମତେ ଜଣା ନାହିଁ । ଅନ୍ତତଃ ଆନେର ହୃଦୟକୁ ଏଇ ପ୍ରାଶନ ଶାଁବର ଦୁର୍ଗ ସହିତ ତୁଳନା କରା ଯାଇପାରେ, ଯେଉଁ ହୃଦୟ ତାର ଅନେକ କାରୁକାର୍ଯ୍ୟରେ ଚିତ୍ରିତ ହୋଇଥିଲା । ଯେଉଁ ଚିତ୍ରିତ ହୃଦୟର ଦୃଶ୍ୟ ଦେଖି ଅନେକ ବାର ମୋର ହୃଦୟ ଅବେଗରେ ଆଲୋଡ଼ିତ ହୋଇଛି—

 

ଅଂଜଳି ଏଥର ମଧ୍ୟ ହସିଲା । କିଛି ମନ୍ତବ୍ୟ କଲା ନାହିଁ ।

 

: ହସିଲ ଯେ !

 

: ଜିନ୍‍ ! ତମେ ଖୁବ୍ ଶୀଘ୍ର କୌଣସି ଜଣେ ମମତାମୟୀ ନାରୀକୁ ବିବାହ କର । ବିବାହ ନ କଲେ ପୁରୁଷ କେବେହେଲେ ବୟସ୍କ, ଅଭିଜ୍ଞ ହୁଏ ନାହିଁ । ତମେ ତା ନ ହେଲେ ସବୁଦିନେ ଶିଶୁଭଳି ସରଳ, ନିର୍ବୋଧ ହୋଇ ରହିଯିବ—

 

: ରାଷ୍ଟ୍ରର ଶୃଙ୍ଖଳ ମଣିଷକୁ ଯେପରି ଶକ୍ତିହୀନ, କ୍ରୀଡ଼ାପୁତ୍ତଳିକା ପ୍ରାୟ ପରାଧୀନ କରିଦିଏ, ବିବାହ ବନ୍ଧନ ପୁରୁଷକୁ ସେହିପରି ମଣିଷକୁ ବ୍ୟକ୍ତିତ୍ଵହୀନ କରିଦିଏ ବୋଲି ଶୁଣିଛି ।

 

: ମିଛ କଥା । ଯେଉଁମାନେ ବନ୍ଧନ କଅଣ ଜାଣନ୍ତି ନାହିଁ ସେମାନେ ସ୍ଵାଧୀନତାର ମହତ୍ୱ ମଧ୍ୟ ସେହିପରି ବୁଝନ୍ତି ନାହିଁ—

 

: ଏଂଜେଲ ! ମୁଁ ମୁକ୍ତି ଚାହେଁ—ସ୍ଵାଧୀନତା କହିଲେ ଠିକ୍ ମୁକ୍ତି ବୁଝାଯାଏ ନାହିଁ—

 

ଦିନ ଶେଷରେ ଆଲୋକ ମଳିନ ପଡ଼ି ଆସୁଥିଲା ।

 

ଶାଁବର ଦୁର୍ଗର ଶୀର୍ଷଭାଗ ଅରଣ୍ୟ ମଳିନ ଅନ୍ଧକାରରେ ଆଚ୍ଛନ୍ନ ହୋଇ ଆସୁଥିଲା ।

 

: ଆମକୁ ଉଠିବାକୁ ହେବ । ସିଡ଼ିର ସୁଙ୍ଗ ଦେଇ ପୁଣି ଉପରୁ ତଳକୁ ଅବତରଣ କରିଯିବାକୁ ପଡ଼ିବ । ମଣିଷ ସଭ୍ୟତାର ଇତିହାସ ଏଇ ସୁଡ଼ଙ୍ଗମୁଖି ଆରୋହଣ—ଅବରୋହଣର ଇତିହାସ ଏଞ୍ଜେଲ ! ଆମର ଯୌଥ-ଆଶା, ଆଶ୍ଚର୍ଯ୍ୟ ଇଚ୍ଛା ସବୁ ବଣୁଆ ଘାସବୁଦା ଅନ୍ତରାଳରେ ଦେଖା ଦେଇ ଲୁଚି ଯାଉଥିବା ବଣ୍ୟ-କୁକୁଡ଼ାଟି ଚିତ୍ରିତ ଡେଣା ଭଳି !

 

ଅଂଜଳି ସ୍ଵପ୍ନ ଦେଖିଲାଭଳି ଥରେ ଆଖି ମେଲି ପୁଣି ଆଖିପତା ଯୋଡ଼ି ଦେଲା ।

 

ମିସ୍ ସ୍ପେଣ୍ଡର ଲୋକଟିକୁ ନିରୀକ୍ଷଣ କରି ଚାହିଁଲେ ।

 

ଇଣ୍ଡିୟାନ୍, ଇଣ୍ଡିୟାନ୍ ମନେ ହେଉଛି । ମିସ୍ ଆଚାର୍ଯ୍ୟଙ୍କୁ ଥରେ ନୁହେଁ, ସାତ ଥର ଖୋଜି ଗଲାଣି । ସେ ନାହାନ୍ତି ବୋଲି କହିଲା ପରେ ମଧ୍ୟ ଲୋକଟି ଫ୍ଳାଟ ବାହାରେ ଅପେକ୍ଷା କରି ରହିଛି । ଆଖିରେ ଉଦବେଗ, ଆଶଙ୍କା ଏବଂ ହତାଶାର ଚିହ୍ନ ଫୁଟି ଉଠୁଛି । ମିସ୍ ଆଚାର୍ଯ୍ୟଙ୍କୁ ଦେଖା ନ କଲେ କିଛି ପ୍ରଳୟ କାଣ୍ଡ ଘଟିଯିବ—ଏମିତି ଯେପରି ତାର ଗତିବିଧି, ଭାବଭଙ୍ଗୀ !

 

ଲୋକଟା ନିଶ୍ଚୟ ପ୍ୟାରିସ୍ ଛାତ୍ର ଆନ୍ଦୋଳନର କେହି ନୁହେଁ । ହୁଏତ ଆତ୍ମୀୟ, ଭାରତୀୟ ହୋଇନଥିବାରୁ ତାହା ହୁଏତ ବେଶି ସମ୍ଭବ । କିମ୍ବା ଏହା ମଧ୍ୟ ହୋଇପାରେ ସେ ତାର କୌଣସି ନିକଟତମ ବନ୍ଧୁ; ମିସ୍ ଆଚାର୍ଯ୍ୟଙ୍କ ଆତ୍ମଗୋପନ ଘଟଣାକୁ ଅନ୍ୟ କିନ୍ତୁ ସଂଦେହ କରି ସେ ଅକାରଣ ଆଶଙ୍କାରେ ଉତ୍ପୀଡ଼ିତ ହେଉଛି । କିନ୍ତୁ ଜାଣିଥିଲେ ମଧ୍ୟ ମିସ୍ ଆଚାର୍ଯ୍ୟଙ୍କ ବର୍ତ୍ତମାନ ଅବସ୍ଥିତି ସଂପର୍କରେ ସେ ଭଦ୍ରଲୋକଙ୍କୁ କିଛି କହିବା ସମ୍ଭବ ନୁହେଁ । ତଥାପି ଲୋକଟି ପ୍ରତି ମିସ୍ ସ୍ପେଣ୍ଡରଙ୍କର ମାୟା ହେଲା ।

 

ସେ ତାକୁ ପୁଣି ପାଖକୁ ଡାକିଲେ । ପଚାରିଲେ,

 

“—: ମିସ୍ ଆଚାର୍ଯ୍ୟଙ୍କର ଆପଣ କୌଣସି ଆତ୍ମୀୟ ହୁଅନ୍ତି ?”

 

: ଖୁବ୍ ନିକଟ ଆତ୍ମୀୟ—ଆମେ ସାଙ୍ଗ ହୋଇ ପାଠ ପଢ଼ିବାକୁ ପ୍ୟାରିସ୍ ଆସିଥିଲୁ । ମୁଁ ଦୁଇଦିନ ପରେ ଇଣ୍ଡିୟା ଫେରିଯାଉଛି । ତାଙ୍କର ମଧ୍ୟ ଯିବାର ଥିଲା । ମୋଠାରୁ ତାଙ୍କର ଯିବା ବେଶୀ ଜରୁରୀ । ଅଥଚ ସେ ହଠାତ୍ ନିରୁଦ୍ଦିଷ୍ଟା ହୋଇଯାଇଛି—

 

: ତାଙ୍କର ବେଶି ଯିବା ଜରୁରୀ ବୋଲି କହିଲେ ଯେ ମୁଁ କିଛି ବୁଝି ପାରୁନାହିଁ । ତାଙ୍କର ଡକରେଟ ଥିସିସ୍‍ର ଫଳାଫଳ ପ୍ରକାଶ ପାଇନି । ତାଙ୍କର ଇଣ୍ଡିୟା ଫେରିବାର କାର୍ଯ୍ୟକ୍ରମ ଥିବା କଥା ଅନ୍ତତଃ ମତେ ଜଣା ନାହିଁ—

 

ମିସ୍ ସ୍ପେଣ୍ଡରଙ୍କ କଥା ଶୁଣି କମଲ୍‍ର ମୁହଁ କଳା ପଡ଼ିଗଲା ।

 

ସେ ଉତ୍ତେଜିତ ଭାବରେ କହିଲା, ଅଂଜଳି ଜୀବନରେ ହୁଏତ ସବୁଠାରୁ ବଳି ବିୟୋଗାନ୍ତକ ନାଟକ ଅଭିନୀତ ହେବାକୁ ଯାଉଛି । ସେ ଟ୍ରାଜେଡ଼ି ପାଖରେ ସମାଜ ବିଜ୍ଞାନର ଡକରେଟ ଡିଗ୍ରୀ ତୁଚ୍ଛ ବସ୍ତୁ । ଏଇ ତିନି ଚାରିଦିନ ମଧ୍ୟରେ କାଠମାଣ୍ଡୁରେ ପହଞ୍ଚି ନ ପାରିଲେ ସେ ହୁଏତ ତାର ମାଆଙ୍କୁ ଦେଖି ପାରିବ ନାହିଁ । ଆଚ୍ଛା ମାଡାମ୍ ! ମତେ ଆପଣ କହି ପାରିବେ । ସେ ବର୍ତ୍ତମାନ ଜେଲରେ ଅଛି କି ବାହାରେ ଅଛି ? ମୁଁ ଅନ୍ତତଃ ଶେଷ ଚେଷ୍ଟା କରି ଦେଖିବି—

 

: ଆଶ୍ଚର୍ଯ୍ୟ ! ମାଆ ଭୟଙ୍କର ଅସୁସ୍ଥ ବୋଲି ଜାଣି ସୁଦ୍ଧା ମିସ୍ ଆଚାର୍ଯ୍ୟ ବାହାର କାମରେ ନିଜକୁ ବୁଡ଼ାଇ ରଖିଛନ୍ତି !

 

: ହଁ—ନିଜ ମାଆଙ୍କ ପ୍ରତି ତୀବ୍ର ଅଭିମାନରେ ସେ ଭାରତ ଫେରିବାକୁ ଚାହୁଁନି । ବାପା ତାର ମାଆଙ୍କୁ ନଷ୍ଟ-ଆତ୍ମା ବୋଲି ସଂଦେହ କରି ଛାଡ଼ପତ୍ର ଦେଇଥିଲେ—ହୁଏତ ସେ ସଂଦେହ ତାଙ୍କ ମନରୁ ଲିଭି ଗଲାଣି, କିନ୍ତୁ ଯେଉଁ ମାଆ ନିଜ ଝିଅକୁ ବଞ୍ଚାଇ ରଖିବ ବୋଲି ସାରା ଜୀବନ ନିଜକୁ ଜାଳି ପୋଡ଼ି ନଷ୍ଟ କରିଦେଲେ ସେଇ ଝିଅ ନିଜ ମାଆକୁ ଘୃଣା କରି ଦୂରେଇ ରହିବାକୁ ଚାହୁଁଛି । ମାଡାମ୍ ! ଅଂଜଳି ଏଇ ଦୁଇ ତିନିଦିନ ମଧ୍ୟରେ ଇଣ୍ଡିୟାରେ ନ ପହଞ୍ଚିଲେ ତାର ମାଆଙ୍କୁ ହୁଏତ ସେ ଆଉ କେବେହେଲେ ଦେଖି ପାରିବ ନାହିଁ । ଆଜି ମୁଁ ଚିଠି ପାଇଛି—

 

ଇଣ୍ଡିଆ !

 

ମିସ୍ ଆଚାର୍ଯ୍ୟ ।

 

ସ୍ଵାମୀ ପରିତ୍ୟକ୍ତା ଜନନୀ !

 

ମିସ୍ ସ୍ପେଣ୍ଡର ଅନେକଦିନୁ ଦେଖିଥିବା ଗୋଟିଏ ଛବିର ଅସ୍ପଷ୍ଟ ଚିତ୍ରକୁ ମନେ ପକାଇବା ପାଇଁ ଚେଷ୍ଟା କରୁଥିଲେ ।

 

: ମିସ୍ ଆଚାର୍ଯ୍ୟଙ୍କ ବାପାଙ୍କ ନାମ ?

 

: ଚନ୍ଦ୍ରଭାନୁ ଆଚାର୍ଯ୍ୟ । ୧୯୪୨ ବ୍ରିଟିଶ ବିରୋଧୀ ଆନ୍ଦୋଳନର ବିପ୍ଳବୀ ନେତା, ବ୍ୟାଙ୍କ୍ ଲୁଣ୍ଠନ ବ୍ୟାପାରର ଫେରାର୍ ଆସାମୀ, ସ୍ଵାଧୀନ ଭାରତର ଜଣେ ପ୍ରାଦେଶିକ ମନ୍ତ୍ରୀ, ବର୍ତ୍ତମାନର ଭୂତପୂର୍ବ ମନ୍ତ୍ରୀ ଚନ୍ଦ୍ରଭାନୁ ଆଚାର୍ଯ୍ୟ ।

 

ଚନ୍ଦ୍ରଭାନୁ !

 

ମିସ୍ ସ୍ପେଣ୍ଡର ପୁଣିଥରେ ନାମଟା ଉଚ୍ଚାରଣ କରି ଚମକି ଉଠିଲେ । ଅନେକ ଦିନୁ ସ୍ମୃତି ପଟ୍ଟରେ ମଳିନ ହୋଇଯାଇଥିବା ଅତୀତର ସ୍ମୃତି ହଠାତ୍ ମନରେ ଚେଇଁ ଉଠିଲା । ଭାରତ ଛାଡ଼ି ଆସିବା ପରେ ଲଣ୍ଡନରେ ଚନ୍ଦ୍ରଭାନୁ ସହ ଦେଖା ହୋଇଥିଲା । ନିଜ ବିବାହିତ ଜୀବନର କାହାଣୀ ସେ ବର୍ଣ୍ଣନା କରିଥିଲା ତା ଆଗରେ । ତାର ସ୍ମୃତିକୁ ଭୁଲି ନପାରି କିପରି ତାର ବିବାହିତ ଜୀବନ ନଷ୍ଟ ହୋଇ ଯାଇଥିଲା—ଅକାରଣରେ ସେ ନିଜ ବିବାହିତା ପତ୍ନୀ, କନ୍ୟାକୁ ଛାଡ଼ପତ୍ର ଦେଇଥିଲା–ସବୁକଥା ସେଦିନ ନାଇଟ୍ କ୍ଳବରେ ବର୍ଣ୍ଣନା କରିଥିଲା ଚନ୍ଦ୍ରଭାନୁ ।

 

ଆଉ ମିସ୍ ଆଚାର୍ଯ୍ୟ ତାର କନ୍ୟା !

 

: ଆପଣ ଅଞ୍ଜଳିର ବାପାଙ୍କୁ ଜାଣନ୍ତି ?

 

କମଲ୍‍ର ମୁହଁରେ ବିସ୍ମୟ ଆଉ କୌତୁହଳ ଭିଡ଼ କରି ଆସୁଥିଲା ।

 

: ହଁ—ଜାଣେ । ଖୁବ୍ ଭଲ କରି ଜାଣେ । ମୋ ବାପା ଥିଲେ ବ୍ରିଟିଶ ଇଣ୍ଡିୟାର ଜଣେ ଜିଲ୍ଲା କଲେକ୍ଟର । ପ୍ରଥମେ ଚନ୍ଦ୍ରଭାନୁ ଆଚାର୍ଯ୍ୟ ତାଙ୍କର ଅଧୀନରେ ଡେପୁଟି କଲେକ୍ଟର ଭାବରେ କାର୍ଯ୍ୟ କରୁଥିଲା । ସେଇ ସୂତ୍ରରେ ତା ସହିତ ମୋର ପରିଚୟ । ସେ ମନ୍ତ୍ରୀ ହେଲା ପରେ ଲଣ୍ଡନରେ ମଧ୍ୟ ଦେଖା ହୋଇଥିଲା ।

 

: ମାଡାମ୍ ! ତାହାହେଲେ ଆପଣ ମତେ ଟିକିଏ ସାହାଯ୍ୟ କରନ୍ତୁ । ଅଞ୍ଜଳିର ପାରିବାରିକ ଜୀବନରେ ଏକ ବିୟୋଗାନ୍ତକ ନାଟକ ଅଭିନୀତ ହେବାକୁ ଯାଉଛି । ମୁଁ ସମ୍ବାଦ ପାଇଛି ଅଞ୍ଜଳି ପ୍ୟାରିସ୍-ଛାତ୍ର ଆନ୍ଦୋଳନରେ ଯୋଗ ଦେବା କଥାଶୁଣି ଏକ ପ୍ରକାର ପାଗଳିନୀ ହୋଇ ଯାଇଛନ୍ତି—

 

: ମୁଁ ନିଶ୍ଚୟ ଚେଷ୍ଟା କରିବି । ମିସ୍ ଆଚାର୍ଯ୍ୟଙ୍କ ପ୍ରତି ମୋର ମଧ୍ୟ କିଛି କର୍ତ୍ତବ୍ୟ ଅଛି । ତମେ ଆଉ ଦୁଇଟା ପ୍ଳେନ୍ ଟିକେଟ କିଣି ନିଅ । ଆମେ ସମସ୍ତେ ଇଣ୍ଡିୟା ଫେରିଯିବା । ମୁଁ ମିସ୍ ଆଚାର୍ଯ୍ୟଙ୍କୁ ନିଶ୍ଚୟ ବୁଝାଇ ରାଜି କରାଇ ନେବି—

 

କମଲ୍ ସନ୍ଦେହୀ ଦୃଷ୍ଟିରେ ଚାହିଁଲା ମିସ୍ ସ୍ପେଣ୍ଡରଙ୍କୁ ।

 

ସ୍ତ୍ରୀ ଲୋକ ଜଣକ ସତ କହୁଛି ନା ପରିହାସରେ ମିଛ କହୁଛି !

 

ମିସ୍ ସ୍ପେଣ୍ଡରଙ୍କ ଶଙ୍କଶୁଭ୍ର ନଗ୍ନଜାନୁରେ ମଥା ରଖି କଇଁ କଇଁ ହୋଇ କାନ୍ଦୁଥିଲା ଅଞ୍ଜଳି-। ଗଭୀର ସ୍ନେହରେ ମିସ୍ ସ୍ପେଣ୍ଡର ତାର ମୁଣ୍ତର ଅଲଗା କେଶଗୁଡ଼ିକୁ ସଜାଡ଼ି ଦେଉଥିଲେ-। ଆଇଭି ଲତାର ପତ୍ର ଦୋହଲାଇ ବହି ଆସୁଥିବା ଶୀତଳ ସମୀରଣ ତାର ଶୋକ ସଂତପ୍ତ ଦେହକୁ ଧୀରେ ଧୀରେ ଆଉଁସି ଦେଇ ଯାଉଥିଲା ।

 

ଆଜି ଆଇନାର କାଚରେ ନିଜର ଅସଲ ଚେହେରା ଦେଖୁଛି ଅଞ୍ଜଳି । ମିସ୍ ସ୍ପେଣ୍ଡର ତା ଆଖି ସାମ୍ନାରେ କାଚ ଆଇନାକୁ ଟେକି ଧରିଛନ୍ତି ।

 

: ଚନ୍ଦ୍ରଭାନୁର ସେ ଅଧୋଃପତନ ପାଇଁ ମୁଁ ଅନେକ ପରିମାଣରେ ଦାୟୀ । ଅବିବାହିତ ବୟସରେ ମୋ ପାଇଁ ତା ମନରେ ଅନେକ ସ୍ଵପ୍ନ ନୀଡ଼ ରଚନା କରିଥିଲା । ମୋ ପାଇଁ ସେ ସାଜିଥିଲା ଦେଶଦ୍ରୋହୀ । ଭାରତୀୟ ସ୍ଵାଧୀନତା ସଂଗ୍ରାମର ଗୋପନ ସମ୍ବାଦ ବାବାଙ୍କୁ ଆଣି ଦେଇଥିଲା । ମତେ ନ ପାଇବାର ମାନସିକ ଯନ୍ତ୍ରଣା ତାର ଜୀବନକୁ ଭିନ୍ନମୁଖୀ କରି ଦେଲା । ତମର ଜନନୀଙ୍କୁ ବିବାହ କରି ସୁଦ୍ଧା ସେ ମତେ ବୁଲି ପାରିଲା ନାହିଁ । ତମ ମାଆଙ୍କୁ ତ୍ୟାଗ କରିବା ମୂଳରେ ତାଙ୍କ ଚରିତ୍ର ସଂପର୍କରେ ମିଥ୍ୟା ସଂଦେହ ଯେତେ ନଥିଲା, ମତେ ଭୁଲି ପାରି ନଥିବାର ମାନସିକ ବିପର୍ଯ୍ୟୟ ଥିଲା ତାଠାରୁ ବେଶି । ସେ ମୋ ଠାରୁ ଯାହା ଚାହୁଁଥିଲା, ମୁଁ ତାକୁ ତାହା ଦେଇ ପାରି ନ ଥିଲି । ଦେଇ ପାରିଥିଲେ ହୁଏତ ତା ଜୀବନର ଗତି ଭିନ୍ନ ପ୍ରକାର ହୋଇଥାଆନ୍ତି ।

 

ଅଞ୍ଜଳି ମିସ୍ ସ୍ପେଣ୍ଡରଙ୍କ କଥା ଶୁଣୁଥିଲା ଆଉ ଆଖିର ଲୁହରେ ତାଙ୍କର ନଗ୍ନ-ନିଟୋଳ ଜଙ୍ଘକ ଓଦା କରୁଥିଲା । ଜୀବନର ଯନ୍ତ୍ରଣା ଭୁଲିବା ପାଇଁ ମାଆ ତାର ହିନ୍ଦି ଫିଲ୍ମର ଅଭିନେତ୍ରୀ ହୋଇଥିଲା । ଆଜି କିନ୍ତୁ ନିଜେ ସେ ଦେଖୁଛି ତା ଜୀବନର ଘଟଣା ପ୍ରବାହ ଏକ ବକ୍‍ସ ଅଫିସ ହିଟ୍ କରିଥିବା କୌଣସି ହିନ୍ଦି ଫିଲ୍ମର କାହାଣୀ ହୋଇଗଲା ।

 

ମିସ୍ ସ୍ପେଣ୍ଡର କହୁଥିଲେ, ତମେ ସମାଜ ବିଜ୍ଞାନର ଛାତ୍ରୀ । ମନୋବିଜ୍ଞାନର ଏ ରହସ୍ୟ ତମେ ଠିକ୍ ବୁଝିପାରିବ କି ନାହିଁ ମୁଁ ଜାଣେ ନା । ତମ ଫାଦର୍ ଚନ୍ଦ୍ରଭାନୁ ସହିତ ଲଣ୍ଡନରେ ଦେଖା ନ ହେବା ପର୍ଯ୍ୟନ୍ତ ସେକଥା ମଧ୍ୟ ମୁଁ ବୁଝି ପାରି ନଥିଲି । ଜଣେ ଜଣେ ନାରୀକୁ ନ ପାଇବାର ବ୍ୟର୍ଥତା ଗୋଟିଏ ଗୋଟିଏ ପୁରୁଷ ଜୀବନକୁ ଏପରି ବିପର୍ଯ୍ୟସ୍ତ କରିଦିଏ ବୋଲି ମତେ ଜଣା ନ ଥିଲା । ସତ କହିବାକୁ ଗଲେ ମତେ ନ ପାଇ ଚନ୍ଦ୍ରଭାନୁ ଅନେକ ପରିମାଣରେ ହିଂସ୍ର ହୋଇ ଉଠିଥିଲା । ଥରେ ମଣିଷ ହିଂସ୍ର ହୋଇ ଉଠିଲେ ସେ ପଶୁଠାରୁ ବଳି ହୀନ ହୋଇଯାଏ । ତମ ଜନନୀଙ୍କୁ କଳଙ୍କିନୀ ବୋଲି ଅପବାଦ ଦେଇ ତ୍ୟାଗ କରିବା ତାର ମାନସିକ ହିଂସ୍ରତାର ପରିଣତି ।

 

ଅନେକ ବିଳମ୍ବରେ ଅଞ୍ଜଳି ମିସ୍ ସ୍ପେଣ୍ଡରଙ୍କ ଆଡ଼କୁ ଦୃଷ୍ଟି ତୋଳି ଚାହିଁଲା । ଅଶ୍ରୁ-ମଳିନ ଦୃଷ୍ଟିରେ କହିଲା, ମାଆ ଉପରେ ଏକ ଆହତ ଅଭିମାନ ଓ ବାବାଙ୍କ ପ୍ରତି ତୀବ୍ର ଘୃଣାକୁ ପୁଞ୍ଜି କରି ଏତେ ଗୁଡ଼ାଏ ଦିନ ମୁଁ ଏ ପ୍ୟାରିସ୍ ସହରରେ ବଞ୍ଚିଛି । ଆପଣଙ୍କ କଥା ଶୁଣିଲା ପରେ ବାବାଙ୍କୁ ମୁଁ ଘୃଣା କରି ପାରୁନି, ହତଭାଗିନୀ ମାଆ ଉପରେ ମଧ୍ୟ ଅଭିମାନ କରି ପାରୁନି । ବଞ୍ଚିବାର ପୁଞ୍ଜି ମୋର ଶେଷ ହୋଇ ଯାଇଛି । ନିଜକୁ ଆଜି ମୁଁ ସବୁଠାରୁ ବଳି ଅସହାୟା ମନେ କରୁଛି । ବଞ୍ଚିବାର ରାସ୍ତା ମତେ ଆଉ ଦେଖା ଯାଉନାହିଁ ।

 

ଅଞ୍ଜଳିକୁ ନିଜ କୋଳ ଉପରୁ ଛାତି ଉପରକୁ ଟାଣି ଆଣିଲେ ମିସ୍ ସ୍ପେଣ୍ଡର । ମମତା-ସଜନ କଣ୍ଠରେ କହିଲେ, ମାଇ ଲଭ୍ ! ଘୃଣା ହିଂସାଠାରୁ ବଳି ଶତ୍ରୁ ମଣିଷର ଆଉ କିଛି ନାହିଁ । ଏଇ ହିଂସା ଏବଂ ଘୃଣା ମଣିଷକୁ ପଶୁ କରି ଦେଇଛି । ସେଇଥିପାଇଁ ପରମାଣୁ ଅସ୍ତ୍ର ତିଆରି ହୋଇଛି । ଭିଏତନାମ, ଇଣ୍ଡୋଚୀନ ପ୍ରଭୃତି ପୃଥିବୀର ଚାରିଆଡ଼େ ଯୁଦ୍ଧର ଦାବାଗ୍ନି ଜଳି ଉଠିଛି । ବ୍ୟକ୍ତିଗତ ଜୀବନର ହିଂସା, ଘୃଣା, ରାଷ୍ଟ୍ରଜୀବନକୁ ସଂକ୍ରମିତ ହୁଏ । ତାର ଅବସାନ ନ ଘଟିଲେ ଆମର କାହାରି ଜୀବନ ନିରାପଦ ନୁହେଁ । ଘୃଣା ବଞ୍ଚିବାର ପୁଞ୍ଜି ହୋଇ ପାରେନା । ତମେ ତମ ବାବାଙ୍କୁ କ୍ଷମାକର, ଦେଖିବ ତମ ଜୀବନର ଗୁରୁଭାର ଅନେକ ପରିମାଣରେ ଲାଘବ ହୋଇଯାଇଛି ।

 

: କିନ୍ତୁ...କିନ୍ତୁ ମୁଁ ସେମାନଙ୍କୁ ନିଜର ମୁହଁ ଦେଖାଇ ପାରିବି କିପରି ? ବାବାଙ୍କୁ ହେତୁ ପାଇଲା ଦିନୁ କେବଳ ମୁଁ ଘୃଣା କରି ଆସିଛି—

 

: ହୁଏତ ସେ ଘୃଣାର ପାତ୍ର । ସେଥିପାଇଁ ଅବଶୋଷ କରି କିଛି ଲାଭ ନାହିଁ । କିନ୍ତୁ ତମ ମାଆ ! ଯେ ବିନା ଅପରାଧରେ ସାରା ଜୀବନ କେବଳ ଶାସ୍ତି ପାଇଲେ, ମୁହୂର୍ତ୍ତେ ହେଲେ ଶାନ୍ତି ପାଇଲେ ନାହିଁ, ତାଙ୍କ କଥା କଅଣ ତମର ମନେ ପଡ଼େନା ! ତମର ସେ ଭାରତୀୟ ବନ୍ଧୁ କହୁଥିଲେ ତମଠାରୁ ଚିଠିପତ୍ର ନ ପାଇ ସେ ପ୍ରାୟ ପାଗଳିନୀ ହୋଇ ଯାଇଛନ୍ତି ।

 

ମାଆଙ୍କ କଥା ଶୁଣି ଅଞ୍ଜଳି ମୁହଁ ତୋଳି ମିସ୍ ସ୍ପେଣ୍ଡରଙ୍କ ମୁହଁକୁ ଚାହିଁଲା । ରୋଜାଲିନାଙ୍କ ରେଖାବହୁଳ ମୁହଁ, ଉଜ୍ଜଳ ଉଦାର ଆଖିରେ ସେ ଯେମିତି ନିଜ ମାଆଙ୍କ ମୁହଁ, ନିଜ ମାଆଙ୍କ ଚାହାଣୀ ଦେଖି ପାରୁଥିଲା !!

 

ମାଆ ! ମାଆ !

 

ଅଞ୍ଜଳିକୁ ସାରା ପ୍ୟାରିସ ସହର ଅନ୍ଧକାର ଦେଖାଗଲା । ଆକାଶରୁ ସୂର୍ଯ୍ୟର ଦୀପ୍ତି ଯେପରି ମଳିନ ପଡ଼ିଯାଇଛି, ଚାରିଆଡ଼ ଅନ୍ଧକାର, ସେମିତି । ତାପରେ ସେ ବୁକୁଫଟା କାନ୍ଦଣାରେ ଭାଙ୍ଗି ଲୋଟିପଡ଼ିଲା ରୋଜାଲୀନାଙ୍କ ବୁକୁ ଉପରେ !

 

ମାଆ ତାକୁ ଡାକୁଛି ।

 

ଆଉ ଜଣଙ୍କ ବୁକୁରେ ସେ ମୁହଁଜାକି କାନ୍ଦୁଛି, ଇଚ୍ଛା କରିଥିଲେ ଯେ ତାର ମାଆ ହୋଇ ପାରିଥାଆନ୍ତେ !

 

ଗୋଟିଏ ଗୋଟିଏ ମୁହୂର୍ତ୍ତର ଭୁଲ୍, ଗୋଟିଏ ଗୋଟିଏ ମୁହୂର୍ତ୍ତର ନିଷ୍ପତ୍ତି ଜୀବନର ଗତିକୁ ଓଲଟ ପାଲଟ କରିଦିଏ ।

 

ଅଂଜଳିକୁ ଫେରିଯିବାକୁ ହେବ ।

 

ନିୟତି ତାର ହାତ ଧରି ଟାଣୁଛି, ଯେଉଁ ନିୟତିକୁ ସେ ସ୍ୱୀକାର କରି ନ ଥିଲା, ବିଶ୍ୱାସ କରି ନ ଥିଲା ।

 

ଏୟାରପୋର୍ଟ ଲାଉଞ୍ଜରେ ଜିନ୍‍ ଆଉ ଅଞ୍ଜଳି ପାଖାପାଖି ଦୁଇଟି ସୋଫାରେ ବସିଥିଲେ । ଅଳ୍ପ ଦୂରରେ ରୋଜାଲିନା ଆଉ କିଟି । କମଲ୍ ବାହାରେ ଠିଆ ହୋଇ ସିଗାରେଟ ଟାଣୁଥିଲା ଏବଂ ଆକାଶରୁ ଅବତରଣ କରୁଥିବା ପ୍ଳେନ୍ ଗୁଡ଼ିକୁ ଛୋଟ ଶିଶୁଭଳି ନିର୍ବୋଧ, କୌତୁହଳୀ ଦୃଷ୍ଟିରେ ଚାହୁଁଥିଲା ।

 

ଏୟାରପୋର୍ଟରେ ପ୍ରବେଶ କରିବା ପରଠାରୁ ଜିନ୍‍ ମୌନ ହୋଇଯାଇଛି । ଆଉ ହୁଏତ ଅଞ୍ଜଳିକୁ ପ୍ୟାରିସ୍‍ର ଛାତ୍ର ଆନ୍ଦୋଳନ ସଂପର୍କରେ କିଛି କହିବାର ଆବଶ୍ୟକତା ତାର ନ ଥିଲା । ଆଉ କିଛି ସମୟ ପରେ ଅଞ୍ଜଳିର ପ୍ଳେନ୍ ଆସିଯିବ । ପ୍ୟାରିସ୍‍ର ବନ୍ଧନ ଛିନ୍ନକରି ଅଞ୍ଜଳି ଉଡ଼ିଯିବ ହଜାର ହଜାର ମାଇଲ ଦୂରକୁ, ଦିଲ୍ଲୀ, କାଠମାଣ୍ଡୁ । ଆଉ ହୁଏତ ସେ ପ୍ୟାରିସ୍ ଫେରିବ ନାହିଁ । ଡିଗଲ ସରକାର କର୍ତ୍ତୃତ୍ଵ ମୁକ୍ତ ପ୍ୟାରିସ୍ ତାକୁ ସମ୍ଭବତଃ ଆଉ କେବେହେଲେ କୋଳାଗ୍ରତ କରିବ ନାହିଁ । ତାକୁ ଏ ବିଦାୟ ବେଳାରେ ପ୍ୟାରିସ୍‍ର ଛାତ୍ର ଆନ୍ଦୋଳନ ସଂପର୍କରେ କିଛି କହିବା ନିରର୍ଥକ-। ତା ଛଡ଼ା ତାକୁ ସେ ଆଉ କଅଣ କହିପାରେ ?

 

ଅଂଜଳି ପ୍ରଥମେ ନୀରବତା ଭଙ୍ଗକଲା ।

 

: ଜିନ୍‍ ! ତମେ ବେଶି ସମୟ ଚୁପ୍‍ଚାପ୍ ରହିଲେ ଭାରି ଭୟଙ୍କର ଦେଖାଯାଅ । ଏ ହୁଏତ ଆମର ଶେଷ ଦେଖା । ମୋ କଥା ତମର ମନେ ରହିବ ?

 

ଜିନ୍‍ର ଗମ୍ଭୀର ମୁହଁରେ ହସର ଆଲୋଡ଼ନ ଦେଖାଗଲା ।

 

ସେ କହିଲା, ମୋ ଆପାର୍ଟମେଣ୍ଟ ଆଗରେ ଯେଉଁ ଚେଷ୍ଟନାଟ୍ ଗଛ, ବସନ୍ତର ହାୱା ବାଜି ସେ ଗଛର ସବୁଜ ପତ୍ର ସବୁ ଯେତେବେଳେ ସୁନେଲି ଆଭା ଧରି ଆସିବ ସେତେବେଳେ ନିଶ୍ଚୟ ତମ କଥା ମୋର ମନେ ପଡ଼ିବ । ମୋ ମନର ପୋଡ଼ା ଭୂଇଁରେ ତମେ ଚିରଦିନ ଏକ ସତେଜ ସୁନେଲି ପତ୍ର ଭରା ଚେଷ୍ଟନାଟ୍ ଗଛ ।

 

ନୀରବତା ଏଥରକ ଅଞ୍ଜଳିର ମୁହଁକୁ ଗ୍ରାସ କରିଗଲା । ସେ ଭୁଲିଗଲା ତାର ଅତୀତ, ତାର ଭବିଷ୍ୟତ । ଜଣେ ପୁରୁଷର କଥା ବେଳେ ବେଳେ ନାରୀର ମନରୁ ଏମିତି ସବୁ କଥା ଭୁଲେଇ ଦିଏ । କିଏ ଜାଣିଥିଲା ଜିନ୍‍ ହେଉଛି ତା ଜୀବନରେ ଏମିତି ଜଣେ ପୁରୁଷ !

 

ଆଉ ଅଳ୍ପ କିଛି ସମୟ ପରେ ପ୍ଲେନ୍ ଆସିଯିବ । ଅଥଚ ଜିନ୍‍କୁ ତାର ଅନେକ କଥା କହିବାର ଅଛି । କେଉଁକଥା ଆଗ କହିବ, କେଉଁ କଥା ଅକୁହା ରହିଗଲେ ସୁଦ୍ଧା ମନରେ ଅବଶୋଷ ରହିବ ନାହିଁ, ସେ କଥା ଭାବୁ ଭାବୁ ହୁଏତ ପ୍ଲେନ୍ ଆସିଯିବ । କୌଣସି କଥା କହି ହେବ ନାହିଁ । ଅଞ୍ଜଳି ଭାବୁଥିଲା ।

 

ଜିନ୍‍ ଭାବୁଥିଲା ଅଞ୍ଜଳିକୁ ଚେଷ୍ଟନାଟ୍ ଗଛର ସୁନେଲି ଆଭା ସହିତ ତୁଳନା କରି ସେ ବୋଧହୁଏ ତା ପ୍ରତି ନ୍ୟାୟ କଲା ନାହିଁ । ଅଞ୍ଜଳି ଯେମିତି ତାଠାରୁ ଆହୁରି ଅଧିକ କିଛି । ସେ ତା ପାଇଁ “ହରେଖ୍ରୀଷ୍ଣ ହରେ ରାମ” । ସେ ତା ପାଇଁ “ଆଞ୍ଜୁଳା ଆଞ୍ଜୁଳା ସ୍ଵପ୍ନ, ଏକ ମୁଠା ମୃତ୍ୟୁର ଚେତନା ।” ସେ ଏମିତି କିଛି, ଯାହାକୁ ବର୍ଣ୍ଣନା ଠିକ୍ ଭାଷାରେ ବର୍ଣ୍ଣନା କରା ଯାଇପାରେନା । ପ୍ରଥମ ସାକ୍ଷାତରୁ ସେ ତାକୁ ଅତୁଳନୀୟା ମନେ ହୋଇଥିଲା । ଏଲ, ଏସ, ଡ଼ି ପିଲ୍ ଠାରୁ ଅଧିକ ସ୍ନାୟୁ ଉତ୍ତେଜକ,ମୁକ୍ତିଠାରୁ ବଳି ବେଶି ଆକର୍ଷଣୀୟ, ମୃତ୍ୟୁଠାରୁ ବଳି ଆହୁରି ଶୀତଳ ଆହୁରି ନିସ୍ତବ୍ଧ !

 

: ଏଞ୍ଜେଲ ! ଇଣ୍ଡିଆରେ ପହଞ୍ଚି ତମେ ହଜାଇଥିବା ଅନେକ କଥା ଫେରି ପାଇବ । କିନ୍ତୁ ତମେ ମନେ ରଖିବ କି ତମର ଗୃହ-ପ୍ରତ୍ୟାବର୍ତ୍ତନ ଫଳରେ ଏଠାରେ ଆଉ ଜଣେ ମଣିଷ ଖୁବ୍ ଏକ ମୂଲ୍ୟବାନ ଜିନିଷ ହରାଇଲା, ଯେଉଁ ହରାଇବା ଜିନିଷର ଅନ୍ୟ କୌଣସି କ୍ଷତିପୂରଣ ନାହିଁ !

 

ଜାଣି ଶୁଣି ଜିନ୍‍ ବୋଧହୁଏ ‘ଜଣେ ପୁରୁଷ’ ବଦଳରେ “ଜଣେ ମଣିଷ” ଶବ୍ଦଟି ବ୍ୟବହାର କରିଥିଲା । ତାର ସେ ଇଚ୍ଛାକୃତ ସତର୍କ-ସଂଯମ ଅଞ୍ଜଳି ଓଠରେ ହସ ସଂଚାର କଲା ।

 

ସେ କହିଲା, ଠିକ୍ ଜାଣେନା । ଭାରତବର୍ଷରେ ଯାହା ମୁଁ ପାଇବି ତାହା ହୁଏତ ମୋର ପ୍ରାପ୍ୟ ନ ଥିଲା । ଅନେକ ଦିନୁ ବାପା ମାଆଙ୍କ ସହିତ ହରାଇଥିବା ସଂପର୍କ ଫେରି ପାଇଲା ପରେ ମୁଁ ସୁଖୀ ହେବି କି ନାହିଁ ସେ କଥା ମଧ୍ୟ ମତେ ଜଣା ନାହିଁ । ଏତେ ଦିନର ବିଚ୍ଛିନ୍ନତା ମତେ କେମିତି ସେ ସବୁ ଜିନିଷ ପ୍ରତି ନିର୍ଲିପ୍ତ କରି ଦେଇଛି । ମତେ କେବଳ ରକ୍ତର ବନ୍ଧନ ଟାଣୁଛି, ମନର ବନ୍ଧନ ନୁହେଁ । ଆଜି କେମିତି ସଂଦେହ ହେଉଛି ତମ ସହିତ ହିଁ ମୋର ଥିଲା ମନର ବନ୍ଧନ; ସେଥିପାଇଁ ବିନା ସ୍ୱାର୍ଥରେ ସୁଦ୍ଧା ଦ୍ଵିତୀୟ ଫରାସୀ ବିପ୍ଳବ ପାଇଁ ତମ ସହିତ ମୃତ୍ୟୁର ସାମ୍ନା କଲାବେଳେ ମୁଁ କେବେ ଶଙ୍କିତ ହୋଇ ନଥିଲି ।

 

ନୀରବ ହୋଇଗଲା ଅଞ୍ଜଳି । ଖୁବ୍ ବେଶି କହି ହୋଇଗଲା ବୋଲି ତାର ହୁଏତ ମନରେ ଭୟ ହେଲା ।

 

ଜିନ୍‍ ଆଖିର ଚାହାଣୀରେ କିନ୍ତୁ ଏକ ଆଶ୍ଚର୍ଯ୍ୟ ଅବୋଧ୍ୟ ଭାବ ।

 

: ଏଞ୍ଜେଲ୍ ! ଏ ସବୁ ଦୃତଗାମୀ ଜେଟ୍ ପ୍ଲେନ୍, ପୃଥିବୀର ଭୌଗୋଳିକ ଦୂରତ୍ଵ କମେଇ ଦିଅନ୍ତି; କିନ୍ତୁ ଆଜି ସେ ଆମ ଦୁହିଁଙ୍କ ଭିତରେ ମନର ଦୂରତ୍ଵ ବଢ଼େଇ ଦେବାକୁ ଚାହୁଁଛି । ଏ ଦୃତଗାମୀ ପ୍ଲେନ୍ ଗୁଡ଼ାକ ଅତି ନୃଶଂସ, ଅତି ଭୟଙ୍କର । ନା !

 

ମାଇକରେ ଘୋଷକର କଣ୍ଠସ୍ଵର ଶୁଣାଯାଉଛି । ହୁଏତ ଆଉ ଅଳ୍ପ କିଛି ସମୟ ପରେ ସେମାନଙ୍କ ପ୍ଲେନ୍ ସେମାନଙ୍କୁ ବହି ନେବା ପାଇଁ ଏରୋଡ୍ରମରେ ଲାଣ୍ଡ୍ କରିବ । ଖୁବ୍ ଦ୍ରୁତବେଗରେ ସେମାନଙ୍କ ଆଡ଼କୁ କମଲ୍ ଆସୁଥିବା ଜିନ୍‍ ଲକ୍ଷ୍ୟ କଲା ।

 

: ଏଞ୍ଜେଲ୍ ! ଏଇ ଇଣ୍ଡିୟାନ୍ କଅଣ ସତରେ ତମର ଭାବି-ସ୍ଵାମୀ ? କାଲି ସନ୍ଧ୍ୟାବେଳେ ସେ ମତେ କହିଲା ଯେ, ଇଣ୍ଡିୟାରେ ତମର କୁଆଡ଼େ ପ୍ରଥମ କାମ ହେବ ତାକୁ ବିବାହ କରିବା !

 

ଅଂଜଳି କମଲ୍‍ର ସେ କାଳ୍ପନିକ କାହାଣୀ ପ୍ରଚାରରେ ଇତଃସ୍ତତ ହେଲା ନାହିଁ । ସେ ନିମ୍ନ କଣ୍ଠରେ କହିଲା, ମୋର ସ୍ଵାମୀ ହେବାର ତାର କୌଣସି ଚାନ୍‍ସ ନାହିଁ । ମୋ ଜୀବନରେ କିନ୍ତୁ ତାର ନିୟତିର ଭୂମିକା । ମିସ୍ ସ୍ପେଣ୍ଡରଙ୍କୁ ସେ ମୋ ପାରିବାରିକ ଜୀବନର ସବୁକଥା କହି ନ ଥିଲେ ହୁଏତ ମୋ ବାବାଙ୍କ ସହ ମିସ୍ ସ୍ପେଣ୍ଡରଙ୍କ ଅତୀତ ସଂପର୍କ କଥା ମୁଁ ଜାଣି ପାରି ନ ଥାନ୍ତି । ମତେ ହୁଏତ ଏତେ ଶୀଘ୍ର ପ୍ୟାରିସ୍ ଛାଡ଼ିବାକୁ ପଡ଼ି ନଥାନ୍ତା । ଜିନ୍‍ ! ତମେ ଜାଣନା, ଏଇ ଆଣବିକ ଅସ୍ତ୍ର ବିରୋଧୀ ଆନ୍ଦୋଳନର ନେତ୍ରୀ ଦିନେ ଥିଲେ ମୋ ବାବାଙ୍କର ମନର ଅଧ୍ୟଷ୍ଠାତ୍ରୀ ଦେବୀ ! ତାଙ୍କ ପାଇଁ ଆମ ପାରିବାରିକ ଜୀବନର ଏତେ ଝଡ଼ ଝଂଜା !

 

ଜିନ୍‍ କିଛି ଉତ୍ତର ଦେବା ଆଗରୁ କମଲ୍ ଆସିଗଲା ।

 

କହିଲା, ଅଂଜୁ ! ପ୍ଲେନ୍ ଆସିଗଲା । ଏଥର ଉଠ ।

 

ତା ପରେ ସେ ତୀର୍ଯ୍ୟକ ଦୃଷ୍ଟିରେ ଜିନ୍‍କୁ ଚାହିଁଲା । ସେ ବୋଧହୁଏ ତାକୁ ବୁଝାଇ ଦେବାକୁ ଚାହୁଁଥିଲା, ପ୍ରତିଦ୍ୱନ୍ଦିତାରେ ମୁଁ ଆଜି ତମକୁ ହରାଇ ଦେଇଛି ।

 

କମଲ୍ ଚାଲିଯିବା ପରେ ଅଂଜଳି ଉଠି ଠିଆହେଲା ।

 

ଲକ୍ଷ୍ୟ କଲା ସ୍ଫଟିକ ବିନ୍ଦୁ ଭଳି ଟୋପାଏ ଲୁହ ଜିନ୍‍ ଆଖିକୋଣରେ ଚିକ୍ ଚିକ୍ କରୁଛି ।

 

: ଜିନ୍‍ ! ତମେ କାନ୍ଦୁଛ ?

 

: ଏଂଜେଲ ! ହଂଙ୍କ ଏୟାରପୋର୍ଟରେ ଏମିତି ଏକ ପ୍ଲେନ୍ ଆନେକୁ, ମୋର ପ୍ରଥମ ପ୍ରଣୟକୁ ମୋ ଠାରୁ ବିଚ୍ଛିନ୍ନ କରି ନେଇଥିଲା । ଆଜି ଉଡ଼ାଜାହାଜ ମୋ ଜୀବନର ଶେଷ ଶାନ୍ତ୍ୱନା, ତମକୁ ମୋଠାରୁ ଛଡ଼ାଇ ନେଉଛି । ମୁଁ ଆଜି ସତରେ ବୋଧହୁଏ ସର୍ବହରା ହୋଇଗଲି ।

 

ଯତ୍ନ କରି ଅଂଜଳି ନିଜ ମନକୁ ସଂଯତ କଲା । ଏକ ଅନିବାର୍ଯ୍ୟ ବିଛେଦକୁ ଶେଷ ମୁହୂର୍ତ୍ତରେ ସେ ଟ୍ରାଜେଡ଼ରେ ପରିଣତ କରିବାକୁ ଚାହୁଁ ନ ଥିଲା । ସେମାନେ କେତୋଟି ମୁହୂର୍ତ୍ତ କେହି କାହାକୁ କିଛି ନ କହି ନୀରବ ରହିଲେ ।

 

ତା ପରେ ଜିନ୍‍ର ବ୍ୟାକୁଳ କଣ୍ଠସ୍ୱର, ତମ ସହିତ କଅଣ ମୋର ଆଉ କେବେ ଦେଖା ହେବନାହିଁ ?

 

ମାଇକରେ ଘୋଷଣା କରାଯାଉଛି, ପ୍ଲେନ୍ ଛାଡ଼ିବା ବେଳ ହୋଇଗଲାଣି ।

 

ତରତରରେ ଜିନ୍‍କୁ ଉତ୍ତର ଦେଲା ଅଂଜଳି, ଦେଖା ହେବ ଯଦି ତୁମେ ପୁର୍ନଜନ୍ମରେ ବିଶ୍ଵାସ କର ।

 

ସେ ଆଉ କିଛି କହିବା ଆଗରୁ ପାଖରେ ଆସି ଠିଆ ହେଲା ଟିକି । ଜିନ୍‍ ଆଖିରୁ ଲୁହ ପୋଛି ନେଲା । କିଟିର ଛୋଟା ଗୋଡ଼କୁ ଲକ୍ଷ୍ୟ କରି ଅଂଜଳିର ମନେ ହେଲା ସେମାନେ ସମସ୍ତେ ଜଣେ ଜଣେ ଖଂଜ । ସେମାନେ ଆଶ୍ରୟ ଚାହାନ୍ତି । କିଟିର ଆଶ୍ରୟ ଏକ ଷ୍ଟିକ୍ ସେମାନଙ୍କର ହୁଏତ କିଛି ନାହିଁ !

 

କିଟି ଆଉ ଜିନ୍‍କୁ ଛାଡ଼ି କମଲ୍ ଆଉ ମିସ୍ ସ୍ପେଣ୍ଡରଙ୍କ ପାଖକୁ ନିଜ ପାଦକୁ ଟାଣି ଟାଣି ନେଲା ଅଂଜଳି ।

 

କିଛି ସମୟ ପରେ ଜିନ୍‍ ଲକ୍ଷ୍ୟକଲା, ପ୍ୟାରିସ୍‍ର ମଧ୍ୟାହ୍ନ ଆକାଶରେ ଏଂଜେଲ୍‍ର ପ୍ଳେନ୍ ଉଡ଼ୁଛି ଛୋଟ ଚଢ଼େଇଭଳି । ସତରେ କେଉଁ ସ୍ଵର୍ଗପୁରୀର ପରୀ କନ୍ୟା ପରି ଏଂଜେଲ୍ ମହାଶୂନ୍ୟକୁ ଉଡ଼ି ଯାଉଛି ।

 

ଏଇ ଅଳ୍ପ କେତେ ସମୟ ଆଗରୁ ଅଂଜଳି ଥିଲା ତା ପାଖରେ ଏକ ପରମ ଦର୍ଶନୀୟ ରୂପ, ବର୍ତ୍ତମାନ ସେ କେବଳ ଏକ ରୂପକଥା ।

★★★

 

 

 

 

 

 

 

 

 

 

 

॥ ଚନ୍ଦ୍ରଭାନୁ ॥

॥ ଦିବସ ପାରେନା ଚିହ୍ନି ଅନ୍ଧାରର ମୁଖ ॥

 

ରୋଜାଲୀନା ! ସ୍ମୃତିରେ ଆକାଶ ସବୁବେଳେ ମେଘମୁକ୍ତ ରହେ ନାହିଁ । ବିସ୍ମୃତିର କଳାମେଘ ଅନେକ ସମୟ ସେ ଆକାଶକୁ ଆଚ୍ଛନ୍ନ କରି ରଖେ । ଚେଷ୍ଟା କଲେ ମଧ୍ୟ ନିଜର ସ୍ମୃତିକୁ ନିଜେ ଚିହ୍ନି ହୁଏନାହିଁ । ସ୍ମୃତିର ଆକାଶ ମନେ ହୁଏ ଅଜଣା, ଅଚିହ୍ନା ।

 

କାଲି ମୋ ସ୍ମୃତିର ଆକାଶରେ ଆଉ କାହାର ସ୍ୱପ୍ନର ଜେଟ୍ ଆସି ଚକ୍‍କର କାଟୁଥିଲା । ଦୃଷ୍ଟିର ଦୂରବୀକ୍ଷଣ ଲଗାଇ ମୁଁ ଅନେକ ସମୟ ନିରୀକ୍ଷଣ କରିଥିଲି; କିନ୍ତୁ ଚିହ୍ନି ପାରିଲି ନାହିଁ । ହତାଶା, ବ୍ୟର୍ଥତାର ଓଜନରେ ମୋ ମନ ଯେତେବେଳେ ମାଡ଼ି ହୋଇପଡ଼ୁଥିଲା, ଠିକ୍ ସେତିକିବେଳେ ଗୋଟାଏ ବିକଟ ଶବ୍ଦ ମତେ ଶୁଣିବାକୁ ମିଳିଲା । ଆଉ ମୁଁ ଯେତେବେଳେ ଉପରକୁ ଚାହିଁଲି, ଦେଖିଲି, ଅନ୍ୟ କାହାର ସ୍ୱପ୍ନର ସେହି ଜେଟ୍‍ଟା ମୋ ସମତଳ ଭୂମିରେ ଅବତରଣ କରୁଛି ।

 

ଅବାକ ଆଖିରେ ମୋ ନିଜ ମନର ସମତଳ ଭୂମିରେ ଅନ୍ୟ କାହାର ସ୍ୱପ୍ନର ଜେଟ୍ ଅବତରଣ କରିବା ଦୃଶ୍ୟ ମୁଁ ଦେଖୁଥିଲି ଏବଂ ତାର ଚାପ ମୋ ମନ ଉପରେ ବିଷମ ପ୍ରତିକ୍ରିୟା ସୃଷ୍ଟି କରୁଥିଲା । ମୁଁ ବିରକ୍ତ ଓ ଯନ୍ତ୍ରଣାରେ ଚିତ୍କାର କରିବାକୁ ଉଦ୍ୟତ ହେଉଥିଲି । ଏହି ସମୟରେ ଦେଖିଲି ସେ ଅଚିହ୍ନା ଜେଟ୍ ବିମାନରୁ ଗୋଟିଏ ନୀଳ ରଙ୍ଗର ସ୍କର୍ଟ ଆଉ ଫ୍ରକ୍‍ ପିନ୍ଧି ତମେ କେଉଁ ଉପକଥାର ପରୀ କନ୍ୟା ଭଳି ହଠାତ୍ ବାହାରି ଆସିଲ । ତମର ସେ ନଗ୍ନ-ନିଟୋଳ, ଶ୍ଵେତ-ଶୁଭ୍ର ପାଦ ଦୁଇଟି ଦେଖି ବିରକ୍ତି ଓ ଯନ୍ତ୍ରଣା ବଦଳରେ ମୁଁ ଲୀନା, ଲୀନା ବୋଲି ଚିତ୍କାର କରିବାକୁ ଯାଉଥିଲି, ଏହି ସମୟରେ ଫୋନ୍‍ଟା ଏକ ବିଚିତ୍ର ଶ୍ରୁତିକଟୁ ରିଂ ରିଂ ଶବ୍ଦ କରି ମତେ ହଠାତ୍ ଚୁପ୍ କରିଦେଲା ।

 

ମୁଖ୍ୟମନ୍ତ୍ରୀ ଫୋନ କରୁଥିଲେ । ଜରୁରୀ ଫୋନ । ଓଡ଼ିଶାର ଶିଳ୍ପ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଏକ ଯୋଜନା ଏବଂ ତାର ଖର୍ଚ୍ଚ ଅଟକଳ ଦାଖଲ କରିବାକୁ ହେବ । ସେହି ଯୋଜନା ଉପସ୍ଥାପିତ କରିବା ପାଇଁ ମତେ ନୂଆଦିଲ୍ଲୀ ଯିବାକୁ ପଡ଼ିବ ।

 

ଫୋନଟା ରଖିଦେଲା ପରେ ପୁଣି ତମ କଥା ଭାବିବାପାଇଁ ମୁଁ ଧ୍ୟାନମଗ୍ନ ହେବାକୁ ଚେଷ୍ଟା କରିଥିଲି । ପୁଣି ଥରେ ତମେ ମୋର ସ୍ମୃତିର ଆକାଶରେ ସ୍ୱପ୍ନର ଜେଟରେ ବସି ଉଡ଼ି ଆସିବ, ତମକୁ ନୀଳ ସ୍କର୍ଟ, ଫ୍ରକ୍ ଆଉ ଶ୍ଵେତ-ଶୁଭ୍ର ପାଦ ଦୁଇଟି ଦେଖି ଅନେକ ବର୍ଷ ତଳର ଅତୀତକୁ ମୁଁ ଫେରିଯିବି, ଏମିତି ମିଠା ମିଠା କଳ୍ପନାରେ ମୋ ମନ ଯେତେବେଳେ ଭରି ଉଠୁଥିଲା, ସେତେବେଳେ ତମ ବଦଳରେ ତମ ବାପା ସ୍ପେଣ୍ଡର ସାହେବଙ୍କ ସେହି କ୍ରୋଧ ରଙ୍ଗା ମୁହଁ ମୋ ଆଖି ଆଗରେ ଭାସିଉଠିଲା ।

 

ଅଙ୍ଗାରର ରଡ଼ ନିଆଁ ଭଳି ସ୍ପେଣ୍ଡର ସାହେବଙ୍କ ଆଖି ଦୁଇଟା ଜଳୁଥିଲା । ହାତରେ ଗୋଟାଏ ଚମଡ଼ାର ଚାବୁକ୍ ଧରି ସେ ମୋ ପିଠି ଉପରେ ନିର୍ମମ ପ୍ରହାର କରି ଚାଲିଥିଲେ । ସେ ଚିତ୍କାର କରୁଥିଲେ, ୟୁ ସନ୍ ଅଫ୍ ବିଚ୍...ଗେଟ୍ ଆଉଟ୍...ଅଦରୱାଇଜ୍ ଆଇ ଉଇଲ୍ କିଲ୍ ଇଉ...

 

ଆଃ, ଚିତ୍କାର କରିବାକୁ ଚେଷ୍ଟା କରି ମଧ୍ୟ ମୁଁ ଚିତ୍କାର କରି ପାରି ନ ଥିଲି । ମୋ କଣ୍ଠକୁ ଏକ ଅବରୁଦ୍ଧ ଆକ୍ରୋଶ ଚାପି ଧରିଥିଲା ।

 

ତମେ ମୁହଁକୁ ଦୁଇହାତରେ ଚାପି ଧରି ଫୁଁ ଫୁଁ ହୋଇ କାନ୍ଦୁଥିଲ । ମୁଁ ଯେ ଜବରଦସ୍ତ ତମର ସତୀତ୍ଵ ନଷ୍ଟ କରିବାକୁ ଚେଷ୍ଟା କରୁଥିଲି...ମୁଁ ଜଣେ ଇତର ବାଜେଲୋକ...ଏକଥା ତମେ ତମର ଡାଡ଼ିଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲ ।

 

ସ୍ପେଣ୍ଡର ସାହେବଙ୍କ ଚାବୁକରେ ଆଘାତରେ ମୋ ପିଠିରୁ ରକ୍ତ ବାହାରିଲା । ମୁଁ ଥିଲି ତାଙ୍କର ଅଧୀନସ୍ଥ କର୍ମଚାରୀ । ଡେପୁଟି କଲେକ୍ଟର । ମିଷ୍ଟର ଆଚାରିୟ ବୋଲି ସେ ମତେ ସବୁବେଳେ ସମ୍ବୋଧନ କରୁଥିଲେ । କିନ୍ତୁ ତମର ଅଭିଯୋଗ ଶୁଣି ସେ ମତେ ନୂତନ ସମ୍ବୋଧନ କରିଥିଲେ, ସନ୍ ଅଫ୍ ବିଚ୍ !

 

ତା ଆରଦିନ ମତେ ଡେପୁଟି କଲେକ୍ଟର ଚାକିରୀରୁ ଇସ୍ତଫା ଦେବାକୁ ପଡ଼ିଥିଲା । ମୁଁ ଇସ୍ତଫା ଦେଇ ନ ଥିଲେ ତମର ଡାଡ଼ି ମତେ ନିଶ୍ଚୟ ବରଖାସ୍ତ କରି ଥାଆନ୍ତେ । କାରଣ ତାଙ୍କ ଭଳି ରୁକ୍ଷ, ହୃଦୟହୀନ ଲୋକ କଲେକ୍ଟର ଥିବାବେଳେ ମୁଁ କେବେ ଡେପୁଟି କଲେକ୍ଟର ହୋଇ ରହି ପାରି ନଥାନ୍ତି ।

 

ଇସ୍ତଫା ଦେଇ ମୁଁ ମୋର ସମ୍ମାନ ବଞ୍ଚାଇଥିଲି ।

 

ତମର ଶାଳୀନତା ହାନିର ଅପଚେଷ୍ଟା ଯୋଗୁ ନୁହେଁ, ସ୍ଵାଧୀନତା ଆନ୍ଦୋଳନକୁ ସମର୍ଥନ କରୁଥିବା ଯୋଗୁ, ସ୍ପେଣ୍ଡର୍ ସାହେବ ମତେ ଚାବୁକ୍ ମାରିଛନ୍ତି ବୋଲି ଲୋକଙ୍କ ଆଖିରେ ଧୂଳି ଦେବା ମୋ ପକ୍ଷରେ ସହଜ ହୋଇଥିଲା । ଇସ୍ତଫାପତ୍ର ଦାଖଲ କରି ମୁଁ ଯେତେବେଳେ କଲେକ୍ଟର ସାହେବଙ୍କ ଅଫିସରୁ ବାହାରି ଆସିଲି, ସେତେବେଳେ ମତେ ସମ୍ୱର୍ଦ୍ଧନା ଜଣାଇବାକୁ ପ୍ରାୟ ସହସ୍ରାଧିକ ଲୋକଙ୍କ ଭିଡ଼ ଜମି ଯାଇଥିଲା । ସେ ଦୃଶ୍ୟ ତମେ ଦେଖିନାହଁ, କିନ୍ତୁ ସ୍ପେଣ୍ଡର ସାହେବ ଦେଖିଛନ୍ତି । ସେ ଦୃଶ୍ୟ ଦେଖି ତାଙ୍କର ସେ ଗୋରା ମୁହଁ ଲାଲ ପଡ଼ି ଯାଇଥିଲା । ମୁଁ ଶୁଣିଛି ଅଧା ଇଂରାଜି, ଅଧା ହିନ୍ଦୀଭାଷାରେ ସେ ସ୍ଵର୍ଗତୋକ୍ତି କରି ଉଠିଥିଲେ, ଆଶ୍ଚର୍ଯ୍ୟ ! ଜଣେ ନୈତିକତାହୀନ ଲୋକ ପାଇଁ ଏଭଳି ବୀରୋଚିତ ସମ୍ବର୍ଦ୍ଧନା !

 

ରୋଜାଲୀନା ! ସତରେ କଅଣ ସେଦିନ ମୁଁ ଜଣେ ଦୁଶ୍ଚରିତ୍ର ଲୋକ ଥିଲି ? ପ୍ରକୃତରେ କଅଣ ସେଦିନ ତମ ଇଚ୍ଛା ବିରୁଦ୍ଧରେ ବଳପ୍ରୟୋଗ କରି ମୁଁ ତମ ଦେହରୁ ସ୍କର୍ଟ, ଫ୍ରକ୍, ବ୍ରା ଖୋଲିବାକୁ ଚେଷ୍ଟା କରିଥିଲି ? ସେଥିରେ କଅଣ ତମର ନୀରବ ସମ୍ମତି ଥିଲା ? ମୋ ହାତର କମ୍ପିତ ଆଙ୍ଗୁଳି ଗୁଡ଼ାକ ଯେତେବେଳେ ତମ ଦେହର ସେହି ବିଶେଷ ବିଶେଷ ସ୍ଥାନକୁ ଆବରଣ-ମୁକ୍ତ କରୁଥିଲା ତମେ କଅଣ ଫିସ୍ ଫିସ୍ ଶଦ୍ଦ କରି ମୋ କାନରେ ଉତ୍ତେଜିତ ଗଳାରେ କହୁ ନ ଥିଲ, ଚନ୍ଦର୍ ! ତମେ ଭାରି ଅବାଧ୍ୟ... ଯଦି କେହି ଆସିଯାଏ !

 

ତମର ଲଜ୍ଜା-ସକୁଣ୍ଠ ସନ୍ଦେହ ସତ୍ୟ ହୋଇଥିଲା ।

 

ସ୍ପେଣ୍ଡର ସାହେବ ଗୋଟାଏ ଝଡ଼ ଭଳି ସେ କକ୍ଷରେ ପ୍ରବେଶ କରିଥିଲେ । ମୁଁ ଯେ ତମ ସହିତ ସେଠାରେ ସେଭଳି ଅବସ୍ଥାରେ ଥାଇପାରେ, ତାଙ୍କୁ ସେ ସମ୍ବାଦ କୌଣସି ଗୋରାଲୋକ ଦେଇ ନ ଥିଲା, ଡ୍ରାଇଭର ୟାକୁବ୍... ୟାକୁବ୍... !

 

ୟାକୁବ୍ କଥା ତମର ମନେ ପଡ଼େ ?

 

ମୁଁ ସରକାରୀ ଚାକିରୀ ଛାଡ଼ି ଉଗ୍ରପନ୍ଥୀ ରାଜନୀତିରେ ମାତିଥିଲି, କିନ୍ତୁ ମୋ ଆଖି ସବୁବେଳେ ୟାକୁବ୍ ଉପରେ ଥିଲା । ସେଦିନ ସ୍ପେଣ୍ଡର୍ ସାହେବଙ୍କ ହାତରୁ ଚାବୁକ ପ୍ରହାର ଖାଇଲା ବେଳେ ତମ ଡାଡ଼ିଙ୍କ ଉପରେ ମୋର ଯେତିକି କ୍ରୋଧ ହୋଇ ନଥିଲା, ତାଠାରୁ ବେଶି ରାଗ ହୋଇଥିଲା ୟାକୁବ୍ ଉପରେ । ମୋର ସନ୍ଦେହ ହୋଇଥିଲା, ୟାକୁବର ଆଖି ତମ ଉପରେ ପଡ଼ିଛି-। ତା ପାଟିରୁ ମୁଁ ଶିକାର କାଢ଼ି ନେଇଛି, ଏହି ଆକ୍ରୋଶରେ ସେ ଦିନ ଜିପ୍‍ଧରି ସ୍ପେଣ୍ଡର ସାହେବଙ୍କ ଅଫିସକୁ ଯାଇଥିଲା...ମୁଁ ଯେ ତମ ଉପରେ ବଳତ୍କାର କରୁଛି, ସେ ଖବର ସେ ତାକୁ ଦେଇଥିଲା...-!

 

ଆଃ, ବିଚାରା ୟାକୁବ୍ ।

 

ଜିପ୍ ଦୁର୍ଘଟଣାରେ ସେ ଯେଉଁଦିନ ସାଂଘାତିକ ଭାବରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା, ମୁଁ ତାକୁ ଦେଖିବାକୁ ଯାଇଥିଲି । ମତେ ଦେଖି ତାର ଦୁଇ ଆଖି ଅସହ୍ୟ କରୁଣ୍ୟରେ ଛଳ ଛଳ ହୋଇ ଉଠିଥିଲା । ସେ ମୋ ହାତକୁ ଚାପିଧରି କମ୍ପିତ କଣ୍ଠରେ କହିଥିଲା ଛୋଟା ସାହେବ । ମାଫ୍ କିଜିୟେ... ସ୍ପେଣ୍ଡର ସାହେବକା ଲଡ଼କୀ ଆଚ୍ଛା ଔରତ ନେହି ହେ । ଓ ଆପକୋ ଡୁବାୟା... ମୁଝେଭି ମାର୍ ଡାଲା...

 

ମୁଁ ଯେଉଁଦିନ ୟାକୁବକୁ ଦେଖି ଡାକ୍ତରଖାନାରୁ ଫେରିଲି ତା ଆରଦିନ ତାର ମୃତ୍ୟୁ ହେଲା । ସେ ବଞ୍ଚି ରହିଥିଲେ ହୁଏତ ସେ ଦିନ ସେ ଯାହା କହିଥିଲା, ମୁଁ ତାର କଥାର ରହସ୍ୟ ବୁଝି ପାରି ଥାଆନ୍ତି; କିନ୍ତୁ ମୋ ମନ ଭିତରେ ଅନେକ ସଂଦେହର କୁଣ୍ଡଳିକୃତ ଧୂମ ସୃଷ୍ଟି କରି ସେ ହଠାତ୍ ଚାଲିଗଲା ।

 

ରୋଜାଲୀନା ! ସତରେ କଅଣ ତମେ ୟାକୁବ୍‍ର ମୃତ୍ୟୁ ପାଇଁ ଦାୟୀ ? ସେ ବି କଅଣ ସ୍ପେଣ୍ଡର ସାହେବଙ୍କ ଚାବୁକର ଆଘାତରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା ? ତାର ଜିପ୍ ଦୁର୍ଘଟଣା କଥା କଅଣ ସତ୍ୟ ନୁହେଁ ?

 

ସ୍ପେଣ୍ଡର ସାହେବ ସେ ଦିନ ଥିଲେ ଜିଲ୍ଲା କଲେକ୍ଟର । ତାଙ୍କର ଅଙ୍ଗୁଳି ନିର୍ଦ୍ଦେଶରେ ଚନ୍ଦ୍ର ସୂର୍ଯ୍ୟ ଉଦୟ ହେଉଥିଲେ, ଅସ୍ତ ହେଉଥିଲେ । ୟାକୁବ୍ କଥାରେ ସେ ଦିନ ସେ ପିଠିରେ ହଣ୍ଟରର ତାଣ୍ଡବ ନୃତ୍ୟ ସୃଷ୍ଟି କରିଥିଲେ । ଯଦି ଆଉ କାହା କଥାରେ ବିଶ୍ୱାସ କରି ସେ ୟାକୁବକୁ ହତ୍ୟା କରି ଥାଆନ୍ତି ଏବଂ ଜନମତର ଚାପ ଏଡ଼ାଇବା ପାଇଁ ତାକୁ ଜିପ୍ ଦୁର୍ଘଟଣାର ଶିକାର ବୋଲି ପ୍ରଚାର କରିଥାଆନ୍ତି, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନ ଥିଲା ।

କାରଣ ସେ ହେଉଛି ୧୯୪୦ ମସିହାର କଥା । ସେତେବେଳେ ବ୍ରିଟିଶ ସାମ୍ରାଜ୍ୟର ସୂର୍ଯ୍ୟାସ୍ତ ହେଉ ନ ଥିଲା । ହିଟ୍‍ଲର ପ୍ରଚଣ୍ଡ ଆଘାତ ସତ୍ଵେ ଇଂରେଜ ଓ ତାର ମିତ୍ର ଶକ୍ତି ଦୁଇ ଆଙ୍ଗୁଠିକୁ ଫାଙ୍କକରି ବିଜୟର ଚିହ୍ନ ଦେଖୁଥିଲେ ।

ଖୁବ୍ ସମ୍ଭବତଃ ତମ ଉପରେ ଲୋଭ କରି ୟାକୁବର ମୃତ୍ୟୁ ହେଲା । ମୁଁ କିନ୍ତୁ ମରି ମଧ୍ୟ ବଞ୍ଚିଗଲି । ମୋର ହେଲା ପୁନର୍ଜନ୍ମ । ସ୍ପେଣ୍ଡର ସାହେବଙ୍କ ସେହି ଚାବୁକର ମାଡ଼ ମୋ ଚେତନାର ନିଦ୍ରାଭଙ୍ଗ କରିଥିଲା । ବ୍ରିଟିଶ ସରକାରର ଦାସତ୍ୱ ଛାଡ଼ି ମୋ ଜନ୍ମଭୂମିରୁ ସେମାନଙ୍କୁ ତଡ଼ିବା ପାଇଁ ମୁଁ ଏକ ଉଗ୍ରପନ୍ଥୀ ରାଜନୈତିକ ଦଳରେ ଯୋଗଦେଲି ।

ମୋହନ ଦାସ କରମ ଚାନ୍ଦ ଗାନ୍ଧିଙ୍କ ଅହିଂସା, ଅସହଯୋଗ ବାନରସେନା ଇତ୍ୟାଦିରେ ମୋର ବିଶ୍ୱାସ ନ ଥିଲା । କାରଣ ମୁଁ ବୁଝିଥିଲି ହଣ୍ଟର ଆଘାତରେ ବଦଳା କେବଳ ହଣ୍ଟରରେ ନିଆ ଯାଇପାରେ । ସେଥିପାଇଁ ବନ୍ଧୁକ ନଳୀରେ ଗୁଳି ଭରି କିପରି ଫାୟାର କରିବାକୁ ହୁଏ, ସେ ବିଷୟରେ ଡେପୁଟି କଲେକ୍ଟର ଚାକିରୀ ପୂର୍ବରୁ ଯେଉଁ ଶିକ୍ଷା ଲାଭ କରିଥିଲି, ସେ ଶିକ୍ଷାକୁ ମୁଁ ଇଂରେଜ ସରକାରଙ୍କ ବିରୁଦ୍ଧରେ ଲଗାଇବା ପାଇଁ ଚେଷ୍ଟା କଲି । ବ୍ରିଟିଶ ସରକାର ବିରୁଦ୍ଧରେ ସଶସ୍ତ୍ର ପ୍ରତିରୋଧ ବାହିନୀ ଗଢ଼ି ତୋଳିବା ପାଇଁ ପ୍ରଥମେ ଆବଶ୍ୟକ ହେଲା ଟଙ୍କା । ସେଥିପାଇଁ ଆମକୁ ଇମ୍ପିରିୟାଲ ବ୍ୟାଙ୍କର ଗୋଟିଏ ଶାଖା ଲୁଟ୍ କରିବାକୁ ପଡ଼ିଥିଲା । ତମେ ବୋଧହୁଏ ଓଡ଼ିଶାର ସେ ବ୍ୟାଙ୍କ୍ ଲୁଟ୍ ବିବରଣୀ ସମ୍ବାଦ ପତ୍ରରୁ ପଢ଼ିଥିବ । କାରଣ କଲିକତାରୁ ପ୍ରକାଶ ପାଉଥିବା ସବୁ ବଡ଼ ବଡ଼ ଇଂରେଜୀ କାଗଜ ସେ ରୋମାଞ୍ଚକାରୀ କାହାଣୀକୁ ଖୁବ୍ ବଡ଼ ବଡ଼ ଅକ୍ଷରରେ ଛାପିଥିଲେ । ସେ ବ୍ୟାଙ୍କ୍ ଲୁଟ୍ କାର୍ଯ୍ୟରେ ମୁଁ ଯେ ଅଗ୍ରଣୀ ଭୂମିକା ନେଇଥିଲି, ସେ କଥା ତମେ ଜାଣିଥିଲ କି ? ସ୍ପେଣ୍ଡର ସାହେବ କିନ୍ତୁ ଠିକ୍ ଜାଣି ପାରିଥିଲେ । ମୋ ବିରୁଦ୍ଧରେ ଗିରଫ ପରୱାନା ଘୁରି ବୁଲିଥିଲା । ମତେ ଜୀବିତ ବା ମୃତ ଧରାଇ ଦେଲେ ଏକ ହଜାର ଟଙ୍କା ପୁରସ୍କାର ମିଳିବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା । ଆଉ ସେହି ଗିରଫ ପରୱାନାକୁ ଫାଙ୍କି ଦେବା ପାଇଁ ମୁଁ ବରଣ କରି ନେଇଥିଲି ଅଜ୍ଞାତବାସ ।

ରୋଜାଲୀନ ! ତମେ ମହାଭାରତ ପଢ଼ିଛ । ପାଣ୍ଡବମାନେ ଅଜ୍ଞାତ ବନବାସରେ ଥିବାବେଳେ ଅର୍ଜ୍ଜୁନ ଲକ୍ଷ୍ୟଭେଦ କରି ଦ୍ରୌପଦୀଙ୍କୁ ପାଇଥିଲେ । ଆଉ ତମେ ଡାଡ଼ିଙ୍କ ଗିରଫ ପରୱାନାକୁ ଭୟ କରି ଆତ୍ମଗୋପନ କରି ଏ ଗ୍ରାମରୁ ସେ ଗ୍ରାମ ଲୁଚି ବୁଲୁଥିବାବେଳେ ଏକ ଆଶ୍ଚର୍ଯ୍ୟ ସୁନ୍ଦରୀ କୃଷକ କନ୍ୟାର ସଂସ୍ପର୍ଶରେ ମତେ ଆସିବାକୁ ହୋଇଥିଲା ।

ସେ ଝିଅଟିର ନାମ ରୀନା ।

ଏକ ଝଡ଼ ବର୍ଷା ମୁଖରିତ ନିର୍ଜ୍ଜନ ରାତ୍ରିର ବିଚିତ୍ର ପରିବେଶରେ ମୁଁ ତାକୁ ଭେଟିଥିଲି । ସେ ଦିନ ତାଙ୍କ ଘରେ ମୁଁ ଥିଲି ଆଶ୍ରୟପ୍ରାର୍ଥୀ, କିନ୍ତୁ ଅର୍ଦ୍ଧରାତ୍ରୀରେ ମୁଁ ହଠାତ୍ ଆବିଷ୍କାର କଲି ମୁଁ ତାଙ୍କ ଘରେ ସେଇ ଗୋଟିକ ରାତି ପାଇଁ ଆଶ୍ରୟ ପ୍ରାର୍ଥୀ ହୋଇଥିଲେ ସୁଦ୍ଧା ସେହି ମୁହୂର୍ତ୍ତରେ ସେ ମୋ ବୁକୁରେ ଏକ ବ୍ୟାଧଭୀତା କପୋତୀ ଭଳି ଆଶ୍ରୟ ଭିକ୍ଷା କରୁଛି ।

ତା ଆଖିରେ ସେହି ନୀରବ ଆମନ୍ତ୍ରଣ ଦେଖି ମୋର ତମ କଥା ସ୍ମରଣ ହୋଇ ଯାଇଥିଲା । ଅନେକ ଦିନର ଏକ ସୁପ୍ତ କାମନା ମୋ ରକ୍ତକୋଷରେ ହଠାତ୍ ଚଞ୍ଚଳ ହୋଇଉଠିଥିଲା । ସ୍ପେଣ୍ଡର ସାହେବଙ୍କ ଆକସ୍ମିକ ଆବିର୍ଭାବ ଫଳରେ ତମଠାରୁ ଯାହା ପାଇବାର ଆଶା ରଖି ପାଇ ନ ଥିଲି, ତାହା ସେହି ଝିଅଟିଠାରୁ ପାଇବା ପାଇଁ ମୁଁ ପାଗଳ ହୋଇ ଉଠିଥିଲି ।

ତମେ ଯାହା ସେଦିନ ଦେଇ ନ ଥିଲ, ସେ ଝିଅ ସେଦିନ ଆପେ ଆପେ ମତେ ତାହା ଯାଚି ଦେଇଥିଲା, କିନ୍ତୁ ଅମୃତ ପାନ କରିବା ନାମରେ ମୁଁ ଯେ ଗରଳ ପାନ କରୁଛି ସେ କଥା ବୁଝିବାର କ୍ଷମତା ସେହି ମୁହୂର୍ତ୍ତରେ ମୁଁ ହରାଇ ବସିଥିଲି ।

ରୀନା ହେଲା ଅନ୍ତସତ୍ୱା ।

ମୋର ଅନିଚ୍ଛା ସତ୍ୱେ ମତେ ତାଙ୍କୁ ସେଥିପାଇଁ ଅବଶେଷରେ ବିବାହ କରିବାକୁ ହେଲା-

ମୋ ଜୀବନର ଗତି ବଦଳିଗଲା ।

ରୋଜାଲୀନା ! ପୁଣି ଫୋନ୍ ରିଂ କଲାଣି । ମୁଁ ଓଡ଼ିଶାର ବିଶିଷ୍ଟ ସମାଜସେବୀ, ମନ୍ତ୍ରୀ । ଏ ଫୋନ ମତେ ଧରିବାକୁ ହିଁ ହେବ । ଆପାତତଃ ସେଥିପାଇଁ ତମ ସହିତ କିଛିକ୍ଷଣ ପାଇଁ ମାନସିକ ଯୋଗସୂତ୍ର ଛିନ୍ନ କରିବାକୁ ହେଉଛି ।

 

ରୋଜାଲୀନା ! ପୁରୁଷ ଜୀବନରେ ଏଭଳି ଗୋଟିଏ ଗୋଟିଏ ମୁହୂର୍ତ୍ତ ଆସେ ଯେତେବେଳେ ସେ ନାରୀଠାରୁ ବଳି ବେଶି ଦୁର୍ବଳ ହୋଇପଡ଼େ । ଶରୀର ସୁଖ ତା ଜୀବନର ସର୍ବଶ୍ରେଷ୍ଠ ସୁଖ ବୋଲି ସେ ମନେ କରେ । ଜୀବନର ଲକ୍ଷ୍ୟ, ଆଦର୍ଶଠାରୁ ନିଜ ଦେହର ସ୍ଥୂଳ ପାଶବିକ ସୁଖ ତାକୁ ବଡ଼ ଦେଖାଯାଏ ।

 

ସେ ଦିନ ସେ ଝଡ଼ ଜଳର ରାତିରେ ନୀଳମଣି ନାୟକଙ୍କ ଘରେ ତାଙ୍କର କନ୍ୟା ରୀନାକୁ ଦେଖି ମୁଁ ନିଜ ଭିତରେ ଭୀଷଣ ଦୁର୍ବଳତା ଅନୁଭବ କରିଥିଲି । ପରମ ପରାକ୍ରମଶାଳୀ ଇଂରେଜ ସରକାରଙ୍କୁ ସଂନ୍ତ୍ରାଶ ମୂଳକ କାର୍ଯ୍ୟ ଦ୍ୱାରା ଭାରତବର୍ଷରୁ ବିତାଡ଼ିତ କରିବା ପାଇଁ ମୁଁ ଯେ ନିଜ ରକ୍ତରେ ସ୍ୱାକ୍ଷର କରି ଶପଥ ନେଇଛି, ସେ କଥା ସେହି ମୁହୂର୍ତ୍ତରେ ପାଶୋରି ଦେଇଥିଲି । ବିପ୍ଳବୀ ଜୀବନର ସଂଯମ ଶୃଙ୍ଖଳାଜ୍ଞାନ ରୀନାର ସେଇ ବନ୍ୟ ଯୌବନର ଆମନ୍ତ୍ରଣରେ ମୋର ଶିଥିଳ ହୋଇ ଯାଇଥିଲା । ମୁଁ ଭୁଲି ଯାଇଥିଲି ମତେ ଆଶ୍ରୟ ଦେବାକୁ ଯାଇ ରୀନାର ପିତା ନୀଳମଣି ବାବୁ ବ୍ରିଟିଶ ସରକାରଙ୍କ ରୁଦ୍ଧ କାରାକକ୍ଷରେ ବନ୍ଦୀ ହୋଇ ରହିଛନ୍ତି । ମୁଁ ସେ ଦିନ ତାଙ୍କ ଘରକୁ ଯାଇଥିଲି ନୀଳମଣିବାବୁଙ୍କ ଅନୁପସ୍ଥିତିରେ ସେମାନଙ୍କ ଦୁର୍ଦ୍ଦିନରେ କିଛି ଆର୍ଥିକ ସାହାଯ୍ୟ କରିବାକୁ । କାରଣ ନୀଳମଣିବାବୁ ଥିଲେ ତାଙ୍କ ପରିବାରରେ ଏକମାତ୍ର ପୁରୁଷ; କିନ୍ତୁ ସାହାଯ୍ୟ କରିବା ବଦଳରେ ମୁଁ ନୀଳମଣିବାବୁଙ୍କର ସର୍ବନାଶ କରିଥିଲି । ତାଙ୍କର ଅନୁପସ୍ଥିତିରେ ତାଙ୍କର ମୋ ପ୍ରତି ଥିବା ଗଭୀର ବିଶ୍ୱାସର ସୁଯୋଗ ନେଇ ମୋ ମନର ଅତୃପ୍ତ କାମନାର ଅଗ୍ନିରେ ରୀନାର ପ୍ରଜାପତି ଡେଣାକୁ ମୁଁ ପୋଡ଼ି ଦଗ୍‍ଧ କରିଥିଲି ।

 

ଜୀବନର ସେଇ ଗୋଟିଏ ମୁହୂର୍ତ୍ତର ଭୁଲ ମତେ ସାରା ଜୀବନ ପାଇଁ ଅନୁତାପର ଅନଳରେ ଦଗ୍ଧ କରି ମାରିଥିଲା । ଲୀନା ! ଡାଡ଼ିଙ୍କ ପାଖରେ ଭାରତ ବର୍ଷରେ ଥିଲାବେଳେ ତମେ କେବେ ମଫସଲ ଦେଖିଛ ? ବଣ ବିଲ ନଈ ନାଳ ଘେରା, ସହରର ବିଜୁଳି ଆଲୁଅ, ପାଣି କଳ, ପକ୍କାରାସ୍ତାଠାରୁ ଅନେକ ଦୂରରେ ଥିବା ସେଇ ସବୁ ଅଳ୍ପ ଶିକ୍ଷିତ, ସରଳ, ନିରୀହ କୃଷକର ବାସଭୂମି ମଫସଲ ! ଯଦି ତମେ କେବେ ସହରର ସୀମା ଡେଇଁ ନଈବନ୍ଧ ଉପରେ ମଟର ଗାଡ଼ି ରଖି ଖାଲି ପାଦରେ ଚାଲି ଚାଲି ମଫସଲ ଯାଇଥିବ; ନଈ ଆରପଟ ଗଭୀର ବିଲର ମଟାଳ ମାଟିର ଟେଳା ପାଦରେ ଭାଙ୍ଗି ଭାଙ୍ଗି ଅଦୂରବର୍ତ୍ତୀ ତାଳ ନଡ଼ିଆ ବାଉଁଶ ଗଛରେ ଆଢ଼ୁଆଳରେ ଢାଙ୍କି ହୋଇ ରହିଥିବା ସେହି ମଫସଲରେ ପାଦ ରଖିଥିବ, ତାହାହେଲେ ଦେଖିଥିବ ସେହି ଛଣ ଛପର କୁଡ଼ିଆ ଘରେ ଅନେକ ଲୋକଙ୍କ ଭିଡ଼ । ସେଇମାନେ ଭାରତବର୍ଷର ଅମୃତ ସନ୍ତାନ । ସେହିମାନେ ସବୁ ବିପ୍ଳବୀ ଶକ୍ତିର ଉତ୍ସ । ସେମାନେ ଭାରତର କୃଷକ ।

 

ବ୍ରିଟିଶ ସରକାର ବିରୁଦ୍ଧରେ ମୁଁ ସେମାନଙ୍କୁ ସଂଗଠିତ କରିବାକୁ ଚେଷ୍ଟା କରିଥିଲି । ଡେପୁଟି କଲେକ୍ଟର ଥିଲାବେଳେ ମୋ ପ୍ରତି ସେମାନଙ୍କର ଯେଉଁ ଆକର୍ଷଣ ଥିଲା ସେହି ଆକର୍ଷଣକୁ ଦେଶର ସ୍ଵାଧୀନତା ପାଇଁ, ଇଂରେଜ ସରକାରଙ୍କ ବିରୁଦ୍ଧରେ ମୁଁ ବିନିଯୋଗ କରିବାକୁ ଉଦ୍ୟମ କରି ସଫଳ ହୋଇଥିଲି । ବ୍ୟାଙ୍କ୍ ଲୁଟ୍ କେଶରେ ଅଭିଯୁକ୍ତ ହୋଇ ଆତ୍ମଗୋପନ କରିଥିବା ବେଳେ ମୁଁ ରହୁଥିଲି ଗ୍ରାମବାସୀମାନଙ୍କ ଆଶ୍ରୟରେ ।

 

ସେ ଅଞ୍ଚଳର ଜଣେ ମୁଖିଆ କୃଷକନେତା ନୀଳମଣି ନାୟକ । ଗାନ୍ଧିବାଦୀ କର୍ମୀ ହିସାବରେ ସେ ଥିଲେ ଜଣେ ସମ୍ମାନିତ ବ୍ୟକ୍ତି । ଓଡ଼ିଶାର ଗାନ୍ଧିବାଦୀ ରାଜନୈତିକ ଦଳର ମୁଖ୍ୟ ନେତାଙ୍କ ସହ ଥିଲା ତାଙ୍କର ଘନିଷ୍ଟ ସମ୍ପର୍କ । ସେ ଯେତେବେଳେ ଜାଣିଲେ, ପୋଲିସ ଭୟରେ ମତେ କେହି ଆଶ୍ରୟ ଦେବାକୁ ରାଜି ହେଉ ନାହାନ୍ତି, ଗାନ୍ଧିବାଦୀ ନୁହେଁ ମୁଁ ଜଣେ ଉଗ୍ରପନ୍ଥୀ ରାଜନୈତିକ କର୍ମୀ, ବ୍ୟାଙ୍କ୍ ଲୁଟ୍ ଅଭିଯୋଗରେ ଗିରଫ ପରୱାନା ମୋ ବିରୁଦ୍ଧରେ ଘୂରି ବୁଲୁଛି, ସେତେବେଳେ ଆଶ୍ରୟ ଦେବାପାଇଁ ସେ ନିଜେ ଆଗେଇ ଆସିଥିଲେ ।

 

ଦୁଇଦିନର ଅର୍ଦ୍ଧ-ଉପବାସ ପରେ ସେଦିନ ମଧ୍ୟରାତ୍ରିରେ ମୁଁ ତାଙ୍କଘରେ ଖାଇ ବସିଲାବେଳେ ଦେଖିଥିଲି ରୀନାକୁ । ନୀଳମଣିବାବୁଙ୍କ ଏକମାତ୍ର କନ୍ୟା ରୀନା । ଦେହର ରଙ୍ଗ ମଳିନ ହେଲେ ବି ମୁହଁର ଗଢ଼ଣ ଆଉ ଆଖିର ଚାହାଣୀରେ ଭରି ରହିଥିଲା ସ୍ୱପ୍ନର ମାଦଳତା । ଅସ୍ଵୀକାର କରିବାକୁ ଲଜ୍ଜ୍ୟା ନାହିଁ, ଦୁଇଦିନର ଅର୍ଦ୍ଧ-ଉପବାସୀ ଉଦରର କ୍ଷୁଧା ନୀଳମଣିବାବୁ ସେଦିନ ଆଳୁ ବାଇଗଣ ଭଜା ଏବଂ ପଖାଳ ଭାତରେ ଦୂରକରି ଦେଇଥିଲେ; କିନ୍ତୁ ରୀନାର ଚାହାଣୀ, ସେ ସ୍ଵପ୍ନିଳ ଲାବଣ୍ୟମୟୀ ଦେହ ମୋ ମନରେ ସୃଷ୍ଟି କରିଥିଲା ଆଉ ଏକ ଜାନ୍ତବ କ୍ଷୁଧା; ଯାହାର ଉପଦ୍ରବରେ ସେ ଦିନ କେତୋଟି ମୁଁ ନିଜ ମନର ଭାରସାମ୍ୟ ହରାଇ ବସିଥିଲି !

 

ଲୀନା ! ତମକୁ ଯେଉଁଦିନ ଦେଖଥିଲି ଗଭର୍ଣ୍ଣରଙ୍କ ସମ୍ବର୍ଦ୍ଧନା ସଭାରେ...ଗୋଟାଏ ରେକର୍ଡ଼ କରା ହୋଇଥିବା ଇଂରେଜି ସଙ୍ଗୀତର ଛନ୍ଦରେ ତମେ ଅଦ୍ଭୁତ ତାନରେ ପାଦ ପକାଇ ଯେଉଁଦିନ ନୃତ୍ୟ ପରିବେଷଣ କରୁଥିଲ.. ସେଦିନ ମୁଁ ଠିକ୍ ସେମିତି ନିଜ ମନ ମନର ଭାରସାମ୍ୟ ହରାଇଥିଲି । ତମେ ଯେ ମୋର ଉପରିସ୍ଥ ହାକିମ କଲେକ୍ଟର ସ୍ପେଣ୍ଡର ସାହେବଙ୍କ କନ୍ୟା...ମୁଁ ସାମାନ୍ୟ ଜଣେ ଭାରତୀୟ ଡେପୁଟି କଲେକ୍ଟର...ସେ କଥା ସ୍ମରଣ ରଖିବା ସେଦିନ ସମ୍ଭବ ହୋଇ ନଥିଲା । ତମ ଦେହର ସେହି ଉଜ୍ଜ୍ୱଳ ସ୍ଵଚ୍ଛ ଶୁଭ୍ର ରଙ୍ଗ ମତେ କେମିତି ନିଶାଗ୍ରସ୍ତ କରି ଦେଇଥିଲା । ତମକୁ ପାଖରେ ପାଇବା ପାଇଁ ସ୍ପେଣ୍ଡର ସାହେବଙ୍କ ପ୍ରିୟପ୍ରାତ୍ର ହେବାକୁ ମୁଁ ଅନେକ ତଳକୁ ଓହ୍ଲାଇ ଯାଇଥିଲି । ଗାନ୍ଧିଜୀଙ୍କ ନେତୃତ୍ଵରେ ସେତେବେଳେ ଯେଉଁ କଂଗ୍ରେସ ଲୋକେ ଇଂରେଜ ସରକାରଙ୍କ ବିରୁଦ୍ଧରେ ସତ୍ୟାଗ୍ରହ ଆନ୍ଦୋଳନ କରୁଥିଲେ, ସେମାନଙ୍କର ସେ ଆନ୍ଦୋଳନକୁ ପଣ୍ଡ କରିବାପାଇଁ ମୁଁ ନିଜର ସମସ୍ତ ଶକ୍ତି ନିୟୋଜିତ କରିଥିଲି । ଆନ୍ଦୋଳନ ସମ୍ପର୍କୀୟ ସକଳ ଗୋପନୀୟ ସମ୍ବାଦ ସ୍ପେଣ୍ଡର ସାହେବଙ୍କ କାନରେ ପହଞ୍ଚାଇ ଦେଉଥିଲି; କିନ୍ତୁ ନିଜ ଜାତି ପ୍ରତି, ନିଜ ଲୋକଙ୍କ ପ୍ରତି ମୋର ହୀନ ବିଶ୍ଵାସଘାତକତାକୁ ତମର ଡାଡ଼ି କେବେ ଭଲ ଦୃଷ୍ଟିରେ ଦେଖି ନ ଥିଲେ । ସେଥିପାଇଁ ତମ ସହିତ ମତେ ସେଭଳି ଅବସ୍ଥାରେ ଦେଖି ଚାବୁକରେ ମାଡ଼ ଦେବାପାଇଁ ତାଙ୍କ ହାତ ଥରି ଉଠି ନଥିଲା । ଆଉ ବ୍ୟାଙ୍କଲୁଟ୍ ପରେ ସେ କୁଆଡ଼େ ଲାଟ୍ ସାହେବଙ୍କୁ ରିପୋର୍ଟ କରିଥିଲେ, ଆଚାରିୟକୁ ମୁଁ ଜାଣେ, ଯେ ବ୍ରିଟିଶ ସରକାରଙ୍କ ଅଧୀନରେ ଚାକିରୀ କରିଥିବାବେଳେ, ନିଜ ଜାତି ଲୋକଙ୍କ ବିରୁଦ୍ଧରେ ଗୋପନୀୟ ସମ୍ବାଦ ଆଣି ଆମକୁ ଦେଉଥିଲା, ଚାକିରୀରୁ ଗଲା ପରେ ଯେ ସେ ନିଜ ଲୋକଙ୍କୁ ଖୁସି କରିବା ପାଇଁ ବ୍ରିଟିଶ ସରକାରଙ୍କ ବ୍ୟାଙ୍କ ଲୁଟ୍ କରିବ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ !

ଲୀନା ! ବିଶ୍ଵାସ କର, ଚାକିରୀରେ ଉନ୍ନତି କରିବା ପାଇଁ ମୁଁ କେବେ ଗାନ୍ଧି ଆନ୍ଦୋଳନର ଚେର କାଟିବାକୁ ଉଦ୍ୟମ କରି ନଥିଲି । ତମର ଲୋଭ ହିଁ ମୋର ସମସ୍ତ ବିଚାର ବୁଦ୍ଧି ନଷ୍ଟ କରି ଦେଇଥିଲା । ନିଜର ବିଚାର ବୁଦ୍ଧି ହରାଇ ମୁଁ ସ୍ପେଣ୍ଡର ସାହେବଙ୍କ ଶ୍ରଦ୍ଧା ହୁଏତ ହରାଇଥିଲି; କିନ୍ତୁ ତମର ବିଶ୍ଵାସ ଫେରି ପାଇଥିଲି । ଯେଉଁ ଭାରତୀୟମାନେ ମହାମାନ୍ୟବର ବ୍ରିଟିଶ ସରକାରଙ୍କ ବିରୋଧ କରୁଛନ୍ତି, ମୁଁ ସେମାନଙ୍କୁ ଜବତ କରିବାକୁ ଚେଷ୍ଟା କରୁଛି, ଏକଥା ଶୁଣି ତମେ ଅକାରଣରେ ଅନେକଥର ଉଲ୍ଲସିତ ହେବା ଲକ୍ଷ୍ୟ କରୁଛି । ସେ ବୟସରେ ତମେ ଆନ୍ତର୍ଜାତିକ ରାଜନୀତିର ଆଉ କୌଣସି ଖବର ରଖ କି ନ ରଖ, ଏତକ ଅନ୍ତତଃ ଜାଣିଥିଲ, ହିଟଲରର ନୃଶଂସ ଆକ୍ରମଣ ଫଳରେ ହୁଏତ ଲଣ୍ଡନ ସହରର ନିରାପତ୍ତା ଉପରେ ବିଶ୍ଵାସ ରଖିବା ବୁଦ୍ଧିମତାର ପରିଚାୟକ ନୁହେଁ । ତା ଅପେକ୍ଷା ଭାରତବର୍ଷ ତମ ପରିବାର ପାଇଁ ଯଥେଷ୍ଟ ନିରାପଦ ସ୍ଥାନ । ତେଣୁ ଯେଉଁ ଗାନ୍ଧୀ ଲୋକେ ତମକୁ ଭାରତବର୍ଷରୁ ବିଦାୟ କରି ଦେବାକୁ ଆନ୍ଦୋଳନ କରୁଥିଲେ ତମେ ସେମାନଙ୍କୁ ଭୟ ଓ ଘୃଣା କରିବା ସ୍ୱାଭାବିକ । ମୁଁ ଯେହେତୁ ଭାରତୀୟ ହୋଇ ଭାରତର ସ୍ଵାଧୀନତା ଆନ୍ଦୋଳନକୁ ଭାଙ୍ଗିଦେବା ପାଇଁ ଉଦ୍ୟମ କରୁଥିଲି, ତେଣୁ ମୋ ପ୍ରତି ତମର ବିଶ୍ଵାସ ଓ ଭକ୍ତି ସେଥିପାଇଁ ବଢ଼ି ଯାଇଥିଲା ।

ପ୍ରତିଦିନ ତମେ ମୋ ପାଖକୁ ଛୁଟି ଆସୁଥିଲ ସ୍ଵାଧୀନତା ଆନ୍ଦୋଳନ-ବିରୋଧୀ ଦମନଲୀଳାର ରୋମାଞ୍ଚକର କାହାଣୀ ଶୁଣିବା ପାଇଁ । କେଉଁଠି ଲବଣ ସତ୍ୟାଗ୍ରହୀମାନଙ୍କୁ ଗିରଫ କରି ମୋ ଆଦେଶରେ ପୋଲିସ୍‍ମାନେ ଘନ ଜଙ୍ଗଲ ମଧ୍ୟରେ ଛାଡ଼ି ଦେଇ ଆସିଛନ୍ତି, କେଉଁଠି ମଦଦୋକାନ ଆଗରେ ସତ୍ୟାଗ୍ରହ କରୁଥିବା ବାନର ସେନାମାନଙ୍କୁ ବେତରେ ପିଟି ପିଟି ପୋଲିସ ଲହୁଲୁହାଣ କରିଦେଇଛି, ସେ କଥା ମୁଁ ବର୍ଣ୍ଣନା କଲାବେଳେ ତମେ ଆଞ୍ଜୁଳା ଆଞ୍ଜୁଳା ଖୁସିର ଆଲୋକରେ ନିଜ ମୁହଁକୁ ଝଳସାଇଦେବା ମୋ ଉପରେ ଢେଉ ଭାଙ୍ଗିଲା ଭଳି ଲୋଟି ପଡ଼ୁଥିଲା ।

ହିଁ, ସେହିପରି ଭାବରେ ତମେ ସେଦିନ ମୋ ମନର ଯୁବକ ସୁଲଭ ଉଦ୍ଦାମତାକୁ କୁତୁ କୁତୁ କରି ଉଚ୍ଚକିତ କରି ଦେଇଥିଲା । ତମକୁ ପାଇବା ପାଇଁ ମୋ ମନ ଭିତରେ ଏକ ଅବୈଧ ଲାଳସା ଜନ୍ମ ନେଇଥିଲା । ଆଉ ଠିକ୍ ମୁଁ ଯେତେଳେ ତମକୁ ପାଇବାକୁ ଯାଇଥିଲି, ସେତିକିବେଳେ ବଦମାସ ୟାକୁବ୍.... !

ଲୀନା ! ଯେଉଁଦିନ ରୀନା ଅର୍ଦ୍ଧରାତ୍ରିରେ ତାଙ୍କର ଘରେ ମୋ ଶୟନ କକ୍ଷରେ ପ୍ରବେଶ କରିଥିଲା, ସେତେବେଳେ ବାହାରେ ଶୁଣା ଯାଉଥିଲା ଝଡ଼ ବର୍ଷାର ଘୁଙ୍ଗୁର ଶବ୍ଦ । ମୁଁ ରୀନାକୁ ନିଜ ବୁକୁରେ ଚାପିଧରି ସେ ଘୁଙ୍ଗୁର ବାଜଣା ଶୁଣୁଥିଲି । ହଠାତ୍ ଗୋଟାଏ ଘଡ଼ଘଡ଼ ଶବ୍ଦ ଶୁଣାଗଲା ମାତ୍ରେ ମୋର କେମିତି ଭୟହେଲା, ହୁଏତ ୟାକୁବ୍ ଆସୁଛି...ହୁଏତ ରୀନାକୁ ମୋ ଛାତିରୁ ବିଚ୍ଛିନ୍ନ କରି ନେବାପାଇଁ ଜେଲର ପ୍ରାଚୀର ଡେଇଁ ଲାଠିନେଇ ଆସୁଛନ୍ତି ନୀଳମଣିବାବୁ । ମୁଁ ଆଉ ବିଳମ୍ବ କରି ନ ଥିଲି । ତମକୁ ଖୁବ୍ ନିକଟରେ ପାଇ ହରାଇଥିବାରୁ ଭୟ ମତେ ଏପରି ଶଙ୍କିତ କରି ରଖିଥିଲା ଯେ, ରୀନାକୁ ହରାଇବା ଆଶଙ୍କା ମତେ ଉନ୍ମାଦ କରି ଦେଲା । ଦଳିତ-ଦ୍ରାକ୍ଷା ଭଳି ରୀନାର କୁମାରୀ ତନୁକୁ ବିପର୍ଯ୍ୟସ୍ତ କରି ତମକୁ ହରାଇବା ଅବଶୋଷ ମୁଁ ମେଣ୍ଟାଇ ନେଇଥିଲି ।

 

କିନ୍ତୁ ଯେଉଁଦିନ ଜାଣିଲି ରୀନା ଅନ୍ତସତ୍ୱା... !

 

ହିଟ୍‍ଲର ହାରିଯାଇଥିଲେ ସୁଦ୍ଧା ଇଂରେଜମାନଙ୍କ ଦର୍ପ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯାଇଛି...ଭାରତ ହୁଏତ ସ୍ଵାଧୀନତା ପାଇପାରେ... !

 

ଆଉ ଜେଲ ମୁକ୍ତି ହୋଇ ନୀଳମଣି ବାବୁ ଫେରି ଆସୁଛନ୍ତି... !

 

ସେଦିନ ମୋର ସବୁ ଚିନ୍ତା, ସବୁ ଭାବନା ଗଣ୍ଡଗୋଳ ହୋଇଯାଇଥିଲା । ହଠାତ୍ କଅଣ ସବୁ ଏପରି ଘଟିଗଲା କିଛି ବୁଝି ନ ପାରି ମୁଁ ହତବାକ୍ ହୋଇଯାଇଥିଲି ।

 

ସେଦିନ ମୁହୂର୍ତ୍ତ କେତୋଟିର ଘନିଷ୍ଠତା ଫଳରେ ରୀନା ଅନ୍ତସତ୍ଵା ହେବ ଏ କଥା ମୁଁ ଯେପରି କେବେ ଭାବି ନଥିଲି, ସତରେ ହିଟଲର ପରାସ୍ତ ହେବ ଏବଂ ଗାନ୍ଧୀଜୀଙ୍କ ନେତୃତ୍ୱରେ ଭାରତବର୍ଷ ଏତେ ଶୀଘ୍ର ସ୍ଵାଧୀନତା ପାଇବ, ସେ କଥା କେବେ କଳ୍ପନା କରି ନଥିଲି ।

 

ଆମର ଧାରଣା ଥିଲା ଗାନ୍ଧୀଜୀଙ୍କ ଅହିଂସା ଆନ୍ଦୋଳନ ବ୍ୟର୍ଥ ହେବ । ସାମ୍ରାଜ୍ୟବାଦୀ ଇଂରେଜମାନେ କେବେହେଲେ ଭାରତୀୟ ଲୋକଙ୍କ ଜେଲ ଯିବାକୁ ଭୟକରି ପୁଡ଼ାପୁଟୁଳି ବାନ୍ଧି ନିଜ ଦେଶକୁ ଫେରିଯିବେ ନାହିଁ ।

 

କିନ୍ତୁ ମୋର ଦୁର୍ଭାଗ୍ୟ, ଆଖି ଆଗରେ ସବୁ ଅସମ୍ଭବ ସମ୍ଭବ ହେଲା ।

 

ଅହିଂସାପନ୍ଥୀ କଂଗ୍ରେସ ଲୋକଙ୍କ ବିଜୟ ଫଳରେ ଆମ ଉଗ୍ରପନ୍ଥୀ ଆନ୍ଦୋଳନ ଏକ ମସ୍ତ ଧକ୍କା ଖାଇଲା । ଲୋକେ ଆମକୁ ଚୋର ଡକାଏତ ଭଳି ମନେକଲେ । ମୋ ରାଜନୈତିକ ଜୀବନର ଏହି ନୌକା-ଡୁବି ଯାଉଥିବା ବେଳେ ବ୍ୟକ୍ତିଗତ ଜୀବନ ମଧ୍ୟ ରୀନା ଯୋଗୁ ବିପନ୍ନ ହେଲା ।

 

ସେ କେତୋଟି ଦିନ ମୁଁ କି ଉଦବେଗ, ଅନିଶ୍ଚିତ ଆତଙ୍କ ମଧ୍ୟରେ କଟାଇଛି, ସେ କଥା ତମେ ସହଜରେ କଳ୍ପନା କରି ପାରିବ ନାହିଁ । କଂଗ୍ରେସପନ୍ଥୀମାନେ ଜେଲରୁ ଛାଡ଼ି ପାଇଲେ ମଧ୍ୟ ଆମ ବିରୁଦ୍ଧରେ ଜାରି ହୋଇଥିବା ଗିରଫ ପରୱାନା ପ୍ରତ୍ୟାହୃତ ହେବାର କୌଣସି ଲକ୍ଷଣ ଦେଖାଗଲା ନାହିଁ ।

 

ଶେଷରେ ନୀଳମଣିବାବୁଙ୍କ ଆଶ୍ରୟ ଭିକ୍ଷା କଲି । ରୀନାକୁ ବିବାହ କରିବାକୁ ସମ୍ମତି ଦେଲି । ତା ବଦଳରେ ସେ ମତେ କଂଗ୍ରେସ ଦଳ ସହିତ ସଂପୃକ୍ତ କରିଦେଲେ ।

 

ଡେପୁଟି କଲେକ୍ଟର ଥିବାବେଳେ ମୁଁ ଯେ ସ୍ଵାଧୀନତା ଆନ୍ଦୋଳନକୁ ଦବାଇବା ପାଇଁ ସକଳ ପ୍ରକାର ଉଦ୍ୟମ କରିଥିଲି, ସେ କଥା କଂଗ୍ରେସ ନେତାମାନେ ଜାଣିଥିଲେ । ସେଥିପାଇଁ ଉଗ୍ରପନ୍ଥୀ ରାଜନୈତିକ କାର୍ଯ୍ୟକଳାପରେ ଜଡ଼ିକ ହେଲାପରେ ମଧ୍ୟ ମୋ ପ୍ରତି ସେମାନଙ୍କର ଘୃଣାଭାବ ହ୍ରାସ ପାଇ ନ ଥିଲା, କିନ୍ତୁ ଆଶ୍ଚର୍ଯ୍ୟ ! ମୁଁ ନୀଳମଣି ବାବୁଙ୍କ ଜାମାତା ହେବାକୁ ଯାଉଛି, ଏ କଥା ଜାଣିବା ମାତ୍ରେ ସେମାନଙ୍କର ଘୃଣା ଦିନ କେତୋଟି ମଧ୍ୟରେ ଗଭୀର ଶ୍ରଦ୍ଧାରେ ପରିଣତ ହୋଇଗଲା !

 

କଂଗ୍ରେସ ଲୋକେ ସତରେ ଭାରି ସରଳ, ନିରୀହ । ସେମାନଙ୍କର ସେହି ସରଳତା ପାହାଚରେ ପାଦରଖି ମୁଁ ଧୀରେ ଧୀରେ ଉପରକୁ ଉଠିଥିଲି । ସ୍ୱାଧୀନତା ପରବର୍ତ୍ତୀ କାଳରେ ଓଡ଼ିଶା ରାଜନୀତିର ଭିତର ମହଲର “ଅକୁହା କାହାଣୀ” କେହି ଯଦି କେବେ ରଚନା କରେ, ତାହାହେଲେ ସେ ବହି ଖଣ୍ଡିକ ତମେ ନିଶ୍ଚୟ ପଢ଼ିବା ଉଚିତ । ସେଥିରେ ଦେଖିବ ମୁଁ କିପରି ଗୋଷ୍ଠୀବିବାଦକୁ ତେଜେଇ ଦେଇ ସଚ୍ଚା ଦେଶପ୍ରେମୀ କଂଗ୍ରେସ ଲୋକଙ୍କୁ ବିଦାୟ କରି ଅନୁଷ୍ଠାନର ଜଣେ ମୁଖ୍ୟବ୍ୟକ୍ତି ହୋଇଗଲି । କିପରି ସ୍ଵାଧୀନତା ଆନ୍ଦୋଳନର ସେହି ସବୁ ବହୁ ଅତ୍ୟାଚାରିତ ନୀରବ କର୍ମୀ ମୋ ଚକ୍ରାନ୍ତ ଫଳରେ ରାଜନୀତିରୁ ବିଶ୍ରାମ ନେଇ ଘରେ ଚାଷବାସ କରୁଛନ୍ତି ଆଉ ମୁଁ...ଆଜି ଓଡ଼ିଶାର ମାନ୍ୟବର ମନ୍ତ୍ରୀ ହୋଇ ମନ୍ତ୍ରୀମଣ୍ଡଳର ଶୋଭା ବର୍ଦ୍ଧନ କରୁଛି ।

 

ଲୀନା ! ରୀନାକୁ ବିବାହ କରିବା ପରେ ମୋ ଶଶୁରଙ୍କ ଚେଷ୍ଟା ଫଳରେ ବ୍ରିଟିଶ ସରକାର ବୁଝିଲେ ଯେ, ଉଗ୍ରପନ୍ଥୀ ରାଜନୀତି ସହିତ ମୋର କେବେ କୌଣସି ସଂପର୍କ ନଥିଲା । ମୁଁ ଥିଲି ଜଣେ ଖାଣ୍ଟି ଗାନ୍ଧିବାଦୀ । ସେଥିପାଇଁ ମୋ ବିରୁଦ୍ଧରେ ଜାରି ହୋଇଥିବା ଗିରଫ ପରୱାନା ପ୍ରତ୍ୟାହାର କରି ନିଆଗଲା । ବ୍ୟାଙ୍କ୍ ଲୁଣ୍ଠନ ଅପରାଧରୁ ମୁକ୍ତ ହୋଇ ଦେଶ ଲୁଣ୍ଠନ କରିବା ପାଇଁ ମୁଁ ମନ୍ତ୍ରୀ ହେଲି ।

 

ଲୀନା, ମୁଁ ରୀନାକୁ ବିବାହ କରିଥିଲି କିନ୍ତୁ ତାକୁ ନେଇ ସୁଖରେ ଘର ସଂସାର କରି ପାରିଲି ନାହିଁ । ମୁଁ ଜାଣେ; ସୁଖର ସ୍ଵର୍ଗରେ ପହଞ୍ଚିବା ପାଇଁ କୌଣସି ସଂକ୍ଷିପ୍ତ ଗଳି ରାସ୍ତା ନାହିଁ । ସେଥିପାଇଁ ସାଧନା କରିବାକୁ ହୁଏ; ସ୍ଵାର୍ଥତ୍ୟାଗ କରିବାକୁ ପଡ଼େ । ଅଳ୍ପରେ ସନ୍ତୁଷ୍ଟ ହେବାକୁ ହୁଏ ।

 

ମୁଁ ତାହା ପାରିଲି ନାହିଁ ।

 

କାରଣ ତମକୁ ମୁଁ ଭଲ ପାଇ ନଥିଲି । ରୀନା ଭିତରେ ମୁଁ ତମକୁ ପାଇବାକୁ ଚାହିଁଥିଲି-। ଚଳେ ଜଳରେ ମୁଁ ଚାହିଁଥିଲି ସୀମାହୀନ ସମୁଦ୍ରର ସ୍ଵାଦ ।

 

ମୁଁ ଜାଣେ; ମୋର ଏ କଥା ଶୁଣି ତମେ ହସିବ । ଅବିଶ୍ଵାସ କରିବ । କହିବ; ଏମିତି ହୁଏ ନାହିଁ । ଏହା ମଣିଷ, ବିଶେଷ କରି ପୁରୁଷର ପ୍ରକୃତି ବିରୁଦ୍ଧ । କାରଣ ମୁଁ ରୀନାକୁ ଭଲପାଇ ବିବାହ କରିଥିଲି; ତାର ଉତ୍ସର୍ଗିକୃତ ଭଲପାଇବା ସମ୍ପୂର୍ଣ୍ଣଭାବେ ପାଇଥିଲି । ଏତେ ପାଇବା ସତ୍ୱେ ଯେଉଁ ଝିଅ ମୋତେ କେବେ ଭଲପାଇ ନ ଥିଲା; ତାକୁ ଝୁରି ଝୁରି ମୁଁ ନିଜ ସଂସାରିକ ଜୀବନକୁ ନଷ୍ଟ କରିଦେଲି ?

 

ସତରେ; ଅବିଶ୍ଵାସ କଲାଭଳି କଥା । ମୁଁ ନିଜେ ଏ ସତ୍ୟକୁ ବିଶ୍ଳେଷଣ କଲେ ନିଜେ ନିଜ ଉପରେ ବିରକ୍ତ ହୁଏ । କାରଣ ମୁଁ ଭଲ କରି ଜାଣେ, ମୁଁ ତୁମକୁ ପାଇବାକୁ ଚାହୁଁଥିଲି ସତ୍ୟ; କିନ୍ତୁ ତମେ କେବେ ମୋତେ ଚାହିଁ ନ ଥିଲ । ବ୍ରିଟିଶ ଇଣ୍ଡିଆରେ ତମେ ଥିଲ କଲେକ୍ଟର କନ୍ୟା । ତମେ ସବୁ ଆମକୁ ଶାସନ କରିବାକୁ ଆସି ଏ ଦେଶର ଉଷ୍ମ ଜଳବାୟୁର ଅତ୍ୟାଚାର ସହ୍ୟ କରିଥିଲ । ଆମକୁ ପ୍ରେମ କରିବା ପାଇଁ ତମେ ସାତ ସମୁଦ୍ର ପାରିହୋଇ ନ ଥିଲ ।

 

ତଥାପି ତମକୁ ପାଇବା ପାଇଁ ଇଂରେଜ ଶାସକମାନଙ୍କୁ ଘୃଣା କରିବା ପରେ ମଧ୍ୟ ମୋ ମନରେ କାମନା-ଲାଳସାର ପ୍ରଦୀପ ଶିଖା ତୋଳି ଜଳୁଥିଲା । ଭାରତବର୍ଷରୁ ଇଂରେଜ ଶାସନର ଅବସାନ ଘଟିବା ପରେ ଖୁବ୍ ସମ୍ଭବତଃ ତମେ ମଧ୍ୟ ପ୍ରଥମ ଦଫାରେ ସାନ୍ତାକୃଜ ବିମାନ ଘାଟିରୁ ଲଣ୍ଡନ ଅଭିମୁଖେ ପ୍ଲେନ୍ ଚଢ଼ିଥିଲ, କିନ୍ତୁ ମୋ ସ୍ମୃତିର ଆକାଶରେ ସ୍ୱପ୍ନର ଜେଟ୍ ହୋଇ ତମେ ଅନେକ ଦିନ ଧରି ଚକକ୍‍ର କାଟୁଥିଲ ।

 

ରୀନା ଭିତରେ ତମକୁ ପାଇବା ପାଇଁ ଚେଷ୍ଟାକରି ମୁଁ ବିଫଳ ହୋଇଥିଲି । ସେ ଥିଲା ପ୍ରାଚୀନ ଭାରତୀୟ ସଂସ୍କୃତିର ପ୍ରତୀକ... ଯଥାର୍ଥରେ ଜଣେ କୁଳବଧୂ । ତା ଭିତରେ ତମକୁ ଖୋଜିବା ମୋର ବୋକାମୀ । କେବଳ ରଙ୍ଗରେ ନୁହେଁ, ଚିନ୍ତାଧାରା, ଜୀବନ ଧାରଣ ପ୍ରଣାଳୀ ସବୁଥିରେ ସେ ଥିଲା ତମଠାରୁ ପୃଥକ୍ । ପତ୍ନୀର ଅଧିକାରରେ ସେ ମତେ ନିଜ ହାତମୁଠାରେ ରଖିବାକୁ ଚାହିଁଥିଲା । ବିବାହ ପରେ ସେ ଏକ କନ୍ୟା ସନ୍ତାନର ଜନନୀ ହୋଇଥିଲା । ଅଞ୍ଜଳି, ଅଞ୍ଜଳିର ମା ! କିନ୍ତୁ କନ୍ୟାର ଜନ୍ମ ଆମ ପରିବାରରେ ଆନନ୍ଦର କଳରୋଳ ବଦଳରେ ଲଜ୍ଜା; ଓ ଅପମାନର ନିର୍ଜ୍ଜନତା ବ୍ୟାପୀ ଯାଇଥିଲା । କାରଣ ଅଞ୍ଜଳି ଭୂମିଷ୍ଠ ହୋଇଥିଲା ଆମ ବିବାହର ଚାରିମାସ ପରେ ।

 

ବିବାହର ଅଳ୍ପ କେତୋଟି ମାସ ପରେ ମୁଁ ଅନୁଭବ କରୁଥିଲି, ରୀନାକୁ ବିବାହ କରି ମୁଁ ଭୁଲ୍ କରିଛି । ଏ ଧାରଣା ମୋ ମନରେ ଯେତେ ଦୃଢ଼ୀଭୂତ ହୋଇଥିଲା, ମୁଁ ସେତେ ତମ ପ୍ରତି ଅଧିକ ଆକୃଷ୍ଟ ହୋଇଥିଲି । ତମେ ସେତେ ବେଶି ବେଶି ମୋର ମନେ ପଡ଼ୁଥିଲ । ହୋଇପାରେ, ମୋ ଭଳି ଲୋକ ପକ୍ଷରେ ପାଇଥିବା ପଦାର୍ଥଠାରୁ ଆଶାକରି ପାଇ ନଥିବା ପଦାର୍ଥର ମୂଲ୍ୟ ସବୁବେଳେ ଅଧିକ । ସେଥିପାଇଁ ରୀନାର ମୂଲ୍ୟ ମୁଁ ବୁଝିପାରି ନଥିଲି, ତମର ମୂଲ୍ୟ ମୋ ପାଖରେ ଖୁବ୍ ବଢ଼ି ଯାଇଥିଲା ।

 

କିନ୍ତୁ ତମେ ତ ମୋ ହାତ ପାହାନ୍ତାର ଅନେକ ଦୂରରେ—। ହୁଏତ ଆଉ କୌଣସି ପୁରୁଷ ଜୀବନର ସ୍ଥାୟୀ ଅବଲମ୍ବନ ହୋଇଯାଇଥିବ ଏଥି ମଧ୍ୟରେ । ତଥାପି ତମକଥା ସେଦିନ ମୁଁ ଭାବୁଥିଲି କାହିଁକି ?

 

ଜାଣେନା—ଜାଣେନା

 

ଆଜି ମଧ୍ୟ ପ୍ରଶ୍ନ କଲେ ମୁଁ ତାର ଉତ୍ତର ଦେଇ ପାରିବିନାହିଁ; କିନ୍ତୁ ମୁଁ ଭଲକରି ଜାଣେ ରୀନାର ଉଢ଼ୁଆଳରେ ମୋ ମନ ସବୁବେଳେ ତମକୁ ଖୋଜୁଥିଲା । କୌଣସି ୟୁରୋପୀୟ କିମ୍ଵା ଆଙ୍ଗୋଲୋଇଣ୍ଡିୟାନ ଝିଅ ଦେଖିଲେ ମୋର ତମ କଥା ମନେ ପଡ଼ୁଥିଲା । ତମର ସେ ନଗ୍ନ ଦେହର ଛବି ଆଖି ଆଗରେ ନାଚି ଉଠୁଥିଲା । ମୁଁ ମୋର ଶୋଣିତ ଗ୍ରନ୍ଥିରେ ଉତ୍ତେଜନାର ଚାପ ଅନୁଭବ କରୁଥିଲି । ଆଉ ଜାଣ, ଥରେ ପୁରୀର ସମୁଦ୍ରକୂଳରେ ଜଣେ ନୋଳିଆକୁ ମୁଁ ଟଙ୍କା ଲାଞ୍ଜ ଦେଇଥିଲି ଜଣେ ଆଙ୍ଗୋଲୋଇଣ୍ଡିଆନ ଝିଅକୁ ସମୁଦ୍ର-ସ୍ନାନବେଳେ ନଗ୍ନ କରିବା ପାଇଁ । କାରଣ ତାର ମୁହଁର ଗଢ଼ଣ ସହିତ ତମ ମୁହଁର ଥିଲା ଅପୂର୍ବ ସାଦୃଶ୍ୟ ।

 

ଦିନ ଯେତେ ଗଡ଼ି ଯାଉଥିଲା, ତମକୁ ନ ପାଇବାର ହତାଶା ମୋ ଭିତରେ ସେତେ ପୁଞ୍ଜିଭୁତ ହେଉଥିଲା । ମୁଁ ଜାଣୁଥିଲି ମୋ ପାଇଁ ତମେ ଏକ ମାୟାକନ୍ୟା । ତମର ମୁଁ ଠିକଣା ଜାଣି ନ ଥିଲି; ତମ ଅସ୍ତିତ୍ଵ ସହିତ ମୋ ପାଖରେ କୌଣସି ସଂପର୍କ ନଥିଲା । କିନ୍ତୁ ତମ ଦେହର ସେ ସ୍ମୃତି ମୁଁ ଗୋଟିଏ ମୁହୂର୍ତ୍ତ ପାଇଁ ସୁଦ୍ଧା ବିସ୍ମୃତ ହୋଇ ନଥିଲି ।

ପ୍ରେମଚାନ୍ଦ୍‍ଜୀ ମୋ ପାଇଁ ଅନେକ ୟୁରୋପିୟାନ ଝିଅଙ୍କ ନଗ୍ନ ଛବି ବିଦେଶରୁ ଆଣି ଦେଇଥିଲ । ସେ ଥିଲେ ଭାରତବର୍ଷର ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ । ଓଡ଼ିଶା ସରକାରଙ୍କ କେତେକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ପାଇଁ ସେ ମୋ ପାଖକୁ ଆସିଥିଲେ । ମୁଁ ତାଙ୍କୁ କହିଥିଲି, ଆପଣଙ୍କୁ ଓଡ଼ିଶା ସରକାରଙ୍କ ପ୍ରମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରିବାର କଣ୍ଟ୍ରାକ୍‍ଟ ମୁଁ କରାଇଦେବି; କିନ୍ତୁ ଗୋଟିଏ ସର୍ତ୍ତରେ..... ।

ପ୍ରେମଚାନ୍ଦ୍‍ଜୀ ପକ୍କା ବ୍ୟବସାୟୀ । ବୁଦ୍ଧିମାନ ବ୍ୟକ୍ତି । ସେ ପକେଟରୁ ସାଙ୍ଗେ ସାଙ୍ଗେ ଥାକେ ଅଶୋକସ୍ତମ୍ଭ ଚିତ୍ରିତ ଭାରତୀୟ କରେନ୍‍ସି ନୋଟ ବାହାର କରି ଟେବୁଲ ଉପରେ ଥୋଇଥିଲେ । କହିଲେ ସବୁ ପାର୍ଟିକୁ ମୁଁ ଚାନ୍ଦା ଦିଏ ସାର୍ ! ଭାରତବର୍ଷର ସବୁ ପଲିଟିକାଲ୍ ପାର୍ଟି ମୋ ପକେଟରେ ହାତ ଭର୍ତ୍ତି କରିଛନ୍ତି । ଆପଣ ତାକୁ ସର୍ତ୍ତ ବୋଲି କହୁଛନ୍ତି କାହିଁକି ? ଏତ ବରଂ ଆପଣଙ୍କର ଦାବୀ ।

ତାଙ୍କ କଥା ଶୁଣି ମୁଁ ବିସ୍ମୟରେ ହସି ଉଠିଥିଲି ।

ସେ ଟିକିଏ ସଂକୁଚିତ ହୋଇ ପଡ଼ିଥିଲେ । କଥାଟା ଏପରି ଖୋଲା ଖୋଲି ଭାବରେ କହି ନେବା ଭଳି ହୋଇ ନାହିଁ ବୋଲି ବୋଧହୁଏ ସେ ବୁଝିପାରିଲେ । ଲାଞ୍ଚ ଦେବା ଭଳି, ଲାଞ୍ଚ ଦେବା ମଧ୍ୟ ଏକ କଳା । ଲାଞ୍ଚ ଦେଉଥିବା ଲୋକ ସବୁବେଳେ ଲକ୍ଷ୍ୟ ରଖିବା ଉଚିତ, ଲାଞ୍ଚ ଗ୍ରହଣ କରୁଥିବା ଲୋକ ଯେପରି ଲାଞ୍ଚନେଲା ଭଳି ଅପ୍ରତିଭ ବୋଧ ନ କରେ ।

ସେ ସାଙ୍ଗେ ସାଙ୍ଗେ ଭ୍ରମ ସଂଶୋଧନ କରି ନେଇଥିଲେ । କହିଥିଲେ, ଆପଣ ସେଥିପାଇଁ କିଛି ଭାବିବେ ନାହିଁ । ମୁଁ ଆଦୌ ତାକୁ ମୋ ଆକାଉଣ୍ଟରେ ଉଠାଇବି ନାହିଁ । ଏହା ମୋର ଆପଣଙ୍କୁ ପ୍ରୀତି ଉପହାର....ମାତ୍ର ଦଶହଜାର ଟଙ୍କା—ଆପଣ ଏହାକୁ ପାର୍ଟି ଆକାଉଣ୍ଟରେ ଜମାଦେଇ ପାରନ୍ତି, ନଦେଇ ପାରନ୍ତି...।

ମୁଁ ତାଙ୍କୁ କଥା ମଝିରେ ବାଧା ଦେଇଥିଲି ।

କହିଥିଲି, ଟଙ୍କା ଦେବାର ସର୍ତ୍ତରେ ମୁଁ ତମକୁ ସାହାଯ୍ୟ କରି ପାରିବି ନାହିଁ । ତମେ ମତେ ଲଣ୍ଡନ ସହରର ଜଣେ ଇଂରେଜ ମହିଳାଙ୍କ ନଗ୍ନ ଛବି ଆଣି ଦେଇପାରିବ ? ଶୁଣିଛି, ଚଳଚ୍ଚିତ୍ର ବ୍ୟବସାୟ ନେଇ ଆପଣ ପ୍ରତି ମାସରେ ଲଣ୍ଡନ ଯାଆନ୍ତି । ଭଦ୍ର ମହିଳାଙ୍କ ନାମ ରୋଜାଲୀନା...

ମୋ କଥା ଶୁଣି ପ୍ରୌଢ଼ ପ୍ରେମଚାନ୍ଦ୍‍ଜୀଙ୍କ ମୁହଁରୁ ଝାଳ ନିଗିଡ଼ି ପଡ଼ିଥିଲା । ଓଡ଼ିଶା ସରକାରଙ୍କ ଡକୁମେଣ୍ଟାରୀ ନିର୍ମାଣ କଣ୍ଟ୍ରାକଟ ହାତଛଡ଼ା ହୋଇଯିବାର ସମ୍ଭାବନାରେ ତାଙ୍କ ମୁହଁର ଜ୍ୟୋତି ମଳିନ ପଡ଼ିଯାଇଥିଲା ।

ସେ ବଡ଼ କରୁଣ କଣ୍ଠରେ ଉତ୍ତର ଦେଇଥିଲେ, ଲଣ୍ଡନରେ କୌଣସି ଅଭିନେତ୍ରୀଙ୍କ ନାମ ରୋଜାଲୀନା ବୋଲି ମୋର ସ୍ମରଣ ହେଉନାହିଁ । ଆପଣ ବୋଧହୁଏ ଭୁଲ୍ କହୁଛନ୍ତି—

ମୁଁ ଉତ୍ତର ଦେଇଥିଲି, ଅଭିନେତ୍ରୀ ନୁହନ୍ତି, ସେ ଥିଲେ ଆମ ଏହି ବ୍ରିଟିଶ୍ ଶାସନାଧୀନ ଭାରତବର୍ଷରେ ଜଣେ ଜିଲ୍ଲା କଲେକ୍ଟରଙ୍କ କନ୍ୟା...ତାଙ୍କ ନାମ ସ୍ପେଣ୍ଡର ସାହେବ । ଇଚ୍ଛାକଲେ ଆପଣ ତାଙ୍କୁ ଖୋଜି ବାହାର କରି ପାରିବେ...

 

ପ୍ରେମଚାନ୍ଦଜୀ ମୋ ମୁହଁକୁ ଅନେକ ସମୟଧରି ନିରୀକ୍ଷଣ କରି ଚାହିଁ ରହିଲେ । ମନେ ମନେ ବୋଧହୁଏ ମତେ ଅନେକ ଅଶ୍ଳୀଳ, ଅଶ୍ରାବ୍ୟ ଭାଷାରେ ଗାଳି ଦେଉଥିଲେ । ତା ପରେ କହିଥିଲେ, ମୁଁ ଆପଣଙ୍କୁ ଅନେକ ଲଣ୍ଡନ ସୁନ୍ଦରୀଙ୍କ ନଗ୍ନ ଫଟୋ ଆଣି ଦେବି...ଟ୍ରୁ ଫଟୋ...ଆପଣ ସେଥିରୁ ଦେଖିବେ ଯଦି ମିସ୍ ରୋଜାଲୀନାଙ୍କ ଫଟୋ ସେଥିରୁ ଗୋଟାଏ ହୋଇପାରିଥାଏ... ।

 

କଥା ରଖିଥିଲେ ପ୍ରେମଚାନ୍ଦ୍‍ଜୀ ।

 

ଅସଂଖ୍ୟ ଇଂରେଜ ତରୁଣୀଙ୍କ ଫଟୋ ସେ ମୋତେ ଉପହାର ଦେଇଥିଲେ । ଶୁଣିଛି, ଅନ୍ୟମାନଙ୍କ ଆଗରେ ସେ ମନ୍ତବ୍ୟ କରିଥିଲେ ମୋରକୁ କୁଆଡ଼େ ଯୌନ-ବିକୃତ ଘଟିଛି... I

 

ରୀନା ସହିତ ସ୍ଵାମୀ ସ୍ତ୍ରୀ ଭଳି ଚଳୁଥିଲେ ସୁଦ୍ଧା ରାତ୍ରିରେ ମୋର ଶଯ୍ୟା ଥିଲା ସ୍ଵତନ୍ତ୍ର । ସେଇ ଶ୍ଵେତାଙ୍ଗିନୀ ଇଂରେଜ ତରୁଣୀମାନଙ୍କ ଫଟୋ ଥିଲା ମୋ ନିର୍ଜନ ଏକାକୀ ଶଯ୍ୟାର ସହଚର-!

 

ରୀନା ମୋର ଏହି ଫଟୋଗୁଡ଼ିକୁ ବୋଧହୁଏ କେବେ ଆବିଷ୍କାର କରିଥିଲା । କାରଣ ସେଦିନ ମୋ ପାଦକୁ ନିଜଦୁଇ ଆଖିର ଲୁହରେ ଧୋଇ ଦେଇ ଛୋଟ ପିଲାଙ୍କ ଭଳି ଅଳି କରିଥିଲା, ଚନ୍ଦ୍ରଭାନୁ ! ସେ ଶ୍ଵେତାଙ୍ଗିନୀ ଡାହାଣୀମାନଙ୍କ ଛବି ତମେ ପୋଡ଼ିଦିଅ । ନହେଲେ ମତେ ଟିକିଏ ବିଷ ନିଜ ହାତରେ ଆଣିଦିଅ... I

 

ଲୀନା ! ବିଷ ମୁଁ ଦେଇ ନ ଥିଲି ରୀନାକୁ । ଶ୍ୟାମସୁନ୍ଦର ବୋଲି ତାଙ୍କ ଗ୍ରାମର ଏକ ବାଜେ ଲୋକ ମୋ ଜୀବନକୁ ଦିନେ ବିଷାକ୍ତ କରିଦେଲା । ଦିନେ ସେ ଅଫିସ ଆଗରେ ଠିଆହୋଇ ହଲ୍ଲା କଲା ଯେ, ରୀନା କୁଆଡ଼େ ଥିଲା ତାର ପ୍ରଣୟିନୀ । ସେ କୁଆଡ଼େ ଅଞ୍ଜଳିର ପିତା......ମୁଁ ରୀନାକୁ ବିବାହ କରି ତା ଜୀବନକୁ ନଷ୍ଟ କରି ଦେଇଛି ?

 

ଏ ସବୁ ଘଟଣା ଗୋଟିକ ପରେ ଗୋଟିଏ ଅତି ନାଟକୀୟ ଭାବରେ ଘଟିଯାଉଥିଲା । ମୋ ବିପକ୍ଷ ରାଜନୈତିକ ଦଳର ଲୋକେ ଶ୍ୟାମସୁନ୍ଦରକୁ ଆୟୁଧ କରି ମୋର ଚରିତ୍ର ସଂହାର ଆରମ୍ଭ କରି ଦେଇଥିଲେ ।

 

ୟାକୁବ ସହିତ ତମର କୌଣସି ସନ୍ଦେହଜନକ ସଂପର୍କ ଥିଲା କି ନାହିଁ ତାହା ଯେପରି ମୁଁ ଜାଣେ ନାହିଁ; ଅଞ୍ଜଳିର ପିତା ଶ୍ୟାମସୁନ୍ଦର କି ନୁହେଁ ତାହା ମଧ୍ୟ ଠିକ୍ ମୁଁ ଜଣେ ନାହିଁ; କିନ୍ତୁ ମୁଁ ଓଡ଼ିଶାର ଜଣେ ବିଶିଷ୍ଟ ମନ୍ତ୍ରୀ । ଶ୍ୟାମସୁନ୍ଦର ନାମରେ ଜଣେ ସାମାନ୍ୟଲୋକ ମୋ କନ୍ୟାର ପିତୃତ୍ଵ ଦାବୀ କରିବ,ଏ କଥା ମୁଁ ସହି ପାରିନଥିଲି ।

 

ଅଞ୍ଜଳିକୁ ନେଇ ରୀନା ମୋଠାରୁ ବିଚ୍ଛିନ୍ନ ହୋଇଯାଇଥିଲା । ଆଉ ଦିନେ ପ୍ରେମଚାନ୍ଦ‌୍‍ଜୀ ମତେ ଫୋନରେ ପଚାରଲେ, ରୀନା ତାଙ୍କର ଗୋଟାଏ ହିନ୍ଦୀ ଫିଲ୍ମରେ ନାୟିକା ହେବାକୁ ଚାହୁଁଛି । ସେଥିରେ ମୋର ସମ୍ମତି ଅଛି କି ନାହିଁ ?

 

 

ମୁଁ ଆନନ୍ଦରେ ସମ୍ମତି ଦେଇଥିଲି ।

 

କିନ୍ତୁ ଗୋଟାଏ ସର୍ତ୍ତରେ । ସେ ଯେପରି ଆଉ ଓଡ଼ିଶାରେ ରହିବ ନାହିଁ । ଓଡ଼ିଶାରେ ତାର ଉପସ୍ଥିତ ମୋ ରାଜନୈତିକ ପ୍ରତିପତ୍ତି ଓ ସମ୍ମାନକୁ ଯେପରି ଆଚ୍ଛନ୍ନ ନ କରେ ।

 

ଚଳଚ୍ଚିତ୍ର ଅଭିନେତ୍ରୀ ହିସାବରେ ଖୁବ୍ ସୁନାମ କରିଥିଲା ରୀନା । ଫଟୋଗ୍ରାଫ୍‍ର କ୍ୟାମେରାରେ ରୀନାର ଚେହେରା ଅସାମାନ୍ୟ ରୂପ ଧାରଣ କରିଥିଲା । ପ୍ରେମଚାନ୍ଦଜୀଙ୍କ ପ୍ରଚେଷ୍ଟାରେ ସେ ଅନେକ ଫିଲ୍ମରେ ଅଭିନୟ କରିଥିଲା ।

 

ରୀନାର ଅଭିନୀତ କେତେକ ଛବି ମୁଁ ଦେଖିଛି । ଅନ୍ୟ କୌଣସି ଅଭିନେତାର ପତ୍ନୀ କିମ୍ବା ପ୍ରେମିକା ରୂପେ ତାର ଅଭିନୟ ଦେଖି ମୁଁ କେବେ ଇର୍ଷା ବୋଧ କରି ନାହିଁ ମୋର କେବଳ ବେଳେ ବେଳେ ସନ୍ଦେହ ହୋଇଛି, ଜିତି ଯାଇଛନ୍ତି ବମ୍ବେର ଚିତ୍ର ପରିଚାଳକ ପ୍ରେମଚାନ୍ଦ୍‍ଜୀ ।

 

ଲୀନା ! ସରକାରୀ କାର୍ଯ୍ୟରେ ଲଣ୍ତନ ଯାଇଥିଲାବେଳେ ତମକୁ ଖୋଜି ବାହାର କରିବା ପାଇଁ ମୁଁ ଅନେକ ବେସରକାରୀ ସମୟ ନଷ୍ଟ କରିଥିଲି । ମତେ ତମେ ପ୍ରଥମେ ଚିହ୍ନିପାରି ନ ଥିଲ । ଆଉ ଯେତେବେଳେ ଚିହ୍ନିଲ ଓ ଜାଣିଲ ଯେ ମୁଁ ସ୍ଵାଧୀନ ଭାରତବର୍ଷରେ ଗୋଟିଏ ବିଶିଷ୍ଟ ପ୍ରଦେଶର ମନ୍ତ୍ରୀ ହୋଇଛି ସେତେବେଳେ ଅନେକ ଗୁଡ଼ାଏ ହସର ଫୁଲ ତମ ଓଠରେ ବିକଶିତ ହୋଇ ଉଠିଥିଲା ।

 

ତମ ପାଇଁ ମୋର ସଂସାର ଭାଙ୍ଗିଯାଇଛି, ଏକଥା ତମେ ସହଜରେ ବିଶ୍ଵାସ କରି ନଥିଲା । ସେଥିପାଇଁ କୁଣ୍ଠିତ କଣ୍ଠରେ ପ୍ରଶ୍ନ କରିଥିଲ, ଏ ବୟସରେ ତମ ପାଇଁ ମୁଁ କଅଣ କରିପାରେ ଚନ୍ଦର !

 

ତମେ ବିବାହ କରି ନାହଁ । ଆଣବିକ ଅସ୍ତ୍ର ବିରୋଧୀ ଆନ୍ଦୋଳନରେ ନେତୃତ୍ଵ ନେଇ ସାରା ୟୁରୋପରେ ଖ୍ୟାତି ଅର୍ଜ୍ଜନ କରିଛ । ସ୍ପେଣ୍ଡର ସାହେବ ଅନେକ ଦିନ ଧରି କବର କ୍ରଶଚିହ୍ନିତ ସମାଧି ତଳେ ଦେହ ରକ୍ଷା କରିଛନ୍ତି । ଇଚ୍ଛା କରିଥିଲେ ମୁଁ ତମ ପାଖରେ ବିବାହ ପ୍ରସ୍ତାବ କରି ପାରି ଥାଆନ୍ତି ।

 

କିନ୍ତୁ ଜାଣି ଜାଣି ମୁଁ ସେ ପ୍ରସ୍ତାବ କରି ନ ଥିଲି ।

 

ମୁଁ କେବଳ ଅନୁରୋଧ କରିଥିଲି; ଗୋଟାଏ ନାଇଟକ୍ଲବରେ ମୋ ସହିତ ନାଚିବା ପାଇଁ-

 

ତମେ ରାଜି ହୋଇଥିଲ । ଆଉ ତମ ସହିତ ହୁଇସ୍କି ପିଇ ନାଚିଲାବେଳେ ମୋର ହଠାତ୍ ସେ ଦିନର କଥା ମନେ ପଡ଼ିଗଲା, ଯେଉଁଦିନ ସ୍ପେଣ୍ଡର ସାହେବ ଚାବୁକରେ ମାଡ଼ ଦେଇ ତମକୁ ମୋଠାରୁ ଛଡ଼ାଇ ନେଇଥିଲେ ।

 

ହୁଇସ୍କି ନିଶାରେ ନୁହେଁ, ସ୍ମୃତିର ସେ ଉତ୍ତେଜନାରେ ମୁଁ ଅସ୍ଥିର ହୋଇ ଉଠିଥିଲି । ମୋ ରକ୍ତରେ ନିଆଁ ଲାଗି ଯାଇଥିଲା । ନାଚିବା ଅବସ୍ଥାରେ ମୁଁ ତମକୁ ନଗ୍ନ କରିଦେବା ପାଇଁ ଏକ ପଶୁଭଳି ତମ ଉପରକୁ ଲମ୍ପ ଦେଇଥିଲି । ତା ପରେ ତମ ସହିତ ନୁହେଁ, ପୋଲିସ ସହିତ ମତେ କୁସ୍ତି କରିବାକୁ ହୋଇଥିଲା । ଲଣ୍ତନର ପୋଲିସ ମତେ ଗିରଫ କରିନେଲା ।

 

ଭାରତୀୟ ହାଇକମିଶନରଙ୍କ ହସ୍ତକ୍ଷେପ ଫଳରେ ଅବଶ୍ୟ ମୁଁ ସ୍ଵଦେଶକୁ ଫେରି ଆସିଥିଲି, କିନ୍ତୁ ମୋ ଆଗମନ ଆଗରୁ ସେ ସମ୍ପର୍କୀୟ ସମ୍ବାଦ ଓଡ଼ିଶାର ସମ୍ବାଦପତ୍ରରେ ଚହଳ ସୃଷ୍ଟି କରି ସାରିଥିଲା ।

 

ଲୀନା ! ସେ ଦିନ ଡେପୁଟି କଲେକ୍ଟର ଚାକିରୀରୁ ଇସ୍ତଫା ଦେଇ ସ୍ଵାଧୀନତା ଆନ୍ଦୋଳନକୁ ସମର୍ଥନ କରି ମୁଁ ତମ ଡାଡ଼ିଙ୍କୁ ଫାଙ୍କି ଦେଇଥିଲି । ମତେ ଯେ ତମକୁ ରେପ କରିବା ଅଭିଯୋଗରେ ସ୍ପେଣ୍ଡର ସାହେବ ଚାବୁକ ଦେଇଥିଲେ, ସେ କଥା କେହି ବିଶ୍ଵାସ କରି ନଥିଲେ । କାରଣ ସେ ହେଉଛି ୧୯୪୦ ମସିହାର କଥା । ଇଂରେଜମାନଙ୍କ ପ୍ରତି ମୋ ଦେଶରେ ପ୍ରତ୍ୟେକ ଲୋକ ମନରେ ସେ ଦିନ ଥିଲା ଘୋର ଅବିଶ୍ୱାସ ।

 

କିନ୍ତୁ ଆଜି ?

 

ଆଜି ମୋର ମନ୍ତ୍ରୀ-ଆସନ ଟଳମଳ ହେଉଛି । ମୁ ତମକୁ ପାଇଲି ନାହିଁ, ପାଇ ମଧ୍ୟ ରୀନାକୁ ଧରି ରଖି ପାରିଲି ନାହିଁ । ଶେଷରେ ମନ୍ତ୍ରୀତ୍ୱ ଯଦି ମୋର ହାତଛଡ଼ା ହୋଇଯାଏ ? ମୁଁ ଚନ୍ଦ୍ରଭାନୁ ଆଚାର୍ଯ୍ୟ, ଏକଦା ବ୍ରିଟିଶ-ଇଣ୍ଡିଆର ଡେପୁଟି କଲେକ୍ଟର, ବ୍ୟାଙ୍କଲୁଟ୍ ଅପରାଧର ଫେରାର ଆସାମୀ; ମୁଁ ଯିବି କୁଆଡ଼େ ? ପଥ କାହିଁ ? ପଥ କାହିଁ ?

 

ଲୀନା ! ଶୁଣିଛି ପ୍ରେମ ଓ ରାଜନୀତିରେ କୌଣସି କାମ ପାପ ନୁହେଁ । ଯାହା ଅନ୍ୟାୟ କଲେ ବି ପ୍ରଣୟ ବ୍ୟାପାରରେ ଓ ରାଜନୈତିକ କ୍ଷେତ୍ରରେ ତାହା ଅନ୍ୟାୟ ବୋଲି ଧରାଯାଏ ନାହିଁ-। ସେଥିପାଇଁ ଭୋଟ ପାଇବା ଲାଗି କୌଣସି ଅସମ୍ଭବ ପ୍ରତିଶ୍ରୁତି ଦେବା କିମ୍ଵା କୌଣସି ଝିଅକୁ ପାଇବାକୁ କୌଣସି କଥା ପାଇଁ ଶପଥ କରି ପରେ ସେ ଶପଥ ଭଙ୍ଗ କରିବା କିଛି ଅନ୍ୟାୟ କିମ୍ବା ପାପ ବୋଲି କେହି କହେନାହିଁ ।

 

ରିନାକୁ ସୁଖୀ କରିବି ବୋଲି ନୀଳମଣିବାବୁଙ୍କ ପାଖରେ ମୁଁ ଶପଥ କରିଥିଲି । ରୀନାକୁ ମୋ ଠାରୁ ବିଛିନ୍ନ ହୋଇଯିବା ପାଇଁ ବାଧ୍ୟ କଲାବେଳେ ସେହି କାରଣରୁ ମୋ ମନରେ କିଛି ଦ୍ଵିଧା ହୋଇ ନ ଥିଲା । ରାଜନୀତିରେ ନିଜେ ଉପରକୁ ଉଠିବା ପାଇଁ ମୁଁ ମୋର ଅନେକ ଦୀକ୍ଷା ଗୁରୁଙ୍କ ଗୋଡ଼ ଧରି ତଳକୁ ଟାଣି ଥିଲି । ସେଥିପାଇଁ ମୋ ମନରେ କୌଣସି ସଙ୍କୋଚ ହୋଇ ନ ଥିଲା । ଅନ୍ୟମାନଙ୍କ ଗୋଡ଼ ତଳକୁ ଟାଣି ପାରି ନ ଥିଲେ ମୁଁ ମନ୍ତ୍ରୀ ହୋଇ ପାରି ନ ଥାନ୍ତି । ମୋ ଜୀବନଟା ବ୍ୟର୍ଥ ହୋଇ ଯାଇ ଥାଆନ୍ତା ।

 

ତମ ଡାଡ଼ି କେବଳ ସାମାନ୍ୟ ଜଣେ ଜିଲ୍ଲା କଲେକଟର ଥିଲେ । ତାଙ୍କ ଅଧୀନରେ ମୁଁ ଥିଲି ଡେପୁଟି କଲେକଟର । କିନ୍ତୁ ପରେ ମୁଁ ମତ୍ରୀ ହେଲି । ମୋ ମୁହଁରୁ ଆଦେଶ ଉପଦେଶ ଶୁଣିବା ପାଇଁ ଅନେକ ଜିଲ୍ଲା କଲେକ୍ଟର ପାଟି ଆଁ କରି ଅନେଇ ରହୁଥିଲେ । ରୀନାଠାରୁ ବିଚ୍ଛିନ୍ନ ହେବାପରେ ମଧ୍ୟ ସ୍ତ୍ରୀ-ବିରହର ଯତ୍ରଣା, ଶୂନ୍ୟତା ମୁଁ କେବେ ଅନୁଭବ କରି ନ ଥିଲି । ଭାରତବର୍ଷ ଏକ ବିଚିତ୍ର ଦେଶ । ତମେ ଯଦି ଦେଶସେବା କରିବ ସମସ୍ତେ ତମର ସେବା କରିବେ, ଏ କଥା ଭାରତବର୍ଷ ଭଳି ଅନ୍ୟ କୌଣସି ଦେଶରେ ବୋଧହୁଏ ଘଟେ ନାହିଁ ।

 

କିନ୍ତୁ ଏହି ମାସ ଦୁଇଟି ତଳେ ଯେଉଁ ସାଧାରଣ ନିର୍ବାଚନ ହୋଇଗଲା, ସେଥିରେ ମୁଁ ମାଟି କାମୁଡ଼ି ମୁହଁ ମାଡ଼ି ପଡ଼ିଛି । ଆଉ ଉଠି ପାରୁନାହିଁ । ମୁଁ ପାର୍ଟିରେ ଯେଉଁମାନଙ୍କ ଗୋଡ଼ଧରି ଟାଣିଥିଲି, ନିର୍ବାଚନ ବେଳେ ସେମାନେ ମୋ ନାକ ଧରି ଟାଣିଲେ । ମୁଁ କୁଆଡ଼େ ଚରିତ୍ରହୀନ । ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀଙ୍କ ଭଳି ପତ୍ନୀକୁ ଗଛମୂଳେ ଠିଆ କରି ମୁଁ କୁଆଡ଼େ ମନ୍ତ୍ରୀ ଉଆସ ମଧ୍ୟରେ ଗଣ୍ଡା ଗଣ୍ଡା ଝିଅଙ୍କ ଚରିତ୍ର ନଷ୍ଟ କରିଛି ।

 

ଲୀନା ! ଅନ୍ୟ ଝିଅମାନଙ୍କ ଚରିତ୍ର ନଷ୍ଟ କଲେ ନିଜ ଚରିତ୍ର ନଷ୍ଟ ହୁଏ ନାହିଁ ବୋଲି ବହୁ ଚେଷ୍ଟା କରି ମଧ୍ୟ ମୁଁ ମୋ ଭୋଟର ଭଗବାନମାନଙ୍କୁ ବୁଝାଇ ପାରିଲି ନାହିଁ । ଶ୍ୟାମସୁନ୍ଦର ସେଥିରେ ମଧ୍ୟ ବାଦ ସାଧିଲା । ସେ ମଫସଲି ଲୋକଟା ନିତାନ୍ତ ଗୋଟାଏ ଖଳ ଲୋକ । ମୋ ବିପକ୍ଷ ଦଳର ନିର୍ବାଚନ ସଭାରେ ପ୍ରଚାର କଲା ଯେ ମୁଁ କୁଆଡ଼େ ତାକୁ ଟଙ୍କା ଦେଇ ନିଜ ସ୍ତ୍ରୀ ବିରୁଦ୍ଧରେ ଅପପ୍ରଚାର କରାଇଥିଲି । ରୀନା କୁଆଡ଼େ ସତୀ, ସାଧ୍ୱୀ ନାରୀ । ଅନ୍ୟ ଝିଅମାନଙ୍କୁ ନେଇ ଗୋପଲୀଳା କରିବି ବୋଲି ମୁଁ ତାକୁ ତଡ଼ିବାକୁ ଚାହୁଁଥିଲି । ମୋ ଯୋଗୁଁ ସେ ନିଜ ପେଟ ପୋଷିବା ପାଇଁ ହିନ୍ଦି ଫିଲ୍ମରେ ମୁସଲମାନ, ପଞ୍ଜାବୀ ଲୋକଙ୍କ ସ୍ତ୍ରୀ ଆଉ ପ୍ରେମିକା ଭୂମିକାରେ ଅଭିନୟ କଲା । ଓଡ଼ିଆ ଝିଅର ଇଜ୍ଜତ ନଷ୍ଟ ହେଲା । ତେଣୁ ଓଡ଼ିଶାବାସୀ ମତେ ଠିକଣା ଜବାବ ଦେବା ଉଚିତ ।

 

ନିର୍ବାଚନରେ ମୋର ଅମାନତ ଟଙ୍କା ଉଡ଼ିଗଲା । ଭୋଟ ଲଢେ଼ଇରେ ଜୁଆ ଖେଳରେ ମୁଁ ମଟ ପଡ଼ିଗଲି । ମତେ ମୋର ମନ୍ତ୍ରୀ ଉଆସ ଖାଲି କରି ଦେଇ ହୋଟେଲକୁ ଚାଲି ଆସିବାକୁ ହେଲା । ତମକୁ ଏ ଚିଠି ମୁଁ ସେଇ ହୋଟେଲ ରୁମରେ ବସି ଲେଖୁଛି ।

 

ମୋର ମନେ ହେଉଛି, ବୟସ ଗଡ଼ିଗଲେ, ରୂପର ତେଜ ମହଳଣ ପଡ଼ିଗଲେ ଚଳଚ୍ଚିତ୍ର ଜଗତର ଉଜ୍ଜ୍ୱଳ ତାରକା ଯେପରି ଜୁଳୁଜୁଳିଆ ପୋକରେ ପରିଣତ ହୋଇଯାଏ, ନିର୍ବାଚନରେ ହାରିଗଲେ ରାଜନୈତିକ ନେତା ସେହିପରି ନିରାମିଷାଶୀ ସନ୍ୟାସୀ ହେବାକୁ ବାଧ୍ୟ ହୁଏ ।

 

ନିର୍ବାଚନରେ ହାରିଗଲା ପରେ ରୀନାର କଥା ମୋର ବେଶି ମନେ ପଡ଼ିଛି । ତାଙ୍କ ଗ୍ରାମର ସେ ଶ୍ୟାମସୁନ୍ଦର କଥା ମୋର କାହିଁକି ସତ୍ୟ ବୋଲି ମନେ ହେଉଛି । ପ୍ରକୃତରେ ସେ ବୋଧହୁଏ, ସତୀ, ସାଧ୍ୱୀ ନାରୀ । ମୋଠାରୁ ଟଙ୍କା ନେଇ ନୁହେଁ, ମୋ ବିପକ୍ଷ ଦଳଠାରୁ ଟଙ୍କା ନେଇ ଶ୍ୟାମସୁନ୍ଦର ସମ୍ଭବତଃ ରୀନା ନାମରେ ସେଦିନ ମିଥ୍ୟା ପ୍ରଚାର ଚଳାଇଥିଲା ।

 

ଲୀନା ! ମୁଁ ଆଜି ମୋ ଓକିଲଙ୍କ ସହିତ ପରାମର୍ଶ କରିଥିଲି । ସେ କହିଲେ ଆଇନ ଅନୁସାରେ ରୀନା ସହିତ ମୋର ବିଚ୍ଛେଦ ଘଟି ନାହିଁ । ଆଇନତଃ ବର୍ତ୍ତମାନ ସୁଦ୍ଧା ସେ ମୋର ପତ୍ନୀ । ଇଚ୍ଛା କଲେ ମୁଁ ତା ଉପରେ ଏବଂ ତାର ସଞ୍ଚିତ ଅର୍ଥ ଉପରେ ମୋର ଅଧିକାର ସାବ୍ୟସ୍ତ କରିପାରେ ।

 

ପ୍ରେମଚାନ୍ଦଜୀଙ୍କୁ ରୀନା ସଂପର୍କରେ କିଛିଦିନ ତଳେ ଚିଠି ଲେଖିଥିଲି । ସେ ଉତ୍ତର ଦେଇଥିଲେ, ଅଭିନେତ୍ରୀ ଜୀବନରୁ ବିଦାୟ ନେଇ ନେପାଳର ପଶୁପତିନାଥଠାରେ ରୀନା ବିଶ୍ରାମ ନେଉଛି । ପଞ୍ଜାବ ନାସନାଲ ବ୍ୟାଙ୍କରେ ତାର ଯେଉଁ ପାଞ୍ଚଲକ୍ଷ ଟଙ୍କା ଜମା ଥିଲା, ତାହା କାଠମାଣ୍ଡୁ ବ୍ୟାଙ୍କକୁ ସେ ଉଠାଇ ନେଇଛି ।

 

ମୋ ଓକିଲଙ୍କଠାରୁ ଆଇନଗତ ଦାବୀ ସଂପର୍କରେ ନିଶ୍ଚିତ ହେଲା ପରେ ସ୍ଥିର କରିଛି, କାଲି ମୁଁ ପ୍ଲେନରେ କଲିକତାରୁ କାଠମାଣ୍ଡୁ ଚାଲିଯିବି । ଦୁଇଦିନ ପରେ ଶିବରାତ୍ରି ଉତ୍ସବ । ପଶୁପତିନାଥ ମନ୍ଦିରରେ ଏ ଉତ୍ସବ ମହାସମୋରୋହରେ ପାଳିତ ହୁଏ । ଦେଶ ସେବାରେ ବ୍ୟସ୍ତ ଥାଇ ଅନେକ ଦିନ ଧରି ମୁଁ କୌଣସି ଦେବମନ୍ଦିରକୁ ଯାଇ ପାରି ନାହିଁ । ସମ୍ଭବ ହେଲେ ରୀନାକୁ ସାଙ୍ଗରେ ନେଇ ପଶୁପତିନାଥଙ୍କ ଦର୍ଶନ କରିବି । ରୀନାକୁ କହିବି ମୋ ମନ୍ତ୍ରୀତ୍ଵ ଫେରାଇ ଦେବାପାଇଁ ସେ ପଶୁପତିନାଥଙ୍କ ପାଖରେ ପ୍ରାର୍ଥନା କରିବ । ଶୁଣି ପଶୁପତିନାଥ ପ୍ରତକ୍ଷ୍ୟ ଦେବତା-। ରୀନା ସତୀ, ସାଧ୍ୱୀ ନାରୀ । ପଶୁପତିନାଥ ତାର ପ୍ରାର୍ଥନା କେବେ ଅପୂର୍ଣ୍ଣ ରଖିବେ ନାହିଁ-

 

ତା ନ ହେଲେ ଆମକୁ ରୀନାର କାଠମାଣ୍ଡୁ ବ୍ୟାଙ୍କରେ ଥିବା ଟଙ୍କା କେତେ ଲକ୍ଷ ଉପରେ ନିର୍ଭର କରିବାକୁ ହେବ । ସେ ଟଙ୍କା ରୀନା ପାପ କରି ଅର୍ଜ୍ଜନ କରିଛି କି ଶ୍ରମ କରି ସଞ୍ଚୟ କରିଛି, ସେ କଥା ଆଜି ଆଉ ମୁଁ ଭାବୁ ନାହିଁ । କାରଣ ବୃଦ୍ଧା ନାରୀର ସତୀତ୍ୱକୁ ସନ୍ଦେହ କରିବା ଯେପରି ନିର୍ବୋଧତା, ଭୟଙ୍କର ଆବଶ୍ୟକତା ବେଳେ ଟଙ୍କାର ଯଥାର୍ଥତା ବିଷୟରେ ଚିନ୍ତା କରିବା ସେହିପରି ବାଚାଳତା ।

 

ଲୀନା ! ଲଣ୍ଡନରୁ ଫେରିଲା ପରେ ତମକୁ ମୁଁ ଯେତେ ଚିଠି ଲେଖିଛି, ସେଥିରୁ କୌଣସି ଗୋଟାଏ ଚିଠିର ତମେ ଉତ୍ତର ଦେଇନାହଁ । ଲଣ୍ଡନ ନାଇଟ କ୍ଳବରେ ସେ ରାତିର ଘଟଣା ପାଇଁ ତମେ ବୋଧହୁଏ ମୋ ଉପରେ ରାଗ କରିଛ । ତମ ରାଗ, ଅନୁରାଗର ଆଜି ମୋ ପାଇଁ କୌଣସି ଅର୍ଥ ନାହିଁ । ଏ ମୋର ତମକୁ ଶେଷ ଚିଠି, ଏହାପରେ ମୁଁ ଆଉ ବୋଧହୁଏ ତମକୁ ଚିଠି ଲେଖିବାକୁ ସମୟ ପାଇବି ନାହିଁ । କାରଣ ଚଳଚ୍ଚିତ୍ର ଜଗତରୁ ରୀନା ଅଭିନୟ ସିନା ଶେଷ ହୋଇଛି; କିନ୍ତୁ ପୁଣ୍ୟାତ୍ମା ଚରିତ୍ରବାନ୍ ସ୍ୱାମୀର ଭୂମିକାରେ ମତେ କାଲିଠାରୁ ଅଭିନୟ ଆରମ୍ଭ କରିବାକୁ ପଡ଼ିବ !

 

 

 

 

 

 

 

 

 

 

 

 

॥ ରୀନା ॥

॥ ଆର୍ଯ୍ୟଘାଟରେ ରାତ୍ରି ॥ ବାଗମତୀ; କ୍ଷିପ୍ରଗତି ॥

 

ତମେ କେବେ ସମୁଦ୍ର-ସ୍ନାନ କରିଛ ? ଅନ୍ତତଃ ପୁରୀର ସମୁଦ୍ରରେ... ! ଅନେକ ଗୁଡ଼ାଏ ଢେଉ ଥାକ ଥାକ ହୋଇ ନାଚି, ନାଚି ଆସୁଥିବେ ଏବଂ ତମେ ମୁଣ୍ଡ ତଳକୁ କରି ଦେଲେ ସେମାନେ ତମ ବେକମୂଳ ଆଉ ପିଠି ଉପରେ ମୃଦୁ ଆଘାତର ଚାପ ସୃଷ୍ଟି କରି ସୁନା ପିଲାଟା ଭଳି ସମୁଦ୍ରର ଆଶ୍ଚର୍ଯ୍ୟ-ସୁନ୍ଦର ସୁନୀଳ ଜଳ ସହିତ ପୁଣି ସମତଳ ହୋଇଯିବେ; ଏମିତି କିଛି ଅନୁଭୂତି ତମ ସ୍ମୃତିର ଗନ୍ତାଘରେ ସାଇତା ହୋଇ ରହିଛି ?

 

ମୁଁ ଜାଣେ, ତମେ କେବେ ହୁଏତ ଏପରି ଅନୁଭୁତି ସଞ୍ଚୟ କରିବା ପାଇଁ ସମୁଦ୍ର ଲୁଣି ଜଳରେ ଦେହ ଭିଜାଇ ନାହିଁ, କାରଣ ନୋଳିଆର ହାତ ଧରି ସେହି ଦୂର-ବିଦେଶିନୀମାନେ ପୁରୀର ସମୁଦ୍ରରେ ସ୍ନାନ କଲାବେଳେ ସେମାନଙ୍କର ନଗ୍ନ ଦେହର ସୌନ୍ଦର୍ଯ୍ୟ ଦେଖିବାର ତମର ଖୁବ୍ ଆଗ୍ରହ, କିନ୍ତୁ ନିଜେ ସ୍ନାନ କରିବାପାଇଁ ତମର ଅନେକ କୁଣ୍ଠା । ମୁଁ ତମ ସହିତ ଯେତେଥର ପୁରୀର ସମୁଦ୍ରବେଳାକୁ ଯାଇଛି, ସେତେଥର ତମେ ମତେ ଏକାକିନୀ ଛାଡ଼ିଦେଇ ଆଖିରେ ବାଇନାକୁଲାର ଲଗାଇ ସେହି ସ୍ନାନରତା ଆଙ୍ଗୋଲୋଇଣ୍ଡିଆନ୍ ଝିଅମାନଙ୍କ ଆଡ଼କୁ ଏକଲୟରେ ଚାହିଁ ରହିଛ । ମୋ ପାଖରେ ଯୁକ୍ତି କରିଛ, ଆଖିରେ ବାଇନାକୁଲାର ଲଗାଇ ମୁଁ ଦୂର ସମୁଦ୍ରର ପକ୍ଷୀ ଦେଖୁଛି । ରୀନା ! ଆକାଶ ସହିତ ସମୁଦ୍ର ଯେଉଁଠି ତମକୁ ମିଶିଗଲା ଭଳି ଦେଖାଯାଉଛି, ସେଠାରେ ସାମୁଦ୍ରିକ ପକ୍ଷୀମାନେ କି ଦୃତ ବେଗରେ ଚକ୍‍କର୍ କାଟୁଛନ୍ତି ଏବଂ ସୂର୍ଯ୍ୟର ଉଜ୍ଜ୍ଵଳ ଆଲୋକ, ସମୁଦ୍ର ନୀଳିମାରେ ତାଙ୍କର ଡେଣା ସବୁ କିପରି ମଣି ମୁକ୍ତା ଖଚିତ ରାଜମୁକୁଟ ଭଳି ଚିକ୍‍ଚିକ୍ କରୁଛି, ସେ ଦୃଶ୍ୟ ନ ଦେଖିଲେ କେହି ଜାଣି ପାରିବ ନାହିଁ ।

 

ତମର କଥା ଶୁଣି ମୋର ମନେହୁଏ, ସତେ ଯେପରି ମୋର ଆଖିରେ ଦୃଷ୍ଟି ଶକ୍ତି ନାହିଁ; ମୁଁ କେବେ ଯେମିତି ବାଇନାକୁଲାର ଲଗାଇ ଦିଗହୀନ ସମୁଦ୍ର ଆଡ଼େ ଚାହିଁ ନାହିଁ ! !

 

ତମକୁ ଚିଡ଼େଇବା ଲାଗି ମୁଁ କହେ, ଆଚ୍ଛା ! ସମୁଦ୍ରର ପକ୍ଷୀ ଦେଖିବା ପାଇଁ ମତେ ଦୂରରେ ବେଳାଭୂମି ଉପରେ ବସାଇ ଦେଇ, ତମେ ଏକାକୀ ସମୁଦ୍ର ଧାରକୁ ଚାଲିଆସ କାହିଁକି ? ମୁଁ କଅଣ ପାଖରେ ଥିଲେ ସମୁଦ୍ର ଚିକ୍‍ ଚିକ୍ ପକ୍ଷୀ ଗୁଡ଼ାକ କୃଷ୍ଣକାୟ ହୋଇଯାଆନ୍ତି ?

 

ତମ ମୁହଁ ଝାଳେଇ ଆସେ ।

 

ସେତିକିବେଳେ ହୁଏତ ସେ ସଦ୍ୟସ୍ନାତା ବିସ୍ରସ୍ତ-ବସନା ଶ୍ୱେତାଙ୍ଗିନୀମାନେ ନୋଳିଆର ହାତ ଧରି ସମୁଦ୍ର ବାଲିରେ ନାଚି ନାଚି ଯାଉଥାଆନ୍ତି ।

 

ମୁଁ ସେମାନଙ୍କୁ ଆଡ଼କୁ ଥରେ ଏବଂ ଆଉ ଥରେ ତମ ମୁହଁକୁ ଚାହିଁ ଜାଣି ଜାଣି ହସେ ।

 

ତମେ ବିବ୍ରତ ହୋଇ କୁହ, ତମେ ଯାହା ସଂଦେହ କରୁଛ, ତାହା ଠିକ୍ ନୁହେଁ । ତମ ରାଣ ଖାଉଛି... !

 

ମୁଁ ତମକୁ ଧମକ ଦିଏ, ରାଣ ପକାଅନି କହୁଛି । ସେଥର ଯେ ନୋଳିଆକୁ ଦଶଟଙ୍କା ବକ୍‍ସିସ୍ ଦେଲ କଅଣ ପାଇଁ ?

 

ତମ ଗୋରା ମୁହଁ କଳା ପଡ଼ିଆସେ ।

 

ତମେ ଶଙ୍କିତ କଣ୍ଠରେ କୁହ, ତମେ କଅଣ ସଂଦେହ କରୁଛ... !

 

ମୁଁ ଉତ୍ତର ଦିଏ, ସଂଦେହ ନୁହେଁ, ମୁଁ ନିଜ କାନରେ ଶୁଣିଛି । ନିର୍ଜ୍ଜନତାର ସୁଯୋଗ ନେଇ, ତମେ ସେ ଆଙ୍ଗଲୋଇଣ୍ଡିୟାନ ଝିଅକୁ ସ୍ନାନ କରାଇଲା ବେଳେ ସଂପୂର୍ଣ୍ଣ ନଗ୍ନ କରି ଦେବାକୁ ନୋଳିଆକୁ କହିଥିଲ । ସେ ନୋଳିଆ ଝିଅଟିକୁ ସମୁଦ୍ର ମଧ୍ୟରେ ଜଳମଗ୍ନ ଅବସ୍ଥାରୁ ରକ୍ଷା କରିବା ନାମରେ ନଗ୍ନ କରି... । ମିଛ କହୁଛି ?

 

ତମେ ମୋ କଥା ଶୁଣି ନୀରବ ରହିଥିଲ । ପ୍ରତିବାଦ କରି ନ ଥିଲ । ଖଣ୍ଡେ ସିଗାରେଟ ଟାଣି ମୋ କଥା ଶୁଣି ମଧ୍ୟ ନ ଶୁଣିଲା ଭଳି ଭାବଭଙ୍ଗୀ ଦେଖାଇଥିଲ ।

 

ମୁଁ ତମ ହାତକୁ ଝିଙ୍କି ଦେଇ ପ୍ରଶ୍ନ କରିଥିଲି, କାହିଁକି ? କଅଣ ପାଇଁ କୌଣସି ଝିଅର ଦେହ ରଙ୍ଗ ଗୋରା ଦେଖିଲେ ତମ ଆଖିରେ ନିଶା ଲାଗିଯାଏ ? ଗୋରୀ ଝିଅମାନଙ୍କ ପ୍ରତି କାହିଁକି ତମର ଏତେ ଆକର୍ଷଣ ? କାରଣ, କାରଣ... ? ମୁଁ ତମର ପତ୍ନୀ...ଅଗ୍ନିକୁ ସାକ୍ଷୀ ରଖି ତମେ ମତେ ବିବାହ କରିଛ । ମତେ କଅଣ ଏହିପରି ଭାବରେ ଅପମାନିତ କରିବା ତମର କର୍ତ୍ତବ୍ୟ ?

 

ଚନ୍ଦ୍ରଭାନୁ ! ମୋ କଥା ଶୁଣି ସେଦିନ ତମେ ଉନ୍ନତ୍ତଙ୍କ ଭଳି ହସିଥିଲ । କହିଥିଲ, ସ୍ଵେଚ୍ଛାରେ ତମକୁ ମୁଁ ବିବାହ କରି ନାହିଁ । ମୋ ଯୌନ-ଦୁର୍ବଳତାର ସୁଯୋଗ ନେଇ ତମେ ଅନ୍ତଃସତ୍ଵା ହେଲ ଏବଂ ସେହି ଆଳରେ ବିବାହ କରିବାକୁ ମତେ ବାଧ୍ୟ କଲ । ମୋ କାର୍ଯ୍ୟରେ ଯଦି ତମେ ଅପମାନିତ ବୋଧ କରୁଥାଅ, ତାହାହେଲେ ଆଜି ମଧ୍ୟ ତମେ ମୋ ଠାରୁ ଅଲଗା ହୋଇ ଯାଇପାରି ।

 

ତମର ସେ କଥା ଶୁଣି ସେଦିନ ମୁଁ ତମ ମୁହଁକୁ ଚାହିଁ ପାରି ନଥିଲି । ସମୁଦ୍ରଆଡ଼କୁ ସେଦିନ ମତେ ମୁହଁ ଫେରାଇବାକୁ ପଡ଼ିଥିଲା । ସେହି ଗର୍ଜ୍ଜୁମାନ ଫେନନିଭ ସମୁଦ୍ରର ଉର୍ମିମାଳା ମତେ ଯେମିତି କୋଳାଗ୍ରତ କରିବାକୁ ହାତ ଠାରି ଡାକୁଥିଲେ ! କିନ୍ତୁ ଅଞ୍ଜଳିର ମୁହଁକୁ ଚାହିଁ ସେ ଲଜ୍ଜ୍ୟା, ସେ ଅପମାନ ମତେ ସେଦିନ ସହ୍ୟ କରିବାକୁ ହୋଇଥିଲା । କିନ୍ତୁ ଆଜି ଭାବୁଛି; ସେଦିନ ଯଦି ମୁଁ ସମୁଦ୍ର ବୁକୁରେ ଲମ୍ଫ ଦେଇଥାଆନ୍ତି, ତାହା ହେଲେ ମୋର ଏ ଜୀବନ ଏକ ନାଟକ ହୋଇ ନ ଥାନ୍ତା । ଶୁଣିଛି, ପୁରୀର ସମୁଦ୍ରରେ ଆତ୍ମୋତ୍ସର୍ଗ କଲେ ସ୍ୱର୍ଗଦ୍ଵାର ଦେଇ ବୈକୁଣ୍ଠକୁ ଯାଇ ହୁଏ । ତାହାହେଲେ ହୁଏତ ମତେ ସହଜରେ ମୁକ୍ତି ମିଳି ଯାଇଥାଆନ୍ତା । ପୁଣ୍ୟ-କାଙ୍ଗାଳାନୀ ମନ ନେଇ, ଭାରତବର୍ଷର ସୀମା ଡେଇଁ ମତେ ଏହି ପାର୍ବତ୍ୟ ରାଜ୍ୟକୁ ଶାନ୍ତି, ମୁକ୍ତିର ସଂଧାନରେ ଆସିବାକୁ ପଡ଼ି ନ ଥାନ୍ତା ।

 

କିନ୍ତୁ ସେଦିନ ତାହା ମୁଁ ପାରି ନ ଥିଲି ।

 

ଅଞ୍ଜଳି ପାଇଁ ମତେ ବଞ୍ଚି ରହିବାକୁ ହେଲା ।

 

ଅଞ୍ଜଳି କଥା ତମର ସତରେ ଆଉ ମନେ ପଡ଼େନାହିଁ ? ସତରେ କଅଣ ତମେ ସଂଦେହ କର, ତମେ ଅଞ୍ଜଳିର ଜନକ ନୁହଁ ? ଅନ୍ୟ କେଉଁ ଗ୍ରାମ୍ୟ ପୁରୁଷର ସନ୍ତାନକୁ ମୁଁ ଗର୍ଭରେ ଧାରଣ କରି ତମର ପତ୍ନୀତ୍ୱ ପାଇଁ ଦାବୀ କରିଥିଲି ?

 

ଆଜି ଏସବୁ କଥା ଭାବିଲେ ଛାତି ଫାଟିଗଲା ଭଳି ଲାଗୁଛି । ଏଇ କଥା ଭୁଲିବି ବୋଲି ସେଦିନ ମୁଁ ସ୍ୱେଚ୍ଛାରେ ତମର ଆଶ୍ରୟ ତ୍ୟାଗ କରି, ଅଞ୍ଜଳିକୁ ସାଙ୍ଗରେ ଧରି ଚାଲି ଆସିଥିଲି । ସ୍ନେହ ଦେଇ, ପ୍ରାଣ ଦେଇ ଯଦି ତମ ମନର ସ୍ଵର୍ଣ୍ଣ-ସିଂହାସନରେ ଅଧିଷ୍ଠାତ୍ରୀ ଦେବୀ ହୋଇ ନପାରିଲି, ଅଭିନୟ କରି ଲକ୍ଷ ଲକ୍ଷ ଚଳଚ୍ଚିତ୍ର ଦର୍ଶକଙ୍କ ମନରେ ଆଧିପତ୍ୟ ବିସ୍ତାର କରିବାକୁ ମୁଁ ପ୍ରେମଚାନ୍ଦଜୀଙ୍କ କଥାରେ ରୂପେଲି ପରଦାର ନାୟିକା ହେବାପାଇଁ ରାଜି ହୋଇ ଯାଇଥିଲି । ଶେଷରେ ତମକୁ ଭୁଲିବି, ସେ ସ୍ମୃତିକୁ ଭୁଲିବି ବୋଲି ଓଡ଼ିଶା ନୁହେଁ, ଭାରତ ବର୍ଷର ସୀମା ମଧ୍ୟ ଡେଇଁ ନେପାଳର ଏହି ପଶୁପତିନାଥ ସ୍ଵାସ୍ଥ୍ୟନିବାସକୁ ଆସିଲି ।

 

କିନ୍ତୁ ପାରିଲି ନାହିଁ । ଭୁଲି ହେଲା ନାହିଁ । ସ୍ଥାନ ବଦଳାଇ ଥିଲେ ମଧ୍ୟ ମନ ବଦଳାଇ ପାରିଲି ନାହିଁ । ବରଂ ଚଳଚ୍ଚିତ୍ର ଅଭିନେତ୍ରୀ ଜୀବନର କାର୍ଯ୍ୟବ୍ୟସ୍ତତା ହ୍ରାସ ପାଇଗଲା ପରେ ଅତୀତ ଜୀବନର ସେହି ଦୁଃସ୍ଵପ୍ନ ବେଶି ବେଶି ମନକୁ ଭାରାକ୍ରାନ୍ତ କରିବାକୁ ଲାଗୁଛି ।

 

ଚନ୍ଦ୍ର ! ଅଞ୍ଜଳିର ଫେରିବା ବାଟକୁ ମୁଁ ଚାହିଁ ବସିଛି । ଅନେକ ବର୍ଷ ହେଲା ତା ସହିତ ମୋର ଦେଖା ହୋଇନି । ପ୍ରାୟ ତିନି ବର୍ଷ ତଳେ ସେ ମୋର ବମ୍ବେ ଅନ୍ଧେରିର ଫ୍ଲାଟ୍‍କୁ ଆସିଥିଲା-। କିନ୍ତୁ ମାତ୍ର ଦୁଇ ଦିନ ପରେ କଅଣ ଗୋଟାଏ ଜରୁରୀ କାର୍ଯ୍ୟ ଯୋଗୁ ତାକୁ ପ୍ୟାରିସ୍ ଫେରିଯିବାକୁ ହେଲା । ତା ପରେ ପଢ଼ାପଢ଼ିର ଚାପ ପଡ଼ୁଛି ବୋଲି କହି ସେ ଆଉ ମୋ ପାଖକୁ ଫେରି ନାହିଁ । ସେ ଗବେଷଣା କରୁଛି ଡକ୍ଟରେଟ ପାଇଁ । ଆଉ ଦୁଇ ତିନିମାସ ପରେ ତାର ଥିସିସ ଶେଷ ହୋଇଯିବ । ସେ ଫେରିଆସିବ ମୋର କୋଳକୁ । ତାରି ପାଇଁ ମୁଁ ବଞ୍ଚି ରହିଛି-। ତାକୁ କୋଳରେ ଚାପି ଧରି ଦଗ୍ଧ ହୃଦୟର ଉତ୍ତାପକୁ ଶୀତଳ କରିବା ପାଇଁ ଏ ନିର୍ଜନ ସ୍ଵାସ୍ଥ୍ୟ ନିବାସରେ ମୁଁ କି ଗଭୀର ଉତ୍କଣ୍ଠାରେ ବସି ରହିଛି, ତମେ ସେ କଥା ସହଜରେ ବୁଝି ପାରିବ ନାହିଁ ।

 

ଅଞ୍ଜଳି କଥା ଭାବିଲେ ସେ ପୁରୀର ସମୁଦ୍ର କଥା ମୋର ମନେ ପଡ଼େ । ସେଇ ପୁରୀର ସମୁଦ୍ର । ସେଇ ଥାକ ଥାକ ଢେଉ । ସମୁଦ୍ର ସ୍ନାନ କଲାବେଳେ ପାଣି ତଳେ ରହିଯିବାର ସେହି ସଚେତନ ଉତ୍ତେଜନା, ସବୁ ଗୋଟି ଗୋଟି ହୋଇ ଆଖିରେ ନାଚିଗଲା । ଯନ୍ତ୍ରଣାର ସ୍ତର ସ୍ତର ଢେଉ ତଳେ ମୁଁ ଯେମିତି ଚାପି ହୋଇଗଲାଭଳି ମନେ ହେଲା ।

 

ଭାରି ଇଚ୍ଛାଥିଲା, ଶେଷ ଜୀବନ ପୁରୀରେ କାଟିବି । କିନ୍ତୁ ତମେ ଓଡ଼ିଶାର ବିଶିଷ୍ଟ ରାଜନୈତିକ ନେତା, ମନ୍ତ୍ରୀ । ପୁରୀ ଫେରିଥିଲେ ତମେ ମତେ ନିଃଶ୍ୱାସ ନେବାକୁ ସୁଯୋଗ ଦେଇ ନ ଥାନ୍ତ । ମତେ ସେଦିନ ନିଜ ଘରୁ ତଡ଼ିଥିଲ, ଆଜି ହୁଏତ ଓଡ଼ିଶାରୁ ତଡ଼ି ଥାଆନ୍ତ !!

 

ଚନ୍ଦ୍ରଭାନୁ ! ଶ୍ଵାସରୋଧୀ ହାହାକାରରେ ମୁଁ ଶ୍ଵାସରୋଧର ଯନ୍ତ୍ରଣା ମୁଁ ଅନୁଭବ କରୁଛି । ମୁଁ ଆଜି ନିନ୍ଦା, ପ୍ରଶଂସା କୋଳାହଳ ଠାରୁ ଅନେକ ଦୂରରେ । ସବୁଥାଇ ଆଜି ମୋର କିଛି ନାହିଁ । ସ୍ୱର୍ଣ୍ଣ-ଚୂଳ ପଶୁପତିନାଥ ମନ୍ଦିରକୁ ଚାହିଁ ଚାହିଁ ପଛକଥା ଭାବିଲେ ମୋର ଦୁଇ ଆଖି ଲୁହରେ ଅନ୍ଧ ହୋଇଯାଉଛି ।

 

ମୋର ଏ କଅଣ ହେଲା ?

 

ଗଙ୍ଗା ! ଝରକାଟା ବନ୍ଦ କରି ଦେ-ଇସ୍ କି ଥଣ୍ଡା ପବନ ପିଟୁଛି ଯେ !

 

ଚନ୍ଦ୍ର ! ତମେ କେବେ ପଶୁପତିନାଥ ଆସିବ ? ରାଜନୈତିକ ଜୀବନରୁ ବାନପ୍ରସ୍ଥ ନେଇ କେବେ ଯଦି ତମେ ଭାରତବର୍ଷର ସୀମା ଅତିକ୍ରମ କରି ନେପାଳ ଆସ ଏବଂ କାଠମାଣ୍ଡୁର ଭେଡ଼ା ସିଂ ଓ କିଲଟୋଲ୍ ଡେଇଁ ପଶୁପତିନାଥରେ ଅବସ୍ଥାନ କର, ସେଦିନ ହୁଏତ ମୋର ଏ ସ୍ଵାସ୍ଥ୍ୟନିବାସ ଶୂନ୍ୟ ପଡ଼ିଥିବ । ଆର୍ଯ୍ୟଘାଟର ମହାଶ୍ମଶାନରେ ମାଟି ହୋଇ ମିଶିଯାଇଥିବା ମୋର ଏ ବରତନୁ । ମୁଁ ହୁଏତ ନ ଥିବି; କାରଣ ବେଶିଦିନ ବଞ୍ଚିରହିବାର ଇଚ୍ଛା ମୋର ନାହିଁ ।

 

ମୋ ପାଇଁ ଅଶ୍ରୁ ତର୍ପଣ କରିବାକୁ ତମେ ଆସିବ, ଏକଥା ମୁଁ ଚାହୁଁ ନାହିଁ । ଏଠାକୁ ମୁଁ ତମକୁ ଆମନ୍ତ୍ରଣ କରୁଛି ପଶୁପତିନାଥ ମନ୍ଦିର ଦେଖିଯିବା ପାଇଁ । ଐଶ୍ୱର୍ଯ୍ୟମୟ ମନ୍ଦିର ଏହି ପଶୁପତିନାଥ । ସୁନା-ରୂପାର ଐଶ୍ୱର୍ଯ୍ୟରେ ବୃଷଭ ମୂର୍ତ୍ତିଠାରୁ ଆରମ୍ଭ କରି ମନ୍ଦିର ଦରଜା ଏଠାରେ ଝଲ୍‍ମଲ୍ କରୁଛି ।

 

ଶୁଣିଛି ପଶୁପତିନାଥ ମନ୍ଦିରର ସ୍ଵର୍ଣ୍ଣସମ୍ପଦ ଦିନେ ଲୁଣ୍ଠନ କରିଥିଲେ ଅତୀତରେ ନେପାଳର ରାଜା ଜୟପ୍ରକାଶ । ନେପାଳର ଜନ ସାଧାରଣ ଏହାର ପ୍ରତିବାଦ କରିଥିଲେ; କିନ୍ତୁ ସ୍ଵର୍ଣ୍ଣଲୋଭୀ ଜୟପ୍ରକାଶ କୌଣସି ପ୍ରତିବାଦରେ କାନ ଦେଇ ନ ଥିଲେ ।

 

ଚନ୍ଦ୍ର ! ଭାଗ୍ୟର କି ବିଚିତ୍ର ବିଡ଼ମ୍ବନା !

 

ଶତ୍ରୁ ହସ୍ତରେ ପରାସ୍ତ ହୋଇ ଜୟପ୍ରକାଶ ଯେତେବେଳେ କ୍ଷତବିକ୍ଷତ ଭାବରେ କାରାକକ୍ଷରେ ବନ୍ଦୀ ଥିଲେ, ତାଙ୍କର ସ୍ମରଣ ହୋଇଥିଲା ମହାଦେବ ପଶୁପତିନାଥଙ୍କ କଥା । କାତର କଣ୍ଠରେ ସେ ପ୍ରାର୍ଥନା କରିଥିଲେ, ଜୀବନର ଶେଷ ବିଶ୍ରାମ ନେବାପାଇଁ ମତେ ସେହି ମନ୍ଦିର ପାଖରେ ଛାଡ଼ିଦିଅ । ମୁଁ ଶାନ୍ତିରେ ମରିବି ।

 

ବିଜୟୀ ପୃଥିନାରାୟଣ ଅପୂର୍ଣ୍ଣ ରଖି ନ ଥିଲେ ତାଙ୍କର ଇଚ୍ଛା । ଯେଉଁ ଜୟପ୍ରକାଶ ଦିନେ ଦେବତାଙ୍କର ସ୍ଵର୍ଣ୍ଣଭଣ୍ଡାର ତସ୍କର ଭଳି ଲୁଣ୍ଠନ କରିଥିଲେ, ଶେଷ ଅବସ୍ଥାରେ ସେହି ପୁଣି ଏହି ମନ୍ଦିରକୁ ଚାହିଁ ଚାହିଁ ଶେଷ ନିଶ୍ଵାସ ତ୍ୟାଗକଲେ !

 

ସ୍ଵର୍ଣ୍ଣ ଲୋଭୀ ଆକ୍ରମଣକାରୀ ଜୟପ୍ରକାଶଙ୍କୁ ସେଦିନ ଏହି ମନ୍ଦିର ଦେଇଥିଲା ଶେଷ ସାନ୍ତ୍ଵନା ।

 

ସ୍ଵର୍ଣ୍ଣ ନୁହେଁ; ପୁଣ୍ୟ ଲୋଭରେ ମୁଁ ଆଜି ଏହି ମନ୍ଦିର ପାଖ ମହଲାର ସ୍ୱାସ୍ଥ୍ୟ ନିବାସରେ ପଶୁପତିନାଥଙ୍କୁ ଚାହିଁ ରହିଛି । ଶୁଣିଛି ପଶୁପତିନାଥ ପ୍ରତକ୍ଷ୍ୟ ଦେବତା । କାହାରି ଇଚ୍ଛା ସେ ଅପୂର୍ଣ୍ଣ ରଖନ୍ତି ନାହିଁ । ମୋର ଇଚ୍ଛା ସେ କଅଣ ପୂର୍ଣ୍ଣ କରିବେ ନାହିଁ ?

 

ମୋର ଶେଷ ଇଚ୍ଛା କଅଣ, ସେକଥା ଜାଣିବା ପାଇଁ ତମର ଭାରି ଲୋଭ ହେଉଛି, ନା-! ଅନେକ, ଅନେକ ବର୍ଷ ଧରି ତମେ ମୋ ଛାତିର ଧୁକ୍‍ ଧୁକ୍ ଶବ୍ଦ ଶୁଣିଛ । କିନ୍ତୁ ଆଜି ମୋ ପ୍ରାଣ କି ପିପାସାରେ ଶୁଷ୍କ ହୋଇ ଯାଉଛି, ସେ କଥା ତମେ ଜାଣି ପାରୁନା !

 

ମନେ ଅଛି, ତମେ ସେଦିନ ମତେ କହୁଥିଲ, ରୀନା ! ପ୍ରଥମ ସାକ୍ଷାତରେ ତମ ଆଖିର ଭାଷାରୁ ମୁଁ ତମ ମନକଥା ଜାଣି ପାରିଥିଲି । ତମ ଆଖିର ମୌନ ଭାଷା ମତେ କହି ଦେଇଥିଲା, ତମେ ମତେ ଚାହଁ । ସେହିଦିନୁ ତମକୁ ପାଇବା ଲାଗି ମୋ ମନ ଭିତରେ ଏକ ପ୍ରବଳ ଉନ୍ମାଦନା ଜାଗି ଉଠିଥିଲା ।

 

ମୁଁ ନିର୍ବୋଧ । ସେଦିନ ତମକଥା ମୁଁ ବିଶ୍ୱାସ କରିଥିଲି । ତମେ ସର୍ବବ୍ୟାପୀ ଅନ୍ତର୍ଯ୍ୟାମୀ, ଏଇ ଭରସାରେ ନିଜର ଦେହକୁ ତମର ପାଦତଳେ ପୁଷ୍ପାଞ୍ଜଳି ଦେଇଥିଲି । ଗରିବ କୃଷକ ପରିବାରର ମାତୃହରା କନ୍ୟା ମୁଁ । ସେଦିନ ତମେ ଥିଲ ସାମାନ୍ୟ ଉଗ୍ରପନ୍ଥୀ ରାଜନୈତିକ କର୍ମୀ । ବ୍ୟାଙ୍କ ଲୁଟିକରିବା ଅଭିଯୋଗରେ ପୋଲିସ ତମକୁ ଖୋଜି ବୁଲୁଥିଲା । ମୁହଁରେ ଦାଢ଼ୀ ରଖି, ଆଖିରେ ଚଷମା ପିନ୍ଧି ତମେ ଆତ୍ମଗୋପନ କରି ଲୁଚି ବୁଲୁଥିଲ ।

 

ବାପାଙ୍କୁ ତମେ କେମିତି ନିଜ ଗୋଷ୍ଠୀ ଭିତରକୁ ଟାଣିଲ, ସେକଥା ମୁଁ ଜାଣେନାହିଁ । ଦିନ ଅର୍ଦ୍ଧରାତ୍ରିରେ ମତେ ବାପା ଆସି କହିଲେ, ମାଆ ରୀନା ! ଘରେ କିଛି ଖାଇବାକୁ ଅଛି ?

 

ନିଦ ମଳ ମଳ ଆଖିରେ, ବିସ୍ମୟ-ବିମୂଢ଼ କଣ୍ଠରେ ମୁଁ ପ୍ରଶ୍ନ କରିଥିଲି, ତମକୁ କଅଣ ଭୋକ ହେଉଛି ?

 

ବାପା ଉତ୍ତର ଦେଉଥିଲେ, ନା—ମତେ ଭୋକ ନାହିଁ । ଜଣେ ଅତିଥି ଆସି ପହଞ୍ଚିଛନ୍ତି-। ଦୁଇଦିନ ହେଲା ଭାତ ଖାଇ ନାହାନ୍ତି । କିଛି

 

ବାପାଙ୍କ କଥା ଶୁଣି ମନରେ ମୋର ଅଜସ୍ର କୌତୁହଳ ଠୁଳ ହୋଇଥିଲା । ଅର୍ଦ୍ଧ ରାତ୍ରିରେ, ଦୁଇଦିନ ଭାତ ଖାଇ ନ ଥିବା ଅତିଥି ପୁଣି ଆମ ଘରେ ! !

 

ବାପା ବୋଧହୁଏ ମୋର ମାନସିକ ଅବସ୍ଥା ବୁଝିପାରିଥିଲେ । କହିଥିଲେ, ପଖାଳଭାତ ହେଲେ ମଧ୍ୟ ଚଳିବ । ତୁ ଟିକିଏ ବାଇଗଣ—ଆଳୁ ଭାଜିଦେଇ ପାରିବୁ ?

 

ମୁଁ ଆଳୁ—ବାଇଗଣ ଭାଜିଥିଲି । ତମେ ବାପାଙ୍କ ସହିତ ଆରଘରେ ବସି ଚାପାକଣ୍ଠରେ କଅଣ କଥାବାର୍ତ୍ତା ହେଉଥିଲ । ତମେ କିଏ, କାହିଁକି ଆସିଛ—ତମକୁ ଦେଖିବା ପାଇଁ, ତମକୁ ଜାଣିବା ପାଇଁ ଅଠର ବର୍ଷର ତରୁଣୀ ମନରେ ମୋର ସେଦିନ ଅନେକ ସମୁଦ୍ରର ଜଳ ଆସି ଢେଉ ଭାଙ୍ଗୁଥିଲା ।

 

ତମେ ଖାଇବସିଲାବେଳେ ମୁଁ ଲକ୍ଷ୍ୟ କରିଥିଲି, ଅଯତ୍ନ ବର୍ଦ୍ଧିତ ତମର ଦାଢ଼ୀଭରା ମୁହଁରେ ଆଖି ଦୁଇଟି କୁଆଁତାରା ଭଳି ଚିକ୍ ଚିକ୍ କରୁଥିଲା । ଦୁଇଦିନର ଅନାହାର ମଧ୍ୟ ତମ ମୁହଁର ଜ୍ୟୋତି, ଦେହର ସୌଷ୍ଠବ ମଳିନ ପଡ଼ି ନଥିଲା ।

 

ବାପା ମତେ ଚୁପ୍ ଚୁପ୍ ଖୁବ୍ ଏକ ଗୋପନୀୟ ଜରୁରୀ କଥା କହିଲା ଭଳି ପାଖକୁ ଡାକିଥିଲେ । କହିଥିଲେ, ଏ ଜଣେ ଆତ୍ମଗୋପନକାରୀ ରାଜନୈତିକ କର୍ମୀ । ପୋଲିସ ଆଖିରେ ଧୂଳି ଦେବା ପାଇଁ ଗାଁ ଗାଁ ଲୁଚି ବୁଲୁଛନ୍ତି । ଦୁଇ ଦିନ ତଳେ ସେ ଯେଉଁ ଗ୍ରାମରେ ରହିଥିଲେ, ସେ ଗ୍ରାମକୁ ପୋଲିସ ଘେରାଉ କରି ରଖିଥିଲା । ସେଥିପାଇଁ ସେ ଆତ୍ମଗୋପନ କରି ରହିଥିବା ଗୃହରୁ ପଦାକୁ ବାହାରି ପାରି ନ ଥିଲେ । ଦୁଇଦିନ ତାଙ୍କୁ ଉପବାସ ରହିବାକୁ ହେଲା । ଆଜି ରାତିରେ ସେ ଲୁଚି ପଳାଇ ଆସିଛନ୍ତି । କିଛିଦିନ ଆମ ଘରେ ରହିବେ । ଏକଥା ଯେପରି କେହି ନ ଜାଣନ୍ତି !

 

ବାପାଙ୍କ କଥା ଶୁଣି ମୁଁ ମଧ୍ୟ ଖୁବ୍ ଉତ୍ତେଜନା ଅନୁଭବ କରିଥିଲି । କାରଣ ବାପାଙ୍କ ଠାରୁ ସେତେବେଳେ ମୁଁ ଅନେକ ରାଜନୈତିକ କାହାଣୀ ଶୁଣିଥିଲି; କିନ୍ତୁ ତମଭଳି ଜଣେ ରାଜନୈତିକ କର୍ମୀଙ୍କ ଆତ୍ମଗୋପନ କଥା ମୋର କେବେ ଶ୍ରୁତିଗୋଚର ହୋଇ ନଥିଲା । ବାପା ଥିଲେ ଗାନ୍ଧିଜୀଙ୍କର ଜଣେ ନୀରବ ପୂଜକ । ଗାନ୍ଧୀ କେବେ ଅନଶନ କଲେ, ସେ ଅନଶନ ଭଙ୍ଗ ନ କରିବା ପର୍ଯ୍ୟନ୍ତ ବାପା ଜଳ ସ୍ପର୍ଶ କରୁ ନଥିଲେ ।

 

ସେ ୧୯୪୨ ମସିହା କଥା ।

 

ଦ୍ଵିତୀୟ ମହାଯୁଦ୍ଧ, କଂଗ୍ରେସର ଭାରତଛାଡ଼ ପ୍ରସ୍ତାବ, ଗାନ୍ଧିଜୀଙ୍କର ‘କର ବା ମର’ ଡାକରା ପ୍ରତି ସଚେତନ ଭାରତୀୟ ଲୋକକୁ ରାଜନୈତିକ କର୍ମୀରେ ପରିଣତ କରିଥିଲା । ବାପା ସବୁ ସଭା ସମିତିକୁ ଯାଉଥିଲେ । ଅରଟରେ ସୂତା କାଟୁଥିଲେ, ଖବର କାଗଜ ପ୍ରତିଦିନ ପଢ଼ୁଥିଲେ-। ଆଉ ଆମ ଘରେ ସେ ଥିଲେ ବକ୍ତା; ମୁଁ ଥିଲି ଶ୍ରୋତା । ଦେଶର ସବୁ ଘଟଣା ଉପରେ ତାଙ୍କର ମନ୍ତବ୍ୟ ମୋ ଛଡ଼ା ସେ ଆଉ କାହା ଆଗରେ ପ୍ରକାଶ କରନ୍ତେ ?

 

ବାପାଙ୍କ କଥା ଶୁଣି ଶୁଣି ମୁଁ ରାଜନୀତିର ଚାଟଶାଳୀରେ ନିଜ ଅଜାଣତରେ ନାମ ଲେଖାଇ ବସିଥିଲି । ସେଦିନ ବାପାଙ୍କ କଥା ଶୁଣି ମୁଁ ପ୍ରଶ୍ନ କରିଥିଲି, ପୋଲିସ ତାଙ୍କ ପିଛା ଧରିଛି କାହିଁକି ?

 

ବାପା ଓଠପାଖରେ ଡାହାଣ ହାତ ବିଶି ଆଙ୍ଗୁଠି ଦେଖାଇ କହିଥିଲେ, ଚୁପ୍, ଚୁପ୍ । ବଡ଼ପାଟି କରନାହିଁ । ଘରର କାନ୍ଥ ବାଡ଼ର ମଧ୍ୟ କାନ ଅଛି ।

 

ତାପରେ ସେ ଚୁପ୍ ଚୁପ୍ ନିଜେ କହିଥିଲେ, ଖବର କାଗଜରେ ଯେଉଁ ବ୍ୟାଙ୍କ୍ ଲୁଟ୍ କଥା ବାହାରିଥିଲା, ପଢ଼ିଛୁନା !

 

ମୁଁ ଉତ୍ତେଜନାରେ ରୁଦ୍ଧଶ୍ୱାସ ହୋଇ ଉତ୍ତର ଦେଇଥିଲି, ହଁ—ପଢ଼ିଛି—ଅଚାନକ ଆକ୍ରମଣ କରି କେତେକ ଲୋକ ଟ୍ରେଜେରିରୁ ପଚାଶ ହଜାର ଟଙ୍କା ଲୁଟ୍‍ କରି ନେଇଥିଲେ—

 

ଲୁଟ୍ କରି ନ ଥିଲେ—ଉଦ୍ଧାର କରିଥିଲେ । ଏମାନେ ସେ ଟଙ୍କା ବ୍ରିଟିଶ ଟ୍ରେଜେରୀରୁ ଉଦ୍ଧାର କରିଥିଲେ ସ୍ଵାଧୀନତା ଆନ୍ଦୋଳନରେ ଖର୍ଚ୍ଚ କରିବା ପାଇଁ । ମାଆ ରୀନା ! ଆନ୍ଦୋଳନ କଲେ ଟଙ୍କା ଖର୍ଚ୍ଚ ହୁଏ । ଗାନ୍ଧୀଲୋଲା ଚାନ୍ଦାକରି ସେ ଟଙ୍କା ଲୋକଙ୍କଠାରୁ ଉଠାନ୍ତି, ଉଗ୍ରପନ୍ଥୀମାନେ ବ୍ରିଟିଶ ସରକାର ଟ୍ରେଜେରୀ ଭାଙ୍ଗି ଟଙ୍କା ଉଦ୍ଧାର କରିଆଣନ୍ତି । ଦୁହିଙ୍କର ଲକ୍ଷ୍ୟ ଏକ—ଦେଶର ସ୍ଵାଧୀନତା ହାସଲ । ଗାନ୍ଧୀ ଲୋକଙ୍କ ଭଳି ଏମାନେ ମଧ୍ୟ ଦେଶପ୍ରେମୀ । ଦୁଃଖ କଷ୍ଟ, ଭୋକ ଉପାସରେ ଏମାନେ ଲୁଚି ଛପି ଦେଶର ସ୍ଵାଧୀନତା ହାସଲ କରିବା ପାଇଁ ଲଢେ଼ଇ କରୁଛନ୍ତି—ଏମାନଙ୍କୁ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ । —ବାପା ମତେ ସଂକ୍ଷେପରେ ସବୁକଥା ବୁଝାଇ ଦେଇଥିଲେ ।

 

ଉଗ୍ରବାଦ, ଗାନ୍ଧୀବାଦ କଅଣ ସେକଥା ମୁ ଜାଣିନଥିଲି । ଦେଶ ସ୍ଵାଧୀନତା କିପରି ମିଳି ପାରିବ, ମିଳିଲେ ସେ ସ୍ଵାଧୀନତାକୁ ନେଇ ଆମେ କଅଣ କରିବୁ—ସେ ବୟସରେ ସେ ବିଷୟରେ ମୋର କିଛି ସ୍ପଷ୍ଟ ଧାରଣ ନଥିଲା । କିନ୍ତୁ ବାପାଙ୍କ ଠାରୁ ସେକଥା ଶୁଣି ସାରିଲା ପରେ ଯେ ତମ ପ୍ରତି ମୋର ଖୁବ୍ ଭକ୍ତି ଓ ଶ୍ରଦ୍ଧା ଆସି ଯାଇଥିଲା, ଏକଥା ଆଜି ସୁଦ୍ଧା ମୁଁ ବେଶ୍ ସ୍ମରଣ ରଖିଛି ।

 

ତାପରେ ଆମ ଠାକୁର ଘରେ ତମେ ତିନି ଦିନ ଆତ୍ମଗୋପନ କରି ରହିଥିଲ । ତମ ସହିତ ମୋର କ୍ୱଚିତ୍ ଦେଖା ସାକ୍ଷାତ ହୁଏ । ଖାଇବାକୁ ଦେଲାବେଳେ ଏଣୁତେଣୁ ଦୁଇଚାରିପଦ କଥାବାର୍ତ୍ତା ଭିନ୍ନ ବିଶେଷ କଥାବାର୍ତ୍ତା ମଧ୍ୟ କରିବାର ସୁଯୋଗ ତମ ସହିତ ମୋର ନଥିଲା । ବାପା ମଧ୍ୟ ତମ ସହିତ ଯାହା କଥାବାର୍ତ୍ତା ହୁଅନ୍ତି, ମୋ ଆଗରେ କେବେ ତାହା ପ୍ରକାଶ କରି ନାହାନ୍ତି ।

 

କିନ୍ତୁ ତମର କଥାବାର୍ତ୍ତାର ଭଙ୍ଗୀ, ଚାଲିଚଳନ, ନିରଳସ ଶାନ୍ତ ଜୀବନ ନିର୍ବାହ ପ୍ରଣାଳୀ ମୋ ମନ ଉପରେ ବେଶ୍ ପ୍ରଭାବ ବିସ୍ତାର କରିଥିଲା । ମୋ ନିଜ ଅଜାଣତରେ ତମେ ମୋ ମନର ଅନେକ ଶୂନ୍ୟସ୍ଥାନ ଅଧିକାର କରି ବସିଥିଲା ଅନେକ ରାତିରେ ତମ କଥା ଭାବି ମୋର ସୁନିଦ୍ରା ହୋଇନାହିଁ ।

 

ହଠାତ୍ ଆଉଦିନେ ରାତିରେ ପୋଲିସର କବାଟ ବାଡ଼ିଆ ଶବ୍ଦରେ ମୋର ନିଦ୍ରାଭଙ୍ଗ ହେଲା । ସେଦିନ ଯେପରି ନିଦ ମଳ ମଳ ଆଖିରେ ତମ ପାଇଁ ଆଳୁ ବାଇଗଣ ଭାଜିବା ପାଇଁ ବାପା ମତେ ଉଠାଇଥିଲେ, ଆଉଦିନେ ପୋଲିସ ଆମକୁ ଉଠାଇଲା ତମର ସନ୍ଧାନ କରିବା ପାଇଁ ।

 

ତମେ ବିଚକ୍ଷଣ ବ୍ୟକ୍ତି ।

 

ପୋଲିସ ତମକୁ ଖୋଜି ବାହାର କରିବା ଆଗରୁ ତମେ ଖସି ଚାଲି ଯାଇଥିଲ । କିନ୍ତୁ ତମର ଶଯ୍ୟା, କିଛି ଗୋପନୀୟ ଚିଠିପତ୍ର, ସରକାରୀ ବିରୋଧୀ କାଗଜ ତମେ ନିଜ ସାଥିରେ ନେଇପାରି ନଥିଲ । ସେ ସବୁ ପୋଲିସ ହାତରେ ପଡ଼ିଲା । ତମଭଳି ବ୍ୟାଙ୍କ ଲୁଣ୍ଠନକାରୀ, ସରକାରୀ ବିରୋଧୀ ବିଦ୍ରୋହୀକୁ ଆଶ୍ରୟ ଦେଇଥିବା ଅଭିଯୋଗରେ ବାପା ଗିରଫ ହେଲେ । ଘରେ ମୁଁ ଏବଂ ମୋର ବିଧବା ପିଉସୀ—ଦୁଇଜଣ ସ୍ତ୍ରୀ ଲୋକ । ବାପାଙ୍କ ଗିରଫ ପରେ ଆମେ କି ମାନସିକ ଅବସ୍ଥା ମଧ୍ୟରେ ସେ ସବୁ ଦୁର୍ବିସହ ଦିନ କାଟିଥିଲୁ, ଆଜି ସେ କଥା ଭାବିଲେ ମୋ ଆଖି ଲୁହରେ ଅନ୍ଧ ହୋଇଯାଉଛି ।

 

ବାପା ଗିରଫ ହୋଇ ଜେଲ୍ ଯିବା ପରେ, ତମେ ଅନ୍ତର୍ଦ୍ଧାନ ହୋଇଗଲ । କିନ୍ତୁ ମୋ ମନ ଉପରେ ତମ ନିଜ ଅଜାଣତରେ ନିଜେ ଯେଉଁ ଛାପ ରଖି ଦେଇ ଯାଇଥିଲ, ତାହା ଲିଭିଯାଇ ନ ଥିଲା ।

 

ତମର ରହସ୍ୟମୟ ଆବିର୍ଭାବ ଏବଂ ପଳାୟନ ମୋ ଅଠର ବର୍ଷର ତରୁଣୀ ଜୀବନ ଉପରେ ଏକ ଝଡ଼ ସୃଷ୍ଟି କରି ଦେଇଥିଲା । ବାପାଙ୍କ ଅପେକ୍ଷା ତମର ଅନୁପସ୍ଥିତ ମୁଁ ଅନେକ ସମୟରେ ବେଶୀ ଭାବରେ ଅନୁଭବ କରି ଥିଲି । ତମେ ଯେଉଁ ଠାକୁର ଘରେ ଆତ୍ମଗୋପନ କରି ରହୁଥିଲ ସେ ଗୃହରେ ପ୍ରବେଶ କଲେ ମୋ ଛାତି ଭିତର ଏକ ଆକୁଳ କ୍ରନ୍ଦନର ଉଚ୍ଛ୍ଵାସରେ ଭରି ଉଠୁଥିଲା । ପିଉସୀଙ୍କୁ ଲୁଚି ଅନେକ ରାତିରେ ସେଇ ଠାକୁର ଘରକୁ ମୁଁ ଯାଉଛି ଏବଂ ଅକାରଣରେ କାନ୍ଦି କାନ୍ଦି ନିଜ ମନର ଓରିମାନା ମେଣ୍ଟାଇଛି ।

 

ବାପା ଜେଲ୍ ଯିବାର ପ୍ରାୟ ସତେଇଶି ଦିନ ପରେ ପୁଣି ଦିନେ ରାତିରେ ତମେ ଆସି ପିଉସୀଙ୍କ ସହିତ ଦେଖା କଲ । ତାକୁ କିଛି ଟଙ୍କା ଦେଇ ଚାଲିଗଲ । ମୋ ସହିତ ଦେଖା କରିବାକୁ ସୁଦ୍ଧା ଚାହିଁଲ ନାହିଁ !

 

ପିଉସୀଙ୍କ ଠାରୁ ଯେତେବେଳେ ଶୁଣିଲି ତମେ ଆସିଥିଲ ଏବଂ ଚାଲିଗଲଣି ଅଥଚ ମୋ ସହିତ ଥରେ ଦେଖାହେଲା ନାହିଁ ! ସେତେବେଳେ ରାଗ, ଅଭିମାନରେ ମୋର ନାକପୁଡ଼ା ଫୁଲ ଉଠିଥିଲା । ଆଖି ଅଶ୍ରୁ-ସଜଳ ହୋଇ ଉଠିଥିଲା । ତମେ ଏକ ହୃଦୟହୀନ ପାଷାଣ ବୋଲି ତମକୁ ମନେ ମନେ ଖୁବ୍ ଗାଳି ଦେଇଥିଲି ।

 

ତାପରେ ଆଉ ଦିନେ ଏକ ପ୍ରଳୟ ଝଡ଼ ରାତିରେ ମୁଁ ଦେଖିଲି, ଗୋଟିସୁଦ୍ଧା ଓଦା ହୋଇ ତମେ ଆମ ଦାଣ୍ଡପିଣ୍ଡାରେ ଠିଆ ହୋଇଛ । ଲଣ୍ଠନର ଆଲୁଅରେ ତମକୁ ଦେଖିଦେଲି ମୁଁ ଚମକି ଉଠିଥିଲି । କିନ୍ତୁ ତମେ ଫିକ୍ କରି ହସି ଦେଇଥିଲ ।

 

ସେଦିନ ରାତିରେ ପିଉସୀଙ୍କ ଅନୁରୋଧରେ ତମେ ଆମ ଘରେ ଅଟକି ଯାଇଥିଲ । ବାହାରର ପ୍ରଳୟ ଝଡ଼ବର୍ଷା ତମକୁ ସେଇ ଗୋଟିଏ ରାତି ପାଇଁ ଆମ ଘରେ ଅଟକାଇ ଦେଇଥିଲା-

 

ଏତେଦିନର ଯିବା ଆସିବା ମଧ୍ୟରେ ତମେ ଆମ ପରିବାରର ଜଣେ ଭଳି ହୋଇ ଯାଇଥିଲ । ପିଉସୀ ତମକୁ ଖାଇବାକୁ ଦେଇସାରି ବାପାଙ୍କ ଶୋଇବା ଘରେ ତମ ପାଇଁ ବିଛଣା କରିବାକୁ ଆଦେଶ ମତେ ଦେଇଥିଲେ ।

 

ଝଡ଼, ବର୍ଷା ଲାଗି ରହିଥିଲା ।

 

ପିଉସୀ ଖୁବ୍ ନିଘୋଡ଼ ନିଦରେ ଶୋଇ ଯାଇଥିଲେ । ମୋର ନିଦ୍ରା ହେଲା ନାହିଁ । ଅନେକ ଦିନର ଅବରୁଦ୍ଧ ଆବେଗ ମତେ ଉତ୍ତେଜିତ କରି ଦେଇଥିଲା । ଜୀବନରେ ଯାହା ମୁଁ କେବେ କରିବି ବୋଲି ଭାବି ନ ଥିଲି, ସେଦିନ ନିଶାଗ୍ରସ୍ତ ହୋଇଥିବା ଭଳି ମୁଁ ତାହା କରି ବସିଲି ।

 

ପିଉସୀଙ୍କ ପାଖରୁ ଉଠିଯାଇ ଦେଖିଲି, ତମ ଶୋଇବା ଘରୁ ମଧ୍ୟ ଲଣ୍ଠନର କ୍ଷୀଣ ଆଲୋକ ଆସୁଛି । ତମେ ବୋଧହୁଏ କଅଣ ଲିଥୋ କରାଯାଇଥିବା କାଗଜ ସବୁ ପଢ଼ୁଥିଲ । ତମ ଘରର ଦରଜାରେ ଟିପ ମାରିବା ମାତ୍ରେ ଦରଜା ମେଲା ହୋଇଗଲା । ମତେ ଦେଖି ତମର ଓଠର ଉପକୂଳରେ ହସର ଢେଉ ସବୁ ଧକ୍କା ଖାଇବାକୁ ଲାଗିଲେ ।

 

ତମେ ମତେ ପାଖକୁ ଡାକିଲ ।

 

ଯାଦୁକରର କାଉଁରୀ କାଠିର ଇଙ୍ଗିତରେ ଚାଳିତ ହେବା ଭଳି ମୁଁ ତମ ଶଯ୍ୟାପାଖକୁ ଗଲି ।

 

ତମେ ଲଣ୍ଠନର ଆଲୋକକୁ ଆହୁରି କମାଇ ଦେଲ । କୋଠରୀ ସାରା ଇସତ୍ ସ୍ତିମିତ ଆଲୋକ ଏବଂ ଆଚ୍ଛନ୍ନ ଅନ୍ଧକାର ମଧ୍ୟରେ ତମେ ମତେ ଦେଖା ଯାଉଥିଲା କେଉଁ ରୂପକଥାର ଉପନାୟକ ଭଳି !

 

ମୁଁ କଅଣ କହିବାକୁ ଯାଉଥିଲି ।

 

ଆଙ୍ଗୁଠିର ଇଙ୍ଗିତରେ ତମେ ମତେ ନୀରବ ହେବାକୁ ଇଙ୍ଗିତ ଦେଲ ।

 

ଆର ଘରେ ଯେ ପିଉସୀ ଶୋଇଛନ୍ତି, ସେକଥା ସ୍ମରଣ କରି ମୁଁ ମଧ୍ୟ ଆପେ ଆପେ ଚୁପ୍ ହୋଇଗଲି ।

 

ନିଜର ବଜ୍ର-କଠିନ ହାତମୁଠା ଭିତରେ ମୋର ଡାହାଣ ହାତ ପାପୁଲିକୁ ଚାପା ଦେଇ ତମେ ଜଣେ ଅଭିଜ୍ଞ ରଙ୍ଗମଞ୍ଚର ସ୍ମାରକ ଭଳି ଖୁବ୍ ଚାପା କଣ୍ଠରେ କହିଥିଲ ।

 

ରିନା ! ତମେ କେତେ ଭଲ, ତମେ କେଡ଼େ ମହତ୍ ! ତମର ଋଣ ମୁଁ କିପରି ଶୁଝିବି ?

 

ମୁଁ ଚେଷ୍ଟାକରି ମଧ୍ୟ କିଛି ଉତ୍ତର ଦେଇପାରି ନ ଥିଲି । କେବଳ ତମ ହାତ ମୁଠା ଭିତରେ ମୋ ପାପୁଲି ଥର ଥର ହୋଇ ଥରୁଥିଲା, ମୋ ସାରା ଦେହ ସେ ଝଡ଼-ବର୍ଷା ରାତିରେ ମଧ୍ୟ ଝାଳେଇ ଆସୁଥିଲା ।

 

ତମେ ପୁଣି କହିଲ, ତମ ଆଖିର ନୀରବ ଭାଷାରୁ ପ୍ରଥମ ଦେଖାରୁ ମୁଁ ଜାଣେ, ତମେ କଅଣ ଚାହଁ । କିନ୍ତୁ ତମେ କଅଣ ମୋ ଉପରେ ସବୁଦିନେ ଆସ୍ଥା ରଖିପାରିବ ?

 

ନିଜେ ଦେଖିପାରୁ ନଥିଲେ ବି ମୁଁ ଅନୁମାନ କରିପାରୁଥିଲି, ତମ କଥା ଶୁଣି ମୋ ଆଖିପତା ଦୁଇଟି ତମପ୍ରତି ମୋର ଗଭୀର ଅନୁରକ୍ତି, ଅଚଳାଚଳ ବିଶ୍ଵାସରେ ସ୍ୱାକ୍ଷର ବହନ କରି ଭାରି ଭାରି ହୋଇ ଆସୁଥିଲା ।

 

ତମର ସେ ମଦିର ସ୍ପର୍ଶ ମୋର ଚେତନାକୁ ଆଚ୍ଛନ କରିଥିଲା । ଚେଷ୍ଟାକରି ମଧ୍ୟ ମୁଁ ବେଶି ସମୟ ଆଖି ରଖିପାରି ନଥିଲି ।

 

ତମେ ଲଣ୍ଠନ ଲିଭାଇ ଦେଇଥିଲ ।

 

ଅନ୍ଧକାରର ନୀଳ ହ୍ରଦରେ ସାରାକକ୍ଷ ପ୍ଲାବିତ ହୋଇ ଯାଇଥିଲା ।

 

ତାପରେ ମୁଁ ଅନୁଭବ କରିଥିଲି ତମ ଓଦା ଓଠର ଘନ ସ୍ପର୍ଶରେ ମୋର ଓଠ, ମୁହଁ, କର୍ଣ୍ଣମୂଳ ଉଷ୍ମ ହୋଇ ଉଠୁଛି । ତମର ଅସ୍ଥିର ହାତର ଉପଦ୍ରବରେ ମୋର ଦେହ ବିଶ୍ଵସ୍ତ ହୋଇପଡ଼ୁଛି ।

 

ଝଡ଼ ବର୍ଷାର ବେଗ ବଢ଼ି ଚାଲିଥିଲା ।

 

ମୁଁ ଅଣନିଃଶ୍ଵାସୀ ହୋଇ ଅନୁଭବ କରୁଥିଲି, ମୋ ରକ୍ତର କୋଣେ କୋଣେ କାମନା, ଲାଳସାର ଏକ ଅଶ୍ରୁତପୂର୍ବ ନୁପୁର ନିଜ୍ଵଣ ଅନୁରଣିତ ହୋଇଉଠୁଛି । ବାଧା ଦେବାର ସମସ୍ତ ସଂଭ୍ରମବୋଧ କାମନା ଲାଳସାର ଉଜାଣି ସ୍ରୋତରେ କୁଆଡ଼େ ତଡ଼ି ହୋଇଯାଉଛି ।

 

ତମେ ଦିନେ ବ୍ୟାଙ୍କ୍ ଲୁଣ୍ଠନ କରିଥିଲ । ବ୍ରିଟିଶ ପୋଲିସ ବାଧାଦେବାକୁ ଚେଷ୍ଟାକରି ମଧ୍ୟ ପାରି ନ ଥିଲା । ସେଦିନ ତମେ ମୋର ନାରୀ ଜୀବନର ଶ୍ରେଷ୍ଠ ଐଶ୍ଵର୍ଯ୍ୟ ଲୁଣ୍ଠନ କରିନେଲ, କିନ୍ତୁ ମୁଁ ଜାଣି ଜାଣି ବାଧା ଦେଲିନାହିଁ । ତମ ପାଖରେ ମୋର କୌମାର୍ଯ୍ୟ ହରାଇ ନାରୀତ୍ୱ ଫେରି ପାଇଥିବାର ଉଲ୍ଲାସରେ ସେଦିନ ମୁଁ ବିହ୍ଵଳିତ ହୋଇ ପଡ଼ିଥିଲି ।

 

ଚନ୍ଦ୍ର ! ପ୍ରଥମେ ତମେ ଆମ ଘରକୁ ଆସିଥିଲ ଦୁଇ ଦିନର ଉପବାସୀ ଦେହ ନେଇ ଉଦରର କ୍ଷୁଧା ନିବାରଣ କରିବା ପାଇଁ । ସେଦିନ କିନ୍ତୁ ମୁଁ ତମଠାରେ ଲକ୍ଷ୍ୟ କରିଥିଲି ଏକ ଜାନ୍ତବ କ୍ଷୁଧା । ତମର ସେହି ଜାନ୍ତବ କ୍ଷୁଧା ନିବାରଣ କରିବାକୁ ଯାଇ ମୁଁ ନିଃସ୍ଵ ହୋଇ ଯାଇଥିଲି ।

 

ତମ କାମନାର ପାତ୍ର ପୂର୍ଣ୍ଣ କରିବା ପାଇଁ ମୁଁ ନିଜକୁ ନିଃଶେଷ କରି ଦେଇଥିଲି । କିନ୍ତୁ ତମେ ମତେ ତାର କି ପ୍ରତିଦାନ ଦେଲ ? ମୁଁ ଜାଣେ, ତମେ କେବେହେଲେ ସେ ପ୍ରଶ୍ନର ଉତ୍ତର ଦେବ ନାହିଁ । ମୋର ସେଦିନ ଜାଣିବା ଉଚିତ ଥିଲା, ଯେଉଁ ଲୋକ ଦେଶକୁ ବିଦେଶୀ ଶାସନର ବନ୍ଧନରୁ ମୁକ୍ତ କରିବା ପାଇଁ ବ୍ୟାଙ୍କ୍ ଲୁଟ କରି ପୋଲିସ ଆଖିରେ ଧୂଳି ଦେଇପାରେ, ନିଜକୁ ସମସ୍ତ ନୈତିକ ଦାୟିତ୍ୱର ବନ୍ଧନରୁ ମୁକ୍ତ କରିବା ଲାଗି ସେ ମଧ୍ୟ ମୋ ଭଳି ଜଣେ ନାରୀର ନାରୀତ୍ୱ ଲୁଣ୍ଠନ କରି ସମାଜକୁ ଫାଙ୍କି ଦେଇପାରେ ।

 

ମହତ୍ ଲକ୍ଷ୍ୟ ହାସଲ ପାଇଁ ସତ୍‍ପନ୍ଥା ଅବଲମ୍ବନ କରିବାକୁ ଗାନ୍ଧିଜୀ କାହିଁକି ସେଦିନ କହୁଥିଲେ, ଆଜି ଜୀବନର ଧୂସର ଅପରାହ୍ନରେ ମୁଁ ବୁଝି ପାରୁଛି । ଉଗ୍ରବାଦ ଓ ଗାନ୍ଧୀବାଦ ଭିତରେ ଥିବା ପ୍ରଭେଦଟା ମୁଁ ଆଜି ଅନେକ ବିଳମ୍ବରେ ବୁଝିଲି । କିନ୍ତୁ ସେ ଜ୍ଞାନକୁ କାର୍ଯ୍ୟରେ ଲଗାଇବା ପାଇଁ ମୋର ଆଉ ଅବସର ନାହିଁ ।

 

ଯଦି ଅଞ୍ଜଳି ସେ କଥା ବୁଝନ୍ତା... !

 

ଗଙ୍ଗା ! ଘଣ୍ଟାରେ କେତେଟା ବାଜିଲା ? ମୋ ଘଣ୍ଟାରେ କଅଣ ଆଜି ଦମ୍ ଦିଆ ହୋଇନାହିଁ ! ଘଣ୍ଟାକଣ୍ଟା, ମିନିଟ କଣ୍ଟା ନୀରବ ହୋଇ ରହିଯାଆନ୍ତି ଯେ !

 

ବାଗ୍‍ମତୀର ଚଳ-ଚଞ୍ଚଳ ଜଳଧାରାରେ ମନଭରି ମୁଁ ଆଜି ସ୍ନାନ କରି ଫେରିଲା ବେଳକୁ ସାମାନ୍ୟ ବିଳମ୍ବ ହୋଇଗଲା । କଳନାଦିନୀ ବାଗମତୀର ଶାନ୍ତ ସ୍ନିଗ୍‍ଧ ରୂପ ଦେଖିଲାବେଳେ ମୋର ମନେହେଲା ସେ ଯେମିତି ନଦୀ ନୁହେଁ, ଏକ ନାରୀ ! ତାର ଶୀତଳ ସ୍ପର୍ଶରେ ଦଗ୍‍ଧ ପ୍ରାଣ ସଂଜୀବିତ ହୋଇଉଠେ । ବାଗ୍‍ମତୀର ଜଳ ସ୍ପର୍ଶ କଲାବେଳେ ମୋର ମନେହୁଏ, ଯେପରି କେଉଁ କଲ୍ୟାଣମୟୀ ଜନନୀର କରସ୍ପର୍ଶ ମୁଁ ଅନୁଭବ କରୁଛି !

 

ଚନ୍ଦ୍ର ! ତମେ ଜାଣ ଖୁବ୍ ପିଲାଦିନୁ ମୁଁ ମୋର ମାଆକୁ ହରାଇ ଥିଲି । ବୟସ ଠିକ୍ କେତେ ହୋଇଥିଲା, ମନେ ନାହିଁ । କିନ୍ତୁ ମନେଅଛି ସ୍କୁଲରୁ ଫେରି ହଠାତ୍ ଦେଖିଲି ଏକ ମର୍ମଦାହୀ ଶୋକ ଛାୟା ଆମ ପରିବାରର ସମସ୍ତଙ୍କ ଆଖିକୁ ସଜଳ କରି ଦେଇଛି ।

 

ବାପା ମତେ ଦେଖି ଭୋ’ ଭୋ କାନ୍ଦି ଉଠିଥିଲେ । କିଛି କାରଣ ନବୁଝି ମୁଁ ମଧ୍ୟ କାନ୍ଦି ଉଠିଥିଲି । ପରେ ମାଆ ପାଖକୁ ଯିବା ପାଇଁ ଚେଷ୍ଟା କଲାବେଳେ ପିଉସୀ କହିଲେ, ମାଆ ନାହିଁ, ମାଆ ନାହିଁ ।

 

ମାଆ ମଲାବେଳେ କୁଆଡ଼େ ମତେ ଖୋଜୁଥିଲା । ହଠାତ୍ ହୃଦଯନ୍ତ୍ର କ୍ରିୟା ବନ୍ଦ ହୋଇଯିବା ଫଳରେ ମୃତ୍ୟୁ ଘଟିଲା । ତାର ମୃତ୍ୟୁ କଥା କେହି ଆଶଙ୍କା ସୁଦ୍ଧା କରୁ ନଥିଲେ । କାରଣ ତାର ସେପରି କିଛି ଭୟଙ୍କର ରୋଗ ହୋଇ ନଥିଲା । ତେଣୁ ମାଆ ମତେ ଦେଖିବାକୁ ଚାହିଁଥିଲେ ବି କେହି ମତେ ସ୍କୁଲରୁ ଡକାଇ ଆଣିବା କଥା ଭାବି ନଥିଲେ ।

 

ମଲାବେଳେ ମାଆ ମତେ ଦେଖି ପାରି ନଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ସେ’ ଯେ ମତେ ଖୋଜୁଥିଲା, ଏକଥା ଛାତି ଭିତରେ ସବୁବେଳେ ମୋର ଶରାହତ କପୋତୀର ଆର୍ତ୍ତଚିତ୍କାର ଭଳି ଅନୁରଣିତ ହେଉଥିଲା । ମନେ ମନେ ମୁଁ ସବୁବେଳେ ତାର ମିଠା କଥା ଶୁଣିବା ପାଇଁ, ତାର ସ୍ନେହ-ଶୀତଳ ହାତର ସ୍ପର୍ଶ ପାଇବା ପାଇଁ ଝୁରି ହେଉଥିଲି । ଆଶା କରିଥିଲି, ବିବାହ ପରେ ଶାଶୁଙ୍କ ସ୍ନେହ ଭିତରେ ମାଆକୁ ମୁଁ ମୋର ଫେରି ପାଇବି । କିନ୍ତୁ ତମକୁ ବିବାହ କଲା ପରେ ସେ ଆଶା ମୋର ଧୂଳି ଧୂସରିତ ହୋଇଗଲା । ଆମର ବିବାହକୁ ତମର ମାଆ କେବେ ଭଲ ଦୃଷ୍ଟିରେ ଦେଖି ନ ଥିଲେ । ବିବାହ ପୂର୍ବରୁ ମୁଁ ଯେ ମାତୃତ୍ୱର ଅଧିକାରିଣୀ ହୋଇଛି, ଏହା ଥିଲା ତମ ମାଆଙ୍କ ପକ୍ଷରେ ଏକ ଅସହ୍ୟ ଘଟଣା । ମୁଁ ଥିଲି ଚାଷୀ ଘରର ଝିଅ, ତମେ ଥିଲ ବ୍ରାହ୍ମଣ । ଏ ଅସବର୍ଣ୍ଣ ବିବାହକୁ ତମ ଘରେ କେହି ସହଜ ଭାବରେ ଗ୍ରହଣ କରି ନଥିଲେ । ତେଣୁ ତମର ରୋଷେଇଘରେ, ଠାକୁର ଘରେ ମୋର ପ୍ରବେଶ ନିଷିଦ୍ଧ କରା ହୋଇଥିଲା ।

 

ମାଆର ଅଭାବ ସେଥିପାଇଁ ସବୁଦିନେ ମୋ ପକ୍ଷରେ ଅପୂରଣୀୟ ହୋଇ ରହି ଯାଇଥିଲା । କିନ୍ତୁ କାଠମାଣ୍ଡୁରେ ଅବସ୍ଥାନ କଲାବେଳେ ବାଗ୍‍ମତୀ ତୀରରେ ଦିନେ ବସି ବସି ପାହାଡ଼ର ଶୋଭା ଦେଖୁଥିଲା ବେଳେ ମୋର କେମିତି ଖିଆଲ ହେଲା, ଏଇ ବାଗମତୀ ହିଁ ମୋର ଜନନୀ, ସେଥିପାଇଁ ତାର ସ୍ପର୍ଶ ମୋ ପାଇଁ ଏତେ କୋମଳ, ଏତେ ଶୀତଳ !

 

ଆଜି ବାଗମତୀରେ ସ୍ନାନ କରି ଫେରିବାରେ ମୋର ବିଳମ୍ବ ହୋଇଥିବାରୁ ଗଙ୍ଗାରାଣୀ ଉଦ୍‍ବିଗ୍ନ ହୋଇ ପଡ଼ିଥିଲା । ଗଙ୍ଗା ମୋର ପରିଚରିକା । ଗତ ଅନେକ ବର୍ଷ ଧରି ଛାୟା ଭଳି ସେ ମୋ ପଛେ ପଛେ ଲାଗି ରହିଛି । ଅଞ୍ଜଳି ତାରି କୋଳରେ ମଣିଷ ହୋଇଛି । ମୋ ଜୀବନର ଅନେକ ଦୁର୍ଦ୍ଦିନରେ ସେ ମୋର ହୋଇଛି ସାହା ଭରସା ।

 

ଗଙ୍ଗା କାଠମାଣ୍ଡୁର ନେପାଳୀ କନ୍ୟା । କିନ୍ତୁ ସେ ଓଡ଼ିଆ ବୁଝେ । ବାପା ତାର ଅନେକ ବର୍ଷ ଧରି କଟକର କେଉଁ ବ୍ୟାଙ୍କରେ ଦରୱାନ ଥିଲା । ବାପା ପାଖରେ ଓଡ଼ିଶାରେ ଥିଲାବେଳେ ସେ ଓଡ଼ିଆ ଶିଖି ଥିଲା । ମୁଁ ପ୍ରଥମେ କାଠମାଣ୍ଡୁ ଆସିଥିଲି ଗୋଟିଏ ହିନ୍ଦୀ ଫିଲ୍ମର ସୁଟିଂ ପାଇଁ । ବାସ୍ତବ ଜଗତରେ ଯେ ତୁମର ‘ରୀନା’ ଚଳଚ୍ଚିତ୍ର ଜଗତରେ ସେ ହେଉଚି ‘ସ୍ଵପ୍ନା’ । ଅଭିନେତ୍ରୀ ‘ସ୍ଵପ୍ନା’କୁ ଦେଖିବା ପାଇଁ କାଠମାଣ୍ଡୁର ସେ ହୋଟେଲରେ ସେଦିନ କି ଭୀଷଣ ଭିଡ଼, ସେକଥା ତୁମେ ଅନୁମାନ କରିପାରିବ ନାହିଁ । ଭିଡ଼ ଭାଙ୍ଗିବା ପାଇଁ ନେପାଳୀ ପୋଲିସକୁ ସେଦିନ ହୋଟେଲ ସାମ୍ନାରେ ମୃଦୁ ଲାଠି ଚାଳନା କରିବାକୁ ହୋଇଥିଲା । ଆଉ ଲାଠି ମାଡ଼ର ଭୟରେ ହଠାତ୍ ଏହି ଗଙ୍ଗାରଣୀ ପାଟିରୁ ନେପାଳୀ ବଦଳରେ ‘ମରିଗଲି’ ବୋଲି ପଦେ ଓଡ଼ିଆ କଥା ବାହାରି ପଡ଼ିଥିଲା-

 

ଗଙ୍ଗାରଣୀ କଣ୍ଠରେ ସେହି ପଦେ ଓଡ଼ିଆ କଥା ଶହ ଶହ ନେପାଳୀ ନାରୀ ପୁରୁଷମାନଙ୍କ ମଧ୍ୟରୁ ତାକୁ ମୋ ଆଡ଼କୁ ଟାଣି ଆଣିଥିଲା । ହୋଟେଲ ଭିତରକୁ ଗଙ୍ଗାରଣୀକୁ ମୁଁ ଡକାଇ ନେଇଥିଲି । ତାପରେ ସେ ମତେ ଛାଡ଼ି ଯାଇ ନାହିଁ । ବୈଶାଖ ରୌଦ୍ର ଦଗ୍‍ଧ ଅପରାହ୍ନ ଦୀର୍ଘ ପଥଯାତ୍ରୀ ପଥିକ ପାଇଁ ବଟବୃକ୍ଷର ଛାୟା ଭଳି, ମୋର ନିଃସଙ୍ଗ ଯାତ୍ରା ପଥରେ ସେହିଦିନୁ ସେ ମୋର ସହଚରୀ ହୋଇ ରହିଯାଇଛି ।

 

ଚଳଚ୍ଚିତ୍ର ଜଗତର ସୁନୀଳ ଆକାଶରେ ମୋର ସୁଖ୍ୟାତି ସୂର୍ଯ୍ୟ ଯେତେବେଳେ ଅସ୍ତ ହୋଇଯିବାକୁ ବସିଲା, ଏହି ଗଙ୍ଗା ମତେ ପରାମର୍ଶ ଦେଇଥିଲା, ମାଆ ! ପଶୁପତିନାଥ ଚାଲ । ସେଠାରେ ହିଁ ବିଶ୍ରାମ ନେବ । ଭାରତବର୍ଷର ବଦ୍ରିନାଥକୁ ଛାଡ଼ି ଦେଲେ ସଂସାରରେ ପଶୁପତିନାଥଙ୍କ ଭଳି ଆଉ ପ୍ରତ୍ୟକ୍ଷ ଦେବତା ନାହାନ୍ତି ।

 

ଗଙ୍ଗାର ବାପା ଥିଲେ ବ୍ୟାଙ୍କର ଦରୱାନ୍, କିନ୍ତୁ ତାର ଭାଇ ଭାନୁ ପ୍ରତାପ କାଠମାଣ୍ଡୁ ସରକାରୀ ବ୍ୟାଙ୍କର ଜଣେ ପଦସ୍ଥ କର୍ମଚାରୀ । ତାର ପ୍ରଚେଷ୍ଟାରେ ବମ୍ବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ମୋର ଯେଉଁ ପାଞ୍ଚ ଲକ୍ଷ୍ୟ ଟଙ୍କା ଜମା ଥିଲା, ତାହା କାଠମାଣ୍ଡୁର ବ୍ୟାଙ୍କକୁ ସ୍ଥାନାନ୍ତରିତ ହୋଇଆସିଲା । ଆଉ ଯେପରି ଆକସ୍ମିକ ଭାବରେ ମୁଁ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲି, ସେହିପରି ଅଚାନକ ଭାବରେ ଚଳଚ୍ଚିତ୍ର ଜଗତରେ ପଙ୍କିଳ ପରିବେଶରୁ ମୁଁ ହଠାତ୍ ଦିନେ ଅନ୍ତର୍ଦ୍ଧାନ ହୋଇ କାଠମାଣ୍ଡୁ ଚାଲି ଆସିଲି । ଭାନୁ ପ୍ରତାପ ପଶୁପତିନାଥର ମହଲ୍ଲାରେ ମୋ ପାଇଁ ଏହି ସ୍ଵାସ୍ଥ୍ୟ ନିବାସର ବ୍ୟବସ୍ଥା କରି ଦେଇଥିଲା ।

 

ଚନ୍ଦ୍ର ! ତମ ସହିତ ସମସ୍ତ ସମ୍ପର୍କ ଛିନ୍ନ କରି ମୁଁ ଯେଉଁଦିନ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲି, ଚଳଚ୍ଚିତ୍ର, ଦର୍ଶକମାନଙ୍କ ମଧ୍ୟରେ ସେଦିନ ହଇଚଇ ପଡ଼ି ଯାଇଥିଲା । କିନ୍ତୁ ମୁଁ ଯେଉଁଦିନ ବିନା ନୋଟିସରେ ବମ୍ବେର ଅନ୍ଧେରି ଛାଡ଼ି ଚଳଚ୍ଚିତ୍ର ଜଗତରୁ ନିଃଶବ୍ଦରେ ପ୍ରସ୍ଥାନ କରି ଆସିଲି, ଚଳଚ୍ଚିତ୍ର ଜଗତର ସ୍ଥିର ଜଳରେ ଛୋଟ ଢେଉଟିଏ ସୁଦ୍ଧା ଉଠି ନ ଥିଲା କେବଳ ପ୍ରତିଭା ନେଇ କେହି ଚଳଚ୍ଚିତ୍ର ଜଗତରେ ବେଶିଦିନ ଉଜ୍ଜ୍ୱଳ ତାରକା ହୋଇ ରହେ ନାହିଁ । ଚିତ୍ର ଜଗତରେ ପ୍ରତିଭା ଅପେକ୍ଷା,ପ୍ରଚାର ହିଁ ବେଶି କାମ କରେ । ଆତ୍ମସମ୍ମାନକୁ ବଳି ନ ଦେଲେ କୌଣସି ଚିତ୍ର ତାରକା, ପ୍ରଚାରର ସୁବିଧା ପାଆନ୍ତି ନାହିଁ । ମୁଁ ଆତ୍ମସମ୍ମାନକୁ ଛାଡ଼ି ପାରିନଥିଲି ବୋଲି ଚଳଚ୍ଚିତ୍ର ଜଗତ ମତେ ଛାଡ଼ିବାକୁ ହେଲା ।

 

ଚନ୍ଦ୍ର ! କାଠମାଣ୍ଡୁ ଉପତ୍ୟକାରେ ମୁଁ ଯେତେବେଳେ ଭାରତବର୍ଷର ସୀମା ଛାଡ଼ି ପ୍ରବେଶ କଲି, ସେତେବେଳେ ଭାନୁ ପ୍ରତାପ ଓ ତାର ତିନି ଚାରିଜଣ ସାଙ୍ଗଙ୍କ ବ୍ୟତୀତ ମତେ ଅଭ୍ୟର୍ଥନା ଜଣାଇବା ପାଇଁ କେହି ଉପସ୍ଥିତ ନଥିଲେ । ଅଥଚ ପ୍ରଥମ ଫିଲ୍ମ ସୁଟିଂ ପାଇଁ କିଛି ବର୍ଷ ତଳେ ମୁଁ ଯେତେବେଳେ କାଠମାଣ୍ଡୁ ଆସିଥିଲି, ସେତେବେଳେ ସାମ୍ବାଦିକ, ଫଟୋଗ୍ରାଫର, ଦର୍ଶକମାନଙ୍କ ମେଳା ବସି ଯାଇଥିଲା !!

 

ଚିତ୍ରତାରକା ଭାବରେ ସେହି ଆଠବର୍ଷ କାଳ ଜୀବନରେ ଅନେକ ସତ୍ୟ ମୁଁ ଉପଲବ୍ଧି କରିଚି । ରୂପ, ଯୌବନକୁ ବାଦ୍ ଦେଲେ ନାରୀର ଆଉ ଏପରି କିଛି ସମ୍ପଦ ନାହିଁ, ଯାହା ଉପରେ ସେ ନିଶ୍ଚିତ ଭାବରେ ନିର୍ଭର କରିପାରେ । ନାରୀ ତାର ଏହି ରୂପ ଯୌବନକୁ ଯଦି ଭାବ ପ୍ରବଣତା ବଶତଃ ଅସଦବ୍ୟବହାର କରେ, ତାହାହେଲେ ତାକୁ ମୋ ଭଳି ସାରା ଜୀବନ ଅନୁତାପର ଅଗ୍ନିରେ ଦଗ୍ଧ ହେବାକୁ ପଡ଼େ ।

 

ତମ ଦୃଷ୍ଟିରେ ମୁଁ ଥିଲି ଏକ ଶ୍ୟାମବର୍ଣ୍ଣ । ସାଧାରଣ ଗ୍ରାମ୍ୟ ଝିଅ । ଚଳଚ୍ଚିତ୍ର ପ୍ରଯୋଜକଙ୍କ ଆଖିରେ ମୋ ଦେହର ଗଢ଼ଣ ଥିଲା ଅସାମାନ୍ୟ ସୁନ୍ଦର । ଫଟୋଗ୍ରାଫରର କାମେରା ମୋର ସେହି ସୌନ୍ଦର୍ଯ୍ୟକୁ ଦର୍ଶକ ଆଗରେ ତୋଳି ଧରିଲା ପରେ, ମୋର ଅଭିନୀତ ଛବି ଦେଖିବା ପାଇଁ ବୁକିଂ ଅଫିସର କିଉ ଆପେ ଆପେ ଲମ୍ବି ଯାଉଥିଲା । ଗୋଟିଏ ଗୋଟିଏ ଛବିରେ ମୋର ଅଭିନୟ ମୂଲ୍ୟ ଲକ୍ଷ ସଂଖ୍ୟା ସ୍ପର୍ଶ କରିଥିଲା । ମୋର ଯେଉଁ ଗ୍ରାମ୍ୟତାକୁ ତମେ ମୁହଁରେ ପ୍ରଶଂସା କଲେ ବି ମନେ ମନେ ଘୃଣା କରୁଥିଲା, ଚିତ୍ର ନିର୍ଦ୍ଦେଶକଙ୍କ ଦୃଷ୍ଟିରେ ସେହି ଗ୍ରାମ୍ୟ ସରକତା କୁଆଡ଼େ ମୋ କଣ୍ଠସ୍ୱର ଆଉ ସୌନ୍ଦର୍ଯ୍ୟକୁ ଏକ ଅପୂର୍ବ ମଧୁରତା ଏବଂ ଅନିର୍ବିଚନୀୟ ଦୀପ୍ତିରେ ଝଲସିତ କରି ଦେଇଥିଲା । ଚିତ୍ର ସମାଲୋଚକ ମାନେ ମନ୍ତବ୍ୟ କରୁଥିଲେ ମୋ ଅଭିନୟରେ ପ୍ରାଣର ସ୍ପର୍ଶ ଥିଲା, ମୋର ଚେହେରାରେ କୁଆଡ଼େ ଥିଲା ଈର୍ଷଣୀୟ ମଧୁର ନାରୀତ୍ଵ, ଯାହା ମୋର ବହୁ ସମକାଳୀନ ନାଭି ଦେଖା, ବୁକୁ ଉଞ୍ଚା ଅଭିନେତ୍ରୀଙ୍କଠାରେ ଥିଲା ଦୁର୍ଲ୍ଲଭ !

ଜାଣେନା, ଜାଣେନା । ଏସବୁ ସତ୍ୟ କି ସ୍ଵପ୍ନ, ସେଦିନ ଭାବି ଦେଖିବାକୁ ମୋର ସମୟ ନ ଥିଲା । ତମେ ଯେଉଁଦିନ ମତେ କହିଲ, ମୁଁ ତମ ଘରେ ଥିବା ପର୍ଯ୍ୟନ୍ତ ତମେ ଜଳସ୍ପର୍ଶ କରିବ ନାହିଁ; ରାମଚନ୍ଦ୍ର ଅଗ୍ନି ପରୀକ୍ଷା ପରେ ମଧ୍ୟ ପ୍ରଜାମାନଙ୍କ ପାଇଁ ସୀତାଙ୍କୁ ତ୍ୟାଗ କରିଥିଲେ, ମନ୍ତ୍ରୀ ହୋଇ ଜନମତକୁ ସମ୍ମାନ ଦେଖାଇବା ପାଇଁ ମତେ ତ୍ୟାଗ କରିବାକୁ ତମର ତିଳେ ହେଲେ କୁଣ୍ଠା ନାହିଁ, ସେଦିନ ନଅବର୍ଷର ଝିଅକୁ ରିକ୍ସାରେ ଧରି ତମ ମନ୍ତ୍ରୀ ଭବନ ତ୍ୟାଗ କରିବାକୁ ମତେ ମୁହୂର୍ତ୍ତ କେତୋଟି ମାତ୍ର ସମୟ ଲାଗିଥିଲା ।

କିନ୍ତୁ ରାଗ ମୋର ଯେତେବେଳେ ଶାନ୍ତ ହେଲା, ମୁଁ ଯେତେବେଳେ ଆଶ୍ରୟ ପାଇଁ ଚାରିଆଡ଼େ ଆଖି ବୁଲାଇଲି, ସେତେବେଳେ ଚତୁର୍ଦ୍ଦିଗ ମତେ ଶୂନ୍ୟ ଦେଖାଗଲା । ଭଗ୍ନ ସ୍ଵାସ୍ଥ୍ୟରେ ଜେଲ୍‍ରୁ ଫେରିବା ପରେ ବାପା ବେଶିଦିନ ବଞ୍ଚି ପାରି ନଥିଲେ । ଆମ ବିବାହର ଦୁଇମାସ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଯେଉଁ ଗ୍ରାମର ଲୋକେ ମିଥ୍ୟା ପ୍ରଚାର କରି ଅଞ୍ଜଳିର ପିତୃତ୍ଵ ନେଇ ତମ ମନରେ ସଂନ୍ଦେହର ଧୂମ ଜାଲ ସୃଷ୍ଟି କରିଥିଲେ, ସେହି ଗ୍ରାମକୁ ଫେରିଯିବା ପାଇଁ ମୋର ସାହାସ ନଥିଲା । ଯାଇଥିଲେ ରହିଥାଆନ୍ତି ବା କେଉଁଠି ? ବାପାଙ୍କ ମୃତ୍ୟୁପରେ ବିଧବା ପିଉସୀ ଏକାକିନୀ; ସେ ଆମଦୁଇଜଣଙ୍କୁ ଆଶ୍ରୟ ଦେଇ ଥାଆନ୍ତେ କିପରି ?

ରାଗ, ଅଭିମାନରେ ଅନ୍ଧ ହୋଇ ତମ ପାଖରୁ ଚାଲି ଆସି ଭୁଲ କରିଛି ବୋଲି ମୋର ସେତେବେଳେ ମନେ ହୋଇଥିଲା, କିନ୍ତୁ ଫେରିଯିବାକୁ ଆଉ ଇଚ୍ଛା ହୋଇ ନଥିଲା । ସତ କହିବାକୁ ଗଲେ ତମର ସେ ହୀନ ସଂଦେହ ଯୋଗୁଁ ମୁଁ ତମକୁ ସେତେବେଳେ ଭୀଷଣ ଘୃଣା କରୁଥିଲି ।

ସେହିଦିନ ପୁରୀ ହୋଟେଲରେ ପ୍ରେମଚାନ୍ଦଜୀଙ୍କ ସହିତ ଦେଖା । ତମେ ମତେ ଅନେକ ଦିନ ତଳେ ତାଙ୍କ ସହିତ ଆମ ଅତିଥି ଭବନରେ ପରିଚୟ କରାଇ ଦେଇଥିଲ । ଓଡ଼ିଶା ସରକାରଙ୍କ ତରଫରୁ ଗୋଟାଏ ଡକୁମେଣ୍ଟାରି ଛବି କରିବା ସଂକ୍ରାନ୍ତରେ ସେ ତମ ପାଖକୁ ଆସିଥିଲେ । ଆଉ ସେଦିନ ସେ ପୁରୀ ଆସିଥିଲେ ତାଙ୍କ ଗୋଟାଏ ହିନ୍ଦି ଫିଲ୍ମର ଡବିଂ କରିବା ପାଇଁ ଓଡ଼ିଆରେ... !

ବୟସରେ ସେ ମୋର ପିତୃପ୍ରତିମ, ଏବଂ ତାଙ୍କର ବ୍ୟବହାର ଥିଲା ଋଷି-ସୁଲ୍ଲଭ । ତାଙ୍କ ପାଖରେ ମୁଁ କୌଣସି କଥା ଗୋପନ କରି ନଥିଲି । ସେ ମତେ ତମ ପାଖକୁ ଫେରିଯିବା ପାଇଁ ବାରମ୍ବାର ଅନୁରୋଧ କଲାବେଳେ ମୁଁ ତାଙ୍କୁ ଆଶ୍ରୟ ଦେବା ପାଇଁ ଅନୁରୋଧ ଜଣାଇଥିଲି ।

ଚନ୍ଦ୍ର ! ତମ ସହିତ ଆକସ୍ମିତ ଭାବରେ ସେଦିନ ଝଡ଼ ରାତିରେ ଆମ ଗ୍ରାମରେ ସାକ୍ଷାତ ହୋଇ ନଥିଲେ, ମୁଁ ହୁଏତ ଏକ କଲ୍ୟାଣୀ ବଧୂ ଭଳି ଅନ୍ୟ କେଉଁ ପରିବାରର କୁଳମଣ୍ଡନ କରିଥାଆନ୍ତି । ଆଉ ସେଦିନ ଯଦି ବିଖ୍ୟାତ ଚିତ୍ରପ୍ରଯୋଜକ ପ୍ରେମଚାନ୍ଦଜୀଙ୍କ ସହିତ ପୁରୀ ହୋଟେଲରେ ମୋର ଦେଖା ହୋଇ ନଥାନ୍ତା, ତାହାହେଲେ ଚିତ୍ରତାରକା ନ ହୋଇ ମୋ ଜୀବନର ଗତି ଭିନ୍ନ ପ୍ରକାର ହୋଇଥାଆନ୍ତା । କିନ୍ତୁ ତମେ ଜାଣ, ନାରୀ ଭାଗ୍ୟଦେବତାର ହାତରେ ଏକ ନିଃସହାୟା କ୍ରୀଡ଼ା ପୁତ୍ତଳିକା । ତାର ଲଜ୍ଜା, ଅନିଚ୍ଛା, ମୂଲ୍ୟହୀନ ।

ପ୍ରଥମେ ପ୍ରେମଚାନ୍ଦଜୀ ମତେ ତାଙ୍କ ଡବିଂ ହେଉଥିବା ଚିତ୍ରରେ ଓଡ଼ିଆ ଭାଷାରେ କଣ୍ଠଦାନ କରିବାର ସୁଯୋଗ ଦେଇଥିଲେ; ତାପରେ ମତେ ମିଳିଥିଲା ହିନ୍ଦି ଫିଲ୍ମରେ ଏକ ପାର୍ଶ୍ଵନାୟିକାର ଭୂମିକା । ମୃଗନାଭି କସ୍ତୁରୀ ଭଳି ସେହି ଅଭିନୟର ସାଫଲ୍ୟ ସାରା ଦେଶରେ ବ୍ୟାପୀ ଯାଇଥିଲା । ମୁଁ ଏପରି କାର୍ଯ୍ୟବ୍ୟସ୍ତ ହୋଇପଡ଼ିଲି ଯେ, ଅଞ୍ଜଳିର ଯତ୍ନ ନେବା ମୋ ପକ୍ଷରେ ସମ୍ଭବ ହେଲା ନାହିଁ । ପ୍ରେମଚାନ୍ଦଜୀଙ୍କ ପରାମର୍ଶରେ ଶିକ୍ଷାଲାଭ ପାଇଁ ତାଙ୍କ ପୁଅ କମଲ୍ ସହିତ ମୁଁ ତାକୁ ପ୍ୟାରିସ୍ ପଠାଇ ଦେଲି ।

ନିର୍ଲିପ୍ତ ଶୀତଳତା ମଧ୍ୟରୁ ଜୀବନଟା କିପରି ହଠାତ୍ ଉତ୍ତେଜନାମୟ ହୋଇଉଠିଲା । ଚନ୍ଦ୍ର ! ବିଶ୍ଵାସ କର, ସେ କେତୋଟି ବର୍ଷ ତମ କଥା ମୁଁ କ୍ଵଚିତ୍ ଭାବିଛି । ଭାବିବା ପାଇଁ ମତେ ସମୟ ନଥିଲା । ଜୀବନଟା କେବଳ ମନେ ହୋଇଥିଲା, ଅଭିନୟ, ଅଭିନୟ !

କିନ୍ତୁ ଯେଉଁ ଦିନ ଚଳଚ୍ଚିତ୍ର ଜଗତରୁ ନୀରବରେ ବିଦାୟ ନେଇ ମୁଁ କାଠମାଣ୍ଡୁ ଫେରି ଆସିଲି... !

ଜୀବନର ହିସାବ ନିକାଶ କଲାବେଳେ ମୁଁ ବୁଝିଥିଲି, ପାଞ୍ଚଲକ୍ଷ ଟଙ୍କାର ବ୍ୟାଙ୍କ୍ ବାଲାନ୍‍ସ ଛଡ଼ା ଜୀବନରେ ଅନ୍ୟ କିଛି ପୁଣ୍ୟ ମୁଁ ଅର୍ଜ୍ଜନ କରି ନାହିଁ । ସେହି ପାଞ୍ଚଲକ୍ଷ ଟଙ୍କାର ପୁଣ୍ୟକୁ ପଶୁପତି ନାଥରେ ବସି ମୁଁ ଖର୍ଚ୍ଚ କରୁଛି... ! ଏ ପୁଣ୍ୟ ଶେଷ ହୋଇଯିବା ଆଗରୁ ମୁଁ ହୁଏତ ମରିଯିବି... ଆର୍ଯ୍ୟଘାଟ ଶ୍ମଶାନକୁ ଆସି ତମେ ଯଦି କେବେ ମତେ ଖୋଜ, ତାହାହେଲେ ଦେଖିବ, ବାଗମତୀ ନଦୀର ଜଳ କଲ୍ଲୋଳରେ ମୋ କଣ୍ଠସ୍ଵର ଶୁଣାଯାଉଛି, ତମେ ହିଁ ଅଞ୍ଜଳିର ପିତା, ତମେ ହିଁ ମୋ ଜୀବନର ପ୍ରଥମ ଓ ଶେଷ ପୁରୁଷ, ଯଦିଓ ବହୁ ପୁରୁଷଙ୍କ ପତ୍ନୀ ଭୂମିକାରେ ମୁଁ ରୂପେଲି ପରଦାରେ ଅଭିନୟ କରିଛି !

ଚନ୍ଦ୍ର ! ସତେ କଅଣ ଅଞ୍ଜଳିର ପିତୃତ୍ଵକୁ ସଂଦେହ କରି ତମେ ମତେ ସେଦିନ ତ୍ୟାଗ କରିବାକୁ ଜିଦ୍ କରିଥିଲା ? ଏହା ପଛରେ ତମର ଅନ୍ୟ କୌଣସି ଯୌନ ବିକୃତି ନ ଥିଲା ? ସେ’ ଯେ ଶ୍ଵେତାଙ୍ଗିନୀମାନଙ୍କ ଫଟୋ ଦେଖିବାମାତ୍ରେ ତମ ଆଖିରେ ସମ୍ଭୋଗର ନିଶା ଲାଗି ଆସେ !

 

ଚନ୍ଦ୍ର । ଏଇ ଅଳ୍ପ ସମୟ ଆଗରୁ ମୁଁ ରାମଚନ୍ଦ୍ର, ଲବ, କୁଶ ମନ୍ଦିରରୁ ରାମାୟଣ ଗାନ ଶୁଣି ଫେରି ଆସିଲି । ରାଜା ଜୟସ୍ଥିତି ମଲ୍ଲ ପ୍ରାୟ ଛଅଶହ ବର୍ଷ ତଳେ ଏହି ରାମଚନ୍ଦ୍ର ମନ୍ଦିର ଗଢ଼ିଥିଲେ ବୋଲି ଭାନୁପ୍ରତାପ ଥରେ କହୁଥିଲା । ଜୟସ୍ଥିତି ମଲ୍ଲ ଥିଲେ ପରମ ରାମ ଭକ୍ତ ରାଜା । ବାଗମତୀ ନଦୀର ଖୁବ୍ ନିକଟରେ ପଶୁପତିନାଥ ମନ୍ଦିର ସନ୍ନିକଟରେ ସେ ଏହି ମନ୍ଦିର ନିର୍ମାଣ କରିଥିଲେ । ନିଜ ମୃତ ପତ୍ନୀଙ୍କ ସ୍ମୃତିରକ୍ଷା ପାଇଁ ସେ କୁଆଡ଼େ ଏ ମନ୍ଦିର ତିଆରି କରିଥିଲେ । ଆଉ ସବୁଦିନେ ଯେମିତି ଏହି ମନ୍ଦିରରେ ରାମାୟଣ ଗାନ ଚାଲୁ ରହେ ସେଥିପାଇଁ ସେ ନିର୍ମାଣ କରି ଥିଲେ ଲବକୁଶ ମନ୍ଦିର ।

 

ଅରଣ୍ୟରେ ବାଲ୍ମୀକିଙ୍କ ଆଶ୍ରମରେ ଲବ କୁଶ ରାମାୟଣ ଗାନ କଲା ଭଲି ଲବ କୁଶ ମନ୍ଦିରରେ ତାଙ୍କ ମୃତ୍ୟୁ ପରେ ମଧ୍ୟ ଯେପରି ରାମାୟଣ ନିୟମିତ ଗାନ କରାଯାଏ, ସେ ତାର ବ୍ୟବସ୍ଥା କରି ଯାଇଥିଲେ । ସ୍ୱାମୀ ପରିତ୍ୟକ୍ତା ସୀତା ନିଜ ଦୁଇପୁତ୍ରଙ୍କ ମୁହଁରୁ ରାମାୟଣ ଶୁଣି ନିଜ ଶୋକ ସଂତପ୍ତ ହୃଦୟକୁ ଶୀତଳ କରୁଥିଲେ । ଲବକୁଶ ମନ୍ଦିରରେ ରାମାୟଣ ଶୁଣି ମୋ ମନ କିନ୍ତୁ କୋହର ଉଚ୍ଛ୍ଵାସରେ ଭରି ଉଠିଲା ।

 

ସୀତାଙ୍କୁ ଅଗ୍ନି ପରୀକ୍ଷା ପରେ ମଧ୍ୟ ପ୍ରଜାରଞ୍ଜନ ପାଇଁ ରାମଚନ୍ଦ୍ର ତ୍ୟାଗ କରିଥିଲେ । ତମେ ମତେ ତ୍ୟାଗ କରିଥିଲ, ତମ ବିରୋଧୀ ରାଜନୈତିକ ଦଳର ଲୋକେ ଆମ ଗ୍ରାମର କେତେକ ଲୋକଙ୍କୁ ଧରି ପ୍ରଚାର କରିଥିଲେ ଯେ ଅଞ୍ଜଳିର ପିତା ଆମ ଗ୍ରାମର ଜଣେ କୃଷକ ପୁତ୍ର–ଯାହାର ଆମ ପରିବାର ସହିତ ଥିଲା ଘନିଷ୍ଠ ସମ୍ପର୍କ !

 

ପଙ୍କିଳତାର ଆବିଳତାରେ ରାଜନୀତି ଯୁଗେ ଯୁଗେ ଜଟିଳ । ମୁଁ ଯେତେ ବୁଝାଇବାକୁ ଚେଷ୍ଟା କଲି ସେ, ଏ ସମସ୍ତ ପ୍ରଚାର ମିଥ୍ୟା, ତମେ କାନ ଦେଲ ନାହିଁ । ଆଉ କେହି ଜାଣନ୍ତୁ କି ନ ଜାଣନ୍ତୁ ତମେତ ସେ ଝଡ଼ ରାତିର କଥା ଜାଣ !

 

ମୋ କଥା ଶୁଣି ତମ ମୁହଁ ଘୃଣାରେ ବିକୃତ ହୋଇଯାଇଥିଲ । ତମେ କହିଥିଲ, ସେଦିନ ଝଡ଼ ରାତିରେ ମୁଁ କଅଣ କରିଥିଲି, ସେ କଥା ମନ୍ତ୍ରୀ ହେଲାପରେ ମୁଁ ବାହାରେ ପ୍ରକାଶ କରି ପାରିବି ନାହିଁ । କିନ୍ତୁ ବିବାହର ଚାରିମାସ ପରେ ଅଞ୍ଜଳି ଯେ ଭୂମିଷ୍ଠ ହୋଇଥିଲା, ଏକଥା ଚେଷ୍ଟାକଲେ ମଧ୍ୟ ମୁଁ ଅସ୍ଵୀକାର କରିପାରିବି ନାହିଁ । ଆଉ ସେଦିନ ଝଡ଼ ରାତିରେ କ୍ଷଣିକର ଦୁର୍ବଳତା ଯେ ତମ ଗର୍ଭକୋଷରେ ଭ୍ରୁଣ ସଞ୍ଚାର କରିଥିଲା, ଏକଥା ବିଶ୍ୱାସ କରିବାର କିଛିମାନେ ହୁଏ ନାହିଁ । କାରଣ ବିବାହର ଏତେ ବର୍ଷ ପରେ ମଧ୍ୟ ତମେ ଆଉ ଥରେ ଅନ୍ତଃସତ୍ଵା ହୋଇନାହିଁ-!

 

ତାହାହେଲେ, ତାହାହେଲେ କଅଣ ସତରେ ତମେ ମତେ ସନ୍ଦେହ କରୁଛ ? ମୁଁ, ସ୍ପନ୍ଦନ-କାତର କଣ୍ଠରେ ପ୍ରଶ୍ନ କରିଥିଲି ।

 

ତମେ ଉତ୍ତର ଦେଇଥିଲ, ଶ୍ୟାମସୁନ୍ଦର ନିଜେ କହୁଛି ତମ ସହିତ ତାର ଥିଲା ଅବୈଧ ସମ୍ପର୍କ । ତମ ପରିବାରରେ ଥିଲା ତାର ଅବାଧ ପ୍ରବେଶ । ମୁଁ ଯଦି ଝଡ଼ ଭଳି ତମ ଜୀବନରେ ଦେଖା ଦେଇ ନଥାନ୍ତି, ତାହାହେଲେ ତମେ ତାର ପତ୍ନୀ ହୋଇଥାଆନ୍ତ । ତମେ ଶ୍ୟାମସୁନ୍ଦର ମୁହଁରୁ ନିଜେ ଶୁଣିଛ, ସେ ମୋ ବିରୋଧୀ ରାଜନୈତିକ ଦଳର ସାଧାରଣ ସଭାରେ ଭାଷଣ ଦେଇ କହୁଛି, ମୁଁ କୁଆଡ଼େ ତାର ଜୀବନ ନଷ୍ଟ କରିଦେଲି । ସେଥିପାଇଁ ଆଜି ସୁଦ୍ଧା ସେ ଅବିବାହିତ ! ରୀନା ! ତମେ ମତେ ମୁକ୍ତି ନଦେଲେ ଆସନ୍ତା ନିର୍ବାଚନରେ ମୋର ପରାଜୟ ସୁନିଶ୍ଚିତ । କାରଣ ଏ ଦେଶର ଲୋକେ ଦଳର ଅର୍ଥନୈତିକ କାର୍ଯ୍ୟକ୍ରମ ଦେଖି ଭୋଟ ଦିଅନ୍ତି ନାହିଁ, ପ୍ରାର୍ଥୀର ନୈତିକ ଚରିତ୍ର ଦେଖି ସମର୍ଥନ ଜଣାନ୍ତି ।

 

ମୁଁ କିଛି ଉତ୍ତର ଦେଇ ପାରି ନଥିଲି । ରାଜନୈତିକ ଜୀବନର ପଶାଖେଳରେ ତମେ ମତେ ବାଜି ରଖିବ, ଏକଥା ମୁଁ କଳ୍ପନା କରି ନ ଥିଲି । ଶ୍ୟାମସୁନ୍ଦର ମତେ ବିବାହ କରିବାକୁ ଚାହୁଁଥିଲା, ଏକଥା ସତ୍ୟ । ମୋ ପାଖକୁ ସେ’ ଯେ ଚିଠି ଲେଖୁଥିଲା, ଏକଥା ମଧ୍ୟ ମୁଁ ଅସ୍ଵୀକାର କରିନାହିଁ । କିନ୍ତୁ ତା ପ୍ରତି ମୋର କୌଣସି ଅନୁରକ୍ତି ନଥିଲା । ତାର କୌଣସି ଚିଠିର ମୁଁ ଉତ୍ତର ଦେଇ ନଥିଲି । ମତେ ଅଶ୍ଳୀଳ ଇଙ୍ଗିତ କରି ସେ ବାପାଙ୍କ ପାଖରୁ ଅପମାନିତ ହୋଇଥିଲା । ତମ ସହିତ ବିବାହ ସ୍ଥିର ହେଲା ପରେ ସେ ମତେ ଧମକ ଦେଇଥିଲା, ସେ ସେହି ଅପମାନର ପ୍ରତିଶୋଧ ନେବ । ସେକଥା ମଧ୍ୟ ମୁଁ ତମଠାରୁ ଗୋପନ କରି ରଖିନଥିଲି । ବିବାହ ପୂର୍ବରୁ ସେକଥା ଶୁଣି ତମେ ହସି ଉଡ଼ାଇ ଦେଇଥିଲ । କହିଥିଲ, ଅବିବାହିତା ଗ୍ରାମ୍ୟ ଝିଅ ଜୀବନରେ ଏପରି ଅନେକ ଘଟଣା ଘଟେ । ସେଥିରେ ତମେ ବିଚଳିତ ହେବା ଉଚିତ ନୁହେଁ ।

 

କିନ୍ତୁ ସେଇ ଅପପ୍ରଚାର ଶୁଣି, ଶେଷରେ ତମେ ନିଜେ ବିଚଳିତ ହେଲ କାହିଁକି ?

 

ଚନ୍ଦ୍ର ! ମୋର ଘୋର ସନ୍ଦେହ, ତମେ କେବଳ ଶ୍ୟାମସୁନ୍ଦରର ଅପପ୍ରଚାରକୁ ବିଶ୍ଵାସ କରି ମତେ ପରିତ୍ୟାଗ କରିବାକୁ ନିଷ୍ପତ୍ତି କରି ନଥିଲ । ସେ ଅପପ୍ରଚାର ତମ ଭୋଟରମାନଙ୍କୁ ପ୍ରଭାବିତ କରିବ, ସେଥିରେ ତମେ ଭୟଭୀତ ହେଲାଭଳି ଦୁର୍ବଳ ବ୍ୟକ୍ତି ନୁହଁ । ମୋ ପ୍ରତି ତମର ଅସନ୍ତୋଷର କାରଣ ଆହୁରି ଗଭୀର; ଆହୁରି ଅନେକ !

 

ବିବାହ ପରେ ତମେ ମତେ କେତେ ଭଲ ପାଉଥିଲ ସେ କଥା ମୁଁ ଜାଣେ । ଅଞ୍ଜଳିକୁ କ୍ଷଣେ ନ ଦେଖିଲେ ତମେ ପାଗଳ ହୋଇଯାଉଥିଲ । କିନ୍ତୁ ମନ୍ତ୍ରୀ ହେଲାପରେ ତମେ କେମିତି ଭିନ୍ନ ପ୍ରକାର ମଣିଷ ହୋଇଗଲ । ମୋର ଛାଇ ପଡ଼ିଲେ, ତମର ନାହି ଡେଇଁଲା !

 

ମନେ ଅଛି, ଆମେ ସ୍ଵାମୀ ସ୍ତ୍ରୀ ଭଳି ଚଳୁଥିଲେ ସୁଦ୍ଧା ତମେ ମନ୍ତ୍ରୀ ହେବାପରେ ମୋର ଶୟନକକ୍ଷକୁ ଆସୁନଥିଲ । ଯୁକ୍ତି କରୁଥିଲ, ଦେଶ କଥା ଚିନ୍ତା କରି କରି ସମୟ ଅଣ୍ଟୁ ନାହିଁ ! ରୀନା-! ମନ୍ତ୍ରୀର ସମୟ ଦେଶ ପାଇଁ, ପତ୍ନୀପାଇଁ ନୁହେଁ !

 

ଓଡ଼ିଶା ତମଭଳି ଜଣେ ମନ୍ତ୍ରୀ ପାଇ ଧନ୍ୟ ହୋଇଥିଲା । ନା ?

 

କିନ୍ତୁ ତମେ ଜାଣ ନାହିଁ; ତମର ଅଲଗା ଶୟନ କକ୍ଷରେ ପ୍ରବେଶ କରି ତମ ତକିଆ ତଳୁ ଥାକ ଥାକ ବିଦେଶୀ ଶ୍ୱେତାଙ୍ଗିନୀଙ୍କ ନଗ୍ନ ଛବି ମୁଁ ଆବିଷ୍କାର କରିଛି । ସେ ସବୁ ନଗ୍ନନାରୀ ଦେହର ଛବି ବହୁ ମୂଲ୍ୟ ଦେଇ ତମେ ମଗାଉଥିବା ମୁଁ ଜାଣେ । ଦେଶକଥା ନୁହେଁ; ସେଇ ଶ୍ୱେତାଙ୍ଗିନୀ ରମଣୀଙ୍କ ନଗ୍ନ ଛବି ଦେଖି ଦେଖି ତମେ ନିଦ୍ରାଯାଅ; ମୋ କଥା ତମର ମନେ ପଡ଼େନାହିଁ !

 

ଶ୍ୟାମସୁନ୍ଦର ମୋ ବିରୁଦ୍ଧରେ ପ୍ରକାଶ୍ୟ-ଅପପ୍ରଚାର ଆରମ୍ଭ କରିବାର ଅନେକ ଆଗରୁ ଆମ ଦୁହିଙ୍କ ମନ ଭିତରେ ସନ୍ଦେହର ସଂକ୍ରାମକ ଜୀବାଣୁ ପ୍ରବେଶ କରିଥିଲା ।

 

ବ୍ରିଟିଶ ସରକାରଙ୍କ ଦ୍ଵାରା ଆମନ୍ତ୍ରିତ ହୋଇ ତମେ ଯେତେବେଳ ଲଣ୍ଡନ ଯିବାକୁ ବାହାରିଥିଲ, ମୁଁ କହିଥିଲି, ମୁଁ ତମ ସାଙ୍ଗରେ ଯିବି । ତମେ ଯୁକ୍ତି କରିଥିଲ, ମନ୍ତ୍ରୀ ହିସାବରେ ସରକାରୀ ରାସ୍ତରେ ମୁଁ ଲଣ୍ଡନ ଯାଉଛି । ତମେ ବେସରକାରୀ ଲୋକ ଯାଇପାରିବ ନାହିଁ । ତମ ଯିବାପାଇଁ କେନ୍ଦ୍ର ସରକାର ବୈଦେଶିକ ମୁଦ୍ରା ଦେବେ ନାହିଁ ।

 

ମୁଁ ସରଳ ବିଶ୍ଵାସରେ ତାହା ସତ୍ୟ ବୋଲି ମନେ କରିଥିଲି । କିନ୍ତୁ ସମ୍ବାଦପତ୍ରରେ ଯେତେବେଳେ ପ୍ରକାଶ ପାଇଲା ଯେ ଲଣ୍ଡନର କେଉଁନାଇଟ କ୍ଳବରେ ଜଣେ ନର୍ତ୍ତକୀ ସହିତ ତମେ ରାସକ୍ରୀଡ଼ାରେ ମାତି ନିଜ ସରକାରୀ ପଦବୀର ଅପବ୍ୟବହାର କରିଛ, ସେତେବେଳେ ମତେ ସାଙ୍ଗରେ ନ ନେବାର ରସହ୍ୟ ମୋ ଆଖି ଆଗରେ ସ୍ପଷ୍ଟ ହୋଇଯାଇଥିଲା । ମୁଁ ବୁଝି ପାରିଥିଲି, ମୁଁ ତମ ଉପରେ ଏକ ଅଦରକାରୀ ବୋଝ ହୋଇରହିଛି । ତମ ଜୀବନରୁ ମୋର ସମସ୍ତ ଆବଶ୍ୟକତା ଶେଷ ହୋଇଯାଇଛି ।

 

ଶ୍ୟାମସୁନ୍ଦରର ଅପପ୍ରଚାର ଯୋଗୁଁ ତମେ ନିର୍ବାଚନ ମଣ୍ଡଳୀରେ ବଦନାମ ହୋଇଯିବାର ଭୟରେ ମତେ ତମେ ପରିତ୍ୟାଗ କରିବାକୁ କୁଣ୍ଠିତ ହୋଇ ନଥିଲ; ଅଥଚ ମୁଁ ତମର ଧର୍ମପତ୍ନୀ, ଅଗ୍ନିକୁ ସାକ୍ଷୀ ରଖି ମୋର ଦଶଦୋଷ କ୍ଷମା କରିବାକୁ ତମେ ପ୍ରତିଶୃତିବଦ୍ଧ ହୋଇଥିଲ-! କିନ୍ତୁ ଲଣ୍ଡନ ନାଇଟ କ୍ଳବରେ ସେ ନର୍ତ୍ତକୀକୁ ନେଇ ଓଡ଼ିଶାର ସବୁ ସମ୍ବାଦପତ୍ରରେ ଯେଉଁ କଳଙ୍କ ରଚନା ହେଲା, ସେଥିରେ ନିର୍ବାଚନ ମଣ୍ଡଳୀରେ ସମର୍ଥନ ହରାଇବାର ଭୟ ତମ ମନକୁ ତିଳେହେଲେ ଗ୍ରାସ କରି ନଥିଲା ।

 

ଅନେକ ଆଶା ନେଇ ତମକୁ ମୁଁ ବିବାହ କରିଥିଲି । ବିବାହ ପରେ ଅନେକ ଆଘାତ ମୁଁ ନୀରବରେ ସହ୍ୟ କରିଥିଲି । ଅଞ୍ଜଳି ମୁହଁକୁ ଚାହିଁ ସବୁ ଦୁଃଖ ମୋର ପାଣି ଫାଟି ଯାଇଥିଲା । କିନ୍ତୁ ଅଞ୍ଜଳିର ସମ୍ମୁଖରେ ତମେ ତାର ପିତୃତ୍ଵକୁ ଅସ୍ୱୀକାର କରି ଯେଉଁ ସବୁ ଅଶ୍ଳୀଳ ଅଭିଯୋଗ ମୋ ବିରୁଦ୍ଧରେ ଆଣିବାକୁ ଲାଗିଲ, ତାହା ସହ୍ୟ କରିବା ମୋ ପକ୍ଷରେ ସମ୍ଭବ ହେଲାନାହିଁ ।

 

ଅଞ୍ଜଳି କ୍ରମେ କ୍ରମେ ବଡ଼ ହେଉଥିଲା । ତାର ବୁଝିବା ଶକ୍ତି ବୃଦ୍ଧି ପାଉଥିଲା । ତା ଆଗରେ ମୋ ସତୀତ୍ଵ, ନାରୀତ୍ଵ ପ୍ରତି ଆକ୍ଷେପ ମୁଁ ସହିପାରି ଥାଆନ୍ତି କିପରି ?

 

ଚନ୍ଦ୍ର ! ସେଦିନ ମୋ ଆଖି ଆଗରେ ଦୁଇଟି ବାଟ ଥିଲା । ହୁଏତ ତମର ଆଘାତ, ଅପମାନ ସହ୍ୟକରି ସବୁ କଥା ପ୍ରତି ଆଖିବୁଜି ଦେଇ ତମରି ପାଖରେ ପଡ଼ି ରହିବି । ତମ କଥା ଶୁଣି ତମ ଭଳି ଅଞ୍ଚଳି ମଧ୍ୟ ମତେ ଦିନେ ସନ୍ଦେହ କରିବ । ଆମ ଜୀବନର କଳଙ୍କ ତା ଜୀବନକୁ ମଧ୍ୟ ବିପନ୍ନ କରିବ । ତା ନ ହେଲେ ତମକୁ ଛାଡ଼ି ଅଞ୍ଜଳିକୁ ନେଇ ଅଲଗା ହୋଇଯିବି । ଦୁଃଖକଷ୍ଟ ସହି ତାକୁ ମଣିଷ କରିବି । ଆମ ଜୀବନର ପାପ, ଗ୍ଳାନି ତାର ସରଳ ଜୀବନକୁ ସ୍ପର୍ଶ କରିବ ନାହିଁ ।

 

ମୁଁ ଦ୍ଵିତୀୟ ବାଟ ବାଛି ନେଇଥିଲି ।

 

ସେଥିପାଇଁ ମୋ ନିଜ ପାଖରେ ତାକୁ ନ ରଖି ପ୍ରେମଚାନ୍ଦଜୀଙ୍କ ପରାମର୍ଶରେ ଶିକ୍ଷାଲାଭ ପାଇଁ ତାଙ୍କ ପୁଅ ସହିତ ପ୍ୟାରିସ୍ ପଠାଇ ଦେଲି । ଭାରତବର୍ଷରେ ରହିଥିଲେ ସେ ହୁଏତ ଅପରିପକ୍ଵ ବୟସରେ ତମର ଅଭିଯୋଗ ଶୁଣି ତାକୁ ସତ୍ୟ ବୋଲି ଭାବିଥାଆନ୍ତା । ଅପପ୍ରଚାରର ଦୂଷିତ ବାୟୁମଣ୍ଡଳ ଭିତରେ ମୋ ଭଳି ସେ ମଧ୍ୟ ଶ୍ଵାସରୋଧର ଯନ୍ତ୍ରଣା ଅନୁଭବ କରି ଥାଆନ୍ତା !

 

ଆଉ ମାସ ଦୁଇଟି ପରେ ଅଞ୍ଚଳି ଫେରି ଆସିବ । ସମାଜ-ବିଜ୍ଞାନରେ ସେ ଗବେଷଣା କରୁଛି । ନିଶ୍ଚୟ ଡକ୍ଟରେଟ ପାଇବ । ଭାରତବର୍ଷର ସମାଜ ଜୀବନରେ ଅବକ୍ଷୟର ଜୀବାଣୁ କେଉଁ ଦୁର୍ବଳତାର ରନ୍ଧ୍ର ଦେଇ ପ୍ରବେଶ କରିଛି, ତାର ସମାଜବିଜ୍ଞାନୀ ଦୃଷ୍ଟିରେ ସେ କଥା ଧରାପଡ଼ିବା କଷ୍ଟକର ହେବ ନାହିଁ । ଚନ୍ଦ୍ର ! ତମେ ଚେଷ୍ଟାକଲେ ମଧ୍ୟ ତମ ମିଥ୍ୟା ଅଭିଯୋଗକୁ ସତ୍ୟ ବୋଲି ତା ଆଗରେ ପ୍ରମାଣିତ କରିବା ସମ୍ଭବ ହେବ ନାହିଁ । ତମ ଅପପ୍ରଚାରର ଅଭିସନ୍ଧ ବୁଝିପାରିଲା ଭଳି ଉପଯୁକ୍ତ ଜ୍ଞାନ ସେ ଯେପରି ପ୍ୟାରିସ୍ ସହରର ବିଶିଷ୍ଟ ଅଧ୍ୟାପକମାନଙ୍କ ଠାରୁ ଗ୍ରହଣ କରିପାରେ, ସେଥିପାଇଁ ତା ଲାଗି ପ୍ରତି ମାସରେ ମୁଁ ଅଜସ୍ର ଅର୍ଥ ବ୍ୟୟ କରିଛି ।

 

ବାଲ୍ମୀକିଙ୍କ ଆଶ୍ରମରେ ସ୍ୱାମୀ ପରିତ୍ୟକ୍ତା ବୈଦେହୀଙ୍କ ଭଳି ପଶୁପତିନାଥର ଏହି ବନଛାୟା ଘେରା ପାହାଡ଼ିଆ ଉପତ୍ୟକାର ମୁଁ ଯେ ସନ୍ୟାସିନୀ ଭଳି ଜୀବନ-ଯାପନ କରୁଛି, ତାହା କେବଳ ଅଞ୍ଜଳି ପାଇଁ । ଭାନୁପ୍ରତାପକୁ କହି ରଖିଛି, ଅଞ୍ଜଳିର ପ୍ଳେନ୍ ଯେତେବେଳେ କାଠମାଣ୍ଡୁର ଏରୋଡ୍ରମ୍ ସ୍ପର୍ଶ କରିବ, ତାକୁ ଅଭ୍ୟର୍ଥନା ଜଣାଇବା ପାଇଁ ଯେପରି ଶହ ଶହ ନେପାଳୀ ଛାତ୍ରଛାତ୍ରୀ ଫୁଲମାଳ ହାତରେ ଠିଆହୋଇ ରହନ୍ତି ! ସେଥିପାଇଁ ଯାହା କିଛି ଖର୍ଚ୍ଚ ହେବ, ସେଥିରେ ଭାବିବାର କିଛି ନାହିଁ, ସେସବୁ ଖର୍ଚ୍ଚ ମୁଁ ବହନ କରିବି ।

 

ଚନ୍ଦ୍ର ! ଅଞ୍ଜଳିର ବିବାହ ବୟସ ହୋଇଛି । ସେ ପ୍ୟାରିସ୍‍ରୁ ଫେରିଆସିଲା ପରେ ସେକଥା ମତେ ଚିନ୍ତା କରିବାକୁ ହେବ । ଭାରତବର୍ଷରେ ସ୍ଵାଧୀନତା ପ୍ରାପ୍ତିପରେ ଅନେକ କଲେଜ, ବିଶ୍ଵବିଦ୍ୟାଳୟ ଖୋଲିଛି । ସେଥିପାଇଁ ଆମ ଦେଶରେ ଶିକ୍ଷକ ପାତ୍ରର ଅଭାବ ନାହାନ୍ତି, ଅଭାବ କେବଳ ସତ୍ପାତ୍ର ! କିନ୍ତୁ ମୁଁ କହିରଖୁଛି, ସତ୍ପାତ୍ର ନ ମିଳିଲେ ମୁଁ କଦାପି ଅଞ୍ଜଳିର ବିବାହ ଦେବି ନାହିଁ !

 

ଚନ୍ଦ୍ର ! ଅନେକ ଦିନ ହେଲା ଅଞ୍ଜଳିଠାରୁ ମୁଁ କିଛି ଚିଠି ପତ୍ର ପାଉନି । ପ୍ରାୟ ଗୋଟିଏ ଯୁଗ ହେଲା ସେ ମୋ ପାଖରୁ ଯାଇ ଦୂରରେ ରହିଛି । କିନ୍ତୁ ଏତେବର୍ଷର ବ୍ୟବଧାନ ମଧ୍ୟରେ ତା ପାଇ ମୁଁ କେବେ ହେଲେ ଏତେ ଉଦ୍‍ବିଗ୍ନ ହୋଇ ନଥିଲି; ଏତେ ଦୀର୍ଘଦିନ ଧରି ସେ କେବେ ମତେ ଚିଠିପତ୍ର ଦେବା ବନ୍ଦ କରି ନଥିଲା ।

 

ତାର କୈଶୋର, ଯୌବନର ପ୍ରଥମ ଦିନ ସବୁ ପ୍ୟାରିସ କଟିଛି, କିନ୍ତୁ ମୋ ପାଖରେ ସବୁଦିନେ ସେ ଶିଶୁଟିଏ ଭଳି ରହିଯାଇଛି ! ମୋ ଠାରୁ ଚିଠି ନ ପାଇଲେ ମତେ ଖଣ୍ଡେ ଚିଠି ନ ଲେଖିଲେ ତାକୁ ଚାରି ଆଡ଼ ଅନ୍ଧକାର ଦେଖାଯାଏ । କିନ୍ତୁ ଏବେ ତାର କଅଣ ହୋଇଛି, ମତେ ଚିଠି ଲେଖିବାକୁ ସେ ଯେମିତି ମୋଟେ ସମୟ ପାଉନି !

 

ପ୍ୟାରିସ୍‍ରେ ତାର ଖବର ପାଇବା ପାଇଁ ମୋର ଆଉ ଏକମାତ୍ର ଯୋଗସୂତ୍ର କମଲ୍...ପ୍ରେମଚାନ୍ଦଜୀଙ୍କ ପୁଅ । ତା ଚିଠିରେ ପ୍ରାୟ ରୀନାର କିଛି ନା କିଛି ସମ୍ବାଦ ଥାଏ । କିନ୍ତୁ ଏଇ କେତେଦିନ ହେଲା କମଲ୍ ଚିଠିରେ ମଧ୍ୟ ରୀନାର କଥା ଅଳ୍ପ, ଅଳ୍ପ । କଅଣ ହୋଇଛି ମୁଁ ଠିକ୍ କିଛି ବୁଝି ପାରୁନାହିଁ । ଅଞ୍ଜଳି ପାଇଁ ଏଥି ମଧ୍ୟରେ ମୋ ମନ ଭିତରେ କିପରି ଅନେକ ଯନ୍ତ୍ରଣା ଚାପା ପଡ଼ି ଯାଇଥିଲା ମନେ ହେଉଛି । ନିଜ ଉପରେ ରାଗ ହେଉଛି, ବିଦେଶକୁ ପଠାଇ ଦେଇ ପିଲାଟା ଉପରେ ମୁଁ ଖୁବ୍ ଅତ୍ୟାଚାର କରିଛି । ଆଜି ନିଜ ହୃଦୟର ତାଡ଼ନାରେ ତାକୁ ପାଖକୁ ଟାଣିବା ପାଇଁ ଯୋର୍ କଲାବେଳେ ସେ ପରି ଅଭିମାନ କରୁଥାଏ, ତାକୁ କଅଣ ଦୋଷ ଦିଆଯାଇପାରେ ?

 

ପ୍ୟାରିସରେ ଅଞ୍ଜଳିର ଶିକ୍ଷା ଶେଷ ହୋଇଆସିଛି, ତାକୁ ଫେରିବାକୁ ପଡ଼ିବ । ଯଦି ସେ ଅଭିମାନରେ ଚିଠି ଦେଇ ନଥାଏ, ତାହାହେଲେ ମତେ ଯିବାକୁ ପଡ଼ିବ ତା ପାଖକୁ । ସେ ଗତ କେତେବର୍ଷ ମଧ୍ୟ କେବଳ ମୋ ପାଖକୁ ଆସିଛି, ଆଜି ମତେ ତା ପାଖକୁ ଯିବାକୁ ପଡ଼ିବ ?

 

ଭାନୁପ୍ରତାପକୁ ମୁଁ ଖବର ଦେଇଛି, ପ୍ୟାରିସ୍ ଯିବା ପାଇଁ ପ୍ଳେନ୍ ଟିକେଟ ଧରି ଖୁବ୍ ଶୀଘ୍ର ସେ ଯେପରି ମୋ ପାଖରେ ପହଞ୍ଚେ । କାରଣ ଅଞ୍ଜଳିକୁ ବାରି ଦେଲେ ମୋ ଜୀବନରେ ଅନ୍ୟ କୌଣସି ସଂପଦ ଅବଶିଷ୍ଟ ନାହିଁ । ଅଞ୍ଜଳି ପାଇଁ ହିଁ ମୁଁ ଓଠକୁ ଦାନ୍ତରେ କାମୁଡ଼ି ଧରି ଏପରି ଭାବରେ ବଞ୍ଚି ରହିଛି ।

 

ଏଇ କେତେଦିନ ହେଲା ମୋର ଦେହ ଆଦୌ ଭଲ ରହୁ ନାହିଁ । ଡାକ୍ତର କହୁଛନ୍ତି, ମୋର କୁଆଡ଼େ ମସ୍ତିସ୍କ ବିକୃତି ଘଟିଛି । କି ନିର୍ବୋଧ ଧାରଣା ! ଯେଉଁ ଦିନ ମୋ ମୁଣ୍ଡରେ ଆକାଶ ଭାଙ୍ଗି ପଡ଼ିଥିଲା, କିଶୋରୀ କନ୍ୟାକୁ ସାଙ୍ଗରେ ଧରି ଅପବାଦର ବୋଝ ମୁଣ୍ଡାଇ ମୁଁ ସ୍ଵାମୀ ଗୃହରୁ ପଦାକୁ ଗୋଡ଼ କାଢ଼ି ବାହାରି ଆସିଥିଲି, ସେଦିନ ମୋ ମୁଣ୍ଡ ଖରାପ ହେଲା ନାହିଁ, ଆଉ ଆଜି ଯେତେବେଳେ ଝିଅ ମୋର ପ୍ୟାରିସ୍‍ରୁ ଡକ୍ଟରେଟ୍ ଉପାଧି ଧରି ମୋ କୋଳକୁ ଫେରି ଆସିବ, ଏତେ ଦିନର ଶୂନ୍ୟ କୋଳ ମୋର ଭରି ଉଠିବ, ସେତିକିବେଳେ ମୋ ମସ୍ତିଷ୍କ ବିକୃତି ଘଟିଛି !

 

ଭାନୁ ପ୍ରତାପକୁ ପ୍ଳେନ୍ ଟିକେଟ କରିବା ଆଗରୁ କହିଛି କମଲ୍‍କୁ ଚିଠି ଲେଖିବା ପାଇଁ । ମୋ ଲାଗି ସେ ସେଠାରେ ରହିବା ପାଇଁ କିଛି ବୈଦେଶିକ ମୁଦ୍ରା ବ୍ୟବସ୍ଥା କରିବ । ଦରକାର ହେଲେ ତାର ଡିଗ୍ରୀ ଆଣିବା କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ମୁଁ ପ୍ୟାରିସ ଅଟକି ରହିବି । ଅଞ୍ଚଳର ବର୍ତ୍ତମାନ ସ୍ଥିତି ସଂପର୍କରେ ମଧ୍ୟ ତାକୁ ଜଣାଇବାକୁ ଚିଠି ଲେଖା ହୋଇଛି, କାରଣ ଏଇ କେତେ ବର୍ଷ ପ୍ୟାରିସ୍ରେ ସେ ଥିଲା ଅଞ୍ଜଳି ଦେହ ମନର ସୀମାନ୍ତରକ୍ଷୀ !

 

କମଲ୍‍ର ଚିଠି ଆସିବା ଆଗରୁ ମୁଁ ପ୍ୟାରିସ୍ ଯିବା ଲାଗି ସବୁ ବ୍ୟବସ୍ଥା କରି ଦେଇଥିଲି-। ସ୍ଵାସ୍ଥ୍ୟ ନିବାସର ସମସ୍ତ ଦେୟ ପରିଶୋଧ କରି କାଲି ମୋର କାଠମାଣ୍ଡୁ ଯିବାର କଥା-। ମୋର ବିଛଣା ପତ୍ର ବନ୍ଧା ସରିଥିଲା । କେବଳ ଅମାବାସ୍ୟାରେ ଯିବା ଶୁଭ ନୁହେଁ ବୋଲି ମୁଁ କାଲି ପାଇଁ ଅପେକ୍ଷା କରୁଥିଲି । କିନ୍ତୁ ଏଇ ଅଳ୍ପ କେତେ ଘଣ୍ଟାର ବ୍ୟବଧାନ ମୋର ସବୁ ପରି କଳ୍ପନାକୁ ଏପାଖ ସେପାଖ କରିଦେଲା ।

 

ଆଜି ସକାଳେ ଭାନୁପ୍ରତାପ ଖଣ୍ଡେ ପ୍ଳେନ୍ ଟିକେଟ ଏବଂ କମଲ୍ ମୋ ପାଖକୁ ପଠାଇଥିବା ଖଣ୍ଡେ ଚିଠି ଦେଇଗଲା । ଆଉ କମଲ୍‍ର ସେ ଚିଠି ଖଣ୍ଡିକ ପଢ଼ି ସାରିବା ପରେ ମୋର ମନେ ହେଲା, ସେ ପ୍ଳେନ୍ ଟିକେଟଟା ସଂପୂର୍ଣ୍ଣ ଅକାମୀ ହୋଇଯାଇଛି ।

 

ଚନ୍ଦ୍ର ! ଆଜି ଅମାବାସ୍ୟା ଶିବରାତ୍ରି !

 

କାଲିଠାରୁ ସହସ୍ର ସହସ୍ର ଯାତ୍ରୀଙ୍କ କୋଳାହଳରେ ପଶୁପତିନାଥ ମୁଖରିତ ହୋଇଉଠୁଛି । ଭାରତର ବିଭିନ୍ନ ଅଞ୍ଚଳରୁ ଅଗଣିତ ଧର୍ମକାଙ୍ଗାଳ ଯାତ୍ରୀ ଧାର ଧାର ପିପିଲିକା ଭଳି ଏଠାକୁ ଛୁଟିଛନ୍ତି । ଝରକାର ଫାଙ୍କରେ ବେଶ୍ ଦେଖାଯାଉଛି ଅମା ରାତ୍ରିର ଅନ୍ଧକାରକୁ ବିଦୀର୍ଣ୍ଣ କରି ପଶୁପତିନାଥ ମନ୍ଦିରରେ ସଂଖ୍ୟାହୀନ ପ୍ରଦୀପ ଶିକ୍ଷା ଜଳିଉଠୁଛି । ଗଙ୍ଗା ଯାଇଛି ଦେବ ଦର୍ଶନ କରିବା ପାଇଁ । ମତେ ବାରମ୍ଵାର ଟାଣୁଥିଲା । ମୁଁ ଗଲି ନାହିଁ । ଏଇ ସ୍ଵଳ୍ପ-ପରିମିତ ପଥ ଅତିକ୍ରମ କରିବା ପାଇ ପାଦରେ ଯେତିକି ଶକ୍ତି ଦରକାର, କମଲ୍‍ର ଚିଠି ପାଇଲା ପରେ ମୁଁ ସେ ଶକ୍ତି ହରାଇ ବସିଛି ।

 

ସେ ଚିଠି ପଢ଼ିବା ପରେ ମୋ ଦେହର ସବୁ ସ୍ନାୟୁଗ୍ରନ୍ଥି ଛିନ୍ନ ଭିନ୍ନ ହୋଇଗଲା ଭଳି ମୁଁ ବୋଧ କରୁଛି । ଚନ୍ଦ୍ର ! ଶ୍ୟାମସୁନ୍ଦର ସହିତ ମୋର ଅବୈଧ ସଂପର୍କର ମିଥ୍ୟା କାହାଣୀକୁ ତମେ ବିଶ୍ୱାସ କରିଥିଲ ବୋଲି ତାହା ସହ୍ୟ କରି ନ ପାରି ମୁଁ ତମ ପାଖରୁ ପଳାଇ ଆସିଥିଲି । ଆଜି ଅଞ୍ଜଳି ଆଉ ଜଣେ ନଷ୍ଟ-ଚରିତ୍ର ବିଦେଶୀ ପ୍ରେମିକ ସହିତ ପ୍ୟାରିସ୍ ଛାଡ଼ି ଅଣ୍ଡରଗ୍ରାଉଣ୍ଡକୁ ପଳାଇ ଯାଇଛି ବୋଲି ଶୁଣିଲା ପରେ ମୁଁ କୁଆଡ଼କୁ ଆଜି ପଳାଇବି ? କେତେ ସମୁଦ୍ରର ଜଳରେ ଏ କ୍ଷୋଭ, ଯନ୍ତ୍ରଣାର ଉତ୍ତାପ ପ୍ରଶମିତ ହେବ ।

 

କମଲ୍‍ର ଚିଠି ପାଇଲା ପରେ ତମ ପ୍ରତି ମୋର ଆଉ ଅଭିମାନ ନାହିଁ । ମାନବ ପ୍ରକୃତି ସଂପର୍କରେ ମୋର ଆଖି ଖୋଲି ଯାଇଛି । ଦିନେ କୁମାରୀ ଜୀବନରେ ତମ ବିପ୍ଲବୀ ଜୀବନର ଅବିଶ୍ୱାସ୍ୟ କାହାଣୀ ଶୁଣି ତମ ପ୍ରତି ମୁଁ ଦୁର୍ବଳ ହୋଇପଡ଼ିଥିଲି । ସେଥିପାଇଁ ବିବାହ ପୂର୍ବରୁ ମୁଁ ତମ ପାଖରେ ଅର୍ପଣ କରି ଦେଇଥିଲି । ତାହା ହିଁ ମୋ ଜୀବନର ସର୍ବଶ୍ରେଷ୍ଠ ଅପରାଧ । ତମକୁ ବିବାହ କରି ସେ ଭ୍ରମ ସଂଶୋଧନ କରି ଦେଇଛି ବୋଲି ମୋର ଧାରଣା ହୋଇଥିଲା । ପରେ ବୁଝିଲି ତାହା ଏକ ଭୁଲ୍ ଧାରଣା ଯେଉଁ ନାରୀ ବିବାହ ପୂର୍ବରୁ ନିଜ ଉପରୁ ନିଜର ନିୟନ୍ତ୍ରଣ ହରାଇଥାଏ, ସେ ଯାହାକୁ ବିବାହ କଲେ ବି ବିବାହିତା ଜୀବନରେ ସଂସାରରେ ସେ କାହାରି ଉପରେ ନିମନ୍ତ୍ରଣ ରଖି ପାରେନାହିଁ । ମୁଁ ଯେଉଁ ଭୁଲ୍ କୁମାରୀ ଜୀବନରେ କରିଥିଲି, ଅଞ୍ଜଳି ଜୀବନରେ ତାର ମଧ୍ୟ ପୁନରାବୃତ୍ତି ହେଲା । ତାର ଏ ଅଧୋପତନର କାହାଣୀ ଶେଷ ମୁହୂର୍ତ୍ତରେ ମତେ ହିଁ ଶୁଣିବାକୁ ଥିଲା-!

 

ଚନ୍ଦ୍ର । କମଲ୍ ଲେଖିଛି, ଅଞ୍ଜଳି ଜିନ୍‍ ନାମକ କେଉଁ ଜଣେ ଉଗ୍ରପନ୍ଥୀ ନଷ୍ଟ ଚରିତ୍ର ଫରାସୀ ତରୁଣ ପ୍ରେମରେ ପଡ଼ିଛି । ତାର ପ୍ରେରଣାରେ ସେ ଯୋଗ ଦେଇଛି ଡିଗଲ-ବିରୋଧୀ ପ୍ୟାରିସ୍ ଛାତ୍ର ଆନ୍ଦୋଳନରେ । ହିଂସାତ୍ମକ କାର୍ଯ୍ୟରେ ଲିପ୍ତଥିବା ହେତୁ ପ୍ୟାରିସ୍‍ର ପୋଲିସ୍ ତାକୁ ଖୋଜି ବୁଲୁଛି । ଦୁଇଥର ଯାଇ ସେ ଅଞ୍ଜଳିର ହୋଟେଲ୍ ସୁଟ୍‍ରୁ ଫେରି ଆସିଲାଣି । ଅଞ୍ଜଳି ନାହିଁ, ତା ବଦଳରେ ଜଣେ ଇଂରେଜି ମହିଳା ସେଠାରେ ଅବସ୍ଥାନ କରୁଛନ୍ତି । ତାଙ୍କ କଥାରୁ ଯାହା ଜଣାପଡ଼ୁଛି, ନିଜର ପ୍ରେମିକ ଜିନ୍‍ ସହିତ ଅଞ୍ଜଳି ଅଣ୍ଡର ଗ୍ରାଉଣ୍ଡକୁ ଚାଲିଯାଇଛି । ପ୍ୟାରିସ୍ ପୋଲିସ ଭାରତୀୟ ପୋଲିସ ଭଳି ନୁହେଁ; କିମ୍ବା ପ୍ୟାରିସ୍‍ର ବିପ୍ଲବୀ ଭିଏତନାମର ଗରିଲା ବିପ୍ଲବୀମାନଙ୍କ ଭଳି ନୁହନ୍ତି । ହୁଏତ ଏଇ ଦିନେ ଦୁଇ ଦିନ ମଧ୍ୟରେ ପ୍ୟାରିସ୍ ପୋଲିସ ହାତରେ ଧରାପଡ଼ି ଅଞ୍ଜଳି ଜେଲ୍ ଯିବ । ହିଂସାତ୍ମକ କାଣ୍ଡରେ ଲିପ୍ତ ଥିବା ହେତୁ କୋର୍ଟ ତା ପ୍ରତି କି ଦଣ୍ଡାଦେଶ ଦେବ ତାହା ବର୍ତ୍ତମାନ ଅନୁମାନ କରିବା କଷ୍ଟ । ତେବେ ଅଞ୍ଜଳି ସେ ନିର୍ଦ୍ଦୋଷ, ଡିଗଲଙ୍କୁ କ୍ଷମତାଚ୍ୟୁତ କରିବାରେ ତାର କିଛି ବ୍ୟକ୍ତିଗତ କିମ୍ବା ଜାତୀୟ ସ୍ଵାର୍ଥ ନାହିଁ; ନଷ୍ଟ ଚରିତ୍ର ଜିନ୍‍ର ଖରାପ ବୁଦ୍ଧିରେ ପଡ଼ି ସେ ଏଭଳି କାର୍ଯ୍ୟ କରିଛି, ଏ ଯୁକ୍ତି ଦର୍ଶାଇ ଓକିଲ ଯେପରି ତାକୁ ଶୀଘ୍ର ଜେଲ୍‍ରୁ ମୁକ୍ତି କରିଆଣେ, ସେଥିପାଇଁ ସେ ଆପ୍ରାଣ ଉଦ୍ୟମ କରିବ । ତେବେ ଦୋଷମୁକ୍ତ ହୋଇ ଅଞ୍ଜଳି ତା ହୋଟେଲକୁ ଫେରିବା ପର୍ଯ୍ୟନ୍ତ ମୁଁ ପ୍ୟାରିସ୍ ଯିବା କାର୍ଯ୍ୟକ୍ରମ ସ୍ଥଗିତ ରଖିବା ଉଚିତ ।

 

ଚିଠିଟା ପଢ଼ି ମୋର କାନ୍ଦି ପକାଇବାର କଥା କିନ୍ତୁ ମୁଁ କାନ୍ଦି ପାରି ନଥିଲି । ଜଳଜଳ କରି ଅନେକ ସମୟ ଭାନୁପ୍ରତାପ ମୁହଁକୁ ଅବାକ୍ ଦୃଷ୍ଟିରେ ଚାହିଁ ରହିଥିଲି । ଅଞ୍ଜଳି ଜୀବନରେ ଏମିତି କିଛି ଘଟିବ, ଏକଥା ମୋର ଆଗରୁ ଅନୁମାନ କରିବା ଉଚିତ ଥିଲା । କାରଣ ସେ ତମରି ଝିଅ, ତମର ରକ୍ତ ତାର ଶୋଣିତ ଗ୍ରନ୍ଥିରେ, ତମରି “ଆଶ୍ଚର୍ଯ୍ୟ” ଉପାଧି ତା ନାମ ଶେଷରେ କଟାମୁଣ୍ଡ ଭଳି ଝୁଲୁଛି ।

 

ଚନ୍ଦ୍ରଭାନୁ ! ତମେ ଶେଷରେ ଜିତିଗଲ । ଅଞ୍ଜଳି ଦେହରେ ତମରି ରକ୍ତ । ଇଚ୍ଛା କରି, ଚେଷ୍ଟା କରି ମଧ୍ୟ ମୁଁ ତାକୁ ନିଜର କରି ପାରିଲି ନାହିଁ । କିନ୍ତୁ ତମଠାରୁ ବିଚ୍ଛିନ୍ନ କରି ଆଣି ମୋ ନିଜ ସହିତ ତାକୁ ଏକାତ୍ମ କରିବାର ପ୍ରଚେଷ୍ଟାରେ ମୁଁ କୌଣସି ତୃଟି ରଖିନାହିଁ । ତାହାରି ପାଇଁ ମୁଁ ଅବହେଳିତା, ଲାଞ୍ଛିତା ହୋଇସୁଦ୍ଧା ତମର ପତ୍ନୀ ସାଜିଥିଲି । ତାକୁ ହିଁ ମଣିଷ କରିବା ପାଇଁ ମୁଁ ହୋଇଥିଲି ରୂପେଲି ପରଦାର ରୂପସୀ ଅଭିନେତ୍ରୀ; ତାହାରି ଲାଗି ଜନ୍ମଭୂମିରୁ ନିର୍ବାସିତା ହୋଇ ଏହି ମନ୍ଦିର—ପାଗାଡ଼ା–ସ୍ତୁପ—ଚୈତ୍ରର ପାହାଡ଼ିଆ ଭୂମିରେ ମୁଁ ସନ୍ୟାସିନୀ ! ତାର ବ୍ୟାକୁଳ ପ୍ରତୀକ୍ଷାରେ ମୋ ଛାତି ଭିତରର ହୃତ୍‍ସ୍ପନ୍ଦନ କିପରି ଦ୍ରୁତରୁ ଦ୍ରୁତତର ହୋଇ ଉଠିଥିଲା ସେକଥା କେବଳ ପଶୁପତିନାଥ ଜାଣନ୍ତି । କିନ୍ତୁ ସ୍ଵପ୍ନ ମୋର ଅଧା ଦେଖା ରହିଗଲା । ବ୍ୟାଙ୍କ୍-ଲୁଣ୍ଠନକାରୀ ଫେରାର୍ ଆସାମୀର ଝିଅ, ପ୍ୟାରିସ୍ ନଗରୀରେ ହିଂସାତ୍ମକ କାର୍ଯ୍ୟ କରି ଡିଗଲ ସରକାରର ଜେଲ୍‍ଖାନାରେ ଆଜି ନୂତନ ୟୁରୋପର ସ୍ଵପ୍ନ ଦେଖୁଛି !!

 

ଚନ୍ଦ୍ର ! ପଶୁପତିନାଥରେ ମୋର ଅଜ୍ଞାତବାସ ଶେଷ ହୋଇଛି । କାଲି ହୁଏତ ଏ କୋଠରୀ ଶୂନ୍ୟ ପଡ଼ିବ । କିଏ ଜାଣେ, ଶିବରାତ୍ରି ଉତ୍ସବ ଶେଷରେ ଗଙ୍ଗାରାଣୀ ଯେତେବେଳେ ଆଜି ଅର୍ଦ୍ଧରାତ୍ରିରେ ମୋ କୋଠରୀକୁ ଫେରିବ, ଦେଖିବ ହୁଏତ ମୁଁ ନାହିଁ !!!

 

ଏପଟ ଝରକାବାଟେ ଦେଖାଯାଉଛି ପ୍ରଦୀପ-ମାଳିନୀ ପଶୁପତିନାଥ ମନ୍ଦିରର ଆଲୋକ ଉତ୍ସବ; ଏପାଖ ଝରକାରେ ଚାହିଁଲେ ଦିଶୁଛି ଆର୍ଯ୍ୟଘାଟର ମହାଶ୍ମଶାନ ! ଦେବଦାରୁର ଜଙ୍ଗଲ ଉପରେ ରାତ୍ରିର ରାଶି ରାଶି ଅନ୍ଧକାର ବୃଷ୍ଟି ହେଉଛି । ଏପଟେ ଧର୍ମ ଲୋଭୀ ତୀର୍ଥଯାତ୍ରୀ ପ୍ରଦୀପ ଜାଳୁଛନ୍ତି, ସେପଟେ ଜଳୁଛି ଚିତାଗ୍ନିର ଦୀପାବଳୀ ! ଏ ପାଖରେ ଶୁଣାଯାଉଛି ଘଣ୍ଟ ଘଣ୍ଟାର ବାଦ୍ୟ ଧ୍ଵନି, ସେପଟେ କାନପାତିଲେ ଶୁଣାଯାଉଛି ବାଗ୍‍ମତୀର ଜଳ କଲ୍ଲୋଳ !

 

ମୁଁ କୁଆଡ଼େ ଯିବି ନିଜେ ଜାଣେନାହିଁ । ମୋ ନିଜର ଠିକଣା ନିଜେ ଭୁଲି ଯାଇଛି ।

 

ଚନ୍ଦ୍ରଭାନୁ ! ତମେ ସତରେ ଯେବେ କେବେ ଏଠାକୁ ଆସ କିମ୍ବା ମୋର ଏ ଡାଏରୀ ପଢ଼ି ଯଦି କେବେ ତମ ମନରେ ମୋ ପ୍ରତି ସହାନୁଭୂତି ଆସେ, ତାହାହେଲେ ଦୟାକରି ବିଶ୍ୱାସ କର, ଅଞ୍ଜଳିର ପିତା ତମେ । ତମେ ମୋ ଜୀବନର ପ୍ରଥମ ଓ ଶେଷ ପୁରୁଷ । ତମ ଛଡ଼ା ମୋ ଦେହ ଓ ମନରେ ଅନ୍ୟ କୌଣସି ପୁରୁଷର ଛାଇ ପଡ଼ିନାହିଁ । ଯାହାହେଲେ ବି ମୁଁ ତମର ପତ୍ନୀ ।

 

ତମେ ଯଦି ଏତିକି ବିଶ୍ୱାସ କର, ନର୍କରେ ଥିଲେ ବି ମୁଁ ତୃପ୍ତ ହେବି ।

 

।। ଶେଷ କଥା ।।

 

ଚନ୍ଦ୍ରଭାନୁ, ଅଞ୍ଜଳି ଏବଂ ରୋଜାଲୀନା ଏମାନେ ଅନେକ ବିଳମ୍ବରେ ପଶୁପତିନାଥରେ ପହଞ୍ଚିଥିଲେ । ଘର ଖାଲି ପଡ଼ିଥିଲା । କେବଳ ଗଙ୍ଗାରାଣୀ ସୁଁ ସୁଁ ହୋଇ କାନ୍ଦି କହୁଥିଲା, ମାଆ ଯାଇଛନ୍ତି, ଆଉ ଫେରି ନାହାନ୍ତି ।

 

ଜଣେ ଜଣେ ଗଲାବେଳେ ନିଜର ଠିକଣା ହଜାଇ ଦେଇଯାଆନ୍ତି। ନୀଳମଣି ନାୟକ ଝିଅର ଠିକଣା ଜାଣିଥିଲେ ଅବା ଜାଣିଥିବ ନଦୀ ବାଗ୍‍ମତୀ !

 

ଆର୍ଯ୍ୟଘାଟର ଶ୍ମଶାନରେ ଠିଆ ହୋଇ ସେମାନେ ସମସ୍ତେ ବ୍ୟାକୁଳ ଦୃଷ୍ଟିରେ ରୀନାର ସମ୍ବାଦ ତାକୁ ପଚାରୁଥିଲେ ।

ବେଗବତୀ ନଦୀ ବାଗ୍‍ମତୀ କେବଳ କଳ କଳ ଛଳ ଛଳ ଜଳୋଚ୍ଛ୍ୱାସରେ ସେମାନଙ୍କୁ ସତେ ସେମିତି ଉତ୍ତର ଦେଉଥିଲା ସବୁ କଥା କହି ହୁଏନା, ସବୁ ଭାଷା ବୁଝି ହୁଏନା !

 

ସେଇ ରୋଦ୍ରଦଗ୍ଧ ମଧ୍ୟାହ୍ନରେ ବାଗ୍‍ମତୀର ସେ ବାର୍ତ୍ତା ଶୁଣି ଚନ୍ଦ୍ରଭାନୁଙ୍କ କ୍ଳାନ୍ତ ଉଦାସ ଆଖିପତା ଯଦି ଦିବସର ଦୁଃସ୍ୱପ୍ନରେ ଭାରାକ୍ରାନ୍ତ ହୋଇ ଉଠୁଥିଲା, ଅଞ୍ଜଳିର ଅଶ୍ରୁ-ଅନ୍ଧ ଆଖିରେ ତାହା ଭରି ଦେଉଥିଲା ଅନେକ ରାତିର ଅନ୍ଧକାର !

 

ଆରମ୍ଭ—୧୯୬୯, ଅଗଷ୍ଟ

ଶେଶ—୧୯୭୧, ଜୁନ୍ ।

★★★

 

ଏଇ ଲେଖକଙ୍କର

 

ଉପନ୍ୟାସ

ଗଲ୍ପ ସଂଚୟନ

 

ନାୟିକାର ନାମ ଶ୍ରାବଣୀ

 

ଅନେକ ତାରାର ରାତ୍ରି

 

ଚପଳ ଛନ୍ଦା

 

 

 

ବଧୂ ନିରୁପମା

ଶ୍ରେଷ୍ଠ ଗଳ୍ପ

 

ସମୟର ଶୋକ

 

ନୀଳ ଆଖିର ନଦୀ

 

ଦଗ୍‍ଧ ଫୁଲବନ

 

କେବେ ସେ ବସନ୍ତ ସତେ !

 

ଶୂନ୍ୟ ପଞ୍ଜୁରୀର ପକ୍ଷୀ

 

ରାଜକନ୍ୟା ଓ କୃଷ୍ଣସର୍ପ କଥା

 

ଅଶୋକବନର ସୀତା

 

 

 

ଅନ୍ଧକାରର ସିଡ଼ି

ସାହିତ୍ୟ-ଆଲୋଚନା ଓ ଅନ୍ୟାନ୍ୟ

 

ଏଇ ଗାଁ ଏଇ ମାଟି

 

ସାଂପ୍ରତିକ ସାହିତ୍ୟ

 

ସୁଲତାନା

 

ବିଭୂତି ପଟ୍ଟନାୟକ ବିଚିତ୍ରା

 

ଗାରେ କଜ୍ଜଳ ଧାରେ ଲୁହ

 

 

 

ତୁମେ ତୃଷ୍ଣାର ଜଳ

କବିତା-ସଂକଳନ

 

ଏକାନ୍ତ ଆଦିମ

 

ସେ ଏକ ପ୍ରଗଲ୍‍ଭା ନଦୀ

 

କଳାବତୀ

 

 

 

ନିଃସଙ୍ଗ ବିହଙ୍ଗୀ

 

 

 

ଛାୟା ଚନ୍ଦ୍ରିକା

 

 

 

ପାପପୁଣ୍ୟ

 

 

 

ନିଃସଙ୍ଗ ନକ୍ଷତ୍ର

 

 

 

ଦିନ ଯାଏ ଚିହ୍ନ ରହେ

 

 

 

ଉଜାଣି ଯମୁନା

 

 

Image